Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
ନୂଆବର୍ଷ ପୂର୍ବରୁ ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ଼
ବର୍ଷ ଶେଷରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ଼। ଭକ୍ତଙ୍କ ଲମ୍ବା ଲାଇନ୍। ଘଣ୍ଟା ଘଣ୍ଟା ଧରି କରିବାକୁ ପଡୁଛି ଅପେକ୍ଷା। ମନ୍ଦିର ଭିତରେ ଠେଲାପେଲା ସ୍ଥିତି। ଭିତରେ ଯେତିକି ପ୍ରବେଶ କରିଛନ୍ତି, ତାଠୁ ଢେର ଗୁଣା ଅଧିକ ଶ୍ରଦ୍ଧାଳୁ ବାହାରେ ଅପେକ୍ଷାରତ। ମରିଚିକୋଟ୍ ଓ ମାର୍କେଟ ଛକରୁ ଲମ୍ବା ଲାଇନରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଭକ୍ତ। ବାହାର ଦର୍ଶନ ବ୍ୟବସ୍ଥିତ ହୋଇଥିଲେ ବି ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ଭିତର ଗହଳି ନିୟନ୍ତ୍ରଣ ବା ବାହାର କାଠ ଦର୍ଶନ ବ୍ୟବସ୍ଥା। ମନ୍ଦିର ଭିତରେ ଠେଲାପେଲା ଯୋଗୁ ଆଜି ୧୦ ଜଣ ଭକ୍ତ ଅସୁସ୍ଥ ହୋଇ ପଡ଼ିଥିଲେ। ଅଧିକ ଭିଡ଼କୁ ଦୃଷ୍ଟିରେ ରଖି କାଲି ଓ ନୂଆବର୍ଷ ଦୁଇ ଦିନ କେବଳ ସିଂହଦ୍ବାର ଦେଇ ପ୍ରବେଶ କରିବେ ଶ୍ରଦ୍ଧାଳୁ। ସେପଟେ ଭିଡ଼ ନିୟନ୍ତ୍ରଣ କରିବାରେ ନାକେଦମ୍ ହୋଇଛି ପୋଲିସ। ନୂଆବର୍ଷ ପୂର୍ବରୁ ଆଜି ଶ୍ରୀମନ୍ଦିରରୁ ଏମିତି ଚିତ୍ର ସାମନାକୁ ଆସିଛି। ବର୍ଷ ଶେଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ନାହିଁ ନଥିବା ଗହଳି ହୋଇଛି।
ନୂଆବର୍ଷରେ ଥରାଇବ ଶୀତଲହର: ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି ଯେ, ନୂଆବର୍ଷ ଅବସରରେ ବରଗଡ, ବଲାଙ୍ଗୀର, ନୂଆପଡା, କେନ୍ଦୁଝର, ମୟୂରଭଞ୍ଜ ଏବଂ ସମ୍ବଲପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ, କଳାହାଣ୍ଡି, ଏବଂ କନ୍ଧମାଳ ଜିଲ୍ଲାରେ ୫୦ରୁ ୨୦୦ ମିଟର ମଧ୍ୟରେ ଦୃଶ୍ୟମାନ ନ ହେଉଥିବା ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ୱରରେ ଥିବା ଆଇଏମଡିର ଆଞ୍ଚଳିକ କେନ୍ଦ୍ର ପୂର୍ବାନୁମାନ କରିଛି ଯେ, ନୂଆବର୍ଷରୁ ଶୀତ ଲହର ପୁଣି ଫେରିବ। ସୋମବାର ରାତି ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳି ନ ପାରେ। ପରବର୍ତ୍ତୀ ୨ରୁ ୪ଦିନ ମଧ୍ୟରେ ତାପମାତ୍ରା ୨ ରୁ ୪ ଡିଗ୍ରି ସେଲସିୟସ ହ୍ରାସ ପାଇବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୂମାନ କରାଯାଇଛି।
ଚାଷୀଙ୍କ ଆତ୍ମହତ୍ୟା
ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳର ଜଣେ ଯୁବ ଚାଷୀଙ୍କ ଆତ୍ମହତ୍ୟା। ଧାନ ଫସଲ କ୍ଷୟ କ୍ଷତି କୁ ନେଇ ମାନସିକ ଭାରସମ୍ୟ ହରାଇବା ପରେ ବେକରେ ରଶି ଲଗାଇ ଜଣେ ଯୁବ ଚାଷୀ ଆତ୍ମହତ୍ୟା କରିଥିବାର ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ଚାଷୀ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅସାରଣା ଗାଁର ଯୁବ ଚାଷୀ କୃତିବାସ ସ୍ବାଇଁ ।ଉକ୍ତ ଗାଁର ଉତ୍ତମ ସ୍ବାଇଁଙ୍କ ଏକମାତ୍ର ପୁଅ କୃତିବାସ ସ୍ବାଇଁ ଚାଷ କରି ନିଜ ପରିବାର ଚଳାଇଥାନ୍ତି ।
ନୂଆବର୍ଷରୁ ଭୁବନେଶ୍ୱର ଓ ଝାରସୁଗୁଡାରୁ ଏହି ସବୁ ସହରକୁ ଉଡ଼ିବ ବିମାନ
ଜାନୁଆରୀ ପହିଲାରୁ ଆଉ ୪ଟି ସହରକୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଓଡ଼ିଶା ବିମାନ ଯୋଗାଯୋଗ ସେବା ସହ ଯୋଡ଼ି ହେବାକୁ ଯାଉଛି ଆହୁରି ନୂଆ ସହର । ଜାନୁଆରୀ ୧ରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଅଧିକ ୪ଟି ସହରକୁ ସିଧାସଳଖ ବିମାନ ସେବା ଯୋଡି ହେଉଥିବାବେଳେ, ଜାନୁୟାରୀ ୩ରୁ ଭୁବନେଶ୍ୱର ବିମାନ ବନ୍ଦରରୁ ଆଉ ୫ଟି ସହରକୁ ସିଧାସଳଖ ବିମାନ ସେବା ମିଳିବ । ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଓ ମୁମ୍ବାଇ ସହିତ ଆକାଶପଥରେ ଝାରସୁଗୁଡ଼ା ଯୋଡ଼ିହେବ। ଏହି ସବୁ ସହରକୁ ଉଡ଼ିବ ବିମାନ। ସେହିପରି ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଇନ୍ଦୋର, ଡେରାଡୁନ, କୋଚି, ଜୟପୁର, ଲକ୍ଷ୍ନୌକୁ ସିଧାସଳଖ ବିମାନ ଉଡ଼ିବ । ଏହା ରାଜ୍ୟର ଅର୍ଥନୀତିକ ବିକାଶ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।
ସୁସ୍ଥ ହୋଇ ଓଡ଼ିଶା ଫେରିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ
ସୁସ୍ଥ ହୋଇ ଓଡ଼ିଶା ଫେରିଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ। ଆଜି ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଘଟଣାକୁ ଅତ୍ୟନ୍ତ ଜଘନ୍ୟ ଓ ନିନ୍ଦନୀୟ ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ। ସେ ସାମ୍ୱାଦିକଙ୍କୁ ପ୍ରଶ୍ନ କରିଛନ୍ତି, କୌଣସି ସାଂସଦ ଏଭଳି ଅଶୋଭନୀୟ ଆଚରଣ କରନ୍ତି କି? ସେ କହିଛନ୍ତି, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ଯେଉଁମାନେ ଏଭଳି କରୁଛନ୍ତି, ସେମାନଙ୍କୁ ନିର୍ବାଚନୀ ରାଜନୀତିରେ ସଠିକ୍ ଜବାବ ଦିଆଯାଉ। ବିରୋଧୀ ଦଳ ନେତାଙ୍କର ଗରିମାମୟ ପଦରେ ରାହୁଲ ଗାନ୍ଧୀଙ୍କ ଭଳି ନେତା ବସିବା ଦେଶର ଦୁର୍ଭାଗ୍ୟ ବୋଲି କହିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ। କିଏ ମିଛ କହିଛି, କିଏ ସତ କହୁଛି, ସିସି ଟିଭି କହିବ।
ସ୍ପେଡେକ୍ସ ଲଞ୍ଚ କରି ଇତିହାସ ସୃଷ୍ଟି କରିଛି ଇସ୍ରୋ
ସ୍ପେଡେକ୍ସ ମିଶନ ଲଞ୍ଚ୍ କରି ନୂଆ କୀର୍ତ୍ତିମାନ ରଚୁଛି ଇସ୍ରୋ । ମହାକାଶରେ ଦୁଇଟି ସ୍ପେଶ୍ କ୍ରାଫ୍ଟକୁ ଯୋଡ଼ିବା ପାଇଁ ପ୍ରଥମ ଥର ଇସ୍ରୋ ପକ୍ଷରୁ କରାଯାଉଛି ସ୍ପେଶ୍ ଡକିଂ । ଯାହାକୁ ନେଇ ଇସ୍ରୋର ବୈଜ୍ଞାନିକମାନଙ୍କ ସମେତ ସାରା ଦେଶବାସୀ ଉତ୍ସାହିତ ଅଛନ୍ତି ।
ରାଜଧାନୀରେ ହାଇପ୍ରୋଫାଇଲ୍ ବଣ୍ଟି-ବବଲି ଯୋଡ଼ି
ରାଜଧାନୀରୁ ହାଇ ପ୍ରୋଫାଇଲ୍ ‘ଲେଡି ଠକ’ ଗିରଫ। ରାଜଧାନୀ ଭୁବନେଶ୍ୱରରେ ଠକେଇର ପ୍ଲଟ୍ ତିଆରି କରୁଥିଲେ ଫେକ୍ ଦମ୍ପତି। ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ପୁଅ ଓ ବୋହୂର ପରିଚୟ ଦେଉଥିଲେ। ଆଉ ଅନ୍ୟ ବଡ଼ବଡ଼ିଆଙ୍କ ସହ ସମ୍ପର୍କ ଥିବା କହି ଲଗାଉଥିଲେ ଚୂନ। ଏପରି ଜଣେ ଲେଡି-420ଙ୍କୁ ବାନ୍ଧିଛି କମିଶନରେଟ୍ ପୋଲିସ। ଭୁବନେଶ୍ବର ପଟିଆ ଅଞ୍ଚଳର ହଂସିତା ଅଭିଲିପ୍ସା ନାମକ ଜଣେ ମହିଳା ଓ ତାଙ୍କ ସହ ଅନୀଲ ମହାନ୍ତି ନାମକ ଜଣେ ଯୁବକଙ୍କୁ ବାନ୍ଧିଛି କମିଶନରେଟ୍ ପୋଲିସ୍। ସେମାନଙ୍କ ତରିକା ଆଉ ଠକେଇର କାଇଦା ଶୁଣିଲେ ଆପଣଙ୍କର ହୋସ୍ ଉଡ଼ିଯିବ । ପୂର୍ବତନ ସିଏଜି, ମୁଖ୍ୟ ଶାସନ ସଚିବ ଏଭଳି କିଛି ବଡ଼ ବଡ଼ ଅଧିକାରୀଙ୍କ ସହ ଫେକ୍ ଫଟୋ ପ୍ରସ୍ତୁତ କରି ଏହାକୁ ଠକେଇ ପାଇଁ ବ୍ୟବହାର କରୁଥିଲେ। ବଡ଼ବଡ଼ିଆଙ୍କ ସହ ନିଜ ଫଟୋକୁ ଏଡିଟ୍ କରି ଏହାକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିଲେ।
ବୁଲିଲେ ନବୀନ
ନିଜ ନିର୍ବାଚନ ମଣ୍ଡଳୀ ଗଞ୍ଜାମ ହିଞ୍ଜିଳିକାଟୁ ବୁଲିବା ଅବସରରେ ଚାଷୀଙ୍କ ସହ ଆଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଚାଷୀଙ୍କ ଧାନ ଦେଖିବା ସମୟରେ ନବୀନଙ୍କୁ ନିଜ ଦୁଃଖ ଜଣାଇଛନ୍ତି ଚାଷୀ । ଚାଷୀଙ୍କ ସହ ଆଲୋଚନା ପରେ ନବୀନ କହିଥିଲେ ଯ, ଅଦିନିଆ ବର୍ଷାରେ ଚାଷୀଙ୍କ ବ୍ୟାପକ କ୍ଷତି ହୋଇଛି। ତେଣୁ ତୁରନ୍ତ ସେମାନଙ୍କୁ କ୍ଷତିପୂରଣ ଦିଆଯାଉ।
ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ
ଫେବ୍ରୁଆରୀରୁ ଓଡ଼ିଶାରେ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବାକୁ ଯାଉଛି। ରାଜ୍ୟର ସାଢ଼େ ୩ କୋଟି ସଦସ୍ୟଙ୍କୁ ସାମିଲ୍ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ମୃତ୍ୟୁ
ଯୁକ୍ତରାଷ୍ଟ୍ର ଆମେରିକାର ୩୯ ତମ ରାଷ୍ଟ୍ରପତି ଜିମି କାର୍ଟରଙ୍କ ୧୦୦ ବର୍ଷ ବୟସରେ ନିଧନ ହୋଇଛି । ଜର୍ଜିଆ ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଜିମି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବରିଷ୍ଠ ରାଜନେତା ଶୋକ ପ୍ରକାଶ କରିଛନ୍ତି । ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ, ଜିମି କାର୍ଟର ଜଣେ ମହାନ ଦୂରଦୃଷ୍ଟି ସମ୍ପନ୍ନ ରାଜନେତା ଥିଲେ । ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ସେ ନିରନ୍ତର ପରିଶ୍ରମ କରିଥିଲେ।