Odisha News Live Updates: ୟୁପି ହାଥରସରେ ବଡ଼ ଅଘଟଣ, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର
Advertisement
Article Detail0/zeeodisha/odisha2318936

Odisha News Live Updates: ୟୁପି ହାଥରସରେ ବଡ଼ ଅଘଟଣ, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha News Live Updates: ୟୁପି ହାଥରସରେ ବଡ଼ ଅଘଟଣ, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର
LIVE Blog

 

 

03 July 2024
22:20 PM

Odisha News LIve Updates: ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ିଙ୍କ ଅକାଳ ବିୟୋଗ
ଆଉ ନାହାନ୍ତି ବିଜେପି ନେତା ତଥା ମାଲକାନାଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ି। ଆଜି ଭୁବନେଶ୍ୱର ସ୍ଥିତ ଏମ୍ସରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୯ ବର୍ଷ ବୟସ ହୋଇଥିଲା। ଶ୍ରୀ ମାଢ଼ି ଦୀର୍ଘ ଦିନ ହେଲା କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ଥିଲେ। ଦୁଇ ବର୍ଷ ତଳେ ତାଙ୍କର କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା। ତଥାପି ସେ ବେଶ କିଛି ଦିନ ଅସୁସ୍ଥତା କାରଣରୁ ଏମ୍ସରେ ଚିକିତ୍ସିତ ହେଉଥିଲେ। ହେଲେ ଆଜି ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।

17:46 PM

Odisha News Live Updates: ପୋଷ୍ଟମଟର୍ମ ରିପୋର୍ଟରେ ହେରଫେର ପାଇଁ ୫ ହଜାର ଲାଞ୍ଚ ନେଉଥିଲେ ପୁଲିସବାବୁ
ଭିଜିଲାନ୍ସ ଜାଲରେ ଫସିଗଲେ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଏସ୍‌ଆଇ କେଶବ ଚନ୍ଦ୍ର ଦାସ। ପୋଷ୍ଟମଟର୍ମ ରିପୋର୍ଟରେ ହେରଫେର ପାଇଁ ଶ୍ରୀ ଦାସ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଆଜି ଅପରାହ୍‌ଣରେ ମାଡ଼ି ବସିଛନ୍ତି। ଶ୍ରୀ ଦାସ ବିଞ୍ଝାରପୁରସ୍ଥିତ ସରକାରୀ କ୍ୱାଟରେ ଲାଞ୍ଚ ନେଉଥିଲେ।

17:44 PM

Odisha News Live Updates: ଦେଶୀ ଟୁଇଟର ‘କୋ’ ବନ୍ଦ ହେଲା
ଦେଶୀ ସୋସିଆଲ ମିଡିଆ ଷ୍ଟାର୍ଟଅପ୍ ‘କୁ’ ବନ୍ଦ ହୋଇଛି। କମ୍ପାନୀର ସହ-ପ୍ରତିଷ୍ଠାତା ଅପ୍ରମେୟ ରାଧାକ୍ରିଷ୍ଣନ୍ ଏକ ଲିଙ୍କଡିନ୍ ପୋଷ୍ଟରେ ଏହା ପ୍ରକାଶ କରିଛନ୍ତି। କିଛି ସମୟ ପାଇଁ, ‘କୋ’ର ବିକ୍ରୟ କିମ୍ବା ମିଶ୍ରଣ ବିଷୟରେ ବିଭିନ୍ନ କମ୍ପାନୀ ସହିତ ଆଲୋଚନା ଚାଲିଥିଲା, ଯେଉଁଥିରେ ଡେଲି ହଣ୍ଟ ଅନ୍ତର୍ଭୁକ୍ତ ଥିଲା। କଥାବାର୍ତ୍ତା ସଫଳ ନ ହେବା ପରେ କମ୍ପାନୀର ପ୍ରତିଷ୍ଠାତା ‘କୋ’କୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

17:44 PM

Odisha News Live Updates: ଭୋଜି ପାଇଁ ଶିକାର କରିଥିଲେ ଚିଲିକା ପକ୍ଷୀ: ବନ ବିଭାଗ ହାତରେ ଧରାପଡ଼ି ୨ ଗିରଫ
ବନ୍ୟପ୍ରାଣୀ ଶିକାର ନିଷେଧାଦେଶ ଥିବା ବେଳେ ମଧ୍ୟ ଶିକାରୀମାନେ ଏହାକୁ ଭୃକ୍ଷେପ କରୁ ନାହାନ୍ତି। ବରଂ ନିରୀହ ପକ୍ଷୀମାନଙ୍କୁ ମାରି ନିଜ ପେଟପୁରାଇବାକୁ ଉଦ୍ୟମ କରୁଛନ୍ତି। ଶିକାରୀମାନେ ଭୋଜି କରିବାକୁ କୁକୁଡ଼ା କିମ୍ବା ଛେଳିମାଂସ ବଦଳରେ ଚିଲିକାର ବୃହତ୍‌ ଜଳରାଶିରେ ଭାସୁଥିବା ପକ୍ଷୀମାନଙ୍କୁ ଟାର୍ଗେଟ କରୁଛନ୍ତି। ପକ୍ଷୀ ଶିକାର କରି ଫେରୁଥିବା ବେଳେ ବନ୍ୟପ୍ରାଣୀ ବିଭାଗର କର୍ମଚାରୀମାନେ ଅତର୍କିତ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିଛନ୍ତି। ତେବେ ଚଢ଼ାଉ ସମୟରେ ଜଣେ ଚମ୍ପଟ ମାରିବାରେ ସଫଳ ହୋଇଛି। ଶିକାରୀମାନଙ୍କ ଠାରୁ ବନବିଭାଗ ୧୪ଟି ମୃତପକ୍ଷୀ ଜବତ କରିଛି।

