Top 10 News: ମାଡି ଆସୁଛି ବାତ୍ୟା 'ଦାନା', ରାଉରକେଲା ଆସିବେ ପିଏମ ମୋଦୀ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2483983

Top 10 News: ମାଡି ଆସୁଛି ବାତ୍ୟା 'ଦାନା', ରାଉରକେଲା ଆସିବେ ପିଏମ ମୋଦୀ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ମାଡି ଆସୁଛି ବାତ୍ୟା 'ଦାନା', ରାଉରକେଲା ଆସିବେ ପିଏମ ମୋଦୀ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Today

Headlines 01- ଭୟ ବଢାଉଛି ସମ୍ଭାବ୍ୟ ବାତ୍ୟା 'ଦାନା' । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହୋଇ ପାରାଦୀପ ଠାରୁ ୬୯୦ କିମି ଦୂରରେ କେନ୍ଦ୍ରୀଭୂତ । ଆସନ୍ତାକାଲି ସୁଦ୍ଧା ବାତ୍ୟାର ରୂପ ନେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଘଣ୍ଟାକୁ ୭ କିମି ବେଗରେ ଗତି କରୁଛି । ଅକ୍ଟୋବର ୨୪ରେ ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ଅତିକ୍ରମ କରିବ । ପୁରୀ ଏବଂ ସାଗରଦ୍ୱୀପ ମଧ୍ୟରେ ଉପକୂଳ ଅତିକ୍ରମ କରିବ ବୋଲି କୁହାଯାଇଛି । ୨୪ ରାତି କିମ୍ବା ୨୫ ସକାଳେ ଉପକୂଳ ଅତିକ୍ରମ କରିପାରେ । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୦୦ରୁ ୧୨୦ ମଧ୍ୟରେ ରହିବ ।

Headlines 02- ସବୁ ବନ୍ଦରକୁ ୧ ନମ୍ବର ବିପଦ ସଙ୍କେତ ଜାରି କରିଛି ପାଣିପାଗ ବିଭାଗ । ଆଜିଠାରୁ ୨୫ ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଏହାସହ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ପୁରୀ , କଟକ, ଖୋର୍ଦ୍ଧାକୁ ଆଲର୍ଟ ଜାରି କରାଯାଇଛି। 

Headlines 03- ବାତ୍ୟା ପରିସ୍ଥିତି ମୂକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମସ୍ତ ବିଧାୟକ/ବିଧାୟିକା ନିଜ ନିଜ ଅଞ୍ଚଳବାସୀଙ୍କ ସହିତ ରହି ସେମାନଙ୍କୁ ଆବଶ୍ୟକୀୟ ସହାୟତା ଦେବା ପାଇଁ ନିଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି 'ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବୃଷ୍ଟିପାତ ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ସହିତ ସମନ୍ୱିତ ଭାବେ ବାତ୍ୟା ମୁକାବିଲା କରିବା ସହିତ ରିଲିଫ ଓ ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ବିଧାୟକ/ବିଧାୟିକାମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ଉପସ୍ଥିତ ରହିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Headlines 04- ୱାକଫ ବିଲ ସମ୍ପର୍କରେ ମିଳିତ ସଂସଦୀୟ କମିଟି (ଜେପିସି) ବୈଠକ ସମୟରେ ଅନିୟମିତତା ଅଭିଯୋଗ କାରଣରୁ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀଙ୍କୁ ମଙ୍ଗଳବାର ଦିନ ଗୋଟିଏ ଦିନ ପାଇଁ ନିଲମ୍ବିତ କରାଯାଇଛି। ୱାକଫ୍ ବିଲ୍ ଉପରେ ଜେପିସିର ସଦସ୍ୟ ବାନାର୍ଜୀଙ୍କୁ କମିଟି ଅଧ୍ୟକ୍ଷ ଜଗଦମ୍ବିକା ପାଲଙ୍କ ବିରୋଧରେ “ଅସାମ୍ବିଧାନିକ” ଭାଷା ବ୍ୟବହାର କରିବା, ଗୋଟିଏ ଗ୍ଲାସ୍ ଭାଙ୍ଗିବା ଏବଂ ଲୋକସଭା ନିୟମ 261 ଏବଂ 374 ଅନୁଯାୟୀ ଫିଙ୍ଗିଥିବାରୁ ତାଙ୍କୁ ଗୋଟିଏ ଦିନ ଏବଂ ଦୁଇଟି ବୈଠକ ପାଇଁ ନିଲମ୍ବିତ କରାଯାଇଛି। 

Headlines 05- ସମ୍ଭାବ୍ୟ ବାତ୍ୟା 'ଦାନା' ପାଇଁ ଅକ୍ଟୋବର ୨୩ରୁ ୨୫ ପର୍ଯ୍ୟନ୍ତ କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ରହିବ । ମୋଟ ୧୪ଟି ଜିଲ୍ଲାରେ ସମସ୍ତ କଲେଜ, ବିଶ୍ବବିଦ୍ୟାଳୟ ବନ୍ଦ କରିବା ପାଇଁ ଏସ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ପ୍ରଭାବିତ ଅଞ୍ଚଳରେ ସ୍କୁଲଗୁଡିକୁ ଛୁଟି ଘୋଷଣା କରାଯାଇଛି । ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼ ଏବଂ କଟକ । 

Headlines 06- ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ ଚାକିରିରୁ ନିଲମ୍ୱିତ । ପେଶାରେ ସେ ସ୍ୱାସ୍ଥ୍ୟ ବିଭାଗର ମହାପ୍ରୟାଣ ଗାଡିର ଡ୍ରାଇଭର ଭାବେ କାମ କରୁଥିଲେ । ଜଣେ ମୃତକଙ୍କ ସମ୍ପର୍କୀୟଙ୍କ ଠାରୁ ୩ ହଜାର ଲାଞ୍ଚ ନେଇ ବିବାଦରେ ରହିଥିବା ହୃଷିକେଶଙ୍କ ନାମରେ ଅଭିଯୋଗ ଆସିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ବର୍ତ୍ତମାନ ସେ ଦୋଷୀ ସାବ୍ୟସ୍ତ ହୋଇଥିବା କାରଣରୁ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ।

Headlines 07- ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର୍ ଲଳିତ ଦାସ  ଓଡ଼ିଶା ସବ୍‌ ଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍ସନ(OSSSC) ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ଆଜି OSSSC ତରଫରୁ ଅଧ୍ୟକ୍ଷ ଓ ଦୁଇ ଜଣ ନୂଆ ସଦସ୍ୟଙ୍କୁ ନିଯୁକ୍ତି ମିଳିଛି। ଆଇପିଏସ୍‌ ଲଳିତ ଦାସଙ୍କୁ ନୂଆ ଦାୟିତ୍ୱ ମିଳିଛି। ସେହିପରି ଆଉ ୨ ସଦସ୍ୟ ଉଦ୍ଧବ ଚନ୍ଦ୍ର ମାଝୀ ଏବଂ ସରୋଜ କୁମାର ମିଶ୍ରଙ୍କୁ ମଧ୍ୟ ନିଯୁକ୍ତି ମିଳିଥିବା ସୂଚନା ମିଳିଛି।

Headlines 08- ସମ୍ଭାବ୍ୟ ବାତ୍ୟା ଦାନା ପାଇଁ ରାଜ୍ୟର ୬ ବରିଷ୍ଠ ଆଇଏଏସ ଅଫିସରଙ୍କୁ ବଡ଼ ଦାୟିତ୍ୱ ମିଳିଛି । ସେମଧ୍ୟରୁ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର, ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ, ବଲୱନ୍ତ ସିଂଙ୍କୁ ପୁରୀ, ଭୀନିତ ଭରଦ୍ୱାଜଙ୍କୁ ମୟୂରଭଂଜ, ଯାମିନୀ ଷଡ଼ଙ୍ଗୀଙ୍କୁ ଜଗତସିଂହପୁର ଏବଂ ସମର୍ଥ ବର୍ମାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱ ମିଳିଛି । ୬ ଅଭିଜ୍ଞ ଆଇଏଏସ୍ ସଂପୃକ୍ତ ଜିଲ୍ଲାମାନଙ୍କପେ ଉଦ୍ଧାର କାର୍ଯ୍ୟ ଏବଂ ରିଲିଫ୍ ବ୍ୟବସ୍ଥାର ତଦାରଖ କରିବେ। ପୂର୍ବରୁ ଉକ୍ତ ଜିଲ୍ଲାଗୁଡିକରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ ଅଫିସରମାନେ ।

Headlines 09- ଶ୍ରୀମନ୍ଦିରକୁ ରିହାତି ଦରରେ ଘିଅ ଯୋଗାଇବ ଓମ୍‌ଫେଡ୍‌ । ପ୍ରାଣୀ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏନେଇ ସୂଚନା ଦେଇଛନ୍ତି । ଓମ୍‌ଫେଡ୍‌ ଦୈନିକ ୧୦ ଟନ୍‌ ଘିଅ ଊତ୍ପାଦନ କରୁଛି ଏବଂ ଶ୍ରୀମନ୍ଦିର ପାଇଁ ଦୈନିକ ୩ରୁ ୪ ଟନ୍‌ ଘିଅ ଆବଶ୍ୟକ ରହିଛି । ଓମ୍‌ଫେଡ୍‌ ଘିଅ ଲିଟର ୭୨୦ ଥିବା ସମୟରେ ଶ୍ରୀମନ୍ଦିରକୁ ୫୪୩ ଟଙ୍କାରେ ଦିଆଯିବ । ୧୫ ଲିଟର ଟିଣ କିଣିଲେ ଲିଟର ପିଛା ୫୩୩ରେ ଦିଆଯିବ ବୋଲି କୁହାଯାଇଛି ।

Headlines 10- ଜନଜାତି ଗୌରବ ଦିବସ ଅବସରରେ ନଭେମ୍ବର ୧୫ରେ ରାଉରକେଲା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିନ ୧୧ଟାରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବା ପରେ ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ରାଉରକେଲାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ସହିଦ ମାଧୋସିଂ ହାତଖର୍ଚ୍ଚ ବୃତ୍ତି ଯୋଜନା ଶୁଭାରମ୍ଭ କରିବେ ସହ ୪୫୦ଟି ପ୍ରାଥମିକ ସ୍କୁଲ ହଷ୍ଟେଲ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ଓଡ଼ିଆ ଅସ୍ମିତା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ।

Also Read- Family Horoscope: ବୁଧବାର ଦିନ ଏହି ବ୍ୟକ୍ତିଙ୍କ ପରିବାରକୁ ଆସିବ ଖୁସି

Also Read- BSNL 5G Launch: ଦୀପାବଳି ପୂର୍ବରୁ ଖୁସି ଖବର, ଆରମ୍ଭ ହେଲା ଏହି ନୂଆ ସେବା