ଜଟଣୀରେ ଗଣେଶ ଭସାