ବହୁରୂପୀ ବନବିଭାଗ! ରାଜ୍ୟରୁ ସଫା ହେଉଛନ୍ତି ହାତୀ, ଏଣ୍ଡୁଅ ବିକି ଧରାପଡିଲେ ଜେଜେ-ନାତି
Advertisement
Article Detail0/zeeodisha/odisha1325655

ବହୁରୂପୀ ବନବିଭାଗ! ରାଜ୍ୟରୁ ସଫା ହେଉଛନ୍ତି ହାତୀ, ଏଣ୍ଡୁଅ ବିକି ଧରାପଡିଲେ ଜେଜେ-ନାତି

Seized smuggling iguanas: ହାତୀ ମୃତ୍ୟୁକୁ ନେଇ ବନବିଭାଗର କାର୍ଯ୍ୟଦକ୍ଷତା ଉପରେ ବନ୍ୟପ୍ରାଣୀ ପ୍ରେମୀ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ କହିବା ହେଲା, ଲଗାତର ରାଜ୍ୟରେ ହାତୀଙ୍କ ସଂଖ୍ୟା ହ୍ରାସ ହେଉଛି। ବିଭାଗୀୟ କର୍ମଚାରୀଙ୍କ ଦାୟିତ୍ୱହୀନତା ଓ ଶିକାରୀଙ୍କ ଗୁଳିରେ ଅନେକ ହାତୀଙ୍କ ଜୀବନ ଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କିଛି ହାତ ଗଣତି ମାମଲାରେ ଅଭିଯୁକ୍ତଙ୍କୁ ଧରା ଯାଇଛି। ବିଶାଳକାୟ ହାତୀର ହତ୍ୟାକାରୀ ବନବିଭାଗର ନାକ ତଳୁ ଖସି ଯାଉଛି। 

ବହୁରୂପୀ ବନବିଭାଗ! ରାଜ୍ୟରୁ ସଫା ହେଉଛନ୍ତି ହାତୀ, ଏଣ୍ଡୁଅ ବିକି ଧରାପଡିଲେ ଜେଜେ-ନାତି

Seized smuggling iguanas, ଭୁବନେଶ୍ୱର: ବିରଳ ଏଣ୍ଡୁଅକୁ ଚୋରା ଚାଲାଣ ବେଳେ ବନବିଭାଗ ହାତରେ ଦୁଇ ଜଣ ଧରାପଡିଛନ୍ତି। ରାଜଧାନୀ ଭୁବନେଶ୍ବରର ବାଣୀବିହାର ନିକଟ ଶ୍ୟାମା ମୁଖାର୍ଜି ପାର୍କ ନିକଟରୁ ଜେଜେ-ନାତିଙ୍କୁ ଗିରଫ କରାଯାଇଛି। ସେମାନେ ଏଣ୍ଡୁଅକୁ ଦେଢ ଲକ୍ଷରେ ବିକ୍ରି ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ତେବେ ବନବିଭାଗର ଏହି କାର୍ଯ୍ୟାନୁଷ୍ଠାନକୁ କିଛି ଲୋକ ପ୍ରଶଂସା କରୁଥିବା ବେଳେ କିଛି ଲୋକ କାଟକ୍ଷ ମଧ୍ୟ କରିଛନ୍ତି। କଟାକ୍ଷ କରୁଥିବା ଗୋଷ୍ଠୀର କହିବା ହେଲା, ବିଶ୍ୱର ବୃହତ୍ତମ ସ୍ତନପାୟୀ ପ୍ରାଣୀ ହାତୀକୁ ମାରି ଶିକାରୀ ଅନ୍ତର୍ଧ୍ୟାନ ହେଇ ଯାଉଛି ଅଥଚ ଅଭିଯୁକ୍ତ ଚିହ୍ନଟ ହୋଇପାରୁ ନାହିଁ। କିନ୍ତୁ ଛୋଟ ଏଣ୍ଡୁଅ ବିକ୍ରି କରିବାକୁ ଆସିଥିବା ବ୍ୟକ୍ତି ଧରାପଡୁଛି। 

ଏଣ୍ଡୁଅ ବିକ୍ରି ଅଭିଯୋଗରେ ଗିରଫ ହୋଇଥିବା ଦୁଇ ବ୍ୟକ୍ତି ସମ୍ପର୍କରେ ଜେଜେ (କ୍ଷିରୋଦ ମହାନ୍ତି) ଓ ନାତି (ରଶ୍ମି ରଜନ ଦାସ) ହେବେ। ସେମାନଙ୍କ ଘର ଜଗତସିଂହପୁର ତିର୍ତୋଲ ଅଞ୍ଚଳରେ ବୋଲି ଜଣାପିଡିଛି। କ୍ଷିରୋଦ ଓ ରଶ୍ମି ରଞ୍ଜନ ଦେଢ ଲକ୍ଷ ଟଙ୍କାର ଏଣ୍ଡୁଅକୁ  ବିକ୍ରି କରୁଥିବା ଅଭିଯୋଗ ହୋଇଛି। ତେବେ କିଣିବାକୁ ଆସିଥିବା ବ୍ୟକ୍ତି ବନବିଭାଗ ହାତରୁ ଖସି ଯାଇଛନ୍ତି। ବନବିଭାଗର ସୂଚନା ଅନୁସାରେ, ଦୁଇ ଅଭିଯୁକ୍ତ ଜଟଣିର ଜଣେ ବ୍ୟକ୍ତିଙ୍କଠୁ ବହୁରୂପି ଏଣ୍ଡୁଅ ଆଣିଥିଲେ। ତେବେ କାହା ପାଖରୁ ଆଣିଥିଲେ ଓ କାହାକୁ ବିକ୍ରି କରିଥାନ୍ତେ ସେନେଇ ତଦନ୍ତ ଚାଲୁଥିବା ସିଟି ରେଞ୍ଜର ମାନସ ମହାନ୍ତି କହିଛନ୍ତି।

