Top 10 news Headlines: ନବୀନଙ୍କ ନିଷ୍ପତ୍ତିକୁ ପୁଣିଥରେ ମୋହନ ସରକାରରେ ଅନୁମୋଦନ ଏବଂ ଅନ୍ୟ ଅପଡେଟ
Advertisement
Article Detail0/zeeodisha/odisha2330566

Top 10 news Headlines: ନବୀନଙ୍କ ନିଷ୍ପତ୍ତିକୁ ପୁଣିଥରେ ମୋହନ ସରକାରରେ ଅନୁମୋଦନ ଏବଂ ଅନ୍ୟ ଅପଡେଟ

ଚୁଟକୀରେ ପଢି ନିଅନ୍ତୁ ଦିନ ତମାମର ୧୦ ବଡ଼ ଖବର

Top 10 news Headlines: ନବୀନଙ୍କ ନିଷ୍ପତ୍ତିକୁ ପୁଣିଥରେ ମୋହନ ସରକାରରେ ଅନୁମୋଦନ ଏବଂ ଅନ୍ୟ ଅପଡେଟ

1. ନବ ଗଠିତ ମୋହନ ମାଝିଙ୍କ ସରକାରର ଦ୍ୱିତୀୟ କ୍ୟାବିନେଟ୍‍ ବୈଠକରେ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ବୃଦ୍ଧିନେଇ ହୋଇଥିବା ନିଷ୍ପତ୍ତିକୁ ସୋଶାଲ ମିଡିଆରେ ସମାଲୋଚନା କରାଯାଇଛି। ପୂର୍ବର ବିଜେଡି ସରକାର ମାର୍ଚ୍ଚ ୧୪ ତାରିଖରେ ଏହି ନିଷ୍ପତ୍ତି ନେିଥିବା ନେଇ ସରକାରୀ ଚିଠି ସୋଶାଲ୍‍ ମିଡିଆରେ ଘୁରି ବୁଲୁଛି। ପୁରୁଣା ନିଷ୍ପତ୍ତିକୁ ଆଉଥରେ ସରକାର ଗ୍ରହଣ କରୁଛନ୍ତି ବୋଲି ଏଥିରେ କୁହାଯାଇଛି। ତେବେ ଏହି ନିଷ୍ପତ୍ତ ଅନୁସାରେ ରାଜ୍ୟରେ  ଅଣ କୁଶଳୀଙ୍କ ପାଇଁ ୪୫୦ଟଙ୍କା ସର୍ବନିମ୍ନ ମଜୁରୀ କରାଯାଇଥିବା ବେଳେ ଅର୍ଦ୍ଧକୁଶଳୀଙ୍କ ପାଇଁ ୫୦୦ ଟଙ୍କା, କୁଶଳୀଙ୍କୁ ୫୫୦ଟଙ୍କା ଏବଂ ଉଚ୍ଚ କୁଶଳୀ ଶ୍ରମିକଙ୍କ ପାଇଁ ୬୦୦ ଟଙ୍କା ମଜୁରି ଘୋଷଣା କରାଯାଇଛି। 

2. ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ଲାଗି ୨୦୦ କୋଟିର ପ୍ରକଳ୍ପକୁ ସରକାର ଅନୁମୋଦନ କରିଛନ୍ତି। ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ଓଡ଼ିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା, ପାଇକ ବିଦ୍ରୋହ ସ୍ମାରକୀ ଉନ୍ନତିକରଣ ପ୍ରକଳ୍ପକୁ ଏଥିରେ ଗୁରୁତ୍ୱ ଦିଆଯାଇଛି।

3. ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ଦ୍ୱାରା ୧୮ ହଜାର ୭୮୮ ଜଣଙ୍କୁ ନିଯୁକ୍ତି ଦେବା ଲାଗି ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବ। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଆଖିଆଗରେ ରଖି ସରକାର ଚୟନ ତାଲିକା ପ୍ରସ୍ତୁତ କରିବେ। 

4. ରାଜ୍ୟରେ ପିଲମ୍‍ କିଶାନ ଯୋଜନାରେ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ଲାଗି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବେ ରାଜ୍ୟ ସରକାର।  ଏହା ସହ କେନ୍ଦ୍ର ସରକାର ମାର୍ଗ ଦର୍ଶିକାକୁ ଲାଗୁ କରିବା ପାଇଁ କ୍ୟାବିନେଟରେ ପ୍ରସ୍ତାବ ଗ୍ରହଣ କରାଯାଇଛି। ଏହାଦ୍ୱାରା ମଧ୍ୟମ, ବୃହତ ଓ ସହରାଞ୍ଚଳର ଚାଷୀମାନେ ଉପକୃତ ହୋଇପାରିବେ। 

5. କେନ୍ଦ୍ର ସରକାରଙ୍କ ପିଏମ୍‍ ଗତିଶକ୍ତି ଯୋଜନାରେ ଓଡ଼ିଶାର ଦୁଇ ରେଳ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏଥିରେ ପ୍ରାୟ ୪୮୮୨ କୋଟି ଟଙ୍କା ନିବେଶ କରାଯିବ। ବିଶେଷକରି କୋଇଲା ଖଣିକୁ ରେଳଲାଇନ ସହ ସଂଯୁକ୍ତ କରିବା ଏହାର ଉଦ୍ଦେଶ୍ୟ। 

6. ମୋହନ ମାଝିଙ୍କ ସରକାର ପ୍ରଥମ ଦଫାରେ ୨୬ଟି ଶିଳ୍ପକୁ ସିଙ୍ଗଲ୍‍ ଓ୍ୱିଣ୍ଡୋ ବ୍ୟବସ୍ଥାରେ ଅନୁମୋଦନ ପ୍ରଦାନ କରିଛନ୍ତି। ଏହାଦ୍ୱାରା ରାଜ୍ୟର ୧୪ ଜିଲ୍ଲା ଉପକୃତ ହେବେ ଏବଂ ଏଠାରେ ୧୯ ହଜାର ୩୬୪ ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସମୁଦାୟ ୫୯୯୨.୯୨ କୋଟି ଟଙ୍କା ବିନିଯୋଗ ହେବ ବୋଲି କମ୍ପାନୀଗୁଡ଼ିକ ଦେଇଥିବା ପ୍ରସ୍ତାବରୁ ସ୍ପଷ୍ଟ ହୋଇଛି।

7. ଆଜିଠାରୁ ଆରମ୍ଭ ହୋଇଛି ଆଡ଼ପ ମଣ୍ଡପରେ ଅବଢ଼ା ଭୋଗ। ମହାପ୍ରଭୁଙ୍କୁ ଶ୍ରୀ ଗୁଣ୍ଡିଚା ମନ୍ଦିରର ସିଂହାସନରେ ବିରାଜମାନ କରାଇ ତାଙ୍କ ନୀତି କାନ୍ତି ମଧ୍‍ୟ ଆରମ୍ଭ କରାଯାଇଛି। ସକାଳେ ଭକ୍ତମାନେ ତାଙ୍କ ଦିବ୍ୟ ଦର୍ଶନ ଲାଭ କରିଛନ୍ତି। ଅପରାହ୍ଣରେ ତିନି ଠାକୁରଙ୍କୁ ଶୃଙ୍ଘାର କରାଯାଇଥିଲା। 

8. ଦୀର୍ଘ ୪୧ ବର୍ଷର ବ୍ୟବଧାନ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଅଷ୍ଟ୍ରିଆ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।  ଅଷ୍ଟ୍ରିଆର ଚାନ୍ସେଲର କାର୍ଲ ନେହମାରଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ଆଜି ଦୁଇଦିନିଆ ଗସ୍ତ ଶେଷ କରି ଏକ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହାସହ ଦୁଇ ରାଷ୍ଟ୍ର ପକ୍ଷରୁ ଏକ ଯୁଗ୍ମ ବାର୍ତ୍ତା ଜାରି କରାଯାଇଛି।  ଗଣତନ୍ତ୍ର, ସ୍ୱାଧୀନତା, ଅନ୍ତର୍ଜାତୀୟ ଶାନ୍ତି ଓ ନିରାପତ୍ତାର ମିଳିତ ମୂଲ୍ୟବୋଧ, ଜାତିସଂଘ ଚାର୍ଟର୍ ସହିତ ଏକ ନିୟମ ଭିତ୍ତିକ ଅନ୍ତର୍ଜାତୀୟ ବ୍ୟବସ୍ଥା, ମିଳିତ ଐତିହାସିକ ସମ୍ପର୍କ ଏବଂ ଦୁଇ ଦେଶ ମଧ୍ୟରେ ଦୀର୍ଘଦିନର ସମ୍ପର୍କ ଦ୍ୱିପାକ୍ଷିକ ଆଲୋଚନାର ମୁଖ୍ୟ କେନ୍ଦ୍ରବିନ୍ଦୁ ରହିଥିଲା।   ଏକ ସ୍ଥିର, ସମୃଦ୍ଧ ଓ ଦୀର୍ଘସ୍ଥାୟୀ ବିଶ୍ୱ ପାଇଁ ଦ୍ୱିପାକ୍ଷିକ, ଆଞ୍ଚଳିକ ଓ ଅନ୍ତର୍ଜାତୀୟ ସହଯୋଗକୁ ଗଭୀର ଓ ବ୍ୟାପକ କରିବା ଦିଗରେ ଦୁଇ ନେତା ଗୁରୁତ୍ୱାରୋପ କରିଛନ୍ତି। 

9. ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଜଳେଶ୍ବର ଆସନରୁ ପରାଜିତ ବିଜେପି ପ୍ରାର୍ଥୀ ବ୍ରଜମୋହନ ପ୍ରଧାନ ହାଇକୋର୍ଟରେ ବିଜୟୀ ପ୍ରାର୍ଥୀ ଅଶ୍ବିନୀ କୁମାର ପାତ୍ରଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ଏହି ମାମଲା ଦାୟର କରିଛନ୍ତି। ସେହିପରି ସୋର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମାଧବ ଧଡ଼ାଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା ପାଇଁ ପରାଜିତ ବିଜେପି ପ୍ରାର୍ଥୀ ପର୍ଶୁରାମ ଧଡ଼ା ହାଇାକାର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

10. ପ୍ରତ୍ୟକ୍ଷ ରାଜନୀତିରେ ପାଦ ଦେବେ ପ୍ରଶାନ୍ତ କିଶୋର। ବିହାରରେ ଏଥିଲାଗି ସେ ଏକ ରାଜନୀତିକ ଦଳ ଗଠନ କରିବେ। ଗାନ୍ଧିଜୀଙ୍କ ଜନ୍ମଦିବସ ଅକ୍ଟୋବର ୨ ତାରିଖରେ ଏନେଇ ସେ ବିଧିବଦ୍ଧ ଘୋଷଣା କରିବେ ବୋଲି କହିଛନ୍ତି। ବିହାର ନିର୍ବାଚନ ଆସନ୍ନ ହୋଇଥିବାରୁ ଆଉ ସେ କାହାର ରଣନୀତିକାର ନହୋଇ ନିଜେ ଏକ ଦଳ ଗଢ଼ିବା ସହ ୨୪୩ ଆସନରେ ପ୍ରାର୍ଥୀ ଦେବେ ବୋଲି ଘୋଷଣା କରିଛନ୍ତି।