17:43 PM

Odisha News Live Updates: ଜଷ୍ଟିସ ବି.ଆର. ଷଡ଼ଙ୍ଗୀ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ
ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଡ. ବି.ଆର. ଷଡ଼ଙ୍ଗୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ଗତ ବର୍ଷ ଡିସେମ୍ବର ୨୭ରେ ସୁପ୍ରିମକୋର୍ଟ କଲେଜିୟମ ଦ୍ୱାରା କରାଯାଇଥିବା ଏକ ସୁପାରିଶ ଆଧାରରେ ଏହି ନିଯୁକ୍ତି ଦିଆଯାଇଛି।ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏହା ନିଶ୍ଚିତ କରିଛନ୍ତି।

14:06 PM

Odisha News Live Updates: କିଛି ଦିନ ରେ ପୁଅ ହୋଇଥାନ୍ତା ଡ଼ାକ୍ତର । ରାଜ୍ୟ ବାହାରେ ଡାକ୍ତରୀ ପାଠ୍ୟକ୍ରମ ର ଶେଷ ପରୀକ୍ଷା ପୂର୍ବରୁ ଦୁର୍ଘଟଣାରେ ଜୀବନ ଗଲା । ପୁଅ କୁ ହରାଇ ସଚେତନତା କରାଇବା ଲକ୍ଷ ରେ ଗୀତ ଲେଖୁଥିଲେ ମା । ଏବେ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଲେ ମା ସୁଜାତା ଖଟୁଆ । ଭଦ୍ରକ ସହର ର ନରିପୁର ଅଞ୍ଚଳ ର ସୁଜାତା ଖଟୁଆ ଙ୍କ ପୁଅ ରାଜ୍ୟ ବାହାରେ ମେଡିକାଲ ପାଠ୍ୟକ୍ରମ କରୁଥିଲେ । ତେବେ ଶେଷ ପରୀକ୍ଷା ପୂର୍ବରୁ ଏକ ଦୁର୍ଘଟଣା ରେ ଗୁରୁତର ହୋଇ ଚିକିତ୍ସିତ ଅବସ୍ଥା ରେ ମୃତ୍ୟୁ ବରଣ କରିଥିଲେ । ଘର ର ଏକ ମାତ୍ର ସନ୍ତାନ କୁ ହରାଇ ପରିବାର ଦୁଃଖ ରେ ଭାଙ୍ଗିପଡିଥିଲେ । ପରେ ମା ସୁଜାତା ଦୁର୍ଘଟଣା କୁ ନେଇ ଅନେକ ସଚେତନତାଧର୍ମୀ କବିତା ଓ ଗୀତ ଲେଖୁଥିଲେ । ଏହାକୁ ଆଧାର କରି ତାଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ରେ ସ୍ଥାନ ମିଳିଛି ।

13:36 PM

Odisha News Live Updates:  ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ। ଦେଶର ଜନତା ଆମକୁ ଆଶୀର୍ବାଦ ଦେଇଛନ୍ତି। ସେମାନେ ନିଜର ବୁଦ୍ଧି ଓ ବିବେକ ଖଟାଇ ସରକାର ଚୟନ କରିଛନ୍ତି। ଧର୍ମ ରାଜନୀତି ଛାଡି ଭରସାର ରାଜନୀତିରେ ବିଜୟର ମୋହର ଲଗାଇଛନ୍ତି। ଚାଷୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ବେଳେ ବିରୋଧୀଙ୍କ ପାଟିତୁଣ୍ଡ, ସ୍ଲୋଗାନବାଜି।

 

13:34 PM

Odisha News Live Updates:  ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ। ଆଗାମୀ ୫ ବର୍ଷ ଗରିବୀ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ହେବ କହିଲେ। ଗରିବୀକୁ ମୂଳୋତ୍ପାଟନ କରିବାକୁ ସରକାର ନିର୍ଣ୍ଣାୟକ ଲଢ଼େଇ ଲଢ଼ିବେ।

13:32 PM

Odisha News Live Updates:  ମଙ୍ଗଳବାର ଏବଂ ବୁଧବାର ଉତ୍ତର ଭାରତର ୧୫ଟି ରାଜ୍ୟ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (IMD) । ଏହି ସପ୍ତାହରେ ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଆସିବା ପରେ ଜୁଲାଇ ୩ ରେ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ବିଭାଗ। ଏ ନେଇ ଗୁଜୁରାଟ ପାଇଁ 'ରେଡ୍' ୱାର୍ଣ୍ଣିଂ ସୂଚନା ଜାରି କରାଯାଇଛି। ଜୁଲାଇ ୩ ରେ ଉତ୍ତର-ପୂର୍ବ ରାଜ୍ୟଗୁଡିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ଏବଂ ଉତ୍ତର-ପଶ୍ଚିମ ଭାରତର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ବୁଧବାର ଦିନ ଦିଲ୍ଲୀର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି, ମଙ୍ଗଳବାର ଦିନ ବର୍ଷା ହେବା ପରେ ଜାତୀୟ ରାଜଧାନୀର ଅନେକ ଅଞ୍ଚଳରେ ଜଳସ୍ତର ସମସ୍ୟା ଜାରି ରହିଛି। ଆଜି ମଧ୍ୟମରୁ ପ୍ରବଳ ବର୍ଷା, ବଜ୍ରପାତ ଏବଂ ପ୍ରବଳ ପବନ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