Also Read: Elephant death in Odisha: ଜାଗିଉଠ ବନ ବିଭାଗ, ହାତୀ ଶୂନ୍ୟ ହେଲାଣି ଓଡ଼ିଶା!

ଗତ ସପ୍ତାହରେ ସମ୍ବଲପୁରର ରାମଚନ୍ଦ୍ର ରଣା ନାମକ ଜଣେ କଥିତ ବନ୍ୟପ୍ରାଣୀ ପ୍ରେମୀଙ୍କୁ ବନବିଭାଗ ଗିରଫ କରିଥିଲା। ରାମଚନ୍ଦ୍ରଙ୍କ ଠାରୁ ସାତଟି ସାପ ଓ ଚାରୋଟି ରଙ୍ଗିନ ଏଣ୍ଡୁଅ ଜବତ କରାଯାଇଥିଲା। ବନ୍ୟପ୍ରାଣୀ ପ୍ରେମ ନାମରେ ରାମଚନ୍ଦ୍ର ସେମାନଙ୍କ ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଛି। ବନ୍ୟପ୍ରାଣୀ ସୁରକ୍ଷା ଆଇନର ଅନେକ ଦଫାରେ ତାଙ୍କୁ ଗିରଫ କରାଯାଇଛି। ତେବେ ଅନେକ ଦିନରୁ ରାମଚନ୍ଦ୍ର ରଣା, ୟୁଟ୍ୟୁବ ଚ୍ୟାନେଲ ଖୋଲିଛନ୍ତି। ସେ ବିଭିନ୍ନ ବନ୍ୟପ୍ରାଣୀଙ୍କୁ ଧରି ଭିଡିଓ ତିଆରି ସେଥିରେ ଅପଲୋଡ କରୁଥିଲେ।

ଅନ୍ୟପଟେ ହାତୀ ମୃତ୍ୟୁକୁ ନେଇ ବନବିଭାଗର କାର୍ଯ୍ୟଦକ୍ଷତା ଉପରେ ବନ୍ୟପ୍ରାଣୀ ପ୍ରେମୀ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ କହିବା ହେଲା, ଲଗାତର ରାଜ୍ୟରେ ହାତୀଙ୍କ ସଂଖ୍ୟା ହ୍ରାସ ହେଉଛି। ବିଭାଗୀୟ କର୍ମଚାରୀଙ୍କ ଦାୟିତ୍ୱହୀନତା ଓ ଶିକାରୀଙ୍କ ଗୁଳିରେ ଅନେକ ହାତୀଙ୍କ ଜୀବନ ଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କିଛି ହାତ ଗଣତି ମାମଲାରେ ଅଭିଯୁକ୍ତଙ୍କୁ ଧରା ଯାଇଛି। ବିଶାଳକାୟ ହାତୀର ହତ୍ୟାକାରୀ ବନବିଭାଗର ନାକ ତଳୁ ଖସି ଯାଉଛି। ଅଥଚ ଛୋଟ ଏଣ୍ଡୁଅ ଚାଲାଣ ବେଳେ ଲୋକ ଧରାପଡୁଛନ୍ତି। ଏଥିରୁ ବନବିଭାଗର ପାରିବାପଣିଆ ସ୍ପଷ୍ଟ ଜଣାପଡୁଛି ବୋଲି ବନ୍ୟପ୍ରାଣୀ ପ୍ରେମୀ କହିବା ସହ ହାତୀ ହତ୍ୟାରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ହାତ ଥିବା ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଗତ ସପ୍ତାହର ଚାରି ଦିନରେ ରାଜ୍ୟର ଚାରୋଟି ହାତୀଙ୍କ ମୃତ୍ୟୁ ହୋଇଛି। ରବିବାର ଢେଙ୍କାନାଳର ମହାବୀରରୋଡ ରେଞ୍ଜ ଖେସେରା ଜଙ୍ଗଲରୁ ଏକ ମାଈ ହାତୀର ମୃତଦେହ ଠାବ ହୋଇଛି। ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ କହିଛି। ଶନିବାର ମଧ୍ୟ ଅନୁଗୁଳ ସାତକୋଶିରେ ଏକ ଦନ୍ତାହାତୀର ମୃତଦେହ ମିଳିଥିଲା।  ଜଗନ୍ନାଥପୁର ଆମ୍ବ ତୋଟାରୁ ଦନ୍ତାର ମୃତଦେହ ବନବିଭାଗ ଉଦ୍ଧାର କରିଥିଲା। ସେହିପରି ୨୫ ତାରିଖରେ କେନ୍ଦୁଝରରେ ବିଦ୍ୟୁତ୍ ତାର ଲାଗି ୨ଟି ହାତୀର ମୃତ୍ୟୁ ହୋଇଥିଲା। ଯାହାଫଳରେ ଲଗାତାର ଭାବରେ ହାତୀ ମୃତ୍ୟୁକୁ ନେଇ ଚିନ୍ତା ବଢ଼ିଛି।

