Odisha Assembly: ନବୀନଙ୍କୁ ଗିରଫ କରିବାକୁ ଦାବି କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ
Advertisement
Article Detail0/zeeodisha/odisha2350149

Odisha Assembly: ନବୀନଙ୍କୁ ଗିରଫ କରିବାକୁ ଦାବି କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ

Minister Mahling demands arrest of LoP Naveen Patnaik: ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପୂର୍ବ ବିଜେଡି ସରକାରର ବିଭିନ୍ନ ଦୁର୍ନୀତି ଓ ଅପାରଗତା ପ୍ରସଙ୍ଗକୁ ଉଠାଇ ସମାଲୋଚନା କରୁଥିଲା ବେଳେ ବିରୋଧୀ ସଦସ୍ୟମାନେ ହୋହାଲ୍ଲା କରି ତାଙ୍କୁ ଭାଷଣ ଦେବାରେ ବାଧା ଦେଇଥିଲେ । ଶାସକ ଦଳର ସଦସ୍ୟମାନେ ସଂସଦୀୟ ମନ୍ତ୍ରୀଙ୍କ ବିଭିନ୍ନ ମନ୍ତବ୍ୟ ଉପରେ ସମର୍ଥନ କରି ଗୃହରେ ଟେବୁଲ ବାଡ଼ାଇ ଜୋରଦାର ସମର୍ଥନ କରୁଥିବା ବେଳେ ଗୃହରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା ।

Minister Mahling demands arrest of LoP Naveen Patnaik

ଭୁବନେଶ୍ୱର: ଯେଉଁ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱକୁ ଭୁରି ଭୁରି ବିଜେପିର ଶୀର୍ଷ ନେତା ପ୍ରଶଂସା କରୁଛନ୍ତି ଏବଂ ନୂଆ ପରମ୍ପରା ସୃଷ୍ଟି କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ଯାହାଙ୍କୁ ଘରୁ ବିଧାନସଭାରେ ଯୋଗ ଦେବାକୁ ନିବେଦନ କରୁଛନ୍ତି ତାଙ୍କୁ ଗିରଫ ପାଇଁ ବିଧାନସଭାରେ ଦାବି କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଆଜି ବିଧାନସଭାରେ ବିରୋଧୀ ବିଜେଡିର ଆଚରଣରେ ଗୃହ କାର୍ଯ୍ୟ ନଚାଲିବା ଏବଂ ଏହାକୁ ସମାଲୋଚନା କରି ସବୁ ଦୋଷକୁ ନବୀନଙ୍କ ମୁଣ୍ଡରେ ଲଦିଛନ୍ତି ଶ୍ରୀ ମହାଲିଙ୍ଗ। 

ଅପରାହ୍ନ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେଡି ସଦସ୍ୟମାନେ ପ୍ରଥମେ ଗୃହମଧ୍ୟଭାଗକୁ ଚାଲି ଆସି ଓଡ଼ିଆ ଅସ୍ମିତା କୁଆଡ଼େ ଗଲା ପ୍ରଶ୍ନ ଉଠାଇ ପ୍ରବଳ ହୋହାଲ୍ଲା କରିଥିଲେ । ବାଚସ୍ପତି ସେମାନଙ୍କୁ ବାରମ୍ବାର ଅନୁରୋଧ କରି ଗୃହକାର୍ଯ୍ୟରେ ସହଯୋଗ କରିବାକୁ କହିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ କିଛି ଶୁଣିନଥିଲେ । ଗୃହରେ ହଟ୍ଟଗୋଳ ଚାଲିଥିଲେ ମଧ୍ୟ ବାଚସ୍ପତି ବିଭିନ୍ନ କମିଟି ଗଠନ ନେଇ ଘୋଷଣା କରିଥିଲେ । ବିଭାଗୀୟ କମିଟିଗୁଡ଼ିକ ନିମନ୍ତେ ତାରିଖ ଘୋଷଣା କରିବା ପରେ ରାଜ୍ୟପାଳଙ୍କ ଅଭିଭାଷଣ ପରେ ଧନ୍ୟବାଦ ଆଲୋଚନା ଆରମ୍ଭ କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ । ବିଜେଡି ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରୁଥିବାରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଥିଲେ ଯେଉଁମାନେ ଏଠାରେ ଆଜି ଗଣ୍ଡଗୋଳ କରୁଛନ୍ତି ଅତୀତରେ ସେମାନେ ଏ ଗୃହରେ ଯାହା କରିଛନ୍ତି ତାହା କ୍ଷମଣୀୟ ନୁହେଁ । ଓଡ଼ିଶାର ଜମିଜମାକୁ ବିକି ଦେଇଥିବା ପୂର୍ବତନ ବିଜେଡି ସରକାର ରାଜ୍ୟର ସବୁ ବିଭାଗରେ ମାଳମାଳ ଦୁର୍ନୀତି କରିଥିଲା । ଆମେ ସରକାରକୁ ଆସିବା ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ ତାହା ରକ୍ଷା କରିବାକୁ ପ୍ରୟାସ ଜାରି ରଖିଛୁ ।

ସଂସଦୀୟ ମନ୍ତ୍ରୀ କହିଥିଲେ ଯେ, ଓଡ଼ିଆ ଅସ୍ମିତା କଥା କହୁଥିବା ବର୍ତ୍ତମାନର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଦୁଇଟି ଶବ୍ଦ ଓଡ଼ିଆରେ ଲେଖିପାରିବେ କି ବୋଲି କଟାକ୍ଷ କରି ଯେଉଁମାନେ ପରିକ୍ରମା ପ୍ରକଳ୍ପ ନାଁରେ ମାତ୍ର ୪ଟି ପାଇଖାନା ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲେ ତାହା କ’ଣ ସେମାନେ ଭୁଲିଗଲେଣି କି ବୋଲି ସେ ଗୃହରେ ପ୍ରଶ୍ନ କରିଥିଲେ । ଲୋକସଭା ଓ ବିଧାନସଭା ବିଧିବ୍ୟବସ୍ଥା ଅନୁସାରେ ରାଷ୍ଟ୍ରପତି କିମ୍ବା ରାଜ୍ୟପାଳ ଗୁହରେ ଭାଷଣ ଦେଉଥିବା ବେଳେ ତାଙ୍କୁ କେହି ବାଧା ଦେଇପାରିବେ ନାହିଁ । ସୋମବାର ଦିନ ରାଜ୍ୟପାଳଙ୍କ ଅଭିଭାଷଣ ଚାଲିଥିବା ବେଳେ ବିରୋଧୀ ଦଳ ନେତା ତାଙ୍କ ଭାଷଣକୁ ବାଧା ଦେଇଥିଲେ । ବିଧି ଅନୁସାରେ ବାଧା ଦେଇଥିବା ବ୍ୟକ୍ତି ଧର୍ତବ୍ୟ ଅପରାଧରେ  ଦଣ୍ଡିତ ହେବାର ବ୍ୟବସ୍ଥା ରହିଛି । ରାଜ୍ୟପାଳଙ୍କ ଭାଷଣକୁ ବାଧା ଦେବା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗୃହରେ ଯେଉଁଭଳି ବିଶୃଙ୍ଖଳିତ ଆଚରଣ କଲେ ନିୟମ ଅନୁଯାୟୀ ତାଙ୍କୁ ଗିରଫ କରାଯାଉ ବୋଲି ସେ ଗୃହରେ ଦାବି କରିଥିଲେ ।

ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପୂର୍ବ ବିଜେଡି ସରକାରର ବିଭିନ୍ନ ଦୁର୍ନୀତି ଓ ଅପାରଗତା ପ୍ରସଙ୍ଗକୁ ଉଠାଇ ସମାଲୋଚନା କରୁଥିଲା ବେଳେ ବିରୋଧୀ ସଦସ୍ୟମାନେ ହୋହାଲ୍ଲା କରି ତାଙ୍କୁ ଭାଷଣ ଦେବାରେ ବାଧା ଦେଇଥିଲେ । ଶାସକ ଦଳର ସଦସ୍ୟମାନେ ସଂସଦୀୟ ମନ୍ତ୍ରୀଙ୍କ ବିଭିନ୍ନ ମନ୍ତବ୍ୟ ଉପରେ ସମର୍ଥନ କରି ଗୃହରେ ଟେବୁଲ ବାଡ଼ାଇ ଜୋରଦାର ସମର୍ଥନ କରୁଥିବା ବେଳେ ଗୃହରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିରୋଧୀ ବିଜେଡି ସଭ୍ୟ ଧ୍ରୁବ ସାହୁ ଓ ଅନ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ନିକଟରେ ପ୍ରତିବାଦ ପ୍ରଦର୍ଶନ ସାହୁ ଶ୍ରୀ ସାହୁ ବାଚସ୍ପତିଙ୍କ ମାଇକ ଫୋନ୍‍ ଭାଙ୍ଗି ଦେଇଥିଲେ । ଗୃହରେ ହଟ୍ଟଗୋଳ ଲାଗି ରହିଥିବା ବେଳେ ବାଚସ୍ପତି ସୁରମା ପାଢ଼ି ବିଧାନସଭାକୁ ବୁଧବାର ପୂର୍ବାହ୍ନ ପର୍ଯ୍ୟନ୍ତ ମୁଲତବୀ  ରଖିଥିଲେ।