 

13:04 PM

Odisha News Live Updates: ଜଗତସିଂହପୁର ପୋଲିସ ପକ୍ଷରୁ ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ। ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଉପରେ ସଚେତନତା ସୃଷ୍ଟି ପାଇଁ ଜଗତସିଂହପୁର ଜିଲ୍ଲା ପୋଲିସ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଜଗତସିଂହପୁର ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ନୂତନ ଆଇନର କାର୍ଯ୍ୟକାରିତା ଓ ଲୋକମାନେ ଏହି ଆଇନ ଉପରେ କିପରି ସଚେତନ ହେବେ ତାହା ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ସଚେତନତା କାର୍ଯ୍ୟକ୍ରମ ରେ ଜଗତସିଂହପୁର ଥାନାଧିକାରୀ ଗୋକୁଳରଞ୍ଜନ ଦାସ ,ବରିଷ୍ଠ ନାଗରିକ ପ୍ରେମାନନ୍ଦ ପଢିହାରୀ , ଆଇନଜୀବୀ ମନୋରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ଭାରତୀୟ ନ୍ୟାୟ ସଂହିତା ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା୨୦୨୩ ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ଉପରେ ଆଲୋଚନା କରି ଜନ ସାଧାରଣ ଙ୍କୁ ସଚେତନ କରିଥିଲେ ।

 

12:36 PM

ପ୍ରତେକ ଓଡିଆଙ୍କର ଆରାଧ୍ୟ ଦେବତା ହେଉଛନ୍ତି ଜଗନ୍ନାଥ । ଯାହାଙ୍କ ପାଇଁ ସମଗ୍ର ବିଶ୍ୱରେ ଭାରତ ପରିଚିତ। ମହାପ୍ରଭୁଙ୍କୁ ନେଇ ଏଭଳି ଅନେକ କଥା ରହିଛି ଯାହା ବିଷୟରେ ବହୁତ୍ କମ୍ ଲୋକ ଜାଣିଥିବେ। ତେବେ ଆସନ୍ତୁ ଜାଣିବା ସେହି ମହାପ୍ରଭୁଙ୍କ ପାଖରେ ଲାଗୁ ହେଉଥିବା ମହାପ୍ରସାଦର କଣ ରହିଛି ମାନ୍ୟତା? ଓ କାହିଁକି ମହପ୍ରସାଦରେ ପକା ଯାଏନି ଆଳୁ?

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : mystery of jagannath mahaprasad : କାହିଁକି ଆଳୁ ପଡେ ନାହିଁ ମହାପ୍ରଭୁଙ୍କ ମହାପ୍ରସାଦରେ : ଜାଣନ୍ତୁ ଏହା ପଛର ରହସ୍ୟ

12:35 PM

Odisha News Live Updates: ଏ-ମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୫ ଜଣ ଯୁବକ। ଭାରସାମ୍ୟ ହରାଇ କାରଟି ଡିଭାଇଡ଼ର ପରେ ବସ୍ ଚକା ତଳକୁ ପଶି ଯାଇଥିଲା। କାର୍ ମଧ୍ୟରେ ଥିବା ୫ ଜଣ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସେପଟେ, ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି। ଉତ୍ତର ପ୍ରଦେଶର ଅଲିଗଡରେ ଘଟିଛି ଏହି ଛାତିଥରା ଦୁର୍ଘଟଣା। 

 

12:09 PM

 Odisha News Live Updates:  ୨୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଖଣ୍ଡପଡ଼ା ତହସିଲଦାର। ତହସିଲଦାର ହେଲେ ଧୋବେଇ ନାୟକ। ଭିଜିଲାନ୍ସ ଟିମ୍ ଗତକାଲି ବିଳମ୍ବିତ ରାତିରେ ତହସିଲଦାର ଧୋବେଇ ନାୟକଙ୍କ ବିଭିନ୍ନ ଘରେ ରେଡ୍‌ କରିଛି। ଏଥିସହ ତହସିଲଦାରଙ୍କ ଭାପୁର ଭଡ଼ାଘର ଏବଂ ଭୁବନେଶ୍ବର ନିଜସ୍ୱ ବାସଭବନରେ ଚଢ଼ଉ ହୋଇଥିବା ସୂଚନା ମିଳିଛି।  ସୂଚନାଯୋଗ୍ୟ ଯେ, ଖଣ୍ଡପଡ଼ା ତହସିଲଦାର ଧୋବେଇ ନାୟକ ଦଲାଲଙ୍କ ମାଧ୍ୟମରେ ଲାଞ୍ଚ ଟଙ୍କା ଆଦାୟ କରୁଥିଲେ। ଗତକାଲି ସ୍ଥାନୀୟ ଅଞ୍ଚଳର ଦଲାଲ ପ୍ରସନ୍ନ ସାହୁଙ୍କୁ ଗିରଫ ପରେ ତହସିଲଦାର ଧୋବେଇ ନାୟକଙ୍କ କାରନାମା ପଦାକୁ ଆସିଥିଲା। ଖଣ୍ଡପଡ଼ା ବାଇପାସରେ ଏକ ବାଲିଗାଡିକୁ ଶ୍ରୀ ନାୟକ ଜବତ କରିବା ସହ ଛାଡ଼ିବା ପାଇଁ ଦଲାଲ ପ୍ରସନ୍ନ ସାହୁଙ୍କ ମାଧ୍ୟମରେ ୨୦ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଗାଡ଼ି ମାଲିକ ଚନ୍ଦନ ଜେନାଙ୍କଠାରୁ ଏହି ଲାଞ୍ଚ ଟଙ୍କା ନେଉଥିବା ବେଳେ ପ୍ରସନ୍ନ ସାହୁଙ୍କୁ ମାଡ଼ିବସିଥିଲା ନୟାଗଡ ଭିଜିଲାନ୍ସ ଟିମ୍। ପ୍ରସନ୍ନ ତହସିଲଦାରଙ୍କ ପାଇଁ ଏହି ଟଙ୍କା ନେଉଥିବା ସ୍ବୀକାର କରିବାପରେ ଭିଜିଲାନ୍ସ ଟିମ୍ ଧୋବେଇ ନାୟକଙ୍କ ଭାପୁର ଭଡ଼ାଘର ଏବଂ ଭୁବନେଶ୍ବର ଘର ସମେତ ୩ଟି ସ୍ଥାନରେ ଚଢ଼ଉ ଜାରି ରଖିଥିବା ସ୍ପଷ୍ଟ ହୋଇଛି। ଏଥିରେ ନୟାଗଡ଼ ଓ ଭୁବନେଶ୍ବର ଭିଜିଲାନ୍ସ ଟିମ୍‌ ସାମିଲ ରହିଛନ୍ତି। ତେବେ ସମୁଦାୟ ସମ୍ପତି କେତେ ଜବତ ହୋଇଛି ସମ୍ପୂର୍ଣ୍ଣ ଚଢ଼ଉ ସରିଲେ ଜଣାପଡ଼ିବ। 

 

12:02 PM

Odisha News Live Updates: whatsapp ର ବଡ କାର୍ଯ୍ୟାନୁଷ୍ଠାନ।ମେଟା ଦ୍ବାରା ପରଚାଳିତ ହେଉଥିବା ଲୋକପ୍ରିୟ ମେସେଜିଂ ଆପ୍ ହ୍ବାଟ୍ସଆପ୍ ୬୬ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ୍ କରିଛି ।  ତେବେ ନିୟମ ଉଲଂଘନ ଅଭିଯୋଗରେ ଗତ ମେ ମାସରେ ୧୨ଲକ୍ଷ ୫୫ ହଜାର ଆକାଉଣ୍ଟକୁ କମ୍ପାନି ବ୍ଲକ କରିଥିବା ସୂଚନା ରହିଛି। ହ୍ବାଟ୍ସଆପ୍ ଭାରତରେ ୬୬ ଲକ୍ଷ ୨୦ ହଜାର ଆକାଉଣ୍ଟ ବ୍ୟାନ୍ କରିଛି । ଭାରତ ସରକାରଙ୍କ ଆଇଟି ନିୟମ ଅନୁସାରେ କମ୍ପାନିକୁ ପ୍ରତି ମାସ ରିପୋର୍ଟ ଦେବାକୁ ପଡ଼ୁଛି ।ତେଣୁ ଅନେକ ଆକାଉଣ୍ଟରେ କମ୍ପାନି ଆକ୍ସନ ନେଇଛି । ହ୍ଵାଟ୍ସଆପକୁ ୧୩ ହଜାର ଅଭିଯୋଗ ମିଳିଥିବା ବେଳେ କମ୍ପାନି କେବଳ ୩୧ଟି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ହ୍ବାଟ୍ସଆପ୍ ଭାରତରେ ୬୬ ଲକ୍ଷ ୨୦ ହଜାର ଆକାଉଣ୍ଟ ବ୍ୟାନ୍ କରିଛି । ଭାରତ ସରକାରଙ୍କ ଆଇଟି ନିୟମ ଅନୁସାରେ କମ୍ପାନିକୁ ପ୍ରତି ମାସ ରିପୋର୍ଟ ଦେବାକୁ ପଡ଼ୁଛି ।ତେଣୁ ଅନେକ ଆକାଉଣ୍ଟରେ କମ୍ପାନି ଆକ୍ସନ ନେଇଛି । ହ୍ଵାଟ୍ସଆପକୁ ୧୩ ହଜାର ଅଭିଯୋଗ ମିଳିଥିବା ବେଳେ କମ୍ପାନି କେବଳ ୩୧ଟି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

 

11:43 AM

Odisha News Live Updates: ସଫଳତାର ଶୀର୍ଷରେ ପହଞ୍ଚିଲା ଇସ୍ରୋ।ଆଉ ଏକ ମାଇଲ୍‌ଖୁଣ୍ଟ ଅତିକ୍ରମ କଲା ଭାରତର ସୂର୍ଯ୍ୟ ମିଶନ। ୧୭୮ ଦିନରେ ପ୍ରଥମ ହାଲୋ ଅର୍ବିଟ୍ ପରିକ୍ରମା ପୂରା କଲା ଆଦିତ୍ୟ-L1 ।୨୦୨୩ ସେପ୍ଟେମ୍ବର ୨ରେ ଉତକ୍ଷେପଣ ପରେ  ଜାନୁଆରୀ ୬ ତାରିଖରେ ପ୍ରଥମ ଲାଗ୍ରାଞ୍ଜିଆନ ପଏଣ୍ଟରେ ପହଞ୍ଚିଥିଲା ଆଦିତ୍ୟ L1। ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଏହାକୁ ଏକ ହାଲୋ ଅର୍ବିଟରେ ଅବସ୍ଥାପିତ କରାଯାଇଥିଲା । ଏଥିରେ ସୂର୍ଯ୍ୟ ସଂପର୍କିତ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ ଫଟୋ ଇସ୍ରୋକୁ ପଠାଇଛି ଭାରତର ଏହି ସୋଲାର୍ ଅବଜର୍ଭେଟୋରି। ତେବେ ଏହାକୁ ନିଜ ଗତିପଥରେ ବଜାୟ ରଖିବା ପାଇଁ ଫେବୃଆରୀ ୨୨ ଓ ଜୁନ୍ ୭ ପରେ ମଙ୍ଗଳବାର ତୃତୀୟ ଷ୍ଟେସନ କିପିଂ ମାନ୍ୟୁଭର କରାଯାଇଛି। ସୂଚନାଯୋଗ୍ୟ ଯେ ସୂର୍ଯ୍ୟର ବିଭିନ୍ନ ସ୍ତର ଫଟୋସ୍ଫିୟର, କ୍ରୋମୋସ୍ଫିୟର ଓ କରୋନା ସଂପର୍କିତ ତଥ୍ୟ ସଂଗ୍ରହ କରୁଥିବା ଆଦିତ୍ୟ L1 ଆଗାମୀ ୫ ବର୍ଷ ପାଇଁ ନିରନ୍ତର କାର୍ଯ୍ୟ କରିବ ବୋଲି ଯୋଜନା ରହିଛି ।

11:11 AM

 Odisha News Live Updates: ଆଜି ମୋ ବସରେ ଯାତ୍ରା କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେ ଭୁବନେଶ୍ଵର ମାଷ୍ଟରକ୍ୟାଣ୍ଟିନରୁ ଗାଡ଼କଣା ଯାଏ ମୋ ବସରେ ଯାତ୍ରା କରିଛନ୍ତି। ତାଙ୍କ ସହ ସଚିବ ଅରୁଣ ବୋଥ୍ରା ମଧ୍ୟ ରହିଛନ୍ତି। ଏହି ଯାତ୍ରା ସମୟରେ ମନ୍ତ୍ରୀ ଶ୍ରୀ ମହାପାତ୍ର ନିଜେ ଟିକେଟ କାଟିଥିବା ଦେଖିବାକୁ ମିଳିଛି। ଏଥିସହ ସେ ଲୋକଙ୍କ ସହ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି। ମୋ ବସରେ ଯାତ୍ରା କରି ସମୀକ୍ଷା କରିଛନ୍ତି ମନ୍ତ୍ରୀ। ସେ କହିଛନ୍ତି ଯେ, ବସ୍‌ ସେବା ଭଲ ଅଛି, ଆହୁରି ବସ ସଂଖ୍ୟା ବଢିବ। ଆଉ ୪ଶହ ଇଲେକ୍ଟ୍ରୋନିକ୍‌ ବସ୍‌ ଆସୁଛି, ଖୁବ୍‌ଶୀଘ୍ର ପହଞ୍ଚିବ। ଭୁବନେଶ୍ୱର ଏବଂ କଟକ ପାଇଁ ଶହେ ଲେଖାଏ ବସ ରହିବ। ଟ୍ରାଫିକ୍‌ ସମସ୍ୟା, ଦୁର୍ଘଟଣା ଆଦି ପ୍ରସଙ୍ଗକୁ ଗୁରୁତ୍ୱ ସହ ନିଆଯିବ। 

11:05 AM

Odisha News Live Updates: ମୌସୁମୀ ଆସିବା ପରେ ଉତ୍ତର-ପୂର୍ବ ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ବର୍ଷା ଯୋଗୁଁ ଅନେକ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆସାମ ଏବଂ ଅରୁଣାଚଳ ପ୍ରଦେଶରେ ବନ୍ୟା ପରିସ୍ଥିତି ଯୋଗୁଁ ଅବସ୍ଥା ଅତ୍ୟନ୍ତ ଖରାପ। ପରିସ୍ଥିତି ଏପରି ଯେ ରାସ୍ତା ଗୁଡ଼ିକ ନଦୀରେ ପରିଣତ ହୋଇଛି । ବନ୍ୟା ଯୋଗୁଁ ଅନେକ ଘର ମଧ୍ୟ ଜଳମଗ୍ନ ହୋଇଛି। ଆସାମ ଏବଂ ଅରୁଣାଚଳ ପ୍ରଦେଶରେ ଗତ କିଛି ଦିନ ହେବ ଲଗାତାର ପ୍ରବଳ ବର୍ଷା ହୋଇଛି। ଏଭଳି ପରିସ୍ଥିତିରେ ବ୍ରହ୍ମପୁତ୍ର ସମେତ ଅନେକ ନଦୀ ଜଳମଗ୍ନ ଅବସ୍ଥାରେ ରହିଛି ଏବଂ ଅଧିକାଂଶ ଅଞ୍ଚଳରେ ଭୂସ୍ଖଳନ ଭଳି ଘଟଣା ଦେଖିବାକୁ ମିଳୁଛି। ଏଥି ସହିତ ଭାରତ-ଚୀନ୍ ସୀମାକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ ପାଣିରେ ବୁଡି ରହିଛି। ଏହି କାରଣରୁ ସୀମାନ୍ତି ଅଞ୍ଚଳରେ ରହୁଥ‌ିବା ଲୋକଙ୍କ ସହ ସମ୍ପର୍କ ବିଚ୍ଛିନ୍ନ ହେବାରେ ଲାଗିଛି।

 

10:47 AM

Odisha News Live Updates: ଆଜି ଅଣସରର ଦ୍ୱାଦଶୀ ତିଥିରେ ଶ୍ରୀଜିଉମାନଙ୍କର ଅନୁଷ୍ଠିତ ହେବ ରାଜପ୍ରାସାଦ ବିଜେ ନୀତି। ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯିବ । ଗତକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି ଓ ରକ୍ତ ବସ୍ତ୍ର ଲାଗି ସମେତ ଶ୍ରୀଜିଉଙ୍କୁ ଶ୍ରୀ ବୈଦ୍ୟ ଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଔଷଧ ଲାଗି କରାଯାଇଥିଲା । ମହାପ୍ରଭୁ ଆରୋଗ୍ୟ ଲାଭ କରିଥିବା ବେଳେ ଏହି ଖବର ଗଜପତି ମହାରାଜାଙ୍କୁ ସୂଚିତ କରାଇବା ନିମନ୍ତେ ଦଇତାପତି ଓ ବିଦ୍ୟାପତି ସେବାୟତ ମାନେ ଶ୍ରୀଜୀଉଙ୍କ ପ୍ରସାଦ ରୂପେ କରାଳ, ଚନ୍ଦନ, ପାଟବସ୍ତ୍ର କୁ ନେଇ ଶ୍ରୀମନ୍ଦିରରୁ ଶ୍ରୀନହରକୁ ବିଜେ କରିବେ । 

10:30 AM

Odisha News Live Updates: ରାଜ୍ୟର ପ୍ରତିଷ୍ଠିତ ଖଣି କମ୍ପାନୀ ଏମ୍‍ଜିଏମ୍‍ କମ୍ପାନୀରେ ମାଲିକାନା ବିବାଦ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ବିଗତ ୨୪ ବର୍ଷ ହେଲା ବିଜେଡି ସରକାର କ୍ଷମତାରେ ଥିବା ବେଳେ ଏହି କମ୍ପାନୀର ଜଣେ ପାର୍ଟନରଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଦୁର୍ନୀତିର ରାସ୍ତା ଖୋଲିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ କୋର୍ଟଠାରୁ କେନ୍ଦ୍ର ଯାଏ ପହଞ୍ଚିଥିଲେ ବି ପ୍ରଭାବ, ପ୍ରଶାସନିକ ଫନ୍ଦି ଫିକର ଓ ରାଜନୀତିକ ଫାଇଦା ପାଇଁ ସବୁ ଦୁର୍ନୀତି ଫାଇଲ ତଳେ ଚାପି ହୋଇ ରହିଥିବା ଅଭିଯୋଗ ହୋଇଛି। 

10:17 AM

Odisha News Live Updates: : ଦିନକୁ ଦିନ ନକ୍ସଲଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ସେମାନଙ୍କୁ କଡ଼ା ଜବାବ ଦେବାକୁ ସୁରକ୍ଷାକର୍ମୀ ତେୟାର ରହିଛନ୍ତି। ଯାହାକୁ ନେଇ ନକ୍ସଲମୁକ୍ତ ଛତିଶଗଡ଼ ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଚାଲିଥିବା ଏହି ଅପରେସନ୍‌ରେ ୧୧ ନକ୍ସଲ ନିହତ ହୋଇଥିବା ଅନୁମାନ କରାଯାଉଛି। ଅପରେସନ୍‌ ଜାରି ରହିଥିବାରୁ ନିହତ ନକ୍ସଲଙ୍କ ସଂଖ୍ୟା ଆହୁରି ବଢ଼ିପାରେ। ପାଖାପାଖି ୧୪ଶହ ଜବାନ ଏହି ଅପରେସନ୍‌ରେ ସାମିଲ ହୋଇଛନ୍ତି। 

09:48 AM

Odisha News Live Updates: ବନ୍ଦ କରାଯାଇଥିବା ସ୍କୁଲ୍‍ ପାଖରେ ଯଦି ବିକଳ୍ପ କୌଣସି ସ୍କୁଲ୍‍ ନଥିବା ଏବଂ ସ୍ଥାନୀୟ ଲୋକଙ୍କ ଚାହିଦା ଥିବ ତେବେ ସେ ସ୍କୁଲ୍‍ଗୁଡ଼ିକୁ ପୁଣିଥରେ ଚାଲୁ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।  ଏଥିନେଇ ସ୍କୁଲ୍‍ ଓ ଗଣଶିକ୍ଷା ବିଭାଗକୁ ଆବଶ୍ୟକ ସର୍ବେକ୍ଷଣ କରିବା ଏବଂ ସ୍ଥାନୀୟ ଲୋକଙ୍କ ମତାମତ ସଂଗ୍ରହ କରିବାକୁ କୁହାଯାଇଛି।
 

09:19 AM

Odisha News Live Updates: କୋଲକାତାର ଏକ ଘରୋଇ ଫାର୍ମକୁ ଚାଉଳ ପରିବହନ ଠିକା ଦେବାକୁ ୧ ଲକ୍ଷ ଟଙ୍କାର ଲାଞ୍ଚ କାରବାର ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଜି ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ର ଜଣେ ମହାପ୍ରବନ୍ଧକ ଓ ଏକାଉଣ୍ଟସ୍ ମ୍ୟାନେଜରଙ୍କ ସମେତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଭୁବନେଶ୍ୱରସ୍ଥିତ ଏଫସିଆଇ, ଓଡ଼ିଶା କ୍ଷେତ୍ର ମହାପ୍ରବନ୍ଧକ ପ୍ରେମ ସିଂ ଭନୋତ୍, ଏଫସିଆଇ ଏକାଉଣ୍ଟସ୍ ମ୍ୟାନେଜର ସଞ୍ଜୟ ଦେ, କୋଲକାତାର ମେସର୍ସ ଏସପି ଟ୍ରେଡର୍ସ ଏଣ୍ଡ ସପ୍ଲାୟର୍ସ ପ୍ରାଇଭେଟ୍ ଲିମିଟେଡ୍ର ମାଲିନା ଦେ ଆଲିଆସ୍ ସୌମୀ ଭଟ୍ଟାଚାର୍ଯ୍ୟ ଏବଂ କୋଲକାତାର ଜଣେ ମଧ୍ୟସ୍ଥ ସୟେଦ ହସନେନ୍ ଅହମ୍ମଦ। ଏହି ଚାରି ଜଣଙ୍କ ସମେତ କୋଲାକାତାର ଆଉ ଜଣେ ମଧ୍ୟସ୍ଥ ସ୍ୱପନ କୁମାର ଘୋଷାଲ ଏବଂ କେତେକ ଅପରିଚିତ ବ୍ୟକ୍ତି ଓ ସଂସ୍ଥା ବିରୋଧରେ ସିବିଆଇ ମାମଲା ରୁଜୁ କରିଛି । 

09:05 AM

Odisha News Live Updates: ହାଥରସ୍‍ ଦଳା ଚକଟାରେ ମୁଖ୍ୟ ଅଭିଯୁକ୍ତ ତଥା ଆତ୍ମଘୋଷିତ ଭୋଲେ ବାବାଙ୍କୁ ପୁଲିସ ଠାବ କରିବାରେ ସମର୍ଥ ହୋଇନାହିଁ। ଳମୈନପୁରୀ ଜିଲ୍ଲାରେ ଥିବା ତାଙ୍କ ଆଶ୍ରମ ରାମକୁଟୀରରେ ସେ ନଥିବା ଜଣାପଡ଼ିଛି। ଘଟଣାର ତଦନ୍ତ ଓ ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବାକୁ ଉତ୍ତରପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି। 

 

08:54 AM

Odisha News Live Updates: ନିର୍ଦ୍ଧାରିତ ତାରିଖଠାରୁ ଗୋଟିଏଦିନ ଆଗୁଆ ଶେଷ ହୋଇଛି ଲୋକସଭାର ସ୍ୱତନ୍ତ୍ର ଅଧିବେଶନ।  ଜୁନ ୨୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନରେ ସମୁଦାୟ ୭ଟି କାର୍ଯ୍ୟଦିବସ ଥିଲା। ପ୍ରଥମ ଦୁଇଦିନ ଧରି ୫୩୯ ଜଣ ସଦସ୍ୟଙ୍କୁ ଶପଥ ପାଠ କରାଇଥିଲେ ସାମୟିକ ବାଚସ୍ପତି ଭର୍ତ୍ତୃହରି ମହତାବ। ଏହାପରେ ବାଚସ୍ପତି ନିର୍ବାଚନ ଏବଂ ସଦସ୍ୟମାନଙ୍କ ଅଭିନନ୍ଦନରେ ଗୋଟିଏ ଦିନ ବିତିଥିଲା। ଚତୁର୍ଥ ଦିନରେ ରାଷ୍ଟ୍ରପତି ଦୁଇ ସଦନକୁ ସମ୍ବୋଧିତ କରିଥିଲା। ପଞ୍ଚମ ଦିନରେ ବିରୋଧି ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ବଦଳରେ ନିଟ୍‍ ପରୀକ୍ଷାରେ ତ୍ରୁଟିକୁ ନେଇ ମୁଲତବୀ ପ୍ରସ୍ତାବ ଆଗତ କରିବାକୁ ପ୍ରସ୍ତାବ କରାଯାଇଥିଲା। ହେଲେ ଗ୍ୟୃହର ପରମ୍ପରା ଏହାକୁ ଅନୁମତି ଦେଉ ନଥିବାରୁ ହୋ ହଲ୍ଲାରେ ଗୃହ ହୋଇଥିଲା ମୁଲତବୀ। ପରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଣିଥିଲେ ବରିଷ୍ଠ ବିଜେପି ନେତା ଅନୁରାଗ ଠାକୁର। ସୋମବାର ମଧ୍ୟ ରାତ୍ରିଯାଏ ଏ ପ୍ରସ୍ତାବ ବିଷୟରେ ଆଲୋଚନା ହେବା ପରେ ମଙ୍ଗଳବାର ଅପରାହ୍ଣରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ରହିଥିଲା। ସମୁଦାୟ ୬୮ ସାଂସଦ ପ୍ରାୟ ୧୮ ଘଣ୍ଟା ଧରି ପ୍ରସ୍ତାବ ଉପରେ ନିଜର ମତାମତ ରଖିଥିଲେ। ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି।

08:35 AM

Odisha News Live Updates: ରଥଯାତ୍ରା ପରଦିନ ହିଁ ଖୋଲିବ ରତ୍ନ ଭଣ୍ଡାର। ଏନେଇ ପ୍ରଶାସନର ପ୍ରସ୍ତୁତି ଆରମ୍ଭ ହୋଇଛି। ଅତ୍ୟାଧୁନିକ ଟେକ୍ନାଲୋଜି ବ୍ୟବହାର କରାଯାଇ ରତ୍ନ ଭଣ୍ତାରର ସ୍ଥିତି ଯାଞ୍ଚ ହେବ। ଏହା ସହ ଏଠାରେ ଗଚ୍ଛତ ଥିବା ଧନରତ୍ନର ଗଣତି ଓ ମଣତି କରାଯିବ। ୨୦ ଦିନ ଧରି ହି କାର୍ଯ୍ୟ ଚାଲିବାକୁ ସ୍ଥିର ହୋଇଛି। ଏଥିନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ଦିନ ବସିବାକୁ ଯାଉଥିବା ସୂଚନା ମିଳିଛି। ପୂର୍ବ ଏହି ତାରିଖକୁ ଏଏସ୍‍ଆଇ ପକ୍ଷରୁ ଘୋଷଣା କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ତାକୁ ଅସ୍ୱୀକାର କରିଥିଲେ। 

08:13 AM

Odisha News Live Updates: ଆଜିଠାରୁ ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି )-2024 ଅନୁଷ୍ଠିତ ହେବ। ୩ଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ସିଟିଂ ପୂର୍ବାହ୍ନ ୧୦ଟାରୁ  ୧୧ ଟା ଯାଏଁ  ପରୀକ୍ଷା ହେବ।  ଦ୍ବୀତିୟ ସିଟିଂ  ସାଢେ ୧୨ଟା ରୁ ସାଢେ ୧ଟା, ତୃତୀୟ ସିଟିଂ ଅପରାହ୍ନ ୩ଟାରୁ ୪ ଯାଏଁ ହେବ। ଭିନ୍ନକ୍ଷମ ବର୍ଗର ଶିକ୍ଷାର୍ଥୀମାନଙ୍କୁ ଅତିରିକ୍ତ ୨୦ ମିନିଟ୍ ପ୍ରଦାନ କରାଯିବ। 

07:51 AM

Odisha News Live Updates: କଲେଜ ପରିସରକୁ ଜିନ୍ସ ପିନ୍ଧି ଯାଇପାରିବେନି ଛାତ୍ରୀଛାତ୍ର।ଏପରି ଏକ ନୋଟିସ୍‌ ଜାରି କରି ଏବେ ଅଡ଼ୁଆରେ ପଡ଼ିଛନ୍ତି ଏକ କଲେଜ୍‌ କର୍ତ୍ତୃପକ୍ଷ।ମୁମ୍ବାଇ ଚେମ୍ବୁର ସ୍ଥିତ ଏନ୍ ଜି ଆଚାର୍ଯ୍ୟ ଆଣ୍ଡ୍ ଡିକେ ମରାଠେ କଲେଜ ଅଫ୍ ଆର୍ଟ୍‌ସ, ସାଇନ୍ସ ଆଣ୍ଡ୍ କମର୍ସରେ ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଡ୍ରେସ କୋଡକୁ ନେଇ ଏପରି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଛାତ୍ରଛାତ୍ରୀ ଏହି ନିୟମ ପାଳନ ନକଲେ ଏହାର ପ୍ରଭାବ ସେମାନଙ୍କ ପାଠପଢ଼ା ଏବଂ ପରୀକ୍ଷା ଉପରେ ପଡ଼ିପାରେ ବୋଲି କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି ।

07:23 AM

Hathras Stampede: ଉତ୍ତରପ୍ରଦେଶର ହାଥ୍‌ରସ ଜିଲ୍ଲାରେ ପୁଲରାଇ ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ସତ୍‌ସଙ୍ଗ ଚାଲିଥିବାବେଳେ  ଦଳାଚକଟା ଯୋଗୁଁ ୧୨୨ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ଶତାଧିକ ଆହତ ହୋଇଛନ୍ତି। ଅନେକ ଲୋକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ମୃତକମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ ଖୋଜାଚାଲିଛି। ଡାକ୍ତରଖାନା ବାହାରେ ଶବମାନଙ୍କ ପଡ଼ି ରହିଥିବାରୁ ଘଟଣାର ଭୟାବହତା ଅଧିକ ଥିବା ସ୍ପଷ୍ଟ ହୋଇଛି।ଏମିତି ସ୍ଥିତିରେ ଉକ୍ତ ବାବା ଏବଂ ସତସଙ୍ଗ ଆୟୋଜନ ଉପରେ ପ୍ରଶ୍ନ ଉଠିଛି।ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏହି ଅଘଟଣକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହିତ ମୃତ ଲୋକମାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

07:14 AM

Horoscope Today 3 july 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁଲାଇ ୩ ହେଉଛି ବୁଧବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Today Horoscope: କାହା ପାଇଁ ଶୁଭ ତ କାହା ପାଇଁ ଅଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆଜିର ରାଶିଫଳ