Top 10 News Headlines: ଅପରାହ୍ନର ୧୦ ବଡ଼ ଖବର
Advertisement

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 | Afternoon Bulletin: Top News Headlines from 16th January 2024: ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର ।

 

Afternoon Bulletin Top News Headlines from 16th January 2024
Top 10 News Headlines Odisha | 16th January 2024 | Afternoon: 1. ଜମିଜମା ଦୁର୍ନୀତିରେ ଛନ୍ଦି ହୋଇଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ନିମନ୍ତ୍ରଣ ଦେଇଛନ୍ତି। ବହୁଦିନ ହେଲା ତାଙ୍କର ବୟାନ ରେକର୍ଡ କରିବାକୁ ତାରିଖ ଦେଉଥିବା ଇଡିକୁ ଶ୍ରୀ ସୋରେନ୍‍ ୨୦ ତାରିଖ ଦିନ ନିଜ ସରକାରୀ ବାସଭବନକୁ ଡାକିଛନ୍ତି। ଇଡି ପକ୍ଷରୁ ଜାରି ହୋଇଥିବା ଚିଠିର ଉତ୍ତରରେ ଶ୍ରୀ ସୋରେନ୍‍ ଏହା ଲିଖିତ ଆକାରରେ ଜଣାଇଛନ୍ତି। 
 
2. ଜାନୁୟାରୀ ୨୬ ତାରିଖରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ସିଂ ମାନଙ୍କୁ ହତ୍ୟାା କରିବାକୁ ଧମକ ଦେଇଛି ଖଲିସ୍ତାନୀ ଆତଙ୍କବାଦୀ ତଥା ଶିଖ ଫର୍ ଜଷ୍ଟିସର ସଂସ୍ଥାପକ ଗୁରୁପତବନ୍ତ ସିଂ ପନ୍ନୁ।  ଏତିକି ନୁହେଁ ପଞ୍ଜାବର ଡିଜିପି ଗୌତମ ଯାଦବଙ୍କୁ ମଧ୍ୟ ମୃତ୍ୟୁ ଧମକ ଦେଇଛି ପନ୍ନୁ।
 
3. ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ସ୍ୱତନ୍ତ୍ର ସରକାରୀ ବସ୍‍ ଚଳାଇବା ପାଇଁ ସରକାରଙ୍କ ଯୋଜନା ୧୮ ତାରିଖରୁ ଆରମ୍ଭ ହେବ।  ଏହି ଯୋଜନାକୁ ‘ଜଗନ୍ନାଥ ଏକ୍ସପ୍ରେସ୍‍ ’ଭାବେ ନାମିତ କରାଯାଇଛି।  ୧୭ ତାରିଖ ପରିକ୍ରମା ପ୍ରକଳ୍ପ ଉଦ୍‍ଘାଟନ ପରେ ୧୮ ତାରିଖରୁ ପୁରୀକୁ ଭକ୍ତଙ୍କୁ ପହ୍ୟଞ୍ଚାଇବା ଲାଗି ଏହେି ଯୋଜନା ବିଶେଷ ସହାୟକ ହେବ ବୋଲି ସରକାର ଆଶା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୫ ଜିଲ୍ଲାରୁ ବସ ଚାଲିବ ବୋଲି ପରିବହନ ବିଭାଗ ସ୍ପଷ୍ଟ କରିଛି।
 
4.   ଗ୍ରାମାଞ୍ଚଳର ସମସ୍ତ ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା BSKY-NABIN ସ୍ୱାସ୍ଥ୍ୟ କାର୍ଡର ଆବେଦନ ତାରିଖ ଘୁଞ୍ଚାଇ ଦିଆଯାଇଛି। ପୂର୍ବ ନିର୍ଦ୍ଧାରଣ ଅନୁସାରେ ଆଜି ଏହି ଆବେଦନର ଶେଷ ତାରିଖ ଥିଲା। ଏହାକୁ ଜାନୁୟାରୀ ୨୬ ତାରିଖ ଯାଏ ଘୁଞ୍ଚାଇ ଦିଆଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅନ୍‍ଲାଇନ୍‍ରେ ଯୋଗ୍ୟ ହିତାଧିକାରୀ ଆବେଦନ କରିପାରିବେ।
 
5. ମହାରାଷ୍ଟ୍ରର ଲାଲ୍‍ଗଡ଼ ଭାବେ ପରିଚିତ ଗର୍ଡ଼େଓ୍ୱାଡ଼ା। ସ୍ୱାଧୀନତା ପ୍ରାପ୍ତିର ୭୭ ବର୍ଷ ପରେ ବି ଏଠାର ଲୋକେ ପୁଲିସ କ’ଣ ଜାଣି ନଥିଲେ।, ଥାନା ଦେଖି ନଥିଲେ। ଦେଖିଥିଲେ ତ ବାମପନ୍ଥୀ ଆତଙ୍କବାଦ ଓ ଲାଲ୍‍ ସଲାମ। ଆଜି କିନ୍ତୁ ଏଠାରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ବିନା କୌଣସି ସୂଚନାରେ ଆଜି ଗୋଟିଦିନ ଭିତରେ ସେଠାରେ ଏକ ନୂଆ ଥାନା ଖୋଲିଛି। ୧୫ଶହ ପୁଲିସ କର୍ମଚାରୀଙ୍କୁ ନେଇ ଖୋଲିଛି ଏହି ଥାନା। ପୁଣି ଏହି ୧୫୦୦ ପୁଲିସ ବଳଙ୍କୁ ସେଠାରେ ପହଞ୍ଚିଇବା ଲାଗି ୬୦୦ କମାଣ୍ଡୋଙ୍କୁ ଚାଲି ଚାଲି ଯିବାକୁ ପଡ଼ିଛି। ତାହା ପୁଣି ୬୦ କିଲୋମିଟର।  
 
6. ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷ ସୁପ୍ରିମକୋର୍ଟଙ୍କଠାରୁ ଆରାମ ପାଇଛନ୍ତି। ହିନ୍ଦୁ ପକ୍ଷରୁ ଦାଖଲ ହୋଇଥିବା ଏକ ଆବେଦନକୁ କୋର୍ଟ ଗ୍ରହଣ କରି ନେଇଛନ୍ତି। ମସଜିଦର ୱାଜୁଖାନାର ସମଗ୍ର ଅଞ୍ଚଳକୁ ସଫା କରିବା ଏବଂ ପରିମଳ ପରିସ୍ଥିତି ବଜାୟ ରଖିବା ପାଇଁ ଆବେଦନ କରାଯାଇଥିଲା। ୱାଜୁଖାନା ସଫା କରିବା ପାଇଁ ହିନ୍ଦୁ ପକ୍ଷକୁ କୋର୍ଟ ଅନୁମତି ଦେଇଛନ୍ତି।
 
7. ଶ୍ରୀମନ୍ଦିର ପରିକ୍ରମା ଉଦ୍‍ଘାଟନୀ ପର୍ବରେ ଆଜି ମହାଯଜ୍ଞର ଦ୍ୱିତୀୟ ଦିନ। ଆସନ୍ତା କାଲି ଏହାର ପୂର୍ଣ୍ଣହୂତି ହେବ। ପୂର୍ଣ୍ଣହୂତି ପରେ ମୁଖ୍ୟମନ୍ତ୍ରୀ ଉଦ୍‍ଘାଟନୀ ଫଳକ ସ୍ଥାପନ କରିବେ। ପରିକ୍ରମା ପ୍ରକଳ୍ପ ସହ ଶ୍ରୀ ଦାଣ୍ଡ ଏବଂ ଶ୍ରୀ ସେତୁ ମଧ୍ୟ ଲୋକଙ୍କ ଗମନା ଗମନ ପାଇଁ ଉନ୍ମୁକ୍ତ ହେବ। 
 
8. ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ବିରୋଧ କରି ଦାୟର ଏକ ଜନସ୍ୱାର୍ଥ ମାମଲାକୁ ଦୁଇ ସପ୍ତାହ ପରେ ଶୁଣାଣି ଲାଗି ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ। ଏହା ସହ ସତ୍ୟପାଠ ଜରିଆରେ ତଥ୍ୟ ଦାଖଲ କରିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ସୁରେନ୍ଦ୍ର କୁମାର ପାଣିଗ୍ରାହୀ ଏବଂ ଜଗନ୍ନାଥ ସେନା ପକ୍ଷରୁ ପ୍ରିୟଦର୍ଶୀ ପଟ୍ଟନାୟକ ଏହି ମାମଲା ଦାୟର କରିଛନ୍ତି। 
 
9. ଆଜିଠାରୁ ଅଯୋଧ୍ୟାରେ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି। ବିଧି ଅନୁସାରେ ୧୮ରେ ଶ୍ରୀରାମ ଲାଲାଙ୍କ ପ୍ରତିମୂର୍ତ୍ତିକୁ ଗର୍ଭଗୃହରେ ସ୍ଥାପନ କରାଯିବ। ୨୨ ତାରିଖ ଦିନ ୧୨ଟା ୨୦ରୁ ୧ଟା ମଧ୍ୟରେ ୪୦ ମିନିଟ ଧରି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମହୀଶୂରର ଅରୁଣ ଯୋଗୀରାଜଙ୍କ କଳା ରଙ୍ଗର ପଥରରେ ନିର୍ମିତ ମୂର୍ତ୍ତିକୁ ସ୍ଥାପନ କରାଯିବା ସମ୍ପର୍କରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଘୋଷଣା କରାଯାଇଛି। 
 
10. ମଥୁରାର କୃଷ୍ଣ ଜନ୍ମଭୂମି ମନ୍ଦିରକୁ ଲାଗି ଅବସ୍ଥାପିତ ସାହି ଇଦ୍‍ଗା ମସ୍‍ଜିଦ୍‍ ରେ ଆଦାଲତ ତତ୍ତ୍ୱାବଧାନରେ ଅନୁଧ୍ୟାନ ଲାଗି ଆଲ୍ଲାହବାଦ ହାଇକୋର୍ଟ ଦେଇଥିବା ଆଦେଶ ଉପରେ ରହିତାଦେଶ ଜାରି କରିଛନ୍ତି ସୁପ୍ରିମ୍‍ କୋର୍ଟ। ଡିସେମ୍ବର ୧୪ ତାରିଖରେ ଏହି ଆଦେଶ ଦେଇ କୋର୍ଟ ଜଣେ ତଦନ୍ତ କମିଶନର ନିଯୁକ୍ତି ପାଇଁ ରାଜି ହୋଇଥିଲା। ଏହା ପୂର୍ବରୁ ଏକ ମନ୍ଦିର ଥିବା ଦର୍ଶାଇ ଏହାର ତଦନ୍ତ ପାଇଁ ହିନ୍ଦୁ ସଂଗଠନ ଆବେଦନ କରିଥିଲେ।