Odisha News: ବିକାଶ ନାମରେ ଜୀବନ-ଜିବିକାର ବିନାଶ ଓ ବିପର୍ଯ୍ୟୟର ଅନ୍ୟ ନାମ ଲୋୟର ସୁକତେଲ୍ ନଦୀବନ୍ଧ ପ୍ରକଳ୍ପ
Advertisement
Article Detail0/zeeodisha/odisha2553399

Odisha News: ବିକାଶ ନାମରେ ଜୀବନ-ଜିବିକାର ବିନାଶ ଓ ବିପର୍ଯ୍ୟୟର ଅନ୍ୟ ନାମ ଲୋୟର ସୁକତେଲ୍ ନଦୀବନ୍ଧ ପ୍ରକଳ୍ପ

Odisha News: ଲୋୟର ସୁକତେଲ୍ ବୁଡ଼ି ଅଞ୍ଚଳ ସଙ୍ଗ୍ରାମ ସମିତିର ଆନ୍ଦୋଳନକୁ ଦୃଢ଼ ହସ୍ତରେ ଦମନ କରିବା ସହିତ ତରବରିଆ ଭାବେ ଡ୍ୟାମରେ ପାଣି ଛାଡି ଗାଁ ଗଣ୍ଡା ବୁଡାଇ ଦେଇ ଲୋକଙ୍କୁ ବାସଚ୍ୟୁତ ହେବାକୁ ବାଧ୍ୟ କରିବା ତତ୍କାଳୀନ ସରକାରଙ୍କ ନିଷ୍ଠୁରତାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ହେବ।

Odisha News: ବିକାଶ ନାମରେ ଜୀବନ-ଜିବିକାର ବିନାଶ ଓ ବିପର୍ଯ୍ୟୟର ଅନ୍ୟ ନାମ ଲୋୟର ସୁକତେଲ୍ ନଦୀବନ୍ଧ ପ୍ରକଳ୍ପ

Odisha News: ସମ୍ବଲପୁର (ଅଜୟ ନାଥ): ଆମ ଦେଶ ଭାରତ ସ୍ବାଧୀନତା ହାସଲ କରିବା ପରେ ପରେ ବିକାଶର ମନ୍ଦିର ନାମରେ ନାମିତ ହୀରାକୁଦ ନଦୀବନ୍ଧ ଯୋଜନା ଯୋଗୁଁ ସର୍ବାଧିକ ଲୋକ ବାସଚ୍ୟୁତ ହୋଇ ଉଦବାସ୍ତୁ ହୋଇଥିଲେ, ଯେଉଁ ବିସ୍ଥାପିତ ମାନଙ୍କୁ ଅଦ୍ୟାବଧି ନ୍ୟାୟ ମିଳିପାରିନାହିଁ ଏବଂ ଯାହା ଆଜି ମଧ୍ୟ ଦୁଃଖ, କୋହ, କ୍ଷୋଭ ଏବଂ ଅସନ୍ତୋଷର ପ୍ରତୀକ ପାଲଟି ଯାଇଛି। ସେ ହୀରାକୁଦ ନଦୀବନ୍ଧ ହେଉ କିମ୍ବା ରାଉରକେଲା ଇସ୍ପାତ କାରଖାନା ହେଉ ସବୁଠି କୃଷକ, କୃଷି ଶ୍ରମିକ, ଆଦିବାସୀ ଓ ଦଳିତ ମାନଙ୍କୁ ତଥାକଥିତ ବିକାଶର ମନ୍ଦିର ଆଗରେ ବଳି ପକାଇ ଦିଆଯାଇଛି। ସେହି କ୍ରମରେ ସଂପ୍ରତି ବଲାଙ୍ଗୀର ଜିଲ୍ଲାର ବହୁ ପ୍ରଚାରିତ ଲୋୟର ସୁକତେଲ୍ ନଦୀବନ୍ଧ ପ୍ରକଳ୍ପ ବିକାଶ ନାମରେ ହଜାର ହଜାର ପରିବାରଙ୍କ ପାଇଁ ବିନାଶ ଓ ବିପର୍ଯ୍ୟୟ ଘଟାଇବା ପାଇଁ ଏକ ସରକାରୀ ପ୍ରକ୍ରିୟା କହିଲେ ଅତ୍ୟୁକ୍ତି ହେବନାହିଁ।

