Top 10 News Today:ଚୁଟକୀରେ ପଢିନିଅନ୍ତୁ ଅପରାହ୍ଣର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ସୁଜିତ କୁମାର
ରାଜ୍ୟସଭା ପ୍ରାର୍ଥୀ ଭାବେ ଆଜି ନାମାଙ୍କନ ଦାଖଲ କରିଛନ୍ତି ସୁଜିତ କୁମାର। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ,ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଓ ୩୦ ଜଣ ବିଧାୟକ ପ୍ରସ୍ତାବକଙ୍କ ଉପସ୍ଥିତରେ ଦୁଇ ସେଟ୍ ନାମାଙ୍କନ ଭରିଛନ୍ତି ସୁଜିତ କୁମାର। ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ସୁଜିତ କୁମାରଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଥିବା ବିଜେପି କେନ୍ଦ୍ରୀୟ ଚୟନ କମିଟି ପକ୍ଷରୁ଼ ଘୋଷଣା କରାଯାଇଥିଲା। ନାମାଙ୍କନ ଭରିବା ପୂର୍ବରୁ ସୁଜିତ କୁମାର ବିଜେପି ପାର୍ଟି କାର୍ଯ୍ୟାଳୟରେ ପହଞ୍ଚି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବରିଷ୍ଠ ବିଜେପି ନେତା ପ୍ରଦୀପ୍ତ ନାୟକଙ୍କୁ ଭେଟିଥିଲେ।
ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା
ରାଜ୍ୟସଭା ଉପ ନିର୍ବାଚନ ପାଇଁ ୩ଟି ରାଜ୍ୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ ସମିତି। ଆନ୍ଧ୍ରପ୍ରଦେଶ, ହରିଆଣା ଓ ଓଡ଼ିଶାର ଉପ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି। ଆନ୍ଧ୍ରପ୍ରଦେଶରୁ ରୟାଗ କ୍ରିଷ୍ଣୟା, ହରିଆଣାରୁ ରେଖା ଶର୍ମା ଓ ଓଡ଼ିଶାରୁ ସୁଜିତ କୁମାରଙ୍କ ନାମ ଘୋଷଣା କରାଯାଇଛି। ଆଜି ବିଜେପି ପ୍ରାର୍ଥୀ ସୁଜିତ କୁମାର ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନାମାଙ୍କନ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ରହିଥିଲେ।
ରାଜ୍ୟର ସବୁ ଜିଲ୍ଲାରେ ଖୋଲିବ ମେଡିକାଲ କଲେଜ
ରାଜ୍ୟର ସବୁ ଜିଲ୍ଲାରେ ଖୋଲିବ ମେଡିକାଲ କଲେଜ। ଭଦ୍ରକ ସମେତ ସମସ୍ତ ୩୦ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବା ନେଇ ଗୃହରେ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେହିଭଳି ମେଡିକାଲ ରିକ୍ରୁଟମେଣ୍ଟ ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ୨ଟି ସଂଶୋଧନ କରାଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।
ସିସୋଦିଆଙ୍କ ବଦଳିଲା ନିର୍ବାଚନ ମଣ୍ଡଳି, ଅବଧ ଓଝାଙ୍କୁ ମିଳିଲା ଟିକେଟ୍
ପାଖେଇ ଆସିଲାଣି ଦିଲ୍ଲୀ ବିଧାନସଭା ନିର୍ବାଚନ। ଆସନ୍ତା ବର୍ଷ ପଡିବ ଭୋଟ୍। ଏଥିପାଇଁ ଜୋରସୋର୍ ପ୍ରସ୍ତୁତିରେ ଲାଗି ପଡିଛନ୍ତି ସମସ୍ତ ଦଳର ନେତା। କାହାକୁ ମିଳିବ ଟିକେଟ୍ ସେ ନେଇ ଚାଲିଛି ଅଙ୍କକଷା। ଏହାରି ଭିତରେ ଆଜି ଆମ୍ ଆଦମୀ ପାର୍ଟି ନିଜର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଆପ୍ ଜାରି କରିଥିବା ଏହି ତାଲିକାରେ ୨୦ ଜଣଙ୍କ ନାଁ ସାମିଲ ଅଛି। ଏଥର AAP ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସିଟ୍ ବଦଳାଇ ଦିଆଯାଇଛି। ଏଥର ତାଙ୍କୁ ଜଙ୍ଗପୁରାରୁ ଟିକେଟ୍ ମିଳିଛି। ସେହିପରି ନିକଟରେ AAP ରେ ଯୋଗ ଦେଇଥିବା ଅବଧ ଓଝାଙ୍କୁ ଦଳ ପାଟପଡ଼ଗଞ୍ଜରୁ ମୈଦାନକୁ ଓହ୍ଲାଇଛି।
ମାଣ୍ଡିଆ କିଣିବେ ସରକାର
ରାଜ୍ୟରେ ଆରମ୍ଭ ହେବ ମାଣ୍ଡିଆ କ୍ରୟ। ରାଜ୍ୟ ସରକାର ସର୍ବନିମ୍ନ ମୂଲ୍ୟ ପ୍ରଦାନ କରି ଏସ୍ଏଚ୍ଜିଙ୍କ ମାଧ୍ୟମରେ ମାଣ୍ଡିଆ ଓ ଅନ୍ୟ ମୋଟା ଶସ୍ୟ କ୍ରୟ କରିବ। ଜାନୁୟାରୀ ପହିଲାରୁ କ୍ରୟ ଆରମ୍ଭ ହୋଇ ମାର୍ଚ୍ଚ୩୧ ଯାଏ ଚାଲିବ। ଏହି ସମୟରେ ମାଣ୍ଡିଆ ଜାତୀୟ ଶସ୍ୟ ବିକ୍ରି କରିବା ଲାଗି ପ୍ରସ୍ତୁତ ଚାଷୀଙ୍କୁ ୩୧ ଡିସେମ୍ବର ସୁଦ୍ଧ ପଞ୍ଜିକରଣ କରିବାକୁ ସରକାର ଆହ୍ୱାନ କରିଛନ୍ତି।
୯ ମାସର ବକେୟା ଦରମା ପାଇଁ ରାଜଧାନୀ ରାଜରାସ୍ତାରେ ହଜାର ହଜାର ମହିଳା
ଲୋୟର ପିଏମ୍ଜିରେ ଦରମା ଦାବିରେ ଗର୍ଜିଲେ ବିଭିନ୍ନ ସଂଗଠନ। ଏମବିକେ, ବ୍ୟାଙ୍କ ମିତ୍ର, କୃଷି ମିତ୍ର ଓ ପ୍ରାଣୀ ମିତ୍ର ସହ ବିଭିନ୍ନ ସଂଗଠନର ବିକ୍ଷୋଭ। ୯ ମାସର ବକେୟା ସହ ବିଭିନ୍ନ ଦାବିରେ ହଜାର ହଜାର ମହିଳା ଏକାଠି। ବାରମ୍ବାର ଅଭିଯୋଗ ପରେ ବି ସରକାର କିଛି ଶୁଣୁନାହାନ୍ତି । ସେଥିପାଇଁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନକୁ ଓହ୍ଲାଇବାକୁ ସଂଘ ନିଷ୍ପତ୍ତି ନେଇଛି ।
ବହୁ ଚର୍ଚ୍ଚିତ ଧୀର ସାମଲ ହତ୍ୟା ମାମଲା; ୫ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ
ଦୀର୍ଘ ୧୪ ବର୍ଷ ପରେ ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଧୀର ସାମଲ ହତ୍ୟା ମାମଲାର ଆସିଲା ରାୟ । ୫ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରାଜଜ୍ ରୂପଶ୍ରୀ ଚୌଧୁରୀ । ଉକ୍ତ ଅଭିଯୁକ୍ତମାନେ ହେଲେ କାଳିଆ ସେଠୀ, ପି.କୃଷ୍ଣଚନ୍ଦ୍ର ପାତ୍ର, ପିଙ୍କୁ ପାତ୍ର, ସଞ୍ଜୟ ପ୍ରଧାନ ଓ ସନିଆ ଗୌଡ଼ । ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଆଧାରରେ ଏହି ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ସରକାରଙ୍କ ପକ୍ଷରୁ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର (ପିପି) ତ୍ରିଲୋଚନ ପରିଡ଼ା ମୋକଦ୍ଦମା ପରିଚାଳନା କରୁଥିଲେ।
ଥରେଇବ କୋହଲା ପାଗ, ୧୦ ଜିଲ୍ଲାକୁ ବର୍ଷା ନେଇ ଆଲର୍ଟ
ବଢିବ ଶୀତ । ଥରେଇବ କୋହଲା ପାଗ । ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସହ ଝିପଝିପ୍ ବର୍ଷା । ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା । ଆଜି ପାଇଁ ୧୦ ଜିଲ୍ଲାକୁ ହାଲୁକା ବର୍ଷା ନେଇ ଆଲର୍ଟ । ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ଲାଗି ରହିଛି କୋହଲା ପାଗ। ଆଜି ଉତ୍ତର ତଥା ଦକ୍ଷିଣ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା। ଆଜି ଉତ୍ତର ତଥା ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ୧୦ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
୧୬ରୁ ରତ୍ନ ଭଣ୍ଡାର କାର୍ଯ୍ୟ ଆରମ୍ଭ
୧୬ ତାରିଖରୁ ଆରମ୍ଭ ହେବ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ। ଏହାକୁ ସୁରୁଖୁରୁରେ ପରିଚାଳନା କରିବା ତଥା ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୀଘ୍ର ପରିଚାଳନା ଲାଗି ଶ୍ରୀମନ୍ଦିର ପ୍ରଶାସନ କମିଟି ଛତିଶା ନିଯୁକ ବୈଠକ ଡକାଇଛନ୍ତି। ଏହି ଅବସରରେ ଏଏସ୍ଆଇ କର୍ତୃପକ୍ଷ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ କେତେବେଳେ ମରାମତି କାର୍ଯ୍ୟ ଆରମ୍ଭ ହେବ ଏବଂ କେତେ ସମୟ ଚାଲିବ ତାହା ନିର୍ଦ୍ଧାରଣ କରାଯିବ। ମରାମତି ଚାଲିବା ସମୟର ଭକ୍ତଙ୍କ ଦର୍ଶନ ବନ୍ଦ ରହିବ।
ରୁଷ ଶରଣରେ ସିରିଆ ରାଷ୍ଟ୍ରପତି
ସିରିଆରେ ରାଷ୍ଟ୍ରପତି ବସର-ଅଲ-ଅସଦଙ୍କ ୨୪ ବର୍ଷର ଏକଛତ୍ରବାଦ ଶାସନର ଅନ୍ତ ଘଟିଛି। ଭୟଙ୍କର ଗୃହଯୁଦ୍ଧରେ ବିରୋଧୀ ଗୋଷ୍ଠୀଙ୍କ ଦ୍ୱାରା ବିତାଡ଼ିତ ହେବା ପରେ ଦେଶଛାଡ଼ି ପଳାଇଛନ୍ତି ରାଷ୍ଟ୍ରପତି ବସର ଅଲ ଅସଦ। ସେ ପରିବାର ସହ ରୁଷରେ ଆଶ୍ରୟ ନେଇଛନ୍ତି। ମସ୍କୋର ସହାୟତାରେ ଲୁଚିଛନ୍ତି ଅସଦ୍। ନିଜ ପରିବାର ସହ ତାଙ୍କୁ ରୁଷ ସୁରକ୍ଷିତ ସ୍ଥାନରେ ରଖିଛି। ଏଭଳି ଖବର ଆସିବା ପରେ ଏବେ ରୁଷକୁ କଡ଼ା ଚେତାବନୀ ଦେଇଛନ୍ତି ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ରୁଷ ଅସଦଙ୍କୁ ସହାୟତା କରିବାରୁ ଦୂରେଇ ରହୁ। ନଚେତ ୟୁକ୍ରେନ୍ ସହ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିପାରେ ବୋଲି କଡ଼ା ଚେତାବନୀ ଦେଇଛନ୍ତି।