Also Read: Kalia Yojana: ଏହି ଦିନ ମିଳିବ 'କାଳିଆ' ସହାୟତା, ୪୧ ଲକ୍ଷ ଚାଷୀଙ୍କ ଖାତାକୁ ଯିବ ୮୦୦ କୋଟି ଟଙ୍କା
 
ଚଳିତ ବର୍ଷ (୨୦୨୨)ରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜଙ୍ଗଲରେ ବିଭିନ୍ନ କାରଣରୁ ୨୦ରୁ ଅଧିକ ହାତୀଙ୍କର ମୃତ୍ୟୁ ହେଲାଣି। ଏହି ମୃତ୍ୟୁ ତାଲିକାରେ ବୌଦ୍ଧ ଜିଲ୍ଲାରୁ ୨, କେନ୍ଦୁଝୁର ଜିଲ୍ଲାରୁ ୨ ହାତୀ ଛୁଆ ସମେତ ୩, ଚନ୍ଦକା ଅଭୟାରଣ୍ୟରେ ନନ୍ଦ, କଳାହାଣ୍ଡି ଜିଲ୍ଲାରେ ୬, ସମ୍ବଲପୁରରେ ଗୋଟିଏ, ଢେଙ୍କାନାଳ ବନାଞ୍ଚଳରେ ୨ ଓ ନରସିଂହପୁର ବନାଞ୍ଚଳରେ ୫ଟି ହାତୀର ମୃତ୍ୟୁ ଘଟିଛି। ଏଥିରୁ ବୌଦ୍ଧ, ନରସିଂହପୁରରେ ଶିକାରୀଙ୍କ ଗୁଳିରେ ହାତୀଙ୍କ ମୃତ୍ୟୁହୋଇଛି। କେନ୍ଦୁଝରରେ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଛି। ଗୋଟିଏ ବର୍ଷର କିଛି ମାସ ମଧ୍ୟରେ ୨୦ରୁ ଅଧିକ ହାତୀଙ୍କ ମୃତ୍ୟୁ ସତ୍ତ୍ୱେ ଜଙ୍ଗଲ ବିଭାଗର ପଦକ୍ଷେପ ଶୂନ ରହିଛି। 

ବିଧାନସଭାରେ ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ତଥ୍ୟ କହୁଛି, ୨୦୧୭ ଗଣନା ଅନୁସାରେ ରାଜ୍ୟରେ ୧୯୭୬ଟି ହାତୀ ଥିଲେ। ୫ ବର୍ଷରେ ସେଥିରୁ ୨୩୩ ହାତୀଙ୍କର ଜୀବନ ଯାଇଛି। ୧୪ଟି ହାତୀ ଶୀକାରୀ ଗୁଳିରେ ପ୍ରାଣ ହରାଇଥିବା ବେଳେ ବିଦ୍ୟୁତ ଅଘାତରେ ୬୩, ଟ୍ରେନ୍‌ ଧକ୍କାରେ ୨୦, ସଡକ ଦୁର୍ଘଟଣାରେ ୪ ଓ ପ୍ରାକୃତିକ କାରଣରୁ ୮୫ ହାତୀଙ୍କ ଜୀବନ ଯାଇଛି। ତେବେ ୪୭ ହାତୀଙ୍କ ମୃତ୍ୟୁର କାରଣ ବନବିଭାଗ ଖୋଜି ପାଉନି। ଏତେ ସଂଖ୍ୟାକ ହାତୀ ମୃତ୍ୟୁକୁ ନେଇ ବିଶେଷଜ୍ଞମାନେ ବନବିଭାଗକୁ ଦାୟୀ କରିଛନ୍ତି। ବିଭାଗରେ ମାତ୍ରାଧିକ ଦୁର୍ନୀତି କାରଣରୁ ହାତୀ ମୃତ୍ୟୁ ରୋକିବାରେ ସରକାର ବିଫଳ ହୋଇଛନ୍ତି। ହାତୀ ମୃତ୍ୟୁ ପାଇଁ ବିଭାଗକୁ ଉତ୍ତରଦାୟୀ ରଖାଯିବା ଓ ଅଭିଯୁକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦ୍ୱାରା ହିଁ ହାତୀ ମୃତ୍ୟୁ ରୋକାଯାଇପାରିବ ବୋଲି ବିଶେଷଜ୍ଞର ମତ ରହିଛି।