ପୂର୍ବରୁ ସାଧାରଣ ଲୋକଟିଏ ପକ୍ଷରେ ଜଣେ ଉଚ୍ଚ ପଦାଧିକାରୀଙ୍କୁ ଭେଟିବା କଷ୍ଟକର ବ୍ୟାପର ଥିଲା। ଆଜି କିନ୍ତୁ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଲୋକଙ୍କୁ ପାଖରେ ବସାଇ ସେମାନଙ୍କ ଦୁଃଖ ଶୁଣୁଛନ୍ତି।
ଜୁଲାଇ ୧ ତରିଖରୁ ଆରମ୍ଭ ହୋଇଥିବା ଅଭିଯୋଗ ଶୁଣାଣି ପ୍ରକ୍ରିୟା ଆଜି ଚତୁର୍ଥ ଦିନରେ ପହଞ୍ଚିଲା। ମୁଖ୍ୟମନ୍ତ୍ରୀଙ୍କ ସହିତ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ, ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣୁଥିଲେ। ବିଭିନ୍ନ ବିଭାଗର ସଚିବ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲେ।
ଆଜି ମୁଖ୍ୟମନ୍ତ୍ରୀ ସକାଳ ୧୧ଟାରେ ଶୁଣାଣି ଆରମ୍ଭ କରି ଅପରାହ୍ନ ପ୍ରାୟ ୫ଟା ପର୍ଯ୍ୟନ୍ତ ଶୁଣାଣି ଜାରି ରଖିଥିଲେ। ସମୁଦାୟ ୧୦୦୦ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ଏବଂ ସମସ୍ତ ଅଭିଯୋଗକାରୀ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ଜଣାଇଥିଲେ।
ଆଜି ଆସିଥିବା ବିଭିନ୍ନ ଅଭିଯୋଗକାରୀମାନଙ୍କ ମଧ୍ୟରୁ ଜଣେ ଥିଲେ ଅନୁଗୋଳର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଶଙ୍କର ଦାସ। ଚାକିରୀ କାଳରେ ତାଙ୍କ ପ୍ରତି ବହୁ ଅନ୍ୟାୟ ଓ ଅବହେଳା କରାଯାଇଛି ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଭରା ଅଭିଯୋଗ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ଶୁଣି, ଅଧୈର୍ଯ୍ୟ ନହେବା ପାଇଁ ପରାମର୍ଶ ଦେଇଥିଲେ ଏବଂ ତାଙ୍କୁ ନ୍ୟାୟ ଦେବା ପାଇଁ ଉପସ୍ଥିତ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସେହିପରି ଆଉ ଜଣେ ଅଭିଯୋଗକାରୀ ଥିଲେ ଭଦ୍ରକ ଜିଲ୍ଲାର ୨୨ ବର୍ଷର ଭିନ୍ନକ୍ଷମ ଯୁବକ ନିରାକାର ନାୟକ। ସାଙ୍ଗରେ ଥିଲେ ତାଙ୍କ ବାପା ଓ ମା’। ଜାପାନୀ ଜ୍ୱରରେ ପୀଡିତ ହୋଇ ଯୁବକ ଜଣକ ଭିନ୍ନକ୍ଷମ ହୋଇଯାଇଛନ୍ତି। ଚିକିତ୍ସା ପାଇଁ ବହୁ ଖର୍ଚ୍ଚାନ୍ତ ହେଲେଣି। ଚିକିତ୍ସା ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଚିକିତ୍ସା ବାବଦରେ ଆଶ୍ୱାସନା ଭରା ପ୍ରତିଶ୍ରୁତି ଶୁଣି ସେମାନେ ଖୁସି ମନରେ ଫେରିଲେ।
ଆଉ ଜଣେ କୋରାପୁଟ ଜିଲ୍ଲାର ଅଭିଯୋଗକାରୀ ରମେଶ ଧଳ, ଗାଁରେ ତାଙ୍କ ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାର ବିଷୟ ନେଇ ସପତ୍ନୀକ ଆସିଥିଲେ। ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣି ଜିଲ୍ଲା ଏସ୍.ପିଙ୍କୁ ତୁରନ୍ତ ତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ସେହିପରି ଆଉ ଜଣେ ଅଭିଯୋଗକାରୀ ଥିଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳର ସରୋଜିନୀ ଦାସ। ସେ ଅଭିଯୋଗ କରିଥିଲେ ଯେ ତାଙ୍କ ପୁଅକୁ ହତ୍ୟା କରାଯାଇଛି। ହତ୍ୟାକାରୀଙ୍କୁ ଆଜି ସୁଦ୍ଧା ପୋଲିସ ଧରୁନାହିଁ। ମୁଖ୍ୟମନ୍ତ୍ରୀ ତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ତୁରନ୍ତ ଜିଲ୍ଲା ଏସ୍.ପିଙ୍କୁ ନିର୍ଦ୍ଦେଶ ଦେଲେ ଏବଂ କହିଲେ ନ୍ୟାୟ ମିଳୁଛି କି ନାହିଁ ମୋତେ ଆସି ଜଣାଇବ। ଅଭିଯୋଗକାରୀ ମହିଳା ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନା ଭରା କଥା ଶୁଣି କହିଲେ ଯେ ମୁଖ୍ୟମନ୍ତ୍ରୀ ମୋ ମନରେ ଭରସା ସୃଷ୍ଟି କଲେ ଯେ ମୁଁ ନିଶ୍ଚିତ ରୂପେ ନ୍ୟାୟ ପାଇବି। ଏହି ଭଳି ପ୍ରତ୍ୟେକଙ୍କ କିଛି ନା କିଛି ଅଭିଯୋଗ ଥିଲା । ଆଉ ସମସ୍ତେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ପାଖରେ ପାଇ ସିଧାସଳଖ ଅଭିଯୋଗ ଦେଇ ଆତ୍ମସନ୍ତୋଷର ସହ ଫେରିଥିଲେ।
କେନ୍ଦ୍ରାପଡା ଜିଲ୍ଲା ରାଜକନିକାରୁ ୧୭ଜଣ ଚାଷୀ ତାଙ୍କ ଅଞ୍ଚଳର ବରୁଣା ପ୍ରାଥମିକ କୃଷି ସମବାୟ ସମିତିରେ ହୋଇଥିବା ଆର୍ଥିକ ହେରଫେର ବିଷୟରେ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ପଦଯାତ୍ରାରେ ଆସିଥିଲେ। ସେମାନଙ୍କ ଅଭିଯୋଗ ଥିଲା ଯେ ସମିତିର ଦୁଇ ଜଣ ଅଧିକାରୀ କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଆର୍ଥିକ ସହାୟତାକୁ ଚଞ୍ଚକତା କରି ନେଇଯାଇଛନ୍ତି। ସେମାନଙ୍କ ବିରୁଦ୍ଧରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । କୃଷକମାନେ ସେମାନଙ୍କ ଉଚିତ୍ ସରକାରୀ ପ୍ରାପ୍ୟ ପାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଅଭିଯୋଗ ନେଇ ଆସିଥିଲେ । ମୁଖ୍ୟମନ୍ତ୍ରୀ ନିଜେ ସେମାନଙ୍କ ପାଖକୁ ଆସି ସେମାନଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କଲେ ଏବଂ ସେମାନଙ୍କ ଆଶ୍ୱାସନା ଦେଇଥିଲେ ଯେ ଏ ସରକାର ହେଉଛି ଚାଷୀଙ୍କ ସରକାର । ଚାଷୀଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ କେବେହେଲେ ପ୍ରଶ୍ରୟ ଦିଆଯିବ ନାହିଁ। ଯଥାଶୀଘ୍ର ଏହି ଅଭିଯୋଗ ଉପରେ ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ମିଳିବା ସହିତ ଆପଣମାନଙ୍କୁ ନ୍ୟାୟ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀଙ୍କର ଏହି ଆଶ୍ୱାସନା ଭରା କଥା ଶୁଣି ଖୁସି ମନରେ ସମସ୍ତେ ‘ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ’ ଧ୍ୱନୀ ଦେଇ ଫେରିଥିଲେ।
ट्रेन्डिंग फोटोज़