Naveen Patnaik: ନବୀନଙ୍କ ଶେଷ କାର୍ଯ୍ୟକାଳରେ ଖଣି କମ୍ପାନୀଙ୍କୁ ଦେଖାଇଛନ୍ତି ଅନୁକମ୍ପା!
Advertisement
Article Detail0/zeeodisha/odisha2348109

Naveen Patnaik: ନବୀନଙ୍କ ଶେଷ କାର୍ଯ୍ୟକାଳରେ ଖଣି କମ୍ପାନୀଙ୍କୁ ଦେଖାଇଛନ୍ତି ଅନୁକମ୍ପା!

ଗତ ପାଞ୍ଚ ବର୍ଷରେ ଓଡ଼ିଶାରେ ସବୁଠାରୁ ଅଧିକ ଜଙ୍ଗଲ ଜମିର ହୋଇଛି କିସମ ପରିବର୍ତ୍ତନ

Naveen Patnaik: ନବୀନଙ୍କ ଶେଷ କାର୍ଯ୍ୟକାଳରେ ଖଣି କମ୍ପାନୀଙ୍କୁ ଦେଖାଇଛନ୍ତି ଅନୁକମ୍ପା!

Naveen Patnaik: ଭୁବନେଶ୍ୱର: ପରିବେଶ ପାଇଁ ସଜାଗ ଓ ସଯତ୍ନ ରହିଛନ୍ତି ବୋଲି କହୁଥିବା  ପୂର୍ବତନ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସର୍ବଶେଷ କାର୍ଯ୍ୟକାଳରେ ସବୁଠାରୁ ଅଧିକ ଜଙ୍ଗଲ ଜମିର କିସମ ପରିବର୍ତ୍ତନ ହୋଇଛି। କେନ୍ଦ୍ର ପରତବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏହା ପ୍ରକାଶ କରିଛନ୍ତି। ଲୋକସଭାରେ ରାଜକୁମାର ରାଓ୍ୱତ ପଚାରିଥିବା ଏକ ପ୍ରଶ୍ନର ଉତ୍ତର ରଖି ଶ୍ରୀ ଯାଦବ କହିଛନ୍ତି, ‘କୌଣସି ଅଣ ଜଙ୍ଗଲ କାର୍ଯ୍ୟ ଲାଗି ଜଙ୍ଗଲ ଜମିକୁ ବ୍ୟବହାର କରିବା ହେଉଛି ରାଜ୍ୟ ସରକାରଙ୍କ ଦାୟିତ୍ୱ। ଯଦିଓ ବନ ସଂରକ୍ଷଣ ଓ ସମ୍ବର୍ଦ୍ଧନ ଅଧିନିୟମ ୧୯୮୦ ଅନୁସାରେ କେନ୍ଦ୍ର ସରକାରଙ୍କଠାରୁ ଏଥିଲାଗି ଅନୁମୋଦନ ନେବାକୁ ହୋଇଥାଏ କିନ୍ତୁ ‘ଜମି’ ଏକ ରାଜ୍ୟ କ୍ଷମତା ପରିସରଭୁକ୍ତ ବିଷୟ ହୋଇଥିବାରୁ ଜଙ୍ଗଲ ସଂରକ୍ଷଣ ଓ ଏହାର ଆଇନଗତ ରକ୍ଷଣାବେକ୍ଷଣ ହେଉଛି ରାଜ୍ୟ ସରକାରଙ୍କ ଦାୟିତ୍ୱ’। 

ମନ୍ତ୍ରୀ ଉପସ୍ଥାପନ କରିଥିବା ତଥ୍ୟ ଅନୁସାରେ., ଏପ୍ରିଲ୍‍ ୨୦୧୯ମସିହାରୁ ମାର୍ଚ୍ଚ ୨୦୨୪ ମସିହା ଭିତରେ ବିଭିନ୍ନ ରାଜ୍ୟରୁ ହସ୍ତଗତ ହୋଇଥିା ୧୭୯ଟି ପ୍ରସ୍ତାବକୁ ମଞ୍ଜରୀ ଦିଆଯାଇଛି। ଏଗୁଡ଼ିକ ସବୁ କିସମ ପରିବର୍ତ୍ତନ ଲାଗି ଉଦ୍ଦିଷ୍ଟ। ୧୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଆସିଥିବା ଏହି ୧୭୯ ପ୍ରସ୍ତାବରେ କେନ୍ଦ୍ର ସରକାର ୧୮୯୨୨.୯୮ ହେକ୍ଟର ଜମିକୁ କିସମ ପରିବର୍ତ୍ତନ ଲାଗୁ ଅନୁମତି ଦେଇଛନ୍ତି। ଏହି ସବୁ ଜମିକୁ ଖଣିଜ ଖନନ ପାଇଁ ବ୍ୟବହାର କରାଯାଇଛି। ୧୭ଟି ରାଜ୍ୟ ଭିତରେ ସବୁଠାରୁ ଅଧିକ ଜମି ଅର୍ଥାତ୍‍ ୪୦ ପ୍ରତିଶତ ଜମି ହେଉଛି ଓଡ଼ିଶାର। ମୋଟ ୪୮ଟି ପ୍ରକଳ୍ପ ଲାଗି ଏହି ଜମିକୁ କିସମ ପରିବର୍ତ୍ତନ କରାଯାଇ ଖଣି କମ୍ପାନୀଙ୍କୁ ପ୍ରଦାନ କରାଯାଇଛି। ଏହି ଜମିର ସମୁଦାୟ ପରିମାଣ ହେଉଛି ୭୬୮୦.୭୮ ହେକ୍ଟର। 

ଏହି ପାଞ୍ଚ ବର୍ଷ ଭିତରେ ମଧ୍ୟପ୍ରଦେଶର ୨୧ଟି ପ୍ରସ୍ତାବ ଲାଗି  ୩୪୦୬ ହେକ୍ଟର ଜମିକୁ ସଂରକ୍ଷିତ ଜଙ୍ଗଲ ତାଲିକାରୁ ହଟାଯାଇଥିବା ବେଳେ ଉଝାଡ଼ଖଣ୍ଡର ୧୬ ପ୍ରସ୍ତାବରେ ୨୬୫୮.୨୩ ହେକ୍ଟର ଜମର କିସମ ବଦଳାଯାଇଛି। ଏହାପଛକୁ ରହିଛି ହିମାଚଳ ପ୍ରଦେଶ। ଏହି ରାଜ୍ୟର ୧୧ଟି ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ ଦେଇ ୨୨୫୮ ହେକ୍ଟର ଜମିର କିସମ ବଦଳାଯାଇଛି। 

ମନ୍ତ୍ରୀ କହିଛନ୍ତି ପରିବେଶ ପୋର୍ଟାଲ୍‍ରେ ଏହାର ସମ୍ପୂର୍ଣ୍ଣ ବିବରଣୀ ରହିଛି। ସମ୍ପୃକ୍ତ ରାଜ୍ୟଗୁଡ଼ିକ ପକ୍ଷରୁ ସର୍ବଶେଷ ନିର୍ଦ୍ଦେଶ ଆସିବା ପରେ କେନ୍ଦ୍ର ସରକାର ଏହି ଅନୁମତି ପ୍ରଦାନ କରିଥାଆନ୍ତି। ଖଣି ଦୁର୍ନୀତି ଏବଂ ଖଣିଜ କମ୍ପାନୀମାନଙ୍କୁ ଅହେତୁକ ଅନୁକମ୍ପା ପ୍ରଦାନ ଓଡ଼ିଶାକୁ ଗୋଟିଏ ସମୟରେ ଚର୍ଚ୍ଚା ପରିଧିକୁ ଆଣିଥିଲା। ଏପରିକି ଏମ୍‍ ବି ଶାହ କମିଶନ ରିପୋର୍ଟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ କିପରି ହନନ କରାଯାଇ ଦୁର୍ନୀତି ମଞ୍ଜି ବୁଣାଯାଇଛି ତାହା  ସ୍ପଷ୍ଟ କରାଯାଇଥିଲା। ହେଲେ ପରବତ୍ତୀ ସମୟରେ ଖଣିଜ କମ୍ପାନୀମାନଙ୍କ ଦ୍ୱାରା ହୋଇଥିବା ଦୁର୍ନୀତିର କ୍ଷତିପୂରଣ ବାବଦରେ ବିପୁଳ ଜରିମାନା ସଂଗ୍ରହ କରାଯାଇଥିଲା। ତଥାପି ରୋକ ଲାଗିଲା ନାହିଁ ଖଣିକାରବାରରେ ଦୁର୍ନୀତି। ଲୋକଙ୍କ ବିରୋଧ ଏବଂ ବିଭିନ୍ନ ଆଦିବାସୀ ତଥା ବୁଦ୍ଧିଜୀବୀ ସଂଗଠଙ୍କ ବିରୋଧ ସତ୍ତ୍ୱେ ରାଜ୍ୟ ସରକାର ଗୋଟିକ ପରେ ଗୋଟିଏ ଖଣିକୁ ଜଙ୍ଗଲ କିସମ ବଦଳାଯାଇଥିବା ପ୍ରମାଣପତ୍ର ପ୍ରଦାନ କରିଥିଲା। ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟ ବ୍ୟାପକ ପାର୍ଟି ଫାଣ୍ଠି ଯୋଗାଡ଼ରେ ସହାୟକ ହୋଇଥିବା ବି ଆଲୋଚନା ହେଉଛି।  ଏ କ୍ଷେତ୍ରରେ ତଦନ୍ତ ହେଲେ ସବୁକିଛି ପଦାକୁ ଆସିବ ବୋଲି ଦାବି ହେଉଛି।