ଲୋୟର ସୁକତେଲ୍ ବୁଡ଼ି ଅଞ୍ଚଳ ସଙ୍ଗ୍ରାମ ସମିତିର ଆନ୍ଦୋଳନକୁ ଦୃଢ଼ ହସ୍ତରେ ଦମନ କରିବା ସହିତ ତରବରିଆ ଭାବେ ଡ୍ୟାମରେ ପାଣି ଛାଡି ଗାଁ ଗଣ୍ଡା ବୁଡାଇ ଦେଇ ଲୋକଙ୍କୁ ବାସଚ୍ୟୁତ ହେବାକୁ ବାଧ୍ୟ କରିବା ତତ୍କାଳୀନ ସରକାରଙ୍କ ନିଷ୍ଠୁରତାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ହେବ। ଏପରିକି ପ୍ରକଳ୍ପର ଉଦଘାଟନ ପରେ ସଂପୃକ୍ତ ଅଞ୍ଚଳରେ ବାସ୍ତବ ସ୍ଥିତି ଏବଂ ବିସ୍ଥାପିତ ମାନଙ୍କ ପ୍ରକୃତ ସ୍ଥିତି ଜାଣିବା କ୍ଷେତ୍ରରେ ସରକାର ସବୁବେଳେ କଟକଣା ଜାରି କରୁଥିଲେ ଓ ପ୍ରକଳ୍ପର ବୈଧତାକୁ ପ୍ରଶ୍ନ କରୁଥିବା ପରିବେଶବିତ୍ ଓ ସାମାଜିକ କର୍ମୀଙ୍କୁ ସଂପୃକ୍ତ ଅଜ୍ଞଳରେ ପୁରାଇ ଦେଉନଥିଲେ । ଏହି ପ୍ରକଳ୍ପ କ୍ଷେତ୍ରରେ ସରକାରଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ବିସ୍ଥାପନ ନୀତିର ଉଲ୍ଲଂଘନ, ଅନୁପଯୁକ୍ତ କ୍ଷତିପୂରଣ, ଜୀବନ- ଜୀବିକା ଧ୍ୱଂସ, ଲିଙ୍ଗଗତ ନ୍ୟାୟ ଏବଂ ଶିଶୁ ଅଧିକାର ଉଲ୍ଲଙ୍ଘନ ତଥା ବିସ୍ଥାପନ ପରେ ମାନବିକ ଅଧିକାରର ଉଲଂଘନ ଅଭିଯୋଗ ସଂପର୍କରେ ଅନୁଧ୍ୟାନ କରିବା ପାଇଁ ଏକ ତଥ୍ୟାନୁସନ୍ଧାନୀ ଦଳ ଗଠନ ହୋଇଥିଲା।

ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ (NAPM)ର ଉଦ୍ୟମରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ବିଶ୍ୱଜିତ୍ , ପ୍ରଗତିଶୀଳ ପତ୍ରିକା ଅନ୍ୱେଷାର ସମ୍ପାଦକ ତଥା ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ସଂପାଦକ ସରୋଜ ମହାନ୍ତି, ବିଶିଷ୍ଟ ଶ୍ରମିକ ନେତା ତଥା ଏ.ଆଇ.ସି.ସି.ଟି.ୟୁ (AICCTU) ଟ୍ରେଡ ୟୁନିଅନର ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡ଼ା, ସାମାଜିକ କର୍ମୀ ତଥା ଇନସାଫ୍ (INSAF)ର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ଜୟ କିଶାନ୍ ଆନ୍ଦୋଳନର ହର ବଣିଆଙ୍କୁ ନେଇ ଏହି ତଥ୍ୟାନୁସନ୍ଧାନୀ ଦଳ ଗଠନ କରାଯାଇଥିବା ବେଳେ ସ୍ଥାନୀୟ ନେତା ତଥା ଉକ୍ତ ପ୍ରକଳ୍ପ ଦ୍ବାରା ପ୍ରଭାବିତ ଶ୍ରୀ ସତ୍ୟ ବନଛୋର୍ ତଥ୍ୟାନୁସନ୍ଧାନୀ ଦଳକୁ ସହାୟତା କରିଥିଲେ।

ତଥ୍ୟାନୁସନ୍ଧାନୀ ଦଳର ପ୍ରମୁଖ ତଥ୍ୟାନୁସନ୍ଧାନ:
(୧) ବହୁ ବିସ୍ଥାପିତ ପରିବାର ପ୍ରତିଶ୍ରୁତି ତଥା ଆଇନଗତ ବ୍ୟବସ୍ଥା ଅନୁସାରେ ଅଦ୍ୟାବଧି ଜମି ଅଧିଗ୍ରହଣ, ପୁନର୍ବାସ ଏବଂ ପୁନଃ ଥଇଥାନ ଅଧିନିୟମ-୨୦୧୩ (ଜମି ଅଧିଗ୍ରହଣ ଅଧିନିୟମ -୨୦୧୩) ଅନୁଯାୟୀ ସ୍ୱଚ୍ଛ ଓ ନ୍ୟାୟପୂର୍ଣ୍ଣ କ୍ଷତିପୂରଣ ନାହାଁନ୍ତି। ଅନୁସୂଚିତ ଜନଜାତି ସମ୍ପ୍ରଦାୟ କ୍ଷେତ୍ରରେ ଜଙ୍ଗଲ ଅଧିକାର ଆଇନ -୨୦୦୬ କାର୍ଯ୍ୟକାରୀ ହୋଇନାହିଁ । (୨) ବିସ୍ଥାପିତ ମାନଙ୍କ ଘର ଏବଂ କୃଷି ଜମିର ସରକାର ସଠିକ୍ ମୂଲ୍ୟାଙ୍କନ କରିବା କ୍ଷେତ୍ରରେ ଚରମ ଅବହେଳା ପ୍ରଦର୍ଶନ କରିଛନ୍ତି। (୩) ବିସ୍ଥାପିତ ମାନଙ୍କ କ୍ଷେତ୍ରରେ ସମସ୍ତ ୧୮ ବର୍ଷର ପିଲାମାନଙ୍କୁ ପ୍ରତିଶ୍ରୁତି ଅନୁଯାୟୀ କୌଣସି ସହାୟତା ମିଳିନାହିଁ ।
(୪) ବିସ୍ଥାପନ ପରେ ଶହ ଶହ ଛାତ୍ରଛାତ୍ରୀ ପାଠପଢା ଛାଡିବାକୁ (ଡ୍ରପଆଉଟ୍) ବାଧ୍ୟ ହୋଇଥିଲେ, ଯେଉଁଥିପାଇଁ ସେମାନଙ୍କ ଶିକ୍ଷା ଅଧିକାର ଉଲ୍ଲଂଘନ ହୋଇଛି। କିନ୍ତୁ ସେମାନଙ୍କୁ କୈାଣସି କ୍ଷତିପୂରଣ ମିଳିନାହିଁ।
(୫) ଅଙ୍ଗନୱାଡି କେନ୍ଦ୍ର, ବିଦ୍ୟାଳୟ, ସ୍ୱାସ୍ଥ୍ୟ ଏବଂ ପାନୀୟ ଜଳ ସୁବିଧା, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(MGNREGS) ମାଧ୍ୟମରେ କାର୍ଯ୍ୟ ଯୋଗାଇବା ଭଳି ମୌଳିକ ସୁବିଧା ପ୍ରଶାସନ ଦ୍ୱାରା ଜୋର୍ ଜବରଦସ୍ତ ଭାବେ ଉଚ୍ଛେଦ କରାଯାଇଛି, ଯାହା ମାନବିକ ଅଧିକାର ତଥା ସମ୍ବିଧାନ ଅନୁଯାୟୀ ମୌଳିକ ଅଧିକାରର ସ୍ପଷ୍ଟ ଉଲଂଘନ।
(୬) ବିସ୍ଥାପିତ ବ୍ୟକ୍ତିମାନେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(MGNREGS) ପଞ୍ଜିକୃତ ହୋଇପାରୁ ନାହାଁନ୍ତି, ଯାହାର ପରିଣାମ ସ୍ୱରୂପ ସେମାନେ କର୍ମନିଯୁକ୍ତି ପାଇପାରୁ ନାହାଁନ୍ତି।
(୭) ଏହା କଳ୍ପନା କରାଯାଇପାରିବ ନାହିଁ ଯେ ଗ୍ରୀଷ୍ମ ଋତୁରେ ପ୍ରବଳ ଉତ୍ତାପ ମଧ୍ୟରେ ଲୋକମାନେ କିପରି ଏକ ଟିଣ ଘର ଭିତରେ ଜୀବନଯାପନ କରିବେ,ଯେଉଁଠାରେ ଗୋଟିଏ ବି ଗଛ ନାହିଁ | 
(୮) ପ୍ରତ୍ୟେକ ପରିବାରକୁ ୫ ଡେସିମିଲି ଜମି (ବିଶେଷ ଭାବରେ ଭୂମିହୀନ ପରିବାରକୁ ଜମି) ଦେବାର ପ୍ରତିଶୃତି ଏପର୍ଯ୍ୟନ୍ତ ପୂରଣ କରାଯାଇ ନାହିଁ । 
(୯)ଭୂମିହୀନ ବିସ୍ଥାପିତ ପରିବାରର ଅବସ୍ଥା ଅତ୍ୟନ୍ତ ଦୁଃଖଦାୟକ,କାରଣ ସେମାନେ ଭୂମିହୀନ ହୋଇଥିବାରୁ ଜମି ପାଇଁ କୌଣସି କ୍ଷତିପୂରଣ ପାଇନାହାଁନ୍ତି । 
(୧୦) ବିସ୍ଥାପିତ ହେବା ଦ୍ବାରା ସେମାନଙ୍କ ଜୀବିକା ଏବଂ ସାଂସ୍କୃତିକ ପରିଚୟର ବିନାଶ ହୋଇଛି।ପଡୋଶୀ ଗ୍ରାମ ସହିତ ବିବାଦ କାରଣରୁ ସେମାନେ ଅନ୍ୟ ଗ୍ରାମବାସୀ(ମୂଳ ବାସିନ୍ଦା)ଙ୍କ ଆଧିପତ୍ୟ ନିକଟରେ ଅନାବଶ୍ୟକ ଭାବେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଉଛନ୍ତି ।
(୧୧) ନୂତନ ସ୍ଥାନକୁ ସ୍ଥାନାନ୍ତରିତ ହେବା ପରେ ବାସସ୍ଥାନ, ଜାତି ଓ ଜନ୍ମ ପ୍ରମାଣପତ୍ର ପାଇବା କ୍ଷେତ୍ରରେ ବହୁବିଧ ସମସ୍ୟାର ସମ୍ମୁଖିନ ହେଉଛନ୍ତି ।(୧୨) ପୁନଃ ସର୍ଭେ ପାଇଁ ହାଇକୋର୍ଟଙ୍କ ଆଦେଶ (କୁନିୟାପାଲି ଗ୍ରାମ କ୍ଷେତ୍ରରେ)କୁ ମଧ୍ୟ ମାନ୍ୟତା ପ୍ରଦାନ କରାଯାଇ ନାହିଁ । 
(୧୩) ପୂର୍ବ ସରକାର ପରି ନବ ନିର୍ବାଚିତ ସରକାର ଏବଂ ଜନ ପ୍ରତିନିଧୀମାନେ ଲୋକଙ୍କ ଅବସ୍ଥା ପ୍ରତି ମଧ୍ୟ ସମ୍ପୂର୍ଣ୍ଣ ଉଦାସୀନତା ପ୍ରଦର୍ଶନ କରୁଛନ୍ତି, ଫଳରେ ଲୋକଙ୍କ କଥା ଶୁଣିବାକୁ କେହି ନାହାଁନ୍ତି ।

ତଥ୍ୟାନୁସନ୍ଧାନୀ ଦଳର ସୁପାରିଶ...
୧) ସମସ୍ତ ବିସ୍ଥାପିତ ମାନଙ୍କୁ ଜମି ଅଧିଗ୍ରହଣ, ପୁନର୍ବାସ ଏବଂ ପୁନଃ ଥଇଥାନ ଅଧିନିୟମ- ୨୦୧୩ (ଜମି ଅଧିଗ୍ରହଣ ଅଧିନିୟମ -୨୦୧୩) ଅନୁଯାୟୀ ସ୍ୱଚ୍ଛ ଓ ନ୍ୟାୟପୂର୍ଣ୍ଣ କ୍ଷତିପୂରଣ ପ୍ରଦାନ କରାଯାଉ । ଅନୁସୂଚିତ ଜନଜାତି ସମ୍ପ୍ରଦାୟ କ୍ଷେତ୍ରରେ ଜଙ୍ଗଲ ଅଧିକାର ଆଇନ -୨୦୦୬କୁ ଅବିଳମ୍ବେ କାର୍ଯ୍ୟକାରୀ କରାଯାଉ ।
୨) ଅସ୍ଥାୟୀ ଶିବିରରେ ଥିବା ଲୋକଙ୍କୁ ଜମି ଏବଂ ଘର ଆବଣ୍ଟନ ଏପରି ଅଞ୍ଚଳରେ କରାଯାଉ, ଯେଉଁଠି ଯୋଗାଯୋଗ ସୁବିଧା, ସ୍କୁଲ, କଲେଜ ଏବଂ ନିଯୁକ୍ତି ସୁଯୋଗ ସହିତ ମାନବ ବସତି ପାଇଁ ଅନୁକୂଳ ପରିବେଶ ଥିବା ଆବଶ୍ୟକ ।
୩)ଭୂମିହୀନ ବିସ୍ଥାପିତ ପରିବାରମାନଙ୍କୁ ଜମି ଏବଂ ଗୃହ ଭାବରେ କ୍ଷତିପୂରଣ ଦିଆଯିବା ଉଚିତ୍ । ସେହି ଲୋକମାନଙ୍କୁ ବସୁନ୍ଧରା ଯୋଜନାର ହିତାଧିକାରୀ ହେବାକୁ ବାଧ୍ୟ କରିବା ବନ୍ଦ କରାଯାଉ ।
୪) ବିଭିନ୍ନ ଶିକ୍ଷାନୁଷ୍ଠାନରେ ସରକାରଙ୍କ ଖର୍ଚ୍ଚରେ ଅଧାରୁ ପାଠ ପଢା ଛାଡିଥିବା (ଡ୍ରପ୍ ଆଉଟ୍) ଛାତ୍ରଙ୍କ ନାମ ଲେଖା(ଆଡମିଶନ) ଓ ଆବଶ୍ୟକୀୟ ଶିକ୍ଷା ପାଇଁ ବ୍ୟବସ୍ଥା କରାଯାଉ ।   
୫)ଏପର୍ଯ୍ୟନ୍ତ ଗାଁ ଛାଡି ନ ଥିବା ପରିବାର ଏବଂ ଗ୍ରାମବାସୀଙ୍କୁ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ କରିବା ଅସାମ୍ବିଧାନିକ ଅଟେ। ସେମାନଙ୍କ ପାଇଁ ଅଙ୍ଗନୱାଡି, ବିଦ୍ୟାଳୟ, ଜନନୀ ସୁରକ୍ଷା, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(MGNREGS) ମାଧ୍ୟମରେ କର୍ମନିଯୁକ୍ତି ଯୋଗାଇବା, ପାନୀୟ ଜଳ ବିନା ସର୍ତ୍ତରେ ଉପଲବ୍ଧ ହେବା ଉଚିତ। ରାଜ୍ୟ ତଥା ଜାତୀୟ ମାନବାଧିକାର କମିଶନ ଏହି ପ୍ରକାର ମାନବିକ ଅଧିକାରର ଉଲ୍ଲଂଘନ ପ୍ରତି ଧ୍ୟାନ ଦେବା ଉଚିତ ଏବଂ ଏହାର ପ୍ରତିକାର ବ୍ୟବସ୍ଥା କରିବା ଉଚିତ୍।
୬) ବିସ୍ଥାପିତ ମାନଙ୍କୁ ଟିଣ ଘର ବଦଳରେ ଇଟା ଏବଂ କଂକ୍ରିଟ ଘର ଯୋଗାଇ ଦିଆଯାଉ ଏବଂ ସେମାନଙ୍କ କ୍ଷତିପୂରଣ ଅର୍ଥରୁ ଟିଣ ତିଆରି ଘର ଯୋଗାଇବା ପାଇଁ ଯେଉଁ ୧ ଲକ୍ଷ ଟଙ୍କା କାଟି ନିଆଯାଇଛି, ତାହା ସେମାନଙ୍କୁ ଫେରସ୍ତ କରାଯାଉ ।
୭)ସମସ୍ତ ପରିବାରର ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଯଥାଶୀଘ୍ର ଶ୍ରମ କାର୍ଡ, ରେସନ କାର୍ଡ ଏବଂ ସ୍ୱାସ୍ଥ୍ୟ କାର୍ଡ ଯୋଗାଇ ଦିଆଯାଉ। ସେମାନଙ୍କ ଜୀବିକାର୍ଜନ ପାଇଁ ନିଶ୍ଚିତ ନିଯୁକ୍ତି ସୁଯୋଗ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଉ ।
୮) ଓଡ଼ିଶା ହାଇକୋର୍ଟଙ୍କ ଆଦେଶକୁ ସମ୍ମାନ ଜଣାଇବା ପାଇଁ କୁନିୟାପାଲି ପରି ଅଣ-ସର୍ବେକ୍ଷଣ ଗ୍ରାମରେ ପୁନଃ ସର୍ଭେ କରାଯାଉ ।
ସମସ୍ତ ବିସ୍ଥାପିତ ପରିବାର ଏବଂ ବିଶେଷକରି ଭୂମିହୀନ ପରିବାର ପାଇଁ ଉପଯୁକ୍ତ ଏବଂ ଯଥାର୍ଥ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଧିକ ସମୀକ୍ଷା କରାଯାଉ ଏବଂ ଆବଶ୍ୟକ ଏବଂ ଶୀଘ୍ର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉ ।ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ (ଏନ୍.ଏ.ପି.ଏମ୍)ର ଅନ୍ୟତମ ରାଷ୍ଟ୍ରୀୟ ଉପଦେଷ୍ଟା ପ୍ରଫୁଲ୍ଲ ସାମନ୍ତରା, ଜୟକିଷାନ୍ ଆନ୍ଦୋଳନର ଲିଙ୍ଗରାଜଙ୍କ ସହିତ ତଥ୍ୟାନୁସନ୍ଧାନୀ ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ।