Jharsuguda by-election 2023: ଆଜି ଝାରସୁଗୁଡ଼ା ନିର୍ବାଚନ ଭୋଟ ଗଣତି, କାହା ସପକ୍ଷରେ ଯିବ ଜନମତ?
Advertisement
Article Detail0/zeeodisha/odisha1692992

Jharsuguda by-election 2023: ଆଜି ଝାରସୁଗୁଡ଼ା ନିର୍ବାଚନ ଭୋଟ ଗଣତି, କାହା ସପକ୍ଷରେ ଯିବ ଜନମତ?

Jharsuguda by-election: କାହାର ହେବ ଝାରସୁଗୁଡ଼ା ? ବିଜେଡ଼ି, ବିଜେପି ନା କଂଗ୍ରେସ କାହା ସପକ୍ଷରେ ଯିବ ଜନାଦେଶ । ସୂଚନାଥାଉ କି,  ନେତା ବାଛିବା ଲାଗି ଗତ ୧୦ ତାରିଖରେ ଭୋଟ ଦେଇଥିଲେ ଝାରସୁଗୁଡ଼ାବାସୀ । ତେବେ ଆଜି ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମୋଟ ୧୪ଟି ଟେବୁଲରେ ୧୮ ରାଉଣ୍ତରେ ଗଣିତ ହେବ । 

ସୌ(ସୋସିଆଲ ମିଡିଆ)

Jharsuguda by-election Counting:  କାହାର ହେବ ଝାରସୁଗୁଡ଼ା, କିଏ ମାରି ନେବ ବାଜି? ବିଜେଡ଼ି, ବିଜେପି ନା କଂଗ୍ରେସ କାହା ସପକ୍ଷରେ ଯିବ ଜନାଦେଶ । ସୂଚନାଥାଉ କି,  ନେତା ବାଛିବା ଲାଗି ଗତ ୧୦ ତାରିଖରେ ଭୋଟ ଦେଇଥିଲେ ଝାରସୁଗୁଡ଼ାବାସୀ । ତେବେ ଆଜି ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି (Jharsuguda bypoll Counting )। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମୋଟ ୧୪ଟି ଟେବୁଲରେ ୧୮ ରାଉଣ୍ତରେ ଗଣିତ ହେବ । ପ୍ରଥମେ ପୋଷ୍ଟାଲ ବାଲାଟ କାଉଣ୍ଟିଂ ପରେ ସକାଳ ସାଢେ ୮ଟାରେ ଇଭିଏମ୍ ମେସିନ (E.V.M) ଖୋଲଯିବ । ପ୍ରତି ଟେବୁଲରେ ଗୋଟିଏ ଲେଖାଏଁ ବୁଥରେ ଗଣତି ହେବ । ବାକି ରହିଯାଇଥିବା ବୁଥରେ ୧୯ ତମ ରାଉଣ୍ତରେ ଗଣତି କରାଯିବ। ଭିଭିପାଟ ଓ ପୋଷ୍ଟାଲ ବାଲେଟ କାଉଣ୍ଟିଂ ପାଇଁ ଅଲଗା ଅଲଗା ଟେବୁଲ କରାଯାଇଛି । ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ଜଣେ କାଉଣ୍ଟିଂ ଅବଜରଭର ରହିବେ । ସେପଟେ ଜେନେରାଲ ଅବଜରଭରଙ୍କ ପ୍ରତିନିଧି ଭାବେ ମାଇକ୍ରୋ ଅବଜରଭର ରହିବେ । ଭୋଟ ଗଣତି ଲାଗି ୨୦ ଜଣ କାଉଣ୍ଟିଂ ସୁପରଭାଇଜର, ୨୦ ଜଣ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ୨୦ ଜଣ କାଉଣ୍ଟିଂ ଅବଜରଭରଙ୍କୁ ଦାୟିତ୍ବ ଦିଆଯାଇଛି। ପ୍ରତ୍ୟେକ ଟେବୁଲରେ ପ୍ରାର୍ଥୀ ତାଙ୍କର ଏଜେଣ୍ଟ ଦେଇପାରିବେ । ସେହିଭଳି ପ୍ରାର୍ଥୀ କିମ୍ବା ତାଙ୍କ ଏଜେଣ୍ଟ କାଉଣ୍ଟିଂ ସେଣ୍ଟରରେ ଉପସ୍ଥିତ ରହିବେ । ପ୍ରତ୍ୟେକ ରାଉଣ୍ତ ପରେ କେଉଁ ପ୍ରାର୍ଥୀ କେତେ ଭୋଟ ପାଇଛନ୍ତି ସେ ନେଇ ଘୋଷଣା କରାଯିବ ।

