Odisha News Live Updates: ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ବଡ଼ ଝଟକା, ପଢ଼ନ୍ତୁ ଆଜିର କିଛି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2177123

Odisha News Live Updates: ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ବଡ଼ ଝଟକା, ପଢ଼ନ୍ତୁ ଆଜିର କିଛି ପ୍ରମୁଖ ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। 

Odisha News
LIVE Blog

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। 

28 March 2024
22:57 PM

Mukhtar Ansari Death: ମାଫିଆ ତଥା ପୂର୍ବତନ ବିଧାୟକ ମୁଖତାର ଅନସାରୀଙ୍କର ବାନ୍ଦା ହସ୍ପିଟାଲରେ ମୃତ୍ୟୁ ଘଟିଛି। ଜେଲରେ ହୃଦଘାତ ହେବା ପରେ ମୁଖତାର୍ ଅନସାରୀଙ୍କୁ ହସ୍ପଟାଲରେ ଭର୍ତ୍ତି କରାଯାଇଥିଲା।

22:38 PM

ଧରା ପଡ଼ିଲା ବେଙ୍ଗାଲୁରୁ କାଫେ ବିସ୍ଫୋରଣ ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ
ବହୁଚର୍ଚ୍ଚିତ ବେଙ୍ଗାଲୁରୁ କାଫେ ବିସ୍ଫୋରଣ ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)। ଚଳିତ ମାସ ୧ ତାରିଖରେ ବେଙ୍ଗାଲୁରୁ ସହରରେ ଅବସ୍ଥିତ ରମେଶ୍ୱରମ୍ କାଫେ ଠାରେ ହୋଇଥିବା ବିସ୍ଫୋରଣରେ ଦୋହଲି ଯାଇଥିଲା ସମଗ୍ର ଦେଶ। ବେଙ୍ଗାଲୁରୁ କାଫେ ବିସ୍ଫୋରଣ ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀଙ୍କୁ ଗୁରୁବାର (ମାର୍ଚ୍ଚ ୨୮) ମାଡ଼ି ବସିଛି ଏନଆଇଏ।  ବେଙ୍ଗାଲୁରୁ କାଫେ ବିସ୍ଫୋରଣ ମାମଲାରେ ଏନଆଇଏ ପକ୍ଷରୁ ଦେଶର ୩ ରାଜ୍ୟର ୧୮ ସ୍ଥାନରେ ଚଢାଉ କରାଯାଇଥିଲା। ଏହି ଚଢାଉ କର୍ଣ୍ଣାଟକର ୧୨, ତାମିଲନାଡୁର ୫ ଏବଂ ଉତ୍ତର ପ୍ରଦେଶର ଗୋଟିଏ ସ୍ଥାନରେ ଚଢାଉ କରାଯାଇଥିଲା।

ପଢନ୍ତୁ ପୁରା ଖବର

22:36 PM

ମେଣ୍ଟ ଭାଙ୍ଗିବା ପରେ ଶିବସେନା ବିରୋଧରେ ବର୍ଷିଲା ଭିବିଏ
୨୦୨୪ ଲୋକସଭା ନିର୍ବାଚନକୁ ନେଇ ବିରୋଧି ମହା ବିକାଶ ଅଘାଡ଼ି ମେଣ୍ଟରେ ବିବାଦ ଜାରି ରହିଛି। ଯାହାକୁ ନେଇ ସରଗରମ ହୋଇଉଠିଛି ମହାରାଷ୍ଟ୍ର ରାଜନୀତି। ମହା ବିକାଶ ଅଘାଡ଼ି ମେଣ୍ଟରୁ ଅଂଶୀଦାର ବଞ୍ଚିତ ବହୁଜନ ଅଘାଡ଼ି (ଭିବିଏ) ବାହାରି ଯିବା ପରେ ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ) ସହ ରହିଥିବା ମତଭେଦ ଆହୁରି ସ୍ପଷ୍ଟ ହୋଇଯାଇଛି। ମେଣ୍ଟ ଭାଙ୍ଗିବା ଯିବା ପରେ ଭିବିଏ ଅଧ୍ୟକ୍ଷ ପ୍ରକାଶ ଆମ୍ବେଦକର ଶିବେସନା (ୟୁବିଟି) ନେତା ସଞ୍ଜୟ ରାଉତଙ୍କୁ କଟାକ୍ଷ କରିଛନ୍ତି। 

ପଢନ୍ତୁ ପୁରା ଖବର

 

22:09 PM

ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।

ପଢନ୍ତୁ ପୁରା ଖବର

 

19:15 PM

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଲା ବିଜେପି ପ୍ରତିନିଧିମଣ୍ଡଳୀ
ରାଜ୍ୟରେ ଦୀର୍ଘ ୨୪ ବର୍ଷ ଧରି ବିଜୁ ଜନତା ଦଳ ସରକାରରେ ରହିବା ହେତୁ ଅହଂକାର ବଢ଼ିବା ସହ କ୍ଷମତା ଅପବ୍ୟବହାର କରିବାରେ ସୀମା ଟପିଛି। ବିଜେଡି ସରକାରୀ କଳକୁ ଅପବ୍ୟବହାର କରିବା, କ୍ଷମତାର ଦବ୍‌ଦବା ଦେଖାଇ ବିରୋଧୀଙ୍କୁ ଚାପଗ୍ରସ୍ତ କରିବା, ବିଜେଡିର ନେତା ତଥା ମନ୍ତ୍ରୀଙ୍କ ପ୍ରାର୍ଦୁଭାବରୁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି। ସ୍ଥାନୀୟ ପୋଲିସ ତଥା ପ୍ରଶାସନର ପକ୍ଷପାତିତା କାରଣରୁ ଶାସକ ଦଳର ନେତା ଏବଂ ମନ୍ତ୍ରୀ ବେଫିକର ହୋଇ ବିରୋଧିଙ୍କୁ ଦମନ କରିବାର ଅପପ୍ରୟାସ କରୁଛନ୍ତି। ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ନିର୍ବାଚନ ବୈତରଣୀ ପାରି ହେବାକୁ ଅନବରତ ପ୍ରଚେଷ୍ଟା ଜାରି ରଖିଥିବା ଶାସକ ବିଜେଡି ପୋଲିସ ଏବଂ ପ୍ରଶାସନକୁ ମଧ୍ୟ ବ୍ୟବହାର କରି ହିଂସାକାଣ୍ଡ ଭିଆଇବାକୁ ପଛାଉନାହିଁ। 

ପଢନ୍ତୁ ପୁରା ଖବର

 

18:27 PM

ନିର୍ବାଚନ ପୂର୍ବରୁ ୧୪ କୋଟି ଲୋକଙ୍କ ମିଳିବ ଫାଇଦା; ଜାଣନ୍ତୁ କିପରି
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ସମ୍ପର୍କରେ ଆସିଛି ଏକ ବଡ଼ ଖବର। ମନରେଗା ଅଧିନରେ ମିଳୁଥିବା ମଜୁରୀ ହାରରେ ସଂଶୋଧନ କରାଯାଇଛି। ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ଦ୍ୱାରା କୋଟି କୋଟି ଶ୍ରମିକ ଉପକୃତ ହେବେ। ୨୦୨୪ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ ପ୍ରାପ୍ତ ମଜୁରୀ ହାରାହାରି ୨୮  ଟଙ୍କା ବୃଦ୍ଧି କରାଯାଇଛି। ଗତ ଆର୍ଥିକ ବର୍ଷରେ ହାରାହାରି ମଜୁରୀ ୨୬୧ ଟଙ୍କାରୁ ୨୮୯ ଟଙ୍କାକୁ ବୃଦ୍ଧି ପାଇବ। ଗତ ୨୦୦୫ ବର୍ଷରେ ମନରେଗା ଯୋଜନା ଅଧିନରେ ଅଣକୁଶଳୀ ମାବନୀୟ କାର୍ଯ୍ୟ ପାଇଁ ନୂତନ ମଜୁରୀ ହାର ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଆରମ୍ଭ କରାଯାଇଛି। ଏନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ନୂତନ ମଜୁରୀ ହାର ଆସନ୍ତା ଅପ୍ରେଲ ୧ ତାରିଖରୁ କାର୍ଯ୍ୟକାରୀ ହେବ।

ପଢନ୍ତୁ ପୁରା ଖବର

 

18:04 PM

ଶିବସେନା ହାତ ଧରିଲେ ବଲିଉଡ଼ ଅଭିନେତା ଗୋବିନ୍ଦା
ଗୁରୁବାର (ମାର୍ଚ୍ଚ ୨୮) ମାୟାନଗରୀ ମୁମ୍ବାଇ ଠାରେ ଶିବସେନା ହାତ ଧରିଛନ୍ତି ବଲିଉଡ଼ ଅଭିନେତା ଗୋବିନ୍ଦା। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ଅଭିନେତା ଗୋବିନ୍ଦା ଶିବସେନାରେ (ସିନ୍ଦେ ଗୋଷ୍ଠୀ) ଯୋଗ ଦେଇଥିଲେ। ଗତ ୨୦୦୪ ଲୋକସଭା ନିର୍ବାଚନରେ ଉତ୍ତର ମୁମ୍ବାଇ ଆସନରୁ ସାଂସଦ ନିର୍ବାଚିତ ହୋଇଥିଲେ ଗୋବିନ୍ଦା (ଗୋବିନ୍ଦ ଅରୁଣ ଆହୁଜା)।

ପଢନ୍ତୁ ପୁରା ଖବର

16:51 PM

ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଧକ୍ଷଙ୍କୁ ନେଇ ଆସିଲା ବଡ଼ ଖବର
୨୦୨୪ ଲୋକସଭା ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସମ୍ପର୍କରେ ଆସିଛି ଏକ ବଡ଼ ଖବର। ସୂତ୍ରରୁ ମିଳିଥିବା ଖବର ଅନୁସାରେ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଅଷ୍ଟାଦଶ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ସମାଜବାଦୀ ପାର୍ଟି (ଏସପି) ଅଧ୍ୟକ୍ଷ ତଥା ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ। ଯଦିଓ ସେ ଏ ସମ୍ପର୍କରେ ଔପଚାରିକ ଭାବେ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି।

ପଢନ୍ତୁ ପୁରା ଖବର

 

16:42 PM

ଅରବିନ୍ଦ କେଜ୍ରିୱାଲଙ୍କୁ ଅଦାଲତରୁ ମିଳିଲା ଜବରଦସ୍ତ ଝଟକା
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସ୍ଥାନୀୟ ରାଉସ୍ ଆଭେନ୍ୟୁ କୋର୍ଟ ଠାରୁ ମିଳିଛି ଜବରଦସ୍ତ ଝଟକା। ତାଙ୍କର ଇଡି ରିମାଣ୍ଡ ଅବଧି ଆହୁରି ୪ ଦିନ ବୃଦ୍ଧି କରାଯାଇଛି। ଅରବିନ୍ଦ କେଜ୍ରିୱାଲଙ୍କୁ ଆସନ୍ତା ଅପ୍ରେଲ ୧ ତାରିଖରେ ଦିନ ୧୧:୩୦ ସମୟରେ ଅଦାଲତରେ ହାଜର କରାଯିବ। ଏହା ପୂର୍ବରୁ ଅରବିନ୍ଦ କେଜ୍ରିୱାଲଙ୍କୁ ହେପାଜତକୁ ନେବା ମାମଲାରେ କୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୨ ବର୍ଷ ଧରି ଏହି ମାମଲା ଚାଲିଛି। ଗତ ୨୦୨୨ ଅଗଷ୍ଟ ମାସରେ ସିବିଆଇ ମାମଲା ଦାୟର ହୋଇଥିଲା। ଏହା ପରେ ECIR ଦାଖଲ କରାଯାଇଥିଲା। ମୋତେ ଗିରଫ କରାଯାଇଛି। ହେଲେ ନାଁ ମୋତେ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି ନାଁ ମୋ ବିରୋଧରେ ଆସିଥିବା କୌଣସି ଅଭିଯୋଗ ପ୍ରମାଣିତ ହୋଇଛି। 

ପଢନ୍ତୁ ପୁରା ଖବର 

 

 

 

14:34 PM

ବ୍ୟକ୍ତିଗତ ଶତ୍ରୁତା ପାଇଁ ବୋମାମାଡ଼
Odisha News Live Updates:
ଗତ ଦୁଇ ଦିନ ତଳେ ପାଳନ ହୋଇଥିଲା ହୋଲି। ରମଜାନ ମାସ ବି ଚାଲିଛି। ବ୍ୟସ୍ତବହୁଳ ପୀରବାବା ଛକ ଅଂଚଳରେ ବୋମାମାଡ଼କରି ସହରରେ ଆତଙ୍କ ଓ ଶାନ୍ତିଭଂଗ କରିବା ଲାଗି ହୀନଉଦ୍ୟମ ​ପୁଲିସର ତତ୍ପରତା ଯୋଗୁଁ ପଣ୍ଡ ହୋଇଯାଇଛି । ପାଟଣାଗଡ଼ ପାର୍ସଲ ବୋମା ଘଟଣା ଶୈଳୀରେ ପ୍ରସ୍ତୁତ ପ୍ରେସର୍‌ ବୋମାମାଡ଼ ହୋଇଥିଲା। ବ୍ୟକ୍ତିଗତ ଶତ୍ରୁତା ‌ଯୋଗୁଁ ପ୍ରତିଶୋଧ ନେବା ପାଇଁ ହୋଇଥିବା ଏହି ‘ପ୍ରେସ୍‌ର ବୋମା’ ମାଡ଼ରେ ୩ ଜଣ ବ୍ୟକ୍ତି ଆହତ ହେବା ସହିତ ଗୋଟିଏ ବୁଲେଟ୍‌(ଓଡ଼ି୧୫-୬୪୮୬) ବି କ୍ଷତିଗ୍ରସ୍ତ ହୋଇଛି। ତେବେ, ପୁଲିସ ଘଟଣାର ୨୦ ଘଣ୍ଟା ଭିତରେ ଏକମାତ୍ର ଅଭିଯୁକ୍ତ ବଡ଼ବଜାର ସୁନାରିପଡ଼ାର ଅଭିଳାଷ ମିଶ୍ର(୧୯)କୁ ଗିରଫ କରିବାରେ ସଫଳ ହୋଇଛି।

14:00 PM

ଏପ୍ରିଲ ୮ରୁ ସକାଳୁଆ କୋର୍ଟ, ଭୁବନେଶ୍ୱର ସମେତ ୪ କୋର୍ଟ ବାଦ
Odisha News Live Updates:
ରାଜ୍ୟର ସମସ୍ତ ଜିଲ୍ଲା ଓ ଅଧସ୍ଥନ ଅଦାଲତଗୁଡ଼ିକ ଆସନ୍ତା ୮ ତାରିଖରୁ ସକାଳୁଆ ହେବ। ଏଥିନେଇ ଓଡ଼ିଶା ହାଇକୋର୍ଟଙ୍କ ରେଜିଷ୍ଟ୍ରାର୍‍ ସମସ୍ତ ଜିଲ୍ଲା ଓ ସେସନ୍ସ କୋର୍ଟଙ୍କୁ ନୋଟିସ୍‍ ଜାରି କରିଛନ୍ତି। ନୂଆ ସମୟକ୍ରମେ ସକାଳ ୭ଟାରୁ କୋର୍ଟ କାର୍ଯ୍ୟ ଆରମ୍ଭ ହେବ। ଅପରାହ୍ଣ ୧ଟାରେ କୋର୍ଟ ବନ୍ଦ ହେବ। ଏ ଭିତରେ ଅଧ ଘଣ୍ଟାର ରିସେସ୍ ରହିବ। ଏହି ରିସେସ୍‍ ନିର୍ଘଣ୍ଟ ସକାଳ ୧୦ରୁ ସଢ଼େ ୧୦ଟା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୋର୍ଟ ସାଢ଼େ ସାତଟାରୁ ସାଢ଼େ ୧୨ଟା ଯାଏ ବିଚାର କରିବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି। ଖରାଛୁଟି ଯାଏ ଏହି କାର୍ଯ୍ୟ ନିର୍ଘଣ୍ଟ ଜାରି ରହିବ। କିନ୍ତୁ ଏହି କାର୍ଯ୍ୟ ନିର୍ଘଣ୍ଟରୁ ୫ଟି କୋର୍ଟ ବାଦ୍‍ ପଡ଼ିଛି। ସେଗୁଡ଼ିକ ହେଲା ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ୱର କୋରାପୁଟ ସଦର ଏବଂ ପୁରୀ ସଦର।

13:45 PM

ଆପକୁ ଆଶ୍ୱସ୍ତି, ମୁଖ୍ୟମନ୍ତ୍ରୀ ପଦରୁ ହଟିବେନି କେଜରିୱାଲ
Odisha News Live Updates:
ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଏହି ପଦରୁ ହଟାଇବାକୁ ଦାବି କରି ପିଏଲ ଦାଖଲ କରିଥିବାବେଳେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ଏହି ମାମଲାରେ କୋର୍ଟର ହସ୍ତକ୍ଷେପ କରିବାର କୌଣସି ସୁଯୋଗ ନାହିଁ। କୋର୍ଟ - ଆମେ ନିଜ ନାମରେ ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ନିୟମ ଲାଗୁ କରିପାରିବୁ ନାହିଁ। କୌଣସି HC ଏହା କରିପାରିବେ ନାହିଁ। ଏହି ମାମଲାରେ କୋର୍ଟଙ୍କ ହସ୍ତକ୍ଷେପ ପାଇଁ କୌଣସି ଯଥାର୍ଥତା ନାହିଁ। ରାଜନୈତିକ ବିତର୍କ ପାଇଁ କୋର୍ଟକୁ ବ୍ୟବହାର କରାଯାଇପାରିବ ନାହିଁ।

13:30 PM

ଖୁବଶୀଘ୍ର ପ୍ରାୟ ୧୦୦ ବିଧାନସଭା ପ୍ରାର୍ଥୀ ଘୋଷଣା କରିବ ବିଜେପି: ପୃଥ୍ୱରାଜ
Odisha News Live Updates:
ଖୁବଶୀଘ୍ର ପ୍ରାୟ ୧୦୦ ବିଧାନସଭା ପ୍ରାର୍ଥୀ ଘୋଷଣା କରିବ ବିଜେପି। ଦିନେ ଦୁଇ ଦିନରେ ତାଲିକା ଆସିପାରେ କହିଲେ ବିଜେପି ନେତା ପୃଥୀରାଜ ହରିଚନ୍ଦନ। ଏନେଇ ଆଜି ବସିବ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ। ସବୁ ସିଟ୍ ଉପରେ ତର୍ଜମା, ସମୀକ୍ଷା ଶେଷ ହୋଇଛି କେବଳ ସିଇସି ମୋହର ବାକି ଅଛି। ସର୍ଭେ ରିପୋର୍ଟ ଓ ଗ୍ରାଉଣ୍ଡ ସ୍ଥିତି ଉପରେ ଆଧାର କରି ପ୍ରାର୍ଥୀ ଘୋଷଣା ହେବ ବୋଲି କହିଲେ ପୃଥୀରାଜ ହରିଚନ୍ଦନ।

13:15 PM

ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ନେଲେ ସଞ୍ଜୟ ଦାସବର୍ମା
Odisha News Live Updates: ସତ୍ଯବାଦୀରୁ ବିଜେଡିର ବିଧାନସଭା ପ୍ରାର୍ଥୀ ହେବାପରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଲୋଡ଼ିଛନ୍ତି ସଞ୍ଜୟ ଦାସବର୍ମା। ସତ୍ଯବାଦୀ ଭଳି ପୂଣ୍ଯ ମାଟିରୁ ସେବା କରିବାକୁ ସୁଯୋଗ ଦେଇଥିବାରୁ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି। ସତ୍ଯବାଦୀ ଅଞ୍ଚଳବାସୀଙ୍କ ଆଶୀର୍ବାଦ ମିଳିଲେ ସେ ସେବା କରିବାର ସୁଯୋଗ ପାଇବେ। ମହାପ୍ରଭୁଙ୍କୁ ଦର୍ଶନ କରି କର୍ମଭୂମିକୁ ଯାଇ ଲୋକଙ୍କ ପାଖରେ ପହଞ୍ଚିବା ସହ ରାଜ୍ଯ ସରକାରଙ୍କ ଜନକଲ୍ଯାଣ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବେ ବୋଲି ସଞ୍ଜୟ କହିଛନ୍ତି।

