Odisha News: (ଅଜୟ କୁମାର ନାଥ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳର ଜଣେ ଯୁବତୀକୁ ବୈଷ୍ଣବ ଝୁଲି ଆଶ୍ରମର ବାବା ପ୍ରଫୁଲ୍ଲ ମହଲା ଆଶ୍ରମ ରେ ନିଶା ବଟିକା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ରେ ପୋଲିସ ଶୁକ୍ରବାର ବାବାକୁ ଗିରଫ କରିଛି। ଘଟଣା ଅନୁସାରେ ଯୁବତୀଙ୍କ ଦେହ ବାରମ୍ବାର ଖରାପ ହେବା ସହ ଏସିଡିଟି ଥିବାରୁ ରୋଗର ଚିକିତ୍ସା ପାଇଁ ଗତ କିଛି ମାସ ହେବ ରେଢ଼ାଖୋଲ ଥାନା ଲୁହାପଙ୍କ ପଞ୍ଚାୟତ ଅନ୍ତର୍ଗତ ବୈଷ୍ଣବ ଝୁଲି ଆଶ୍ରମର ବାବା ପ୍ରଫୁଲ୍ଲ ମହଲାଙ୍କ ଆଶ୍ରମ କୁ ଯାଇଥିଲେ। ସେଠାରେ ବାବାଙ୍କ ସହ କଥାବାର୍ତ୍ତା ହେବା ପରେ ବାବା କିଛି ଔଷଧ ଯୁବତୀଙ୍କୁ ଖାଇବାକୁ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଏକ ମାସ ପରେ ପୁଣିଥରେ ଆସି ଔଷଧ ନେବାକୁ କହିଥିଲେ। ହେଲେ ଯୁବତୀଙ୍କ ଘର ଦୁରରେ ଥିବାରୁ ସେ ଆସିନଥିଲେ।
ହେଲେ ଗୁରୁବାର ସକାଳେ ଯୁବତି ଜଣକ ତାଙ୍କ ସମ୍ପର୍କୀୟକୁ ରେଢ଼ାଖୋଲ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ। ଯେହେତୁ ଯୁବତୀ ଜଣଙ୍କ ରେଢ଼ାଖୋଲ ଆସିଥିଲେ ସେ ବାବାଙ୍କୁ ଫୋନ କରି ନିଜ ପାଇଁ ଔଷଧ ଦେବାକୁ କହିଥିଲେ। ବାବା ଯୁବତୀଙ୍କୁ ବୈଷ୍ଣବ ଝୁଲି ଆଶ୍ରମ କୁ ଆସି ଔଷଧ ନେଇଯିବା ପାଇଁ କହିଥିଲେ। ଯୁବତୀ ଜଣକ ଯାଇ ବାବାଙ୍କ ଆଶ୍ରମରେ ପହଞ୍ଚିଥିଲେ ଏବଂ ବାବା ତାଙ୍କୁ ୪ ଟି ବଟିକା ଖାଇବାକୁ ଦେଇଥିଲେ ବଟିକା ଖାଇବାପରେ ଯୁବତୀ ଜଣଙ୍କ ଅଚେତ ହୋଇଯାଇଥିଲେ । ଅଚେତ ଅବସ୍ଥାରେ ଯୁବତୀକୁ ବାବା ଦୁଷ୍କର୍ମ କରିଥିଲେ। ପରେ ଯୁବତୀଙ୍କ ଚେତା ଫେରିବାରୁ ତାଙ୍କୁ ଏକ ଅଟୋରେ ବସାଇଦେଇଥିଲେ । ହେଲେ ଯୁବତୀ ଜଣଙ୍କ ରକ୍ତ ଜୁଡୁବୁଡୁ ହୋଇ ମୁର୍ମୁଷ ଅବସ୍ଥାରେ ମେଡିକାଲ ଛକରେ ପଡିରହିଥିଲେ। ଖବର ପାଇ ମେଡିକାଲ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଚିକିତ୍ସା କରିଥିଲେ। ସେପଟେ ଯୁବତୀଙ୍କ ପରିବାର ଲୋକେ ରେଢ଼ାଖୋଲ ଥାନାରେ ଅଭିଯୋଗ ପରେ ପୋଲିସ ଶୁକ୍ରବାର ବାବା ପ୍ରଫୁଲ୍ଲ ମହଲା କୁ ଆଶ୍ରମରୁ ଗିରଫ କରି ତଦନ୍ତ କରୁଥିବା ସୂଚନା ମିଳିଛି।