Top 10 News Today: ଆଜି ନୀଳାଦ୍ରିବିଜେ, ପାକିସ୍ତାନ ବିପକ୍ଷରେ ଭାରତର ବିଜୟ ଏବଂ ଅନ୍ୟ ଅପଡେଟ
Advertisement
Article Detail0/zeeodisha/odisha2343917

Top 10 News Today: ଆଜି ନୀଳାଦ୍ରିବିଜେ, ପାକିସ୍ତାନ ବିପକ୍ଷରେ ଭାରତର ବିଜୟ ଏବଂ ଅନ୍ୟ ଅପଡେଟ

Top 10 News Today: ଚୁଟକୀରେ ପଢି ନିଅନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ଆଜି ନୀଳାଦ୍ରିବିଜେ, ପାକିସ୍ତାନ ବିପକ୍ଷରେ ଭାରତର ବିଜୟ ଏବଂ ଅନ୍ୟ ଅପଡେଟ

H1. ଚାଲିଛି ନବଦିନାତ୍ମକ ଯାତ୍ରା
ଆଜି ହେଉଛି ରଥଯାତ୍ରାର ଅନ୍ତିମ ଦିନ। ଅନ୍ତିମ ଦିନରେ ନୀଳାଦ୍ରିବିଜେ ନୀତି ସମ୍ପନ୍ନ ହୋଇଛି। ପ୍ରଥମେ ସୁଦର୍ଶନ ମହାପ୍ରଭୁଙ୍କର ନୀଳାଦ୍ରିବିଜେ ହୋଇଥିଲେ। ପରେ ବଡ଼ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ନୀଳାଦ୍ରିବିଜେ ନୀତି ଆରମ୍ଭ ହୋଇଥିଲା। ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନୀଳାଦ୍ରିବିଜେ ହୋଇଥିଲା। ତେବେ ଏହା ପୂର୍ବରୁ ରସଗୋଲା ଦେଇ ଲକ୍ଷ୍ମୀଠାକୁରାଣୀଙ୍କର ମାନଭଞ୍ଜନ କରିଥିଲେ।

H2. ଭୀଷଣରୁ ଅତି ଭୀଷଣ ବର୍ଷା!
ରାଜ୍ୟର ୪ ଜିଲ୍ଲାରେ ଭୀଷଣରୁ ଅତି ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଏମିତିକା ବର୍ଷା ହୋଇପାରେ। ଏହାଛଡ଼ା ଆଉ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ରହିଛି। ବର୍ଷା ୪ରୁ ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଯେଉଁଥିପାଇଁ ସତର୍କ ସୂଚା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଆଗାମୀ ୨୪ ଘଣ୍ଟାଭିତରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବ। ସେଥିପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। 

H3. ରାଜ୍ୟ ସ୍ୱାର୍ଥ ପାଇଁ ଲଢ଼ିବାକୁ ୯ ସାଂସଦଙ୍କୁ ଗୁରୁମନ୍ତ୍ର
ନବୀନ ପଟ୍ଟନାୟକଙ୍କୁ ବିଜେଡିର ରାଜ୍ଯସଭା ସଂସଦୀୟ ଦଳ ଅଧ୍ଯକ୍ଷ ଭାବେ ନିର୍ବାଚିତ କରାଯାଇଛି। ବଜେଟ ଅଧିବେଶନ ପୂର୍ବରୁ ନବୀନ ନିବାସରେ ଆୟୋଜିତ ବୈଠକରେ ଦଳର ୯ ରାଜ୍ଯସଭା ସାଂସଦ ଯୋଗ ଦେଇଥିଲେ। ଏହି ଅବସରରେ ସମସ୍ତ ସାଂସଦଙ୍କ ଅନୁରୋଧ କ୍ରମେ ନବୀନ ପଟ୍ଟନାୟକ ଦଳର ରାଜ୍ଯସଭା ସଂସଦୀୟ ଦଳ ଅଧ୍ଯକ୍ଷ ହୋଇଛନ୍ତି। ତେବେ ଏହି ବୈଠକେ ଦଳର ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାଜ୍ଯବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଲଢେଇ କରିବାକୁ ନବୀନ ସମସ୍ତଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ସଂସଦର ଆଗାମୀ ବଜେଟ ଅଧିବେଶନରେ ମଧ୍ଯ ସାଢେ ଚାରି କୋଟି ଓଡ଼ିଆଙ୍କର ସ୍ବର ସାଜିବ ବିଜୁ ଜନତା ଦଳ। ରାଜ୍ଯସଭା ସାଂସଦଙ୍କ ସହ ବୈଠକ କରି ସମସ୍ତଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।

H4. ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ହେଲେ ଆଡଭୋକେଟ୍ ଜେନେରାଲ
ଓଡ଼ିଶା ହା‌ଇକୋର୍ଟଙ୍କ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଆଡଭୋକେଟ୍ ଜେନେରାଲ ‌ହୋଇଛନ୍ତି। ଶ୍ରୀ ଆଚାର୍ଯ୍ୟଙ୍କୁ ରାଜ୍ୟ ସରକାର ଏହି ବଡ଼ ଦାୟିତ୍ବ ଦେଇଛନ୍ତି। ପୀତାମ୍ବରଙ୍କ ନିଯୁକ୍ତି ରାଜ୍ୟ ଆଇନ ବିଭାଗ ସୂତ୍ରରୁ ସୂଚନା ଦିଆଯାଇଛି।

H5. ୫.୪ ଲକ୍ଷ ଟଙ୍କା ସହ ସରପଞ୍ଚଙ୍କୁ ମାଡ଼ି ବସିଲା ଭିଜିଲାନ୍ସ
୫.୪ ଲକ୍ଷ ଟଙ୍କା ସହ ସରପଞ୍ଚଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ସରପଞ୍ଚ ଦୀନେଶ ରାଉତ ଅନୈତିକ ଉପାୟରେ ଟଙ୍କା ସଂଗ୍ରହ କରିଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ଵାରା ଅଟକ ହୋଇଛନ୍ତି।‌ ନିଜ କାର୍‌ରେ ଟଙ୍କା ନେଇ ଯାଉଥିଲା ବେଳେ ପିଛା କରି ଧରିଲା ଭିଜିଲାନ୍ସ। ସରପଞ୍ଚଙ୍କ ବୃନ୍ଦାବାହାଲ ସ୍ଥିତ ଘରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ କରିଛି। ସରପଞ୍ଚଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ ଟିମ୍। ଅନୈତିକ ଉପାୟରେ ସେ ୫ ଲକ୍ଷ ୪୦ ହଜାର ଟଙ୍କା‌ ସଂଗ୍ରହ କରି ଘରକୁ ଫେରୁଥିବା ନେଇ ଭିଜିଲାନ୍ସ ବିଶ୍ଵସ୍ତ ସୁତ୍ରରୁ ଖବର ପାଇଥିଲା। ଏକ ବୋଲୋରେ ଯୋଗେ ଘରକୁ ଫେରୁଥିବା ସମୟରେ ସେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ଭିଜିଲାନ୍ସ ଗାଡିକୁ ସିଜ କରିବା ସହ ତାଙ୍କୁ ଅଧିକ ପଚରାଉଚରା ପାଇଁ ନବରଙ୍ଗପୁର ନେଇଥିବା ବେଳେ ଆଉ ଦୁଇଟି ଟିମ୍ ତାଙ୍କ ଘର ଏବଂ ଆଉ ଏକ ସ୍ଥାନରେ ଚଢାଉ ଜାରି ରଖିଛି।

H6. ବଢିଲା ପୂଜାଙ୍କ ଅଡ଼ୁଆ
ଆଇଏଏସ୍ ପୂଜା ଖେଡକରଙ୍କ ସମସ୍ୟା ବଢ଼ିଛି। ଆଇଏଏସ୍ ଅଫିସର ପୂଜା ଦିଲ୍ଲୀପ ଖେଡକରଙ୍କ ବିରୋଧରେ ସଂଘ ଲୋକସେବା ଆୟୋଗ ବା ୟୁପିଏସସି ଏକ  ମାମଲା ରୁଜୁ କରିଛି। ଜାଲିଆତି ଅଭିଯୋଗରେ ମାମଲା ରୁଜୁ କରାଯିବା ସହ ତାଙ୍କର ଆଇଏଏସ ପଦ ରଦ୍ଦ ପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏହା ପୂର୍ବରୁ ମହାରାଷ୍ଟ୍ର ସରକାର ତାଙ୍କ ପ୍ରଶିକ୍ଷଣ ବାତିଲ କରିଥିଲେ ଏବଂ ଏଲବିଏସଏସଏ ଜୁଲାଇ ୨୩ରେ ତାଙ୍କୁ ମସୁରୀକୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଜାରି କରିଥିଲା ।

H7. ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟ ସର୍ଭର ଠପ୍, ସନ୍ଧ୍ୟାରେ ସ୍ୱାଭାବିକ
ଆଜି ସାରା ବିଶ୍ୱରେ ବୈଷୟିକ କମ୍ପାନୀ ମାଇକ୍ରୋସଫ୍ଟ ସର୍ଭର ଠପ୍ ହୋଇଯାଇଛି। ଭାରତ ସହ ଅଷ୍ଟ୍ରେଲିଆ, ଜର୍ମାନୀ, ଆମେରିକା, ୟୁକେରେ ସେବା ଠପ୍ ହୋଇଯାଇଥିବାବେଳେ ଏହାଦ୍ୱାରା ବ୍ୟାଙ୍କିଂ ସହ ବିମାନ ସେବା ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ୱିଣ୍ଡୋଜ୍ ସେବାରେ ସମସ୍ୟା ହେତୁ ସମଗ୍ର ବିଶ୍ୱରେ ଉପଭୋକ୍ତାମାନେ ଅସୁବିଧାରେ ପଡିଯାଇଛନ୍ତି। ଏହା ଦ୍ୱାରା ମାଇକ୍ରୋସଫ୍ଟର ଅପରେଟିଂ ସିଷ୍ଟମରେ କାର୍ଯ୍ୟ କରୁଥିବା ବ୍ୟକ୍ତିଗତ କମ୍ପ୍ୟୁଟର ଏବଂ ଲାପଟପ୍ କୁ ମଧ୍ୟ ପ୍ରଭାବିତ କରିଛି। ତେବେ ମାଇକ୍ରୋସଫ୍ଟର ଏଭଳି ଠପ ହେବା ପରେ ବିମାନବନ୍ଦରରେ ବିମାନସେବା ଗୁରୁତର ପ୍ରଭାବିତ ହୋଇଛି। ଦିଲ୍ଲୀ ବିମାନବନ୍ଦର ସହ ଅନ୍ୟ ବିମାନବନ୍ଦରରେ ଯାତ୍ରୀମାନେ ଚେକ ଇନ ସମସ୍ୟାରେ ଶିକାର ହୋଇଛନ୍ତି।ତେବେ ସନ୍ଧ୍ୟା ସୁଦ୍ଧା ସମସ୍ୟାର ସମାଧାନ ହୋଇଥିବା ନେଇ କମ୍ପାନୀ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। 

H8. ବାଂଲାଦେଶରେ ସାଂଘାତିକ ହିଂସା
ବାଂଲାଦେଶରେ ଚାଲିଥିବା ସଂରକ୍ଷଣ ବିରୋଧୀ ପ୍ରତିବାଦ ଦିନକୁ ଦିନ ଉଗ୍ର ରୂପ ଧାରଣ କରିବାରେ ଲାଗିଛି । ସ୍ଥିତି ଦିନକୁ ଦିନ ବିଗିଡ଼ିବାକୁ ଲାଗିଥିବା ବେଳେ ହିଂସାକାଣ୍ଡରେ ଏଯାବତ ୩୯  ଜଣ ଆଖି ବୁଜି ସାରିଲେଣି। ଏଥିରେ ପ୍ରାୟ ୨୫୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏହି ଆକ୍ରମଣ ଘଟଣାରେ ଜଣେ ସାମ୍ବାଦିକାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ୟୁନିଭରସିଟିରୁ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନର ପ୍ରଭାବ ଏବେ ସାରା ବାଂଲାଦେଶରେ ପଡ଼ିଛି । ହାତରେ ଠେଙ୍ଗା ବାଡ଼ି, ପଥର ଧରି ବୁଲୁଥିବା ବିକ୍ଷୋଭ ପ୍ରଦର୍ଶନକାରୀ ରାସ୍ତା ଉପରେ ଥିବା ବସ୍‌ ସମେତ ବିଭିନ୍ନ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ଏହାକୁ ଦେଖି ବାଂଲାଦେଶରେ ବସ୍‌, ଟ୍ରେନ୍‌ ଓ ମେଟ୍ରୋ ସେବାକୁ ବନ୍ଦ କରି ଦିଆଯାଇଛି।

H9. ବିଲକିସ୍‌ ବାନୋ ମାମଲା: ଦୋଷୀଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
ବହୁ ଚର୍ଚ୍ଚିତ ୨୦୦୨ ମସିହା ଗୁଜରାଟ ଦଙ୍ଗା ପୀଡ଼ିତ ବିଲକିସ୍‌ ବାନୋ ମାମଲାର ଦୁଇ ଦୋଷୀ ରାଧେଶ୍ୟାମ ଓ ରାଜୁ ଭାଇକୁ ବଡ଼ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ। ଉଭୟ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ ହେଁ ସର୍ବୋଚ୍ଚ ଅଦାଲତ ଏହାକୁ ଖାରଜ କରି ଦେଇଛନ୍ତି। ସୁପ୍ରିମକୋର୍ଟ ନୂତନ କ୍ଷମା ଆବେଦନ ଉପରେ ନିର୍ଦ୍ଦେଶ ଦେବା ଯାଏ ଉଭୟ ଜାମିନରେ ମୁକୁଳିବାକୁ ଚାହୁଁଥିଲେ। ୨୦୨୨ ସ୍ୱାଧୀନତା ଦିବସରେ ଗୁଜରାଟ ସରକାରୀ ଦଣ୍ଡାଦେଶ ବିରୋଧରେ ଯାଇ ବିଲକିସ୍‌ ବାନୋଙ୍କ ଦୁଷ୍କର୍ମକାରୀଙ୍କୁ ଜେଲରୁ ଖଲାସ କରି ଦେଇଥିଲେ।

H10. ପାକିସ୍ତାନକୁ ୭ ୱିକେଟରେ ହରାଇଲା ଭାରତ
ଚଳିତ ମହିଳା ଏସିଆ କପ୍ ୨୦୨୪ର ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ଏକ ଦମଦାର ବିଜୟ ହାସଲ କରିଛି ଭାରତ। ଶ୍ରୀଲଙ୍କାର ରଙ୍ଗିରି ଡାମବୁଲ୍ଲା ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ଦଳ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତୀୟ ମହିଳା ଦଳ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଉଭୟ ବ୍ୟାଟ୍ସମ୍ୟାନ୍ ଏବଂ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ୧୦୯ ରନ୍ ସ୍କୋର କରି ଟିମ୍ ଇଣ୍ଡିଆ ଏହାକୁ ୧୪.୧ ଓଭରରେ ହାସଲ କରିଛି। ଟିମ୍ ଇଣ୍ଡିଆ ପାଇଁ ୩୧ଟି ବଲରେ ସ୍ମୃତି ମନ୍ଦାନା ୪୫ ରନ୍ ସଂଗ୍ରହ କରିଥିଲେ। ଏହି ଅବଧିରେ ସେ ୯ଟି ଚୌକା ମାରିଥିଲେ। ତାଙ୍କ ବ୍ୟତୀତ ଶେଫାଳୀ ୧୯ ବଲରେ ୪୦ ରନ ଖେଳିଥିଲେ।