12:50 PM

ନବୀନ ନିବାସରେ ପୁଣି ନେତାଙ୍କ ଭିଡ 
Odisha News Live Updates: 
ନବୀନ ନିବାସରେ ନେତାଙ୍କ ଭିଡ଼। ଟିକେଟ୍ ପାଇବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ପହଞ୍ଚିଛନ୍ତି ସାଂସଦ ଓ ବିଧାୟକ ପ୍ରାର୍ଥୀ। ରୀତା ସାହୁ, ସ୍ନେହାଙ୍ଗିନୀ ଛୁରିଆ, ସୁବାସ ବେହେରା, ନିରଞ୍ଜନ ପୂଜାରୀ, ବିପ୍ଳବ ପାତ୍ର ନବୀନ ନିବାସରେ ପହଞ୍ଚିଛନ୍ତି। କଟକ ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର, କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ମୟୂରଭଂଜ ଲୋକସଭା ପ୍ରାର୍ଥୀ ସୁଦାମ ମାରାଣ୍ଡି,ବିକ୍ରମ କେଶରୀ ଆରୁଖ, ପ୍ରତାପ ଦେ. ପ୍ରମୋଦ ମଲ୍ଲିକ, ସୁଶାନ୍ତ ସିଂ ପହଞ୍ଚି ଧନ୍ୟବାଦ ଜଣାଇଛନ୍ତି । ସେହିପରି ପ୍ରଫୁଲ୍ଲ ସାମଲ, ଅରବିନ୍ଦ ମହାପାତ୍ର, ମାନସ ମଙ୍ଗରାଜ, ରଣେନ୍ଦ୍ର ପ୍ରତାନ ସ୍ୱାଇଁ, ଟୁକୁନି ସାହୁ, ସାଲୁଗା ପ୍ରଧାନ, ଅତନୁ ସବ୍ୟସାଚ୍ଚୀ, ଦେବୀ ରଞ୍ଜନ ତ୍ରିପାଠୀ, ବିଷ୍ଣୁଦତ ରାଉତରାୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବାକୁ ପହଂଚିଛନ୍ତି। ଏହା ସହ ଭାଗୀରଥୀ ସେଠୀ, ଜଗନ୍ନାଥ ନାୟକ, ବଦ୍ରୀ ପାତ୍ର, ପ୍ରଫୁଲ୍ଲ ମଲ୍ଲିକ ଓ ବ୍ୟୋମକେଶ ରାୟ ପ୍ରମୁଖ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 

12:35 PM

ହୀରାକୁଦ ଝାଡ଼ାବାନ୍ତି: ୩ ଛୁଇଁଲା ମୃତ୍ୟୁ ସଂଖ୍ୟା
Odisha News Live Updates: 
ହୀରାକୁଦରେ ଝାଡ଼ାବାନ୍ତିରେ ପୁଣି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଝାଡ଼ାବାନ୍ତି ପ୍ରଥମେ କାଲୁପଡ଼ା ନିବାସୀ ଟିକେଶ୍ବର ନାୟକଙ୍କ ଜୀବନ ନେଇଥିଲା। ଏହା ପରେ ଆଉ ଜଣେ ଆକ୍ରାନ୍ତ ଭେଜରାପାଲିର ଯୁଧିଷ୍ଠିର ଧରୁଆ ପ୍ରାଣ ହରାଇଥିଲେ। ଆଜି ପୁଣି ସହରର ନୂଆବଜାର ମେହେନ୍ତରପଡ଼ା ଅଞ୍ଚଳର ଯମୁନା ବେହେରା(୬୦)ଙ୍କ ମୃତ୍ୟୁ ଘଟିଛି। ‌

12:15 PM

ଏକନାଥଙ୍କ ଶିବସେନା ଟିକେଟରେ ଲୋକସଭା ନିର୍ବାଚନ ଲଢ଼ିବେ ଗୋବିନ୍ଦା !
Odisha News Live updates:
ନିର୍ବାଚନ ଲଢ଼ିବେ ବଲିଉଡ ଷ୍ଟାର ଗୋବିନ୍ଦା। ଗତ କିଛି ଦିନ ହେବ ସେ ରାଜନୀତିକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ କୁହାଯାଉଛି ଯେ, ଅଭିନେତା ଶିବସେନାରେ ଯୋଗ ଦେଇ  ଲୋକସଭା ନିର୍ବାଚନ ଲଢ଼ିବେ। ଗତକାଲି ରାତିରେ ଗୋବିନ୍ଦା, ଶିବସେନା ନେତା କୃଷ୍ଣ ହେଗଡେଙ୍କୁ ଭେଟିବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ଏବିଷୟରେ ପଚରାଯିବାରୁ କୃଷ୍ଣ ହେଗଡେ ଫୋନରେ କହିଛନ୍ତି ଯେ ଗୋବିନ୍ଦା ଜାତୀୟ ସ୍ତରରେ କାମ କରିବାକୁ ଚାହୁଁଛନ୍ତି। ଆସନ କିମ୍ବା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ସେ ବିଷୟରେ ମୁଁ କୌଣସି ମନ୍ତବ୍ୟ ଦେବି ନାହିଁ।

12:00 PM

ଆତ୍ମସମର୍ପଣ କଲେ ଯାଜପୁରର ଚର୍ଚ୍ଚିତ ୟୁଟ୍ୟୁବର ଦମ୍ପତି 

Odisha News Live updates: ବନ ବିଭାଗ ସହ ଛକାପଞ୍ଝା ପରେ ଆଜି ସକାଳେ ଆତ୍ମସମର୍ପଣ କରିଛନ୍ତି ଯାଜପୁର ଜିଲ୍ଲାର ଚର୍ଚ୍ଚିତ ୟୁଟ୍ୟୁବର ଦମ୍ପତି। ଯାଜପୁର ରୋଡ୍‌ ବନ ବିଭାଗ କାର୍ଯ୍ୟାଳୟକୁ ଆସି ମୋନାଲିସା ଓ ତାଙ୍କ ସ୍ୱାମୀ ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ଜହଳ ଗାଁ ସ୍ଥିତ ଘରେ ମାଙ୍କଡ଼ ଓ ଘୋଡ଼ା ରଖିଥିଲେ। ସେମାନଙ୍କ ସହିତ ଫଟୋ ଉଠାଇ ପ୍ରତିଦିନ ସୋଶାଲ୍‌ ମିଡ଼ିଆ ଫେସ୍‌ବୁକ୍‌ରେ ପୋଷ୍ଟ କରୁଥିଲେ। ଦୀର୍ଘ ଦିନ ଧରି ସେ ଏପରି କାର୍ଯ୍ୟ କରି ଆସୁଥିଲେ। ପିସିସିଏଫ୍‌ ଓ କଟକ ଡିଏଫ୍‌ଓଙ୍କ ନିର୍ଦ୍ଦେଶ କ୍ରମେ ଗତ ରବିବାର ସକାଳେ ଯାଜପୁର ରୋଡ୍‌ ବନଖଣ୍ଡ ରେଞ୍ଜ ଅଫିସ୍‌ରଙ୍କ ନେତୃତ୍ୱରେ ୨ଟି ଟିମ୍‌ ତାଙ୍କ ଘରେ ଚଢ଼ଉ କରିଥିଲେ। ହେଲେ ଚଢ଼ଉ ସମ୍ପର୍କରେ ଖବର ପାଇ ମୋନାଲିଶା ଓ ତାଙ୍କ ସ୍ୱାମୀ ଚମ୍ପଟ ମାରିଥିଲେ। ବନ ବିଭାଗ ମୋନାଲିଶାଙ୍କ ଘରୁ ଗୋଟିଏ ମାଙ୍କଡ଼ ଉଦ୍ଧାର କରିଥିଲା।

11:45 AM

କଂଗ୍ରେସ ଛାଡ଼ିଲେ ସାବିତ୍ରୀ ଜିନ୍ଦଲ

Odisha News Live updates: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରତିଦିନ ଗୋଟିଏ ପରେ ଗୋଟିଏ ଅସୁବିଧାର ସମ୍ମୁଖୀନ ହେଉଛି। ବର୍ତ୍ତମାନ ଭାରତର ସବୁଠାରୁ ଧନୀ ମହିଳା ତଥା ଦେଶର ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ତାଲିକାରେ ଅନ୍ତର୍ଭୁକ୍ତ ସାବିତ୍ରୀ ଜିନ୍ଦଲ କଂଗ୍ରେସ ଛାଡିବାକୁ ଘୋଷଣା କରିଛନ୍ତି। ତାଙ୍କ ଇସ୍ତଫା ଏକ ସମୟରେ ଆସିଛି ଯେତେବେଳେ ତାଙ୍କ ପୁଅ ନବୀନ ଜିନ୍ଦଲ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଏଭଳି ପରିସ୍ଥିତିରେ ସାବିତ୍ରୀ ଜିନ୍ଦଲ ମଧ୍ୟ ବିଜେପିରେ ଯୋଗ ଦେଇ ପାରିବେ ବୋଲି କଳ୍ପନାଜଳ୍ପନା କରାଯାଉଛି। ତେବେ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଆସିନାହିଁ।

 

11:24 AM

ପଞ୍ଜାବର AAP ବିଧାୟକମାନଙ୍କୁ 'ଅଫର' ଦିଆଯାଇଥିଲା ବୋଲି ସୌରଭ ଭରଦ୍ୱାଜ ଦାବି କରିଛନ୍ତି

Odisha News Live updates: ଦିଲ୍ଲୀର ଆମ୍ ଆଦମୀ ଦଳର ସରକାରୀ ମନ୍ତ୍ରୀ ସୌରଭ ଭରଦ୍ୱାଜ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ କଡ଼ା ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି ଯେ କେଜ୍ରିୱାଲ ପୂର୍ବରୁ କହିଥଲେ ଯେ କେଜ୍ରିୱାଲଙ୍କୁ ଜେଲ ପଠାଇ ଦିଲ୍ଲୀ ଏବଂ ପଞ୍ଜାବର ବିଧାୟକଙ୍କୁ ଭାଙ୍ଗିବା ତାଙ୍କର ଉଦ୍ଦେଶ୍ୟ। ସେ କହିଛନ୍ତି ଯେ ପଞ୍ଜାବରେ ବିଜେପି ଚତୁର୍ଥ ସ୍ଥାନରେ ରହିଛି। କୃଷକଙ୍କ ଆନ୍ଦୋଳନ ପରେ ପଞ୍ଜାବର କୃଷକମାନେ ବିଜେପିକୁ ଘୃଣା କରନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ପଞ୍ଜାବର ଅନେକ ବିଧାୟକ ଅଫର ଗ୍ରହଣ କରିଥିଲେ ଏବଂ ସେମାନଙ୍କୁ ପ୍ରଲୋଭିତ କରାଯାଇଥିଲା। ଅପରେସନ୍ ଲୋଟସ୍ ଆରମ୍ଭ କରାଯାଇଥିଲା, କିନ୍ତୁ ବିଜେପି ଯାହା ହେଉନା କାହିଁକି, ଏହା ଚତୁର୍ଥ ନମ୍ବରରେ ରହିବ।

 

11:07 AM

ଧନ୍ୟବାଦ ଦେଲେ ନବନୀତ

Odisha News Live updates: ବିଜେପି ସାଂସଦ ତଥା ଅମରାବତୀର ପ୍ରାର୍ଥୀ ନବନୀତ୍ ରାଣା କହିଛନ୍ତି ଯେ ମୁଁ ଗତ ୧୨ ରୁ ୧୩ ବର୍ଷ ଧରି ମୋ ନେତାଙ୍କ ଆଦର୍ଶ ଉପରେ କାର୍ଯ୍ୟ କରୁଛି। ମୋତେ ଅମରାବତୀରୁ ପ୍ରାର୍ଥୀ କରାଯାଇଛି। ଗତକାଲି ମୁଁ ଅମରାବତୀ ତରଫରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛି। ମୁଁ ଦେବେନ୍ଦ୍ର ଫଡ଼ନାବିସ ଭେଟିବାକୁ ଆସିଛି। ଏହା ପରେ ମୁଁ ଦିଲ୍ଲୀ ଯିବି ବୋଲି ସେ କହିଛନ୍ତି। 

 

10:45 AM

ବଢ଼ିଲା ମନରେଗା ମଜୁରୀ
Odisha News Live Updates:
ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ମନରେଗା (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ) ର ନୂତନ ମଜୁରୀ ହାର ବୃଦ୍ଧି କରିଛନ୍ତି। ଗୋଆରେ ଏହାର ହାର ସର୍ବାଧିକ ୧୦.୫୬ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏଥି ସହିତ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଉତ୍ତରପ୍ରଦେଶରେ ଏହି ହାର ସର୍ବନିମ୍ନ ୩.୦୪ ପ୍ରତିଶତ ବୃଦ୍ଧି ପାଇଛି। ନୂତନ ମଜୁରୀ ବୃଦ୍ଧି ହାର ୧ ଏପ୍ରିଲ ୨୦୨୪ରୁ କାର୍ଯ୍ୟକାରୀ ହେବ । କେନ୍ଦ୍ର ସରକାରଙ୍କ ଅଧିସୂଚନା ମୁତାବକ ମନରେଗା ଦୈନିକ ମଜୁରୀ ହରିୟାଣାରେ ସର୍ବାଧିକ ୩୭୪ ଟଙ୍କା ରହିଛି। ସେହିପରି ଅରୁଣାଚଳ ପ୍ରଦେଶ ଏବଂ ନାଗାଲ୍ୟାଣ୍ଡ୍‌ରେ ସର୍ବନିମ୍ନ ୨୩୪ ଟଙ୍କା ଧାର୍ଯ୍ୟ କରାଯାଇଛି। ମଜୁରୀ ହାରରେ ସର୍ବାଧିକ ବୃଦ୍ଧି ହୋଇଥିବା ଗୋଆରେ ଏହା ‌ ୩୫୬ ଟଙ୍କା ରହିଛି। ଏବେ ଏଠାରେ ଦୈନିକ ମନରେଗା ମଜୁରୀ ୩୨୨ ଟଙ୍କା ରହିଛି। କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ମଜୁରୀ ହାରରେ ୧୦ ପ୍ରତିଶତରୁ ଅଧିକ ବୃଦ୍ଧି କରାଯାଇଛି। ଓଡ଼ିଶାରେ ଏହା ୨୫୪ ଟଙ୍କା ରହିଛି।

 

10:31 AM

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଦିଲ୍ଲୀପ
Odisha News Live Updates:
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ତିର୍କୀ। ସେ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି କି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୋ ଉପରେ ଆସ୍ଥା ପ୍ରକଟ କରି ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ପାଇଁ ମତେ ବିଜୁ ଜନତା ଦଳର ପ୍ରାର୍ଥୀ ଚୟନ କରିଥିବାରୁ ମୁ ତାଙ୍କୁ ଧନ୍ୟବାଦ ଜଣାଉଛି। ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତ୍ତା ଓ ସୁନ୍ଦରଗଡ଼ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତିର ସଂକଳ୍ପ ନେଇ ବିଜୁ ଜନତା ଦଳର ଜଣେ ସିପାହୀ ଭାବେ ମୁଁ ଆଗାମୀ ନିର୍ବାଚନ ଲଢ଼ିବି। ମୁଁ ଅପଣମାନଙ୍କର ଶୁଭେଚ୍ଛା ଓ ଆଶୀର୍ବାଦ କାମନା କରୁଛି।

 

10:00 AM

ନୋଟ୍ ଗଦା ଉପରେ ଶୋଇଥିବା ରାଜନେତାଙ୍କ ଫଟୋ ଭାଇରାଲ

Odisha News Live Updates: ଲୋକସଭା ନିର୍ବାଚନ ପୂର୍ବରୁ ଆସାମରେ ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲ୍ (ୟୁପିପିଏଲ୍) ନେତାଙ୍କ ନୋଟରେ ଶୋଇଥିବାର ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ସେ ୫୦୦ ଟଙ୍କିଆ ନୋଟ୍ ଉପରେ ଶୋଇଥିବାର ଦେଖିବାକୁ ମିଳୁଛି। ନୋଟ୍ ଉପରେ ଶୋଇଥିବା ରାଜନେତାଙ୍କ ନାମ ହେଉଛି ବେଞ୍ଜାମିନ୍ ବାସୁମତାରି । ସେ ୟୁପିପିଏଲ୍‌ର ଗ୍ରାମ ପରିଷଦ ବିକାଶ କମିଟିର ସଦସ୍ୟ ରହି ସାରିଛନ୍ତି। ଆସାମରେ ବିଜେପି ସହିତ ୟୁପିପିଏଲ୍‌ର ଏକ ମେଣ୍ଟ କରିଛି। ଏଭଳି ପରିସ୍ଥିତିରେ ବିରୋଧୀ ଦଳମାନେ ଏହି ଫଟୋ ସାହାଯ୍ୟରେ ବିଜେପିକୁ ଟାର୍ଗେଟ କରିବାର ସୁଯୋଗ ପାଇଛନ୍ତି। ବିରୋଧୀ ବିଜେପିକୁ ଘେରିବା ଆରମ୍ଭ କରିଛନ୍ତି।

09:45 AM

ସକାଳୁ ଜଗା ଦର୍ଶନ କଲେ ସମ୍ବଲପୁର ସାଂସଦ ପ୍ରାର୍ଥୀ ବବି ଦାସ

Odisha News Live Updates:  ପୁରୀରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ସକାଳୁ ସକାଳୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ତାଙ୍କ ସହ ପୁରୀର ସ୍ଥାନୀୟ ନେତା ମଧ୍ୟ ଉପସ୍ଥିତ ରହିଥିଲେ। ଖବର କରିଛି ଅନୁଯାୟୀ, ବୁଧବାର ଦିନ ବିଜେଡି ଆଗାମୀ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା । ମୋଟ ୭୨ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ୧୫ଟି ଲୋକସଭା ଆସନ ପାଇଁ ଆଶାୟୀଙ୍କ ତାଲିକା ପ୍ରକାଶ ପାଇଛି । ସମ୍ବଲପୁର ଲୋକସଭା କ୍ଷେତ୍ରରୁ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରାର୍ଥୀ କରିଛି ଦଳ । ତେବେ ଦଳର ଘୋଷଣା ପରେ ଗୁରୁବାର ଦିନ ସକାଳୁ ସକାଳୁ ପୁରୀ ଗସ୍ତରେ ଆସିଛନ୍ତି ପ୍ରଣବ ପ୍ରକାଶ ଦାସ । ଏହି ଅବସରରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଗାମୀ ନିର୍ବାଚନ ଲାଗି ଆଶିଷ ଲାଭ କରିଛନ୍ତି । ତେବେ ପ୍ରଣବ ପ୍ରକାଶ ଦାସଙ୍କ ସହ ସ୍ଥାନୀୟ ପୁରୀ ନେତା ମଧ୍ଯ ଉପସ୍ଥିତ ରହିଥିଲେ ।

09:30 AM

ଆତ୍ମହତ୍ୟା ଉଦ୍ୟମ କରିଥିବା ତାମିଲନାଡୁ ସାଂସଦ ହୃଦ୍‌ଘାତରେ ମୃତ
Odisha News Live Updates:
କିଛି ଦିନ ପୂର୍ବେ କୀଟନାଶକ ସେବନ କରି ଆତ୍ମହତ୍ୟା ଉଦ୍ୟମ କରିଥିବା ତାମିଲନାଡୁ ସାଂସଦ ଏ ଗଣେଶ ମୂର୍ତ୍ତିଙ୍କର ଗୁରୁବାର ସକାଳେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ସକାଳ ପ୍ରାୟ ୫ଟା ସମୟରେ କୋଏମ୍ବାଟୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୭୬ ବର୍ଷୀୟ ନେତାଙ୍କ ମୃତ୍ୟୁ ଘଟିଛି। ୨୦୧୯ ଲୋକସଭା ନିର୍ବାଚନରେ ​​ଏରୋଡରୁ ଡିଏମକେ ଟିକେଟରେ ନିର୍ବାଚିତ ହୋଇଥିବା ଏ ଗଣେଶ ମାର୍ଚ ୨୫ ତାରିଖରେ ବାନ୍ତି କରିବାରେ ଲାଗିଥିଲେ। ତାଙ୍କୁ ପରିବାର ସଦସ୍ୟଙ୍କ ଦ୍ବାରା ତୁରନ୍ତ ଏକ ଘରୋଇ ହସ୍ପିଟାଲ୍‌ ନିଆଯାଇଥିଲା। ହସ୍ପିଟାଲ୍‌ରେ ଜଣାପଡ଼ି‌ଲା ଯେ ସେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

09:00 AM

କେମିକାଲ୍ ମିଶା ରଙ୍ଗ ଲାଗି ୨୦ଗୁରୁତର

Odisha News Live Updates: ହୋଲିରେ କେମିକାଲ ମିଶ୍ରିତ ରଙ୍ଗ ଖେଳି ୨୦ ଗୁରୁତର । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସମସ୍ତ ଅସୁସ୍ଥଙ୍କୁ ବଲାଙ୍ଗୀର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗତ ୨୬ ତାରିଖରେ କଣ୍ଟାବାଞ୍ଜି ସହରର ଅଶୋକନଗର ଓ ଆନନ୍ଦ ନଗରର ୨୦ ଜଣ ଯୁବକଙ୍କୁ କିଛି ଲୋକ କେମିକାଲ ମିଶ୍ରିତ ରଙ୍ଗ ଲଗାଇ ଥିଲେ। ଏହାର ପ୍ରଭାବ ଗତକାଲି ସଂଧ୍ୟାରେ ଦେଖିବାକୁ ମିଳିଥିଲା। ଶରୀରରେ କ୍ଷତ ଦାଗ ସୃଷ୍ଟି ହେବା ପରେ ରାତିରେ ସମସ୍ତଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

08:45 AM

ସ୍ପେଶାଲ କ୍ରାଇମ ୟୁନିଟ ପଞ୍ଝାରେ ୨ହାର୍ଡକୋର କ୍ରିମିନାଲ

Odisha News Live Updates: ନିର୍ବାଚନ ପୂର୍ବରୁ କମିଶନରେଟ୍ ପୋଲିସକୁ ବଡ଼ ସଫଳତା। ସ୍ପେଶାଲ କ୍ରାଇମ ୟୁନିଟ ହାତରେ ଧରାପଡ଼ିଲେ ୨ ହାର୍ଡକୋର କ୍ରିମିନାଲ। ଜବତ ହେଲା ଅତ୍ୟାଧୁନିକ ୫ ସେମିଅଟୋମେଟିକ ବନ୍ଧୁକ ଓ ୨୪ ରାଉଣ୍ଡ ଗୁଳି। ଡିପ୍ଲୋମା ଇଞ୍ଜିନିୟରିଂ ପାଠ ପଢି ବି ଅପରାଧ ଦୁନିଆର ବାଦଶାହ ହେବାକୁ ଲକ୍ଷ୍ୟ ରଖିଥିଲେ। ଆଉ ଏବେ ପୋଲିସ ହାତରେ ଧରାପଡ଼ିଛନ୍ତି। ଡିପ୍ଲୋମା ଇଞ୍ଜିନିୟରିଂ ପାଠ ପଢିବି ଅପରାଧ ଦୁନିଆରେ ପାଦ ଥାପିଥିଲେ। ଆଉ ଏବେ ପୋଲିସ ହାତରେ ଧରାପଡ଼ିଛନ୍ତି। ଏଭଳି ୨ ହାର୍ଡକୋର୍ ଅପରାଧୀଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ୍। ଗିରଫ ଅଭିଯୁକ୍ତ ହେଲେ ଖଣ୍ଡଗିରି ସରକନ୍ତରାର ସୁରଜ ପରିଡା ଓ ବାଲେଶ୍ୱର ସୋରର ତପଧର ନାୟକ। ତେବେ ମୁଖ୍ୟ ଅଭିଯୁକ୍ତ ସୁବ୍ରତ ଖୁଣ୍ଟିଆ ଓରଫ ବବଲୁ ଫେରାର ହୋଇଯାଇଛି।

08:30 AM

ଓଡ଼ିଶାର ୫ ପ୍ରମୁଖ ଲୋକସଭା ଆସନରେ ବିଜେଡି ଦେଇଛି ଦୁର୍ବଳ ପ୍ରାର୍ଥୀ
Odisha News Live Updates:
ରାଜ୍ୟର ୨୧ ଲୋକସଭା ଆସନରୁ ବିଜେପି ୧୮ ଏବଂ ବିଜେଡି ୧୫ଟିରେ ନୂଆ ପ୍ରାର୍ଥୀ ଦେଇଛି। ଏ ପ୍ରାର୍ଥୀଙ୍କ ଭିତରୁ ଅନେକ ପୁରୁଣା ମୁହଁ, ଚିହ୍ନା ଚେହେରା ତଥା ପରିଚିତ ପ୍ରାର୍ଥୀ। ସବୁ ଭୋଟର ଏ ପ୍ରାର୍ଥୀମାନଙ୍କୁ ଭେଟା ଭେଟି ହୋଇ ନଥିଲେ ମଧ୍ୟ ଚର୍ଚ୍ଚା ଓ ଗଣମାଧ୍ୟମରୁ ସେମାନଙ୍କ ବାବଦରେ ଅଳ୍ପ ବହୁତ ସୂଚନା ରଖିଛନ୍ତି। କିନ୍ତୁ ଏମିତି ୫ ଲୋକସଭା ଆସନ ରହିଛି ଯେଉଁଠାରେ ବିଜେଡି ନୂଆ, ତଥା ଦୁର୍ବଳ ପ୍ରାର୍ଥୀ ଦେଇଥିବା ଚର୍ଚ୍ଚା ହେଉଛି। ତଥାପି ଦଳର ମଜବୁତ ସଂଗଠନ ଏସବୁରେ ବିଜୟ ଆଣିପାରେ। ଆସନ୍ତୁ ନଜର ପକାଇବା ଏହି ୫ ଚର୍ଚ୍ଚିତ ଲୋକସଭା ଆସନ ଉପରେ। ପଢନ୍ତୁ ପୂରା ରିପୋର୍ଟ...

08:05 AM

ଆଜି ବିଜେପିରେ ମିଶି ପାରନ୍ତି ଭର୍ତ୍ତୃହରି

Odisha News Live Updates: ବିଜେଡିରୁ ଇସ୍ତଫା ଦେଇଥିବା ସାଂସଦ ଭର୍ତ୍ତୃହରି ମହତାବ ଗୁରୁବାର ବିଜେପିରେ ଯୋଗଦେବେ। ଏଭଳି ଏକ ଚର୍ଜା ଘୁରିବୁଲୁଛି। ବିଜେପି ତାଙ୍କୁ କଟକରୁ ଲୋକସଭା ପ୍ରାର୍ଥୀ କରିପାରେ। ଶ୍ରୀ ମହତାବ କଟକରୁ ୫ ଥର ସାଂସଦ ଭାବେ ଜିତି ଆସୁଛନ୍ତି। ବିଜେଡି ଉପରେ ଅସନ୍ତୁଷ୍ଟ ହୋଇ ନିକଟରେ ସେ ଦଳ ଛାଡ଼ିଛନ୍ତି। ଗୁରୁବାର ଅପରାହ୍ନରେ ବିଜେପିର କୋର୍ କମିଟି ବୈଠକ ବସିବ। ଏଥୁରେ ଆଲୋଚନା ପରେ କଟକ ସମେତ କନ୍ଧମାଳ ଓ ଯାଜପୁରର ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରେ। ବିଧାନସଭା ପ୍ରାର୍ଥୀ ତାଲିକା ବି ଆସିପାରେ।