ଭୋଟ ଗଣତି ଶାନ୍ତି ଶୃଙ୍ଖଳାରେ କରିବା ଲାଗି କେନ୍ଦ୍ର ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସିଆରପିଏଫ, ରାଜ୍ୟ ସଶସ୍ତ୍ର ବାହିନୀ ଓ ଜିଲ୍ଲା ପୋଲିସକୁ ନେଇ ଏହି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି । କେବଳ ଅନୁମତି ମିଳିଥିବା ବ୍ୟକ୍ତିଙ୍କୁ ହିଁ ଗଣତି କେନ୍ଦ୍ର ଭିତରକୁ ଛଡ଼ାଯିବ । ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲର ଆଖପାଖ ଅଞ୍ଚଳରେ ଏକ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ସହ ୯ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅପରାହ୍ନ ୪ଟାରୁ ୬ଟା ମଧ୍ୟରେ ସଂପୂର୍ଣ୍ଣ ଫଳଫଳ ଜଣାପଡ଼ିବା ନେଇ ଆଶା କରାଯାଉଛି । ରାଜ୍ୟ ନିର୍ବାଚନ ଅଫିସ ସମେତ results.eci.gov.in ୱେବସାଇଟରେ ମଧ୍ଯ ଫଳାଫଳ ଉପଲବ୍ଧ ହେବ । ପ୍ରକାଶ ଥାଉ କି, ମନ୍ତ୍ରୀ ନବ ଦାସଙ୍କୁ ( Naba Das) ଗୁଳି କରି ହତ୍ୟା କରିବା ପରେ ଝାରସୁଗୁଡ଼ା ଆସନ ଖାଲି ପଡ଼ିଥିଲା । ତେବେ ଏନେଇ ଗତ ୧୦ ତାରିଖରେ ନିର୍ବାଚନ ହୋଇଥିଲା । ନିର୍ବାଚନ ଲାଗି ମୈଦାନରେ ୯ ଜଣ ପ୍ରାର୍ଥୀ ରହିଥିଲେ ମଧ୍ୟ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ଯରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିଥିଲା । ଏହି ୩ ଦଳ ବିଜୟ ନେଇ ଆଶାବାଦୀ ରହିଛନ୍ତି ।

ପ୍ରକାଶ ଥାଉ କି, ସେପଟେ ଏହି ନିର୍ବାଚନରେ ଆଦିବାସୀଙ୍କ ଭୋଟ ଏକ ପ୍ରମୁଖ ଭୂମିକା ତୁଲାଇବ ବୋଲି ଚର୍ଚ୍ଚା ହେଉଛି। ଆଦିବାସୀଙ୍କ ସଂଖ୍ୟାକୁ ଯଦି ଦେଖାଯାଏ ତେବେ ଝାରସୁଗୁଡ଼ାରେ ଭୋଟରଙ୍କ ସିଂହଭାଗ ହେଉଛନ୍ତି ଆଦିବାସୀ ଓ ଅଘରିଆ ସମାଜ । ତେଣୁ ଏହି ଭୋଟ ଉପରେ ଏବେ ସବୁ ଦଳର ନଜର । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଥିବା ଆଦିବାସୀ ମତଦାତାଙ୍କ ସଂଖ୍ୟା ୪୮ ପ୍ରତିଶତ ଥିବାବେଳେ ଅଘରିଆ ଜାତିର ମତଦାତାଙ୍କ ସଂଖ୍ୟା ୨୩ ପ୍ରତିଶତ ରହିଛି । ଏହି ଦୁଇଟି ଜାତିର ୭୧ ପ୍ରତିଶତ ଭୋଟରୁ ଯେଉଁ ଦଳକୁ ଅଧିକ ସମର୍ଥନ ମିଳିବ ସେହି ଦଳ ନିର୍ବାଚନରେ ବିଜୟ ଟିକା ପିନ୍ଧିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ରଖିଛନ୍ତି । ଯଦିଓ ବିଗତ ଦିନରେ ଝାରସୁଗୁଡ଼ା ରାଜନୀତିରେ ଜାତିଗତ ସମୀକରଣକୁ ଏତେଟା ସଫଳତା ମିଳିନି, ତଥାପି ଉପନିର୍ବାଚନ ପରିପ୍ରେକ୍ଷୀରେ ୩ ପ୍ରମୁଖ ରାଜନୈତିକ ଦଳ ଏହା ଉପରେ ବିଶେଷ ଗୁରୁତ୍ବ ଦେଉଥିବା ଦେଖିବାକୁ ମିଳିଛି । 

ଝାରସୁଗୁଡ଼ା ମ୍ୟୁନିସିପାଲିଟିରେ ୭୧,୧୧୩ ଭୋଟର ଥିବା ବେଳେ ଝାରସୁଗୁଡ଼ା ସଦର ବ୍ଳକରେ ୩୮, ୫୪୬, କିର୍ମିରା ବ୍ଲକରେ ୩୩, ୯୦୧, କୋଲାବିରା ବ୍ଳକରେ ୩୭, ୮୧୦ ଓ ଲଇକେରା ବ୍ଲକରେ ୩୯,୭୦୯ ଭୋଟର ରହିଛନ୍ତି । ଆଦିବାସୀ ଭୋଟରଙ୍କ ସଂଖ୍ୟା ମୋଟ ଭୋଟରଙ୍କ ପ୍ରାୟ ୪୮ ପ୍ରତିଶତ । ବିଶେଷକରି ଲଇକେରା, କିରମିରା ଓ କୋଲାବିରା ବ୍ଲକରେ ଏହି ହାର ଯଥେଷ୍ଟ ଅଧିକ । ଝାରସୁଗୁଡ଼ା ସଦର ବ୍ଲକ ଓ ମ୍ୟୁନିସିପାଲିଟି ଅଞ୍ଚଳରେ ୨୮ ପ୍ରତିଶତ ଆଦିବାସୀ ଭୋଟର ଅଛନ୍ତି । ସେହିପରି ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଦ୍ୱିତୀୟ ସର୍ବାଧିକ ଭୋଟର ହେଉଛନ୍ତି ଅଘରିଆ ସମାଜର । କୋଲାବିରା ଓ କିରମିରା ବ୍ଲକରେ ଏହି ଭୋଟରଙ୍କ ସଂଖ୍ୟା ସହର ତୁଳନାରେ ଅଧିକ ରହିଛି । ଯଦି ଉଭୟ ଆଦିବାସୀ ଓ ଅଘରିଆ ସମାଜ ଭୋଟରଙ୍କୁ ହିସାବକୁ ନିଆଯାଏ, ତେବେ ଏହା ମୋଟ ଭୋଟରଙ୍କ ୭୧ ପ୍ରତିଶତ । ଅର୍ଥାତ୍ କୌଣସି ଦଳ ଯଦି ଉଭୟ ସମାଜର ଭୋଟ ହାତେଇବାରେ ସଫଳ ହୁଏ, ତେବେ ତାର ଏକତରଫା ବିଜୟ ସୁନିଶ୍ଚିତ।