Inspirational Story: ଦୁର୍ଘଟଣାରେ ଝିଅର ମୃତ୍ୟୁ ପରେ, ସଚେତନ କରାଇବା ନେଇ ୪୦ଟି ହେଲମେଟ ବାଣ୍ଟିଲେ ପରିବାର ଲୋକେ
Advertisement

Inspirational Story: ଦୁର୍ଘଟଣାରେ ଝିଅର ମୃତ୍ୟୁ ପରେ, ସଚେତନ କରାଇବା ନେଇ ୪୦ଟି ହେଲମେଟ ବାଣ୍ଟିଲେ ପରିବାର ଲୋକେ

Madhya Pradesh Road Accident: ମଧ୍ୟପ୍ରଦେଶରେ ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଥିଲା। ହେଲମେଟ ପିନ୍ଧି ନ ଥିବା ଯୋଗୁଁ ମୁଣ୍ଡରେ ଶକ୍ତ ଆଘାତ ଲାଗି ତାଙ୍କର ମୃତ୍ୟୁ ହୋଇଥିବାରୁ ତାଙ୍କର ଶୋକ ସଭା ଦିନ ସଚେତନତା ବାର୍ତ୍ତା ଦେଇ ଏକ ନୂତନ ଉଦାହରଣ ସୃଷ୍ଟି କରିଥିଲେ ଯୁବତୀଙ୍କ ପରିବାର ଲୋକେ। 

ସୌ(ସୋସିଆଲ ମିଡିଆ)

Road Accident: ଆମ ଦେଶରେ ପ୍ରତି ବର୍ଷ ହାରାହାରି ଦେଢ ଲକ୍ଷ ଲୋକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ଆକଳନ ଅନୁଯାୟୀ, ପ୍ରତିଦିନ ୧୧୩୦ଟି ଦୁର୍ଘଟଣା ଘଟୁଥିବା ବେଳେ ଏଥିରେ ୪୨୨ ଜଣଙ୍କର ଜୀବନ ହାନି ଘଟୁଛି। ଏପରିକି ପ୍ରତି ଘଣ୍ଟାରେ ୪୭ଟି ଦୁର୍ଘଟଣା ଘଟୁଥିବା ବେଳେ ୧୮ ଜଣ ପ୍ରାଣ ହରାଉଥିବା ନେଇ ସରକାରୀ ତଥ୍ୟରୁ ସୂଚନା ମିଳିଛି। ତେବେ ଲୋକଙ୍କ ସୁରକ୍ଷା ପାଇଁ ସମଗ୍ର ଦେଶରେ ଟ୍ରାଫିକ ନିୟମ କଡାକଡି଼ କରିବା ସହ ବିଭିନ୍ନ ସମୟରେ ସଚେତନ କରାଯାଉଥିଲେ ମଧ୍ୟ ଦୁର୍ଘଟଣା ହାର କମିବାର ନାଁ ଧରୁନାହିଁ। ୨ ଚକିଆ ଯାନରେ ଉଭୟ ଚାଳକ ଓ ଆରୋହୀଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ କରିଥିଲେ ମଧ୍ୟ ଲୋକମାନେ ଏହାକୁ ମାନୁ ନଥିବାର ଦେଖିବାକୁ ମିଳୁଛି। ଫଳରେ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ହାନି ଘଟୁଛି।

ନିକଟରେ ମଧ୍ୟପ୍ରଦେଶରେ ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଥିଲା। ହେଲମେଟ ପିନ୍ଧି ନ ଥିବା ଯୋଗୁଁ ମୁଣ୍ଡରେ ଶକ୍ତ ଆଘାତ ଲାଗି ତାଙ୍କର ମୃତ୍ୟୁ ହୋଇଥିବାରୁ ତାଙ୍କର ଶୋକ ସଭା ଦିନ ସଚେତନତା ବାର୍ତ୍ତା ଦେଇ ଏକ ନୂତନ ଉଦାହରଣ ସୃଷ୍ଟି କରିଥିଲେ ଯୁବତୀଙ୍କ ପରିବାର ଲୋକେ। ସୂଚନା ମୁତାବକ, ମଧ୍ୟ ପ୍ରଦେଶର ଖାର୍ଗୋନ ଜିଲ୍ଲା ଅନ୍ତର୍ଗତ ଝିର୍ନିଆ ଗ୍ରାମରେ ଏକ ବାଇକ ଦୁର୍ଘଟଣା ଘଟିଥିଲା।  ଭାଇ ବାଇକ ଚଲାଉ ଥିବା ବେଳେ ଭଉଣୀ ତାଙ୍କ ପଛରେ ବସିଥିଲେ। ଭାରସାମ୍ୟ ହରାଇ ବାଇକ ପଡି଼ଯିବାରୁ ଯୁବତୀଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଯୋଗୁଁ ନିଜ ଝିଅକୁ ହରାଇବା ପରେ ଯୁବତୀଙ୍କ ବାପା ଓ ମାଆ ଭାଙ୍ଗି ପଡି଼ଥିଲେ। ଯୁବତୀଙ୍କ ଶୋକ ସଭା ଦିନ ପରିବାର ଲୋକେ ଏକ ଅଭିନବ ଢଙ୍ଗରେ ସଡ଼କ ଦୁର୍ଘଟଣା ନେଇ ସଚେତନତା  କରାଇବା ନେଇ ସ୍ଥିର କରିଥିଲେ। ସେମାନେ ପ୍ରାୟ ୪୦ଟି ହେଲମେଟ ବଣ୍ଟନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲମେଟ ବଣ୍ଟନ କରିବା ସମୟରେ ସମସ୍ତଙ୍କୁ ଟ୍ରାଫିକ ନିୟମ ପାଳନ କରିବା ପାଇଁ ଅନୁରୋଧ କରିଥିଲେ। ହେଲମେଟ ପିନ୍ଧିଥିଲେ ହୁଏତ ତାଙ୍କ ଝିଅ ଆଜି ତାଙ୍କ ପାଖରେ ଥାଆନ୍ତା। ଯେପରି ଆଉ କିଏ ନିଜ ପରିଜନଙ୍କୁ ନ ହରାଉ ସେଥିପାଇଁ ସେମାନେ ଏହି ପଦକ୍ଷେପ ନେଇଥିବା ସୂଚନା ଦେଇଛନ୍ତି ।

Also Read-Amritpal Singh Arrested: ଶେଷ ହେଲା ମିଶନ ଅମୃତପାଲ ସିଂ, ହେପାଜତକୁ ନେଲା ପୋଲିସ

କେବଳ ମଧ୍ୟପ୍ରଦେଶ ନୁହେଁ, ଭାରତର ବିଭିନ୍ନ ସ୍ଥାନରେ ବିନା ହେଲମେଟରେ ଗାଡି଼ ଚଲାଇବା ଯୋଗୁଁ ଦୁର୍ଘଟଣା ଘଟି ଅନେକ କ୍ଷୟକ୍ଷତି ହୋଇଥାଏ। ଏଥିରୁ ବର୍ତ୍ତିବା ପାଇଁ ଲୋକମାନେ ନିଜେ ସଚେତନ ହେବା ଆବଶ୍ୟକ। ଟ୍ରାଫିକ ନିୟମ ପାଳନ କରିବା ସହ ସାବଧାନତା ଅବଲମ୍ବନ କରି ଗାଡି଼ ଚଲାଇଲେ ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନେ ମଧ୍ୟ ସୁରକ୍ଷିତ ରହିବେ। ତେବେ ଝିଅର ଶୋକ ସଭାରେ ହେଲମେଟ ବଣ୍ଟନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଏହି ପରିବାର।