07:55 AM

ଆଜି ସରିବ କେଜରିୱାଲଙ୍କ ଇଡ଼ି ରିମାଣ୍ଡ

Odisha News Live Updates: ଆଜି ସରୁଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଇଡି ରିମାଣ୍ଡ ଅବଧି। ତେବେ ରିମାଣ୍ଡ ଅବଧି ବଢ଼ାଇବାକୁ କୋର୍ଟରେ ଆବେଦନ କରିପାରେ ଇଡି। ଅନ୍ୟପଟେ ଇଡି ପରେ ଘାଣ୍ଟି ପାରେ ସିବିଆଇ। ମଦ ଦୁର୍ନୀତି ମାମଲାରେ କେଜରିୱାଲ ଗିରଫ ହୋଇଥିବା ବେଳେ ଅଧିକ ପଚରାଉଚରା ଲାଗି ଇଡି ରିମାଣ୍ଡରେ ନେଇଥିଲା। ଏପଟେ ଦିଲ୍ଲୀ ହାଇକୋର୍ଟରୁ ମଧ୍ୟ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଆଶ୍ବସ୍ତି ମିଳିନାହିଁ। ଇଡି ଦ୍ବାରା ଗିରଫଦାରୀ ଓ ରିମାଣ୍ଡକୁ ଚାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ କେଜ୍ରିୱାଲ। ତାଙ୍କୁ ତତ୍କାଳ ମୁକ୍ତି ଦେବାକୁ କେଜରିୱାଲ ଆବେଦନ କରିଥିଲେ। ତେବେ ହାଇକୋର୍ଟ ଏଥିପାଇଁମନା କରିଦେବା ସହ, ଇଡିକୁ ନିଜ ପକ୍ଷ ରଖିବା ପାଇଁ ଏପ୍ରିଲ ୨ ଯାଏଁ ସମୟ ଦେଇଛନ୍ତି।ଏପ୍ରିଲ ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

07:45 AM

ନାକେଦମ କରିବ ତାତି

Odisha News Live Updates: ଆଗକୁ ତାତି ଆହୁରି ନାକେଦମ୍ କରିବ। କିଛି ସ୍ଥାନରେ ୪୦ ଛୁଇଁଯିବ। ଆସନ୍ତା ୩ ଦିନରେ ଦିନ ତାପମାତ୍ରା ଆହୁରି ୩ ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବୁଧବାର ବୌଦ୍ଧରେ ଦିନ ତାପମାତ୍ରା ସର୍ବାଧ‌ିକ ୩୮.୫ଡିଗ୍ରୀ ଥୁଲା । ନୟାଗଡ଼ରେ ୩୮.୨, ଅନୁଗୁଳରେ ୩୮.୧, ମାଲକାନଗିରି, ଭବାନୀପାଟଣା ଓ ବଲାଙ୍ଗୀରରେ ୩୮ଡିଗ୍ରୀ ରେକର୍ଡ ହୋଇଛି । ୨୮ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି। ୩୦ ତାରିଖରେ ଚାନ୍ଦବାଲିର ଦିନ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୩୦ ଓ ୩୧ରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ । ଏଥିପାଇଁ ୟେଲୋ ୱାଣ୍ଡିଂ ଜାରି ହୋଇଛି । ୩୦ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବରରେ ବର୍ଷା ସମ୍ଭାବନା ଅଛି । ବର୍ଷା ଘଡ଼ଘଡ଼ି ସହ କିଛି ସ୍ଥାନରେ ୩୦ରୁ ୪୦କିମି ବେଗରେ ପବନ ବହିବାର ସମ୍ଭାବନା ଅଛି । ୩୧ରେ ବରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ ଓ ଝାରସୁଗୁଡ଼ା ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

07:15 AM

କଠୋର ହେଲେ ନିର୍ବାଚନ କମିସନ

Odisha News Live Updates: ଆଗାମୀ ସାଧାରଣ ଓ ଓଡ଼ିଶା ସମେତ ଚାରି ରାଜ୍ୟର ବିଧାନସଭା ନିର୍ବାଚନକୁ ଅବାଧ,ସ୍ବଚ୍ଛ ଓ ନିରପେକ୍ଷ କରିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ(ଇିସିଆଇ) ଗୁରତ୍ବ ଦେଉଛନ୍ତି। ନିର୍ବାଚନ ଆଚରଣ ବିଧିର ଯେଭଳି ଉଲଂଘନ ନ ହୁଏ ତାହା ଉପରେ ମଧ୍ୟ ଆୟୋଗଙ୍କର ତୀକ୍ଷ୍‌ଣ ନଜର ରହିଛି। ନିର୍ବାଚନ ପ୍ରଚାର ସମୟରେ ଦଳୀୟ ତାରକା ପ୍ରଚାରକଙ୍କ ଦ୍ବାରା ନିର୍ବାଚନ ଆଚରଣ ବିଧିର ଉଲଂଘନ କରାଗଲେ ଏଥର ଦଳମାନଙ୍କୁ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ। ତାରକା ପ୍ରଚାରକଙ୍କ ଦ୍ବାରା ଯଦି ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରାଯାଏ ତାହାହେଲେ ଦଳୀୟ ନିର୍ବାଚନ ଚିହ୍ନକୁ ସିଜ କରିନିଆଯିବ ବୋଲି ଆୟୋଗଙ୍କ ସୁତ୍ରରୁ ଜଣାପଡିଛି।

07:08 AM

ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ

Odisha News Live Updates: ଓଡ଼ିଶାରେ ଏବେ ଉପରମୁହାଁ ହୋଇଛି ପାରଦ। ଉପକୂଳ ଅଞ୍ଚଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଚାଲିଛି ତାତି। ଆଜି ଠାରୁ ରାଜ୍ୟର ବିଭିନ୍ନ ସହରରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ସହ ପାରଦ ଉପରମୁହାଁ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ସୂଚନା ମିଳିଛି । ଆସନ୍ତା ୩୦ ତାରିଖ ପରଠାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାକୁ ଯାଉଛି । ବିଶେଷ କରି ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼  ଓ ଝାରସୁଗୁଡ଼ାରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ପଢନ୍ତୁ ପୂରା ରିପୋର୍ଟ...

07:00 AM

ପଢି ନିଅନ୍ତୁ ଆଜିର ରାଶିଫଳ

Odisha News Live Updates: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ। ଲିଙ୍କରେ କ୍ଲିକ କରି ପଢି ନିଅନ୍ତୁ ପୂରା ରିପୋର୍ଟ...

06:58 AM

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ

Odisha News Live Updates: ଶୁଭ ସକାଳ... ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ।