Road Accident: ସଡ଼କ ଦୁର୍ଘଟଣାରେ ୧୫ ଲକ୍ଷଙ୍କ ମୃତ୍ୟୁ, ବିଶ୍ୱରେ ଲଜ୍ଜ୍ୟା ଆଣୁଛି ଭାରତର ସଡ଼କ ଦୁର୍ଘଟଣା
Advertisement
Article Detail0/zeeodisha/odisha2554969

Road Accident: ସଡ଼କ ଦୁର୍ଘଟଣାରେ ୧୫ ଲକ୍ଷଙ୍କ ମୃତ୍ୟୁ, ବିଶ୍ୱରେ ଲଜ୍ଜ୍ୟା ଆଣୁଛି ଭାରତର ସଡ଼କ ଦୁର୍ଘଟଣା

Parliament Winter Session 2024: ବଢୁଥିବା ରାସ୍ତା ଦୁର୍ଘଟଣାକୁ ନେଇ ଗୃହର ପ୍ରତିଟି ସଦସ୍ୟ ଉଦବେଗ ପ୍ରକାଶ କରିବାରୁ ମନ୍ତ୍ରୀ କହିଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଏଥିପ୍ରତି ଦାୟିତ୍ୱ ରହିଛି। ନିୟମକୁ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ସରକାରମାନେ ତତ୍ପର ହେବା ଆବଶ୍ୟକ। ଏହା ହେଲେ ରାସ୍ତା ଦୁର୍ଘଟଣାକୁ ନିୟନ୍ତ୍ରଣ କରାଯାଇପାରିବ। 

Road Accident: ସଡ଼କ ଦୁର୍ଘଟଣାରେ ୧୫ ଲକ୍ଷଙ୍କ ମୃତ୍ୟୁ, ବିଶ୍ୱରେ ଲଜ୍ଜ୍ୟା ଆଣୁଛି ଭାରତର ସଡ଼କ ଦୁର୍ଘଟଣା

Road Accident: ନୂଆଦିଲ୍ଲୀ: ଅନେକ କ୍ଷେତ୍ରରେ ବିଶ୍ୱ ପାଇଁ ଉଦାହରଣ ସାଜିଥିବା ଭାରତ ଦୁର୍ଘଟଣାରେ ଲଜ୍ଜ୍ୟା ଆଣୁଛି। ଯେତେବେଳେ କୌଣସି ଆନ୍ତର୍ଜାତିକ ସମ୍ମିଳନୀରେ ଭାରତ ଏ ବିଷୟରେ କହିବା ପାଇଁ ଆସୁଛି ସେତେବେଳେ ତାକୁ ମୁହଁ ଲୁଚାଇବାକୁ ପଡୁଛି ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି। ଏପରିକି ଦୁର୍ଘଟଣା ହ୍ରାସ କରିବାକୁ ଚାହୁଁଥିଲେ ମଧ୍ୟ ତାହା ସଫଳ ହୋଇପାରୁନାହିଁ। ସେ କହିଛନ୍ତି ପୂର୍ବରୁ ମୁଁ ପ୍ରତିଶୃତି ଦେଇଥିଲି ୨୦୨୪ ସୁଦ୍ଧା ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁକୁ ଅଧା କମାଇବି। କିନ୍ତୁ ତାହା କମିବା ବଦଳରେ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ ଶ୍ରୀ ଗଡକରି ସୂଚନା ଦେଇଛନ୍ତି। 

ଶ୍ରୀ ଗଡକରୀ ଗୃହକୁ ଦେଇଥିବା ସୂଚନା ଅନୁସାରେ ଦେଶରେ ଗତ ୧୦ ବର୍ଷ ଭିତରେ ୧୫ ଲକ୍ଷ ୨ ହଜାର ୪୧୬ ଜଣଙ୍କର ମୃତ୍ୟୁ ଘଟିଛି। ସବୁଠାରୁ ଆଗରେ ରହିଛି ଉତ୍ତରପ୍ରଦେଶ। ଏହି ରାଜ୍ୟରେ ବର୍ଷକୁ ୨୩ ହଜାର ୬୫୨ ଜଣଙ୍କ ମୃତ୍ୟୁ ହୋଇଛି। ଯାହା ସମୁଦାୟ ମୃତ୍ୟୁର ୧୩.୭ ପ୍ରତିଶତ। ସେହିପରି ତାମିଲନାଡୁରେ ବର୍ଷକୁ ୧୮ ହଜାର ୩୪୭ ଜଣଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ୧୫୩୬୬ ଏବଂ ମଧ୍ୟପ୍ରଦେଶରେ ବର୍ଷକୁ ୧୩୭୯୮ ଜଣଙ୍କର ମୃତ୍ୟୁ ଘଟିଛି। 

ଓଡ଼ିଶାରେ ଗତ ଦଶ ବର୍ଷର ତଥ୍ୟକୁ ଦେଖିଲେ ୪୭୪୮୩ ମୃତ୍ୟୁ ଘଟିଛି। ଅର୍ଥାତ ବର୍ଷକୁ ହାରାହାରି ୪୭୪୮ ଜଣଙ୍କ ମୃତ୍ୟୁ ରାସ୍ତା ଦୁର୍ଘଟଣାରେ ହୋଇଛି। ସେହିପରି ୨୦୧୬-୨୦୨୨ ମଧ୍ୟରେ ହୋଇଥିବା ସଡ଼କ ଦୁର୍ଘଟଣା ହେତୁ ରାଜ୍ୟରେ ୨୩ ହଜାର ୮୮ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି ଯେଉମାନଙ୍କ ବୟସ ୨୫ରୁ ୬୦ ବର୍ଷ ମଧ୍ୟରେ । ଏହି ସମୟରେ ୮୨୩୫ ଜଣ ୧୮ ରୁ ୨୫ ବର୍ଷ ବୟସ୍କ କିଶୋରଙ୍କ ମୃତ୍ୟୁ ଘଟିଛି। ୧୮ ବର୍ଷରୁ କମ ୨୩୪୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ବର୍ଷରୁ ଅଧିକ ୨୧୫୬ ଜଣଙ୍କର ମୃତ୍ୟୁ ଘଟିଛି। 

ମନ୍ତ୍ରୀ ଶ୍ରୀ ଗଡକରୀ ଗୃହରେ ସଡ଼କ ଦୁର୍ଘଟଣାରେ ଉଦବେଗ ପ୍ରକାଶ କରିବା ସହ କେଉଁ ପ୍ରକାର ଗାଡି କେତେ ଲୋକଙ୍କୁ ମାରିଛି ତାହା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ୨୦୧୯ ରୁ ୨୦୨୨ ମସିହା ମଧ୍ୟରେ ସର୍ବାଧିକ ଦୁଇ ଚକିଆ ଗାଡ଼ି ଚାଳକଙ୍କ ଦ୍ୱାରା ୧ ଲକ୍ଷ ୪୫ ହଜାର ୩୧୬ ଜଣଙ୍କ ମୃତ୍ୟୁ ହୋଇଛି। ଏହି ପ୍ରକାର ଗାଡ଼ି ଚାଳକ ସର୍ବାଧିକ ୯୩୨୦୪ ଜଣ ଦୁଇଚକିଆ ଗାଡି ଚାଳକଙ୍କ ମୃତ୍ୟୁର କାରଣ ହୋଇଛନ୍ତି। ସମୁଦାୟ ଦୁର୍ଘଟଣାକୁ ଦେଖିଲେ ଏହି ସମୟ ମଧ୍ୟରେ ୫ ଲକ୍ଷ ୧୧ ହଜାର ୪୯୬ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରୁ ୧ ଲକ୍ଷ ୧୧ ହଜାର ୨୮୪ ଜଣ ପାଦଚଲା ଯାତ୍ରୀ ହୋଇଥିବା ବେଳେ ୧୮ ହଜାର ୫୦ ଜଣ ହେଉଛନ୍ତି ସାଇକେଲ ଚଲାଳି। ସେହିଭଳି ୨ ଲକ୍ଷ ୫୭ ହଜାର ୪୫୦ ଜଣ ଦୁଇ ଚକିଆ ଗାଡି ଚାଳକ ହୋଇଥିବା ବେଳେ ୮୨ ହଜାର ୩୦୧ ଜଣ ମୃତକ ହେଉଛନ୍ତି କାର, ଜିପ, ଟାକ୍ସି ଆଦି ଚାରି ଚକିଆ ଗାଡି ଚଳକ। ସେହିପରି ୪୩ ହଜାର ୪୧୧ ଜଣ ଟ୍ରକ ଚାଳକଙ୍କର ଏହି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। 

ସରକାର ଦୁର୍ଘଟଣାକୁ ରୋକିବା ପାଇଁ ଉଭୟ ରୋଡ ଇଞ୍ଜିନିୟରିଂ ଏବଂ ଗାଡି ଇଞ୍ଜିନିୟରିଂରେ ଅନେକ ପରିବର୍ତ୍ତନ ଆଣିଛନ୍ତି। ଗାଡି ଗୁଡିକରେ ଏମ୧ ବର୍ଗୀୟ ଗାଡିକୁ ଚଳାଚଳ ପାଇଁ ଉତ୍ପାଦନ ଆରମ୍ଭ ହୋଇଛି। ଯେଉଁଥିରେ ଉଭୟ ଡ୍ରାଇଭର ଓ ସହଯୋଗୀ ଡ୍ରାଇଭରଙ୍କ ପାଇଁ ସିଟ ବେଲ୍ଟ ବାଧ୍ୟତାମୂଳକ କରାଯାଇଛି। ୫ ଜଣ ଯାତ୍ରୀଙ୍କ ପାଇଁ ୬ଟି ଏୟାର ବ୍ୟାଗ ବାଧ୍ୟତାମୂଳକ ହୋଇଛି। ରାସ୍ତାରେ ଅତ୍ୟାଧିକ ବେଗରେ ଗାଡି ଚାଳନା ପ୍ରତି ସତର୍କତା ଜାରି କରାଯାଇଛି। ପଛୁଆ ପାର୍କିଂ ନିମନ୍ତେ ସତର୍କତା ଜାରି କରାଯାଇଛି। ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥରେ ବ୍ଲାକସ୍ପଟ ଚିହ୍ନଟ ହୋଇଛି। କିନ୍ତୁ ସବୁଠାରୁ ଆବଶ୍ୟକତା ହେଉଛି ରାସ୍ତାର ନିୟମ ମାନିବା ଏବଂ ଲେନ ଅନୁସାରେ ଗାଡି ଚାଳନା କରିବା। ହେଲେ ଏଥିପ୍ରତି ଧ୍ୟାନ ଦିଆଯାଉନଥିବାରୁ ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି। 

ବଢୁଥିବା ରାସ୍ତା ଦୁର୍ଘଟଣାକୁ ନେଇ ଗୃହର ପ୍ରତିଟି ସଦସ୍ୟ ଉଦବେଗ ପ୍ରକାଶ କରିବାରୁ ମନ୍ତ୍ରୀ କହିଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଏଥିପ୍ରତି ଦାୟିତ୍ୱ ରହିଛି। ନିୟମକୁ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ସରକାରମାନେ ତତ୍ପର ହେବା ଆବଶ୍ୟକ। ଏହା ହେଲେ ରାସ୍ତା ଦୁର୍ଘଟଣାକୁ ନିୟନ୍ତ୍ରଣ କରାଯାଇପାରିବ।