Odisha New Irrigation Project: ରାଜ୍ୟରେ ୪ ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2022666

Odisha New Irrigation Project: ରାଜ୍ୟରେ ୪ ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Odisha Irrigation Project Inauguration: ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୪ ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ପ୍ରକଳ୍ପ ମାଧ୍ୟମରେ ମୋଟ ୧ ଲକ୍ଷ ୮ ହଜାର ୭୭୧ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିପାରିବ। 

ଫଟୋ ସୌଜନ୍ୟ: @CMO_Odisha

Irrigation Project Inauguration in Odisha: ଡିସେମ୍ବର ୨୧ ତାରିଖ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୪ ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ବୈତରଣୀ ବାମ ପାର୍ଶ୍ୱ କେନାଲ ସହିତ ହଳଦିଆ ଡ୍ୟାମ୍ ଗୁରୁବାର ଲୋକାର୍ପଣ କରାଯାଇଛି। ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ୨୮ କି.ମି. ଦୀର୍ଘ ବୈତରଣୀ ବାମ ପାର୍ଶ୍ୱ କେନାଲ ଦ୍ୱାରା ବୈତରଣୀ ଏବଂ ସାଳନ୍ଦି ନଦୀକୁ ଯୋଡା ଯାଇଛି।ଏହା ଦ୍ୱାରା କେନ୍ଦୁଝର ଜିଲ୍ଲାର ହାଟଡିହି ଏବଂ ଆନନ୍ଦପୁର ଅଞ୍ଚଳର ୨୨୨୧ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବା ସହିତ ବାଲେଶ୍ୱର ଜିଲ୍ଲାର ୭ ବ୍ଲକର ୫୬ ହଜାର ୫୫୦ ହେକ୍ଟର ଜମିକୁ ଖରିଫ୍ ଋତୁରେ ଜଳସେଚନ ସୁବିଧା ମିଳିବ। ଏହା ସହିତ ସାଳନ୍ଦି ଡ୍ୟାମରେ ଗଚ୍ଛିତ ଜଳକୁ ବ୍ୟବହାର କରାଯାଇ ରବି ଋତୁରେ ୫୦ ହଜାର ହେକ୍ଟର ଜମିକୁ ମଧ୍ୟ ଜଳସେଚନ ସୁବିଧା ଦିଆଯିବ। ମୋଟ ୧ ଲକ୍ଷ ୮ ହଜାର ୭୭୧ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବ।

ସେହିପରି ହଳଦିଆ ଡ୍ୟାମ ହେଉଛି ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଏକ ଅଂଶ। ବର୍ତ୍ତମାନ ପର୍ଯ୍ୟନ୍ତ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଜରିଆରେ ୬୨ ହଜାର ୪୮୦ ହେକ୍ଟର ଜମିରେ ଜଳସେଚନର ସୁବିଧା ଦିଆଯାଇଥିବା ବେଳେ ହଳଦିଆ ଡ୍ୟାମ ଦ୍ୱାରା ଆଉ ୫୫୨୦ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ। ଏହା ସହିତ ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଏବଂ ଖଇରି ଭଣ୍ଡନ ବ୍ୟାରେଜ ପାଇଁ ଭିତ୍ତି ପ୍ରସ୍ତର ରଖିଛନ୍ତି। ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ ହେବା ପରେ ମୟୁରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାର ୩୯ ହଜାର ୬୯୪ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିପାରିବ। ସେହିପରି ମୟୁରଭଞ୍ଜ ଜିଲ୍ଲାର ଅଂଳାବଣୀ ଗ୍ରାମ ନିକଟରେ ଖଇରି ଭଣ୍ଡନ ନଦୀ ଉପରେ ବ୍ୟାରେଜ କାମ ଆରମ୍ଭ କରାଯିବ। ଏହା ଦ୍ୱାରା ୩ ବ୍ଲକର ୬୯୫୦ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବା ସହିତ ୩୫ ହଜାର ଲୋକଙ୍କୁ ପାନୀୟ ଜଳର ସୁବିଧା ମିଳିପାରିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ଭାଇକୁ ସାଥିରେ ଧରି ଆମେ ଆଗକୁ ବଢୁଛୁ। ଚାଷୀ ଭାଇ ହେଉଛନ୍ତି ଆମର ଅର୍ଥନୀତିର ସାରଥୀ। ଚାଷୀ ଭାଇଙ୍କ ସାଥିରେ ମୁଁ ସବୁବେଳେ ରହିଛି। ସେମାନଙ୍କ ପାଇଁ କାମ କରୁଛି ଏବଂ କରୁଥିବି। ଚାଷୀର କଲ୍ୟାଣ ଏବଂ କୃଷିର ବିକାଶ ସବୁବେଳେ ମୋର ପ୍ରାଥମିକତା ହୋଇ ରହିଆସିଛି। ପ୍ରତିଦିନ ମୁଁ ରାଜ୍ୟର ବିଭିନ୍ନ ଅଞ୍ଚଳର ଚାଷୀଙ୍କୁ ଭେଟୁଛି। ଚାଷୀଙ୍କ ପାଇଁ ଆମର କଲ୍ୟାଣ କାର୍ଯ୍ୟକ୍ରମ ଭଲ ଭାବରେ କାମ କରୁଥିବାର ଜାଣି ମୁଁ ବହୁତ ଖୁସି। ଚାଷୀଙ୍କ ପାଇଁ କାଳିଆ ଯୋଜନା, ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ମାଗଣାରେ ଫସଲ ବୀମା, ଚାଷୀ ପରିବାର ପିଲାଙ୍କ ପାଇଁ ବୃତ୍ତିର ବ୍ୟବସ୍ଥା ଏବଂ ଆହୁରି ଅନେକ ରୋଜଗାର ବୃଦ୍ଧି କାର୍ଯ୍ୟକ୍ରମ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଆମର ବିଭିନ୍ନ ବିକାଶ ତଥା କଲ୍ୟାଣ କାର୍ଯ୍ୟକ୍ରମ ସହିତ ଚାଷୀ ପରିବାର ଭଲ ଭାବରେ ଯୋଡି ହୋଇ ରହିଛନ୍ତି। ଆମର ମିଶନ ଶକ୍ତି କାର୍ଯ୍ୟକ୍ରମରେ ଚାଷୀ ପରିବାରର ମାଆ ସବୁଠୁ ଅଧିକ ସାମିଲ ହୋଇଛନ୍ତିଷ। ଆମର ନୂଆ କାର୍ଯ୍ୟକ୍ରମ "ଆମ ଓଡିଶା ନବୀନ ଓଡିଶା" ଏବଂ "ଲକ୍ଷ୍ମୀ" ଯୋଜନାରୁ ଚାଷୀ ଭାଇଭଉଣୀ ସବୁଠାରୁ ଅଧିକ ଉପକାର ପାଇବେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରି ସେ କହିଲେ ଏହି ଯୋଜନାରେ ପ୍ରତି ମାସରେ ଲକ୍ଷ ଲକ୍ଷ ଲୋକ ମାଗଣାରେ ଭଲ ଚିକିତ୍ସା ସୁବିଧା ପାଉଛନ୍ତି।

ଆୟୋଜିତ କାର୍ଯ୍ୟକ୍ରମରେ ମୟୂରଭଞ୍ଜରେ ଉପସ୍ଥିତ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଲେ ଯେ ଆମ ରାଜ୍ୟର ୮୦ ଭାଗରୁ ଉର୍ଦ୍ଧ୍ୱ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। ଚାଷ କ୍ଷେତ୍ର ହେଉ କିମ୍ବା ଜଳସେଚନ କ୍ଷେତ୍ର, ସବୁ କ୍ଷେତ୍ରର ବିକାଶକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି। ପ୍ରତି ଚାଷୀ ପାଖରେ ଏବଂ ପ୍ରତି ଚାଷ କ୍ଷେତରେ କିଭଳି ସୁରୁଖୁରୁରେ ପାଣି ପହଞ୍ଚିବ ସେ ବିଷୟକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଜଳସେଚନ ବିକାଶ କ୍ଷେତ୍ରରେ ଏଭଳି ପଦକ୍ଷେପ ନେଉଛନ୍ତି। ସେଠାରେ ଉପସ୍ଥିତ ରାଜ୍ୟ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ଏହି ଦୁଇ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଜିଲ୍ଲାରେ କୃଷି କ୍ଷେତ୍ରରେ ବହୁ ଉନ୍ନତି ଘଟିବା ସହିତ ଆମ ଜିଲ୍ଲାର ଚାଷୀ ଭାଇଭଉଣୀ ଆର୍ଥିକ ସ୍ତରରେ ସଦୃଢ ହେବେ।

କାର୍ଯ୍ୟକ୍ରମକୁ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ସଂଯୋଜନା କରିଥିଲେ। ଏନେଇ ୫ଟି ଅଧ୍ୟକ୍ଷ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଜଳସେଚନର ଉନ୍ନତି ଏବଂ ଚାଷୀଭାଇଙ୍କ ଉନ୍ନତିକୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି। ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଗତ ଅଗଷ୍ଟ ୧୧ ତାରିଖରେ ଯଶିପୁର ଗସ୍ତ କରିବା ସମୟର ସ୍ଥାନୀୟ ଚାଷୀ ଖଇରୀ ଭଣ୍ଡନ ବ୍ୟାରେଜ ପାଇଁ ତାଙ୍କୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବ ଆସିବାର ମାତ୍ର ୪ ମାସ ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଞ୍ଜୁର ହୋଇ କାମ ଆରମ୍ଭ ହୋଇପାରିଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଯୋଗ ଦେଇଥିଲେ। ରାଜ୍ୟ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇଥିଲେ। ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ। 

ସେହିଭଳି ଆୟୋଜିତ କାର୍ଯ୍ୟକ୍ରମରେ ଆନନ୍ଦପୁର ଠାରେ ଉପସ୍ଥିତ ରହିଥିବା ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଏବଂ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ  ଏହି କେନାଲ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଏନେଇ ଉଭୟ ବିଧାୟକ କହିଥିଲେ ଯେ ଏହି କେନାଲ ମାଧ୍ୟମରେ ବୈତରଣୀ ସହିତ ସାଳନ୍ଦି ନଦୀ ସଂଯୁକ୍ତ ହୋଇଛି। ଏହା ଦ୍ୱାରା ଆନନ୍ଦପୁର, ହାଟଡିହି, ଘଷିପୁରା ବ୍ଲକ ସହିତ ବାଲେଶ୍ୱର ଜିଲ୍ଲାକୁ ମଧ୍ୟ ଜଳସେଚନ ସୁବିଧା ମିଳିବ।