Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2227455

Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର

Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today

1. ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ବିଭିନ୍ନ ଦଳର ପ୍ରାର୍ଥୀ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଶୋଭାଯାତ୍ରାରେ ଆସି ସେମାନେ ରିଟର୍ଣ୍ଣିଂ ଅଧିକାରୀଙ୍କ ପାଖରେ ନିଜର ନାମାଙ୍କନ ଓ ନଥି ପ୍ରଦାନ କରିଛନ୍ତି। ବୌଦ୍ଧ ନିର୍ବାଚନ ମଣ୍ଡଳୀ ଲାଗି ବିଜେଡି ପ୍ରାର୍ଥୀ ତଥା ବର୍ତ୍ତମାନର ମନ୍ତ୍ରୀ ପ୍ରଦୀପ ଅମାତ, କଣ୍ଟାମାଳ ଲାଗି ମହୀଧର ରଣା ମଧ୍ୟ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଉଭୟ ବିଜେଡିର ପ୍ରାର୍ଥୀ।  ପୁରୀ ସାଂସଦ ପ୍ରାର୍ଥୀ ଭାବେ ବିଜେପିର ସମ୍ବୀତ ପାତ୍ର ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ରାଉରକେଲା ବିଧାୟକ ପ୍ରାର୍ଥୀ ଭାବେ ବିଜେପିରୁ ଦିଲ୍ଲୀପ ରାୟ, ଲୁଇସିଂହାରୁ ମୁକେଶ ମହାଲିଙ୍ଗ ଏବଂ ବୀରମହାରାଜପୁରରୁ ଶଙ୍କର ଓରାମ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଥିବା ସୂଚନା ମିଳିଛି। 

2. ପ୍ରଥମେ ପ୍ରାର୍ଥୀ ହୋଇ ପରେ ଟିକେଟ କଟାଯିବାରୁ ଦଳ ଛାଡ଼ିଛନ୍ତି ଦୁଲାଲ ପ୍ରଧାନ। କଂଗ୍ରେସ ଗତକାଲି ତାଙ୍କ ଟିକଟ କାଟି ତାଙ୍କ ସ୍ଥାନରେ ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ନଗେନ୍ଦ୍ର ବିଜେଡିରୁ ଆମଦାନୀ ହୋଇଥିବା ନେତା। ତାଙ୍କୁ ବିରୋଧ କରି ଦୁଲାଲ ଦଳ ଛାଡ଼ିଛନ୍ତି। 

3. ସମ୍ବଲପୁରର ଲକ୍ଷ୍ମୀଡୁଙ୍ଗୁରୀ ଅଞ୍ଚଳରୁ ସାଢ଼େ ତିନି ଲକ୍ଷ ଟଙ୍କା ଜବତ କରାଯାଇଛି। ନିର୍ବାଚନ ପ୍ରଚାର କାର୍ଯ୍ୟରେ ଏହି ଟଙ୍କା ବ୍ୟବହାର ପାଇଁ ଆସିଥିବା ସନ୍ଦେହ କରାଯାଇଛି। ଏହି ଟଙ୍କାକୁ ଜବତ କରାଯାଇ ଟ୍ରେଜରୀରେ ଜମା କରାଯାଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। 

4. ବାରିପଦା ସ୍ଥିତ ବ୍ୟାଙ୍କ ଅଫ୍‍ ଇଣ୍ଡିଆର ଆଞ୍ଚଳିକ କାର୍ଯ୍ୟାଳୟରେ ନିଆଁ ଲାଗିଛି। ତୃତୀୟ ମହଲାରେ ଥିବବା କ୍ୟାଣ୍ଟିନ୍‍ରୁ ନିଆଁ ଆସିବା ଫଳରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି। ଚାରିଆଡ଼େ ଧୂଆଁମୟ ହୋଇଯାଇଥିବାରୁ କ୍ୟାଣ୍ଟିନରେ ଥିବା ୪ଜଣ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁ ନିୟନ୍ତ୍ରଣ କରୁଛନ୍ତି।

5. ମାଲକାନଗିରିର ଚିତ୍ରକୋଣ୍ଡାରେ ଆଜି ନିର୍ବାଚନ ପ୍ରଚାର କରିଛନ୍ତି ବିଜେଡିର ଷ୍ଟାର କ୍ୟାମ୍ପେନର ଭିକେ ପାଣ୍ଡିଆନ୍‍। ସେ କହିଛନ୍ତି, ମାଲକାନିଗିରିବାସୀଙ୍କ ସବୁ ଆବଶ୍ୟକତାକୁ ମୁଖ୍ୟମନ୍ତ୍ରୀ ପୂରଣ କରୁଛନ୍ତି। ବିଜେଡିର ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଓ ବିଧାୟକ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ନାୟକ ସବୁବେଳେ ଆପଣଙ୍କ ସହ ରହିବେ। ଅନ୍ୟ ନେତାଙ୍କ ଭଳି କେବଳ ନିର୍ବାଚନ ବେଳେ ଆସି ବଡ ବଡ ଭାଷଣ ଦେଇ ଚାଲିଯିବେନି। ଏହି ଦୁଇ ନେତା ହେଉଛନ୍ତି ଚିତ୍ରକୋଣ୍ଡାର ଦୁଇଟି ଇଂଜିନ । ଏହି ଦୁଇ ଇଂଜିନ ପଛରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇଂଜିନ । ଯେଉଁ ଇଂଜିନ କେବେ ଫେଲ ହେବନି । ତେଣୁ ଚିତ୍ରକୋଣ୍ଡାର ବିକାଶ ପାଇଁ ବିଜେଡି ପ୍ରାର୍ଥୀଙ୍କୁ ୯୫ ପ୍ରତିଶତରୁ ଅଧିକ ଭୋଟ ଦେଇ ଜିତାଇବାକୁ ଅପିଲ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ।

6. ମଧ୍ୟପ୍ରଦେଶର ଇନ୍ଦୋରରେ ଗୁଜରାଟର ସୁରତ ଭଳି ରାଜନୀତିକ ଅବସ୍ଥା ଦେଖିବାକୁ ମିଳିଛି।   ଏଠାରେ କଂଗ୍ରେସ ପ୍ରାର୍ଥୀ ଅକ୍ଷୟ ବାମ ନିଜ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ବିଜେପିରେ ସାମିଲ ହୋଇଛନ୍ତି। ଯାହା ଫଳରେ ଇନ୍ଦୋର ଲୋକସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପକ୍ଷରୁ କୌଣସି ପ୍ରାର୍ଥୀ ନାହାଁନ୍ତି।

7. ନିର୍ବାଚନ ସମୟରେ ପ୍ରଚାର କାର୍ଯ୍ୟ ଲାଗି ତାଙ୍କୁ ଜେଲ୍‍ରୁ ଆସିବା ଜରୁରୀ ବୋଲି ନିବେଦନ କରି ସୁପ୍ରିମ୍‍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‍ଙ୍କ ଧକ୍କା ଲାଗିଛି। ସୁପ୍ରିମକୋର୍ଟ ତାଙ୍କ ନିବେଦନକୁ ମେ’ ୬ ତାରିଖରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। କିନ୍ତୁ ଏହି ସମୟ ଭିତରେ ଝାଡ଼ଖଣ୍ଡ ହାଇକୋର୍ଟ ଚାହିଁଲେ ସମ୍ପୃକ୍ତ ମାମଲା ଉପରେ ଶୁଣାଣି କରିପାରିବ ବୋଲି କହିଛନ୍ତି।

8. ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କଟକକୁ ରେଡ୍ ଆଲର୍ଟ ଜାରି ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଦିନ ସାଢ଼େ ଦୁଇଟାରେ ରେକର୍ଡ କରାଯାଇଥିବା ସୂଚନା ଅନୁସାରେ କେନ୍ଦୁଝରରେ ସର୍ବାଧିକ ୪୩ ଡିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡ଼ା ଓ ସମ୍ବଲପୁରରେ ତାପମାତ୍ରା ୪୨ ପାର କରିଥିବା ବେଳେ, ଭୁବନେଶ୍ୱର, ବାଲେଶ୍ୱର, ରାଉରକେଲା, ହୀରାକୁଦ ପ୍ରଭୃତି ସ୍ଥାନରେ ୪୧ ଉପରେ ପାରଦ ରେକର୍ଡ କରାଯାଇଛି।

9. ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ମେ’ ୨୫ ତାରିଖରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ଭୁବନେଶ୍ୱର  ଏବଂ ପୁରୀ  ଲୋକସଭା ଆସନ ଓ ଏଥିରେ ଅନ୍ତର୍ଭୁକ୍ତ  ଥିବା ୪୨ଟି ବିଧାନସଭା ଆସନରେ ନିର୍ବାଚନ ହେବ। ଆଜିଠାରୁ  ଏସବୁ ନିର୍ବାଚନ ମଣ୍ଡଳୀରେ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେବା ସହ ମେ’୬ ତାରିଖ ପର୍ଯ୍ୟନ୍ତ  ନାମାଙ୍କନ ଦାଖଲ ଚାଲିବ ବୋଲି ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ କୁହାଯାଇଛି।  ମେ’୭ରେ ନାମାଙ୍କନପତ୍ର ଯାଞ୍ଚ ହେବ। ମେ’୯  ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିବ।

10. ଭାରତୀୟ ସମଲାରେ କ୍ୟାନ୍ସର ସୃଷ୍ଟିକାରୀ ସଂକ୍ରମଣ ରହିଛି ବୋଲି ଅଭିଯୋଗ କରିଛି ଯୁକ୍ତରାଷ୍ଟ୍ର ଆମେରିକା କଷ୍ଟମ୍ସ ବିଭାଗ। ଏଥିଲାଗି ଗଲା ୬ ମାସ ଭିତରେ  ଏମ୍‍ଡିଏଚ୍‍ ମସାଲାରୁ ଆସୁଥିବା ୩୧ ପ୍ରତିଶତ  ଉତ୍ପାଦକୁ ପ୍ରତ୍ୟାଖ୍ୟାନ କରାଯାଇଛି। ସେହିପରି ସିଙ୍ଗାପୁର ଏବଂ ହଂକଂରେ ମଧ୍ୟ ଏମ୍‍ଡିଏଚ୍ ଏବଂ ଏଭରେଷ୍ଟ ମସଲା ବିକ୍ରି ଉପରେ କଟକଣା ଲାଗାଯାଇଛି।

Also Read- Jio Recharge Plan: ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର, ମିଳିବ ୨୦ଜିବି ମାଗଣା ଡାଟା, ଜାଣନ୍ତୁ କିପରି

Also Read- Shani Nakshatra Parivartan: ମଇ ୧୨ରେ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ, ୩ରାଶିକୁ ଲାଭ