Top 10 News Today: ଆଜି ସୁନାବେଶ, ତୁଟିଲା ହାଉସ ସର୍ଜନ ଓ ନର୍ସିଂ ଷ୍ଟାଫଙ୍କ ବିବାଦ ଏବଂ ଅନ୍ୟ ଅପଡେଟ
Advertisement
Article Detail0/zeeodisha/odisha2340765

Top 10 News Today: ଆଜି ସୁନାବେଶ, ତୁଟିଲା ହାଉସ ସର୍ଜନ ଓ ନର୍ସିଂ ଷ୍ଟାଫଙ୍କ ବିବାଦ ଏବଂ ଅନ୍ୟ ଅପଡେଟ

Top 10 News Today: ଚୁଟକୀରେ ପଢି ନିଅନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ଆଜି ସୁନାବେଶ, ତୁଟିଲା ହାଉସ ସର୍ଜନ ଓ ନର୍ସିଂ ଷ୍ଟାଫଙ୍କ ବିବାଦ ଏବଂ ଅନ୍ୟ ଅପଡେଟ

H1. ମହଣ ମହଣ ସୁନା ପିନ୍ଧି ଝଲସୁଛନ୍ତି ଚତୁର୍ଦ୍ଧା ମୁରତୀ
ଶ୍ରୀକ୍ଷେତ୍ରରେ ରାଜରାଜେଶ୍ୱର ବା ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ ଦେଖିବାକୁ ଜନସମୁଦ୍ର ପାଲଟିଛି ପୁରୀ ବଡ଼ଦାଣ୍ଡ। ଆଜି ସଂଧ୍ୟା ଆଳତୀ ଓ ଏକାଦଶୀ ସର୍ବାଙ୍ଗ ପରେ ଆରମ୍ଭ ହୋଇଥିଲା ସୁନାବେଶ ପ୍ରସ୍ତୁତି। ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଶୋଭା ପାଉଛି ମହଣ ମହଣ ସୁନା ଅଳଙ୍କାର। ଶ୍ରୀପୟର, ଶ୍ରୀଭୂଜ ସାଙ୍ଗକୁ ମସ୍ତକରେ ଝଟକୁଛି ସୁବର୍ଣ୍ଣ କିରିଟି। ଅଣ୍ଟାରେ ସୁନାପଟି ଓଡ଼ିଆଣି, କର୍ଣ୍ଣରେ କୁଣ୍ଡଳ, ଆଖି ପତା ଉପରେ ଚନ୍ଦ୍ର ସୂର୍ଯ୍ୟ, ବେକରେ ଘାଗଡ଼ା, ବାହାଡ଼ା, ସେବତୀ, କଦମ୍ବ ଓ ବାଘନଖି ଭଳି ଗହଣା ଗାଣ୍ଠିରେ ବିଭୁଷିତ ହୋଇଛନ୍ତି ଶ୍ରୀଜିଉ। ବ୍ରହ୍ମାଣ୍ଡ ଠାକୁରଙ୍କ ଶ୍ରୀଅଙ୍ଗରେ ଏମିତି ୧୩୮ ପ୍ରକାରର ରତ୍ନ ଖଚିତ ଅଳଙ୍କାର ଲାଗି ହୋଇଛି। ଏହା ସାଙ୍ଗକୁ ତିନି ଦିଅଁ ସ୍ବତନ୍ତ୍ର ଆୟୁଧ ଏବଂ ସ୍ବତନ୍ତ୍ର ଆଭୂଷଣରେ ସଜେଇ ହୋଇଛନ୍ତି।

H2. ଆସନ୍ତା କାଲି ଖୋଲିବ ଭିତର ରତ୍ନ ଭଣ୍ଡାର
ଭିତର ରତ୍ନଭଣ୍ଡାର ରତ୍ନ ସ୍ଥାନାନ୍ତର ଓ ମରାମତି ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ପ୍ରତିକ୍ରିୟା। ଆସନ୍ତାକାଲି ଅର୍ଥାତ୍ ଗୁରୁବାର ପୁଣିଥରେ ଭିତର ଭଣ୍ଡାର ଖୋଲାଯାଇ ଯାଞ୍ଚ କରାଯିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ତେବେ ଭଣ୍ଡାର ଖୋଲାହେବା ପୂର୍ବରୁ ମନ୍ଦିରରେ ପ୍ରବେଶ ନେଇ ବିଭିନ୍ନ କଟକଣା ଜାରି କରିଛନ୍ତି ଶ୍ରୀମନ୍ଦିର ପ୍ରଶାସକ। କଟକଣା ଅନୁଯାୟୀ, ସକାଳ ୮ଟାରୁ ସିଂହଦ୍ୱାରକୁ ଛାଡ଼ି ଅନ୍ୟ ୩ ଦ୍ୱାର ବନ୍ଦ କରାଯିବ। ଶ୍ରୀମନ୍ଦିର ଭିତରକୁ ପ୍ରବେଶ ସହ ଦର୍ଶନ ଉପରେ କଟକଣା ରହିବ। ସିଂହଦ୍ୱାର ଦେଇ ଅଧିକୃତ ବ୍ୟକ୍ତି ଓ ମନ୍ଦିରରେ ସେବା ଥିବା ସେବାୟତ ଯିବେ। ପ୍ରଥମେ ଭିତର ରତ୍ନଭଣ୍ଡାରରୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯିବ।

H3. ରାଜ୍ୟ ଯୋଜନା ବୋର୍ଡ ଭାଙ୍ଗିଦେଲେ ମୋହନ ସରକାର
ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଆଜି ରାଜ୍ୟ ଯୋଜନା ବୋର୍ଡକୁ ଭାଙ୍ଗି ଦେଇଛନ୍ତି । ଏହାସହିତ ରାଜ୍ୟ ଯୋଜନା ବୋର୍ଡ ନୂଆ ଢଙ୍ଗରେ ପୁର୍ନଗଠନ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ରାଜ୍ୟ ଯୋଜନା ବୋର୍ଡ ଭାଙ୍ଗିବା ପାଇଁ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅନୁମୋଦନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏପଟେ  ରାଜ୍ୟ ଯୋଜନା ବୋର୍ଡ ଭଙ୍ଗାଯିବା ପରେ ତାକୁ ବିଜେପି ସରକାର ଅଧିକ ପେଷାଦାର ଢଙ୍ଗରେ ପୁର୍ନଗଠନ କରିବେ ବୋଲି ସୂଚନା ମିଳିଛି ।

H4. ତୁଟିଲା ବିବାଦ: ସ୍ୱାଭାବିକ ହେବ ରୋଗୀ ସେବା
କଟକ ବଡ଼ମେଡିକାଳରେ ଲାଗିରହିଥିବା ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନଙ୍କ ମଧ୍ୟରେ ବିବାଦ ତୁଟିଛି। ଏହାପରେ ଆସନ୍ତାକାଲି (ଜୁଲାଇ ୧୮ ତାରିଖ) ଠାରୁ ରୋଗୀ ସେବା ସ୍ୱାଭାବିକ ହେବ ବୋଲି କୁହାଯାଇଛି। ବିବାଦ ଆଗକୁ ବଢିବା ଆଗରୁ ଆଜି ଏସସିବି କର୍ତ୍ତୃପକ୍ଷ ଓ କଟକ ମହାନଗର ନିଗମ (ସିଏମସି) କମିସନରଙ୍କ ମଧ୍ୟରେ ଆଲୋଚନା କରାଯାଇ ବିବାଦର ପୂର୍ଣ୍ଣଛେଦ ପକାଯାଇଛି। ଏହି ଆଲୋଚନାରେ ନର୍ସିଂ ସଂଘ ଓ ହାଉସ ସର୍ଜନ ସଂଘ ମଧ୍ୟ ସାମିଲ ଥିଲେ।

H5. ନବୀନ ଗଢିଲେ ଛାୟା ମନ୍ତ୍ରିମଣ୍ଡଳ
ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ୫୦ ଜଣ ବିଧାୟକଙ୍କୁ ବିଭିନ୍ନ ବିଭାଗ ଉପରେ ନଜର ରଖିବାକୁ ଦାୟିତ୍ୱ ଦେଇଛନ୍ତି। ଏହି ବିଧାୟକମାନେ ଦିଆଯାଇଥିବା ବିଭାଗର କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବେ। ଏହା ସହିତ ବିଧାନସଭାରେ ବିଭାଗ ସହ ଜଡିତ ପ୍ରସଙ୍ଗ ଉଠାଇବେ। ବିଜୁ ଜନତା ଦଳ କହିଛି ଯେ ବିଧାନସଭାରେ ବିଜେପି ସରକାରଙ୍କୁ ଦୃଢ଼ ଉତ୍ତର ଦେବା ଏହି କାର୍ଯ୍ୟର ଉଦ୍ଦେଶ୍ୟ। ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଅନେକ ଥର ସଂସଦରେ ବିରୋଧୀଙ୍କୁ ସକରାତ୍ମକ ହେବାକୁ ଓ ସକରାତ୍ମକ ପରାମର୍ଶ ଦେବାକୁ ଆହ୍ୱାନ ମଧ୍ୟ ଦେଇ ସାରିଛନ୍ତି।

H6. ଗଡଚିରୋଲିରେ ୧୨ ନକ୍ସଲ ନିହତ
ମହାରାଷ୍ଟ୍ର ଗଡ଼ଚିରୋଲି ନିକଟସ୍ଥ ଜଙ୍ଗଲରେ ଆଜି ପୁଲିସର ଏନ୍‌କାଉଣ୍ଟରରେ ୧୨ ଜଣ ନକ୍ସଲ ନିହତ ହୋଇଛନ୍ତି। ଏହି ଘଟଣାରେ ଜଣେ ସବ୍‌-ଇନ୍ସପେକ୍ଟରଙ୍କ ସମେତ ଦୁଇ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଗଡ଼ଚିରୋଲି ଏସ୍‌ପି କହିଛନ୍ତି, ଏନ୍‌କାଉଣ୍ଟର ପରେ ଘଟଣାସ୍ଥଳରୁ ପୁଲିସ୍ ୧୨ ଜଣ ନକ୍ସଲଙ୍କ ମୃତଦେହକୁ ଜବତ କରିଛି। ୩ଟି ଏକେ ୪୭, ୨ଟି ଇନ୍‌ସାସ୍‌ ରାଇଫଲ, ଗୋଟିଏ କାରବାଇ ଓ ଗୋଟିଏ ଏସ୍‌ଏଲ୍‌ଆର ଭଳି ଅତ୍ୟାଧୁନିକ ବନ୍ଧୁକ ଜବତ କରାଯାଇଛି।

H7. ନିତି ଆୟୋଗର ପୁନର୍ଗଠନ
ନିତି ଆୟୋଗର ପୁନର୍ଗଠନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆୟୋଗର ଅଧ୍ୟକ୍ଷ ରହିଥିବାବେଳେ ୪ ଜଣ ସ୍ଥାୟୀ ସଦସ୍ୟଙ୍କ ସହିତ ୧୫ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଵତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ସ୍ଥାନ ଦିଆଯାଇଛି। ନବଗଠିତ ନିତି ଆୟୋଗରେ ଅର୍ଥନୀତିଜ୍ଞ ସୁମନ କେ. ବେରୀ ଉପାଧ୍ୟକ୍ଷ ଭାବେ ନିଜର କାର୍ଯ୍ୟକାଳ ଜାରି ରଖିବେ। ବୈଜ୍ଞାନିକ ଭି.କେ. ସାରସ୍ଵତ, କୃଷି ଅର୍ଥନୀତିଜ୍ଞ ରମେଶ ଚାନ୍ଦ, ଶିଶୁ ରୋଗ ବିଶେଷଜ୍ଞ ଭି.କେ. ପଲ୍‌ ଏବଂ ଅର୍ଥନୀତିଜ୍ଞ ଅରବିନ୍ଦ ବିରମାନି ପୂର୍ବପରି ସ୍ଥାୟୀ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଏମାନଙ୍କ ବ୍ୟତୀତ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଏବଂ ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣଙ୍କୁ ସଦସ୍ୟ ଭାବେ ଚୟନ କରାଯାଇଛି।

H8. ବିବାଦରେ ବାଲମୁକୁନ୍ଦ ଆଚାର୍ଯ୍ୟ
ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ରାଜସ୍ଥାନର ବିଜେପି ବିଧାୟକ ବାଲମୁକୁନ୍ଦ ଆଚାର୍ଯ୍ୟ । ସେ କହିଛନ୍ତି ଜନସଂଖ୍ୟା ବୃଦ୍ଧି ଏକ ବଡ଼ ସମସ୍ୟା।  , ଯେଉଁମାନଙ୍କର ‘୪ ସ୍ତ୍ରୀ ଏବଂ ୩୬ ସନ୍ତାନ’ ରହିଛନ୍ତି ସେମାନେ ଏଥିଲାଗି ଦାୟୀ। ଏମିତି ଅଗଣିତ ଉଦାହରଣ ଅଛି। ଏହା ଭୁଲ। ସମସ୍ତଙ୍କ ପାଇଁ ଆଇନ ସମାନ ହେବା ଉଚିତ ବୋଲି କହିବା ସହ ଏମିତି ଜାରି ରହିଲେ ଦେଶ କିପରି ଆଗକୁ ବଢ଼ିବ ବୋଲି ଆଚାର୍ଯ୍ୟ ପ୍ରଶ୍ନ କରିଛି।

H9. ପ୍ରସ୍ତାବିତ କେଦାରନାଥ ମନ୍ଦିରକୁ ବିରୋଧ
ଦିଲ୍ଲୀରେ ପ୍ରସ୍ତାବିତ କେଦାରନାଥ ମନ୍ଦିରକୁ ବିରୋଧ କରିଛନ୍ତି ଉତ୍ତରାଖଣ୍ଡର କେଦାରନାଥ ମନ୍ଦିର ପୂଜାରୀ  ଏବଂ ଟ୍ରଷ୍ଟ। ଦିଲ୍ଲୀର ଉପାନ୍ତରେ ଥିବା ବୁରାରିଠାରେ ଏହି ମନ୍ଦିର ନିର୍ମାଣ ଲାଗି ୩ ଏକର ଜାଗା ସ୍ଥିର କରାଯାଇଛି। ଏହାକୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂଧାମି ଶିଳାନ୍ୟାସ କରିଥିଲେ।

H10. ଘରୋଇ କର୍ମସଂସ୍ଥାନରେ ୭୦ ପ୍ରତିଶତ ଆରକ୍ଷଣ
କର୍ଣ୍ଣାଟକ ସରକାର ରାଜ୍ୟବାସୀଙ୍କ ପାଇଁ ଘରୋଇ ସଂସ୍ଥାରେ ଚାକିରି ସଂରକ୍ଷଣ ବ୍ୟବସ୍ଥା ଆଣିଛନ୍ତି। ଅଣ-ପରିଚାଳନା କ୍ଷେତ୍ରରେ ୭୦ ପ୍ରତିଶତ ଏବଂ ପରିଚାଳନା କ୍ଷେତ୍ରରେ କର୍ମଚାରୀଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରାଯାଇଛି। ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆ ଯାଇଥିବା ଶ୍ରମ ମନ୍ତ୍ରୀ ସନ୍ତୋଷ ଲାଡ କହିଛନ୍ତି। ଏହି ନିଷ୍ପତ୍ତି କ୍ରମେ ରାଜ୍ୟର ସମସ୍ତ ଘରୋଇ ସଂସ୍ଥାରେ କେବଳ କନ୍ନଡ଼ିଗା ବା କର୍ଣ୍ଣାଟକବାସୀ ହିଁ ଅଧିକ ନିଯୁକ୍ତି ପାଇବେ।