Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2350431

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ଚୁଟକୀରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H1. ଆଜି ବନକଲାଗି ନୀତି, ୩ ଘଣ୍ଟା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ
ଆଜି ଶ୍ରାବଣ ମାସ କୃଷ୍ଣ ପକ୍ଷ ତୃତୀୟା ତିଥିରେ ଶ୍ରୀ ବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏନେଇ ଆଜି ସନ୍ଧ୍ୟାରେ ୩ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପକ୍ଷରୁ କୁହାଯାଇଛି । ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ସନ୍ଧ୍ୟା ୬ ଟା ରୁ ରାତ୍ର ୯ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରଭୁଙ୍କ ନୀତି ପାଇଁ ଅନେକ ସମୟରେ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଥାଏ । ତେବେ ଆଜି ସଂଧ୍ୟାରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ କମିଟି ପକ୍ଷରୁ ସୂଚନା ମିଳିଛି। 

H2. NEET-UG ବିବାଦ ଉପରେ ସୁପ୍ରିମ୍ ରାୟ, ପୁନଃପରୀକ୍ଷା ହେବନି
NEET-UG ପରୀକ୍ଷା ବିବାଦ ଉପରେ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ପୁନଃପରୀକ୍ଷା କରିବାକୁ ମନା କରି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ମେଡ଼ିକାଲ ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ସହ ବ୍ୟାପକ ଅନିୟମିତତା ଦର୍ଶାଇ ପୁନଃପରୀକ୍ଷା କରିବାକୁ ଦାବି କରାଯାଇଥିଲା। ଆଜି ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ବିଚାର କରି ପୁନଃପରୀକ୍ଷା ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି। ପୁନଃ ପରୀକ୍ଷା ହେଲେ ୨୪ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହେବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

H3. ଅନାସ୍ଥାରେ ହାରିଲେ ଫୁଲବାଣୀ ପୌରାଧ୍ୟକ୍ଷା: ବିଜେପିକୁ ଝଟକା
ସାଧାରଣ ନିର୍ବାଚନରେ ବିଜେଡିର ୨୪ବର୍ଷର ଶାସନକୁ ଧୂଳିସାତ୍ କରି ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପିକୁ ଆଜି ପ୍ରଥମ ଝଟକା ଲାଗିଛି। ଦଳର ନିର୍ବାଚିତା ଫୁଲବାଣୀ ପୌରାଧ୍ୟକ୍ଷ ସ୍ମିତାରାଣୀ ମହାନ୍ତିଙ୍କ ବିରୁଦ୍ଧରେ ଦୁଇ ତୃତୀୟାଂଶ ଭୋଟରେ ଆଜି ଅନାସ୍ଥା ପ୍ରସ୍ତାବ ପାରିତ ହେବାପରେ ସେ ପଦ ହରାଇବା ସ୍ପଷ୍ଟ ହୋଇଯାଇଛି। 

H4. କମଳା ପୂଜାରୀଙ୍କ ମୃତ୍ୟୁରେ ରାଜନୀତି ପୁରାଇଲା ବିଜେଡି, କହିଲା ମୃତ୍ୟୁ ପଛରେ ହୋଇଛି ଷଡ଼ଯନ୍ତ୍ର
ବିଜେଡି ଏବେ ତୁଚ୍ଛା ରାଜନୀତିକ ଚର୍ଚ୍ଚାରେ ରହିବାକୁ ପଦ୍ମଶ୍ରୀ କମଳା ପୂଜାରୀଙ୍କ ମୃତ୍ୟୁକୁ ନେଇ ରାଜନୀତି କରିବାକୁ ପଛାଇ ନାହିଁ। କମଳା ପୂଜାରୀଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ରହିଛି ବୋଲି ସଙ୍ଗୀନ ଅଭିଯୋଗ ଆଣିବା ସହ ନିଜ ସରକାରର ଅମଳରେ ରାଜ୍ୟରେ ବିକଶିତ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବାସ୍ତବତା ଉପରେ ମଧ୍ୟ ପରୋକ୍ଷରେ ପ୍ରଶ୍ନ ଉଠାଇଛି । ବିଜେଡି ମୁଖପାତ୍ର ତଥା ସାଂସଦ ସୁଲତା ଦେଓ ଆଜି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ୪ମିନିଟ୍ ୧୮ସେକେଣ୍ଡର ଏକ ଭିଡିଓରେ କମଳା ପୂଜାରୀଙ୍କ ମୃତ୍ୟୁର ବିଚାରବିଭାଗୀୟ ତଦନ୍ତ ଦାବି କରିବା ପରେ ବିଜେଡିର ବାଚଳାମି ପଦାରେ ପଡ଼ିଛି।

H5. ଉପସ୍ଥାପିତ ହୋଇଛି ପୂର୍ଣ୍ଣାଙ୍ଗ ବଜେଟ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଦିନ ଲୋକସଭାରେ ସାଧାରଣ ବଜେଟ୍ ୨୦୨୪-୨୫ ଉପସ୍ଥାପନ କରିଥିଲେ। ଏହି ବଜେଟରେ ଅର୍ଥମନ୍ତ୍ରୀ ସାଧାରଣ ଜନତା, କୃଷି କ୍ଷେତ୍ର, ନିଯୁକ୍ତି, ଦକ୍ଷତା ବିକାଶ ଏବଂ ଶିକ୍ଷା କ୍ଷେତ୍ର ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ ଏହି ବଜେଟରେ ଗରିବ, ମହିଳା, ଯୁବକ ଏବଂ କୃଷକ ଉପରେ ଗୁରୁତ୍ୱ ଦିଆଯାଇଛି। ଆଜି ବିଶ୍ୱ ଅର୍ଥନୀତି ଟଳମଟଳ ହେଉଥିବାବେଳେ ଭାରତୀୟ ଅର୍ଥନୀତି ସ୍ଥିର ରହିଛି।

H6. ଟମାଟୋ ଦର ୧୦୦ ପାର୍ : ହୁ ହୁ ବଢ଼ି ଚାଲିଛି ଟମାଟୋ ଦର। ସାରା ଦେଶରେ ଟମାଟୋ ଦର (Tomato Price) ଆକାଶ ଛୁଆଁ ରହିଛି। ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ-ଏନସିଆରେ ଟମାଟୋ କିଲୋ (tomato) ପିଛା ୧୦୦ ଟଙ୍କା ପାର୍ କରିଛି। ଗ୍ରାହକ ବ୍ୟାପାର ବିଭାଗର ତଥ୍ୟ ଅନୁଯାୟୀ ଶନିବାର ଦିନ ଦିଲ୍ଲୀରେ ଟମାଟୋର ଖୁଚୁରା ମୂଲ୍ୟ କିଲୋଗ୍ରାମ ୯୩ ଟଙ୍କା ଥିଲା। ସରକାରୀ ତଥ୍ୟ ଅନୁଯାୟୀ, ଜୁଲାଇ ୨୦ ରେ ସମଗ୍ର ଭାରତର ଟମାଟୋର ହାରାହାରି ମୂଲ୍ୟ କିଲୋଗ୍ରାମରେ ୭୩.୭୬ ଟଙ୍କା ଥିଲା। ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଗତ କିଛି ଦିନ ଦେବ ଅତ୍ୟଧିକ ଗରମ ଓ ଅତ୍ୟଧିକ ବର୍ଷା ଟମାଟୋ ଦରରେ ମାତ୍ରାଧିକ ବୃଦ୍ଧିର ବଡ଼ କାରଣ।

H7. ବଜେଟକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ
କେନ୍ଦ୍ର ସରକାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଥିବା ବେଳେ ପ୍ରଥମଥର ପାଇଁ କେନ୍ଦ୍ରର ବିଜେପିର ସରକାରକୁ ଟାର୍ଗେଟ୍ କରିଛନ୍ତି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ କହିଛନ୍ତି, କେନ୍ଦ୍ର ବଜେଟରେ ଓଡ଼ିଶାବାସୀଙ୍କ ପାଇଁ କିଛି ନାହିଁ । ରାଜ୍ୟବାସୀଙ୍କୁ ବିଜେପି ଦେଇଥିବା ପ୍ରତିଶ୍ରୁତି କେନ୍ଦ୍ର ସରକାର ପୂରଣ କରିନାହାଁନ୍ତି । କେନ୍ଦ୍ର ସରକାର ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାର ପ୍ରତିଶ୍ରୁତି ଦେଇଥିଲା, ହେଲେ ତାହା ପୂରଣ କଲାନାହିଁ । ବଜେଟରେ ଆନ୍ଧ୍ର ଓ ବିହାରକୁ ବିପୁଳ ଅର୍ଥିକ ସହାୟତା ମିଳିଥିବା ବେଳେ ଓଡିଶା ପାଇଁ କିଛି ନାହିଁ । ରାଜ୍ୟ ସରକାର ବାରମ୍ବାର କୋଇଲା ରୟାଲିଟି ସଂଶୋଧନ ପାଇଁ ଦାବି କରୁଥିବା ବେଳେ ବଜେଟରେ ଏନେଇ କେନ୍ଦ୍ର ସରକାର କିଛି ସମାଧାନ କରିନାହାଁନ୍ତି । କୋଇଲା ରୟାଲିଟି କ୍ଷେତ୍ରରେ ରାଜ୍ୟ ସରକାର ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଉଥିବା କଥା ନବୀନ ପଟ୍ଟନାୟକ କହିଛନ୍ତି ।

H8. ସକ୍ରିୟ ମୌସୁମୀ ୫ ଦିନ ପ୍ରବଳ ବର୍ଷା
ସାରା ରାଜ୍ୟରେ ଲାଗି ରହିଛି ବର୍ଷା। ପୂର୍ବ ମଧ୍ୟପ୍ରଦେଶ ଓ ଛତିଶଗଡ଼ ନିକଟରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ତିନି ଦିନ ପର୍ୟ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି। ସେହିପରି ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେପଟେ ଚିନ୍ତା ବଢ଼ାଇଛି ନିଅଣ୍ଟିଆ ବର୍ଷା। ସେହିପରି କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ମଧ୍ୟ ବୁଧବାର ସକାଳୁ ବର୍ଷା ଲାଗି ରହିଥିବା ଦେଖିବାକୁ ମିଳିଛି। .

H9. ଦିଲ୍ଲୀ ଏମସରେ ଭର୍ତ୍ତି ହେଲେ ଲାଲୁ
ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଛି। ଲାଲୁ ପ୍ରସାଦ ଯାଦବଙ୍କୁ ଦିଲ୍ଲୀ AIIMS ରେ ଭର୍ତ୍ତି କରାଯାଇଛି। ଲାଲୁ ଯାଦବଙ୍କୁ ଦିଲ୍ଲୀ AIIMS ରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସା କରାଯାଉଛି। ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ଲାଲୁ ଯାଦବଙ୍କ ପରିବାର ସଦସ୍ୟ ତାଙ୍କ ସହିତ ଅଛନ୍ତି। ଲାଲୁ ଯାଦବ ସୋମବାର ନିଜେ ପାଟନାରୁ ଦିଲ୍ଲୀ ଆସିଥିଲେ। ଏଠାରେ କହି ରଖୁ କି ଲାଲୁ ଯାଦବଙ୍କୁ ବର୍ତ୍ତମାନ ୭୬ ବର୍ଷ ବୟସ ଏବଂ ସେ ୨୦୨୨ ମସିହାରେ କିଡନୀ ପ୍ରତିରୋପଣ କରିଥିଲେ।

H10. ଫିଟ୍‌ନେସ୍‌ ନଥିଲେ ଗାଡ଼ି ହେବ ସିଜ୍‌
ଗାଡି ଚାଳକମାନେ ସାବଧାନ । ସଡ଼କ ସୁରକ୍ଷା ନିୟମ କଡ଼ାକଡ଼ି ପାଳିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ । ବିନା ଫିଟନେସ୍‌ରେ ବେଧଡକ ଭାବେ ରାସ୍ତାରେ ଚାଲୁଥିବା ଗାଡ଼ି ଗୁଡିକୁ ଜବତ କରିବା ସହ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଣିକି ଅମାନିଆ ଗାଡି ଚାଳକଙ୍କୁ ଜରିମାନା ଲଗାଯିବା ସହ ବେଆଇନ୍ ଗାଡ଼ିକୁ ଅଟକ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଫିଟନେସ୍ ଓ ପଞ୍ଜୀକରଣ ବୈଧତା ସରିଥିବା ଗାଡ଼ିର ଏକ ତାଲିକା ପ୍ରସ୍ତୁତ କରାଯିବ । ରାସ୍ତାରେ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରାଯାଇ ଚାଳକଙ୍କ ଗାଡିର କାଗଜ ପତ୍ର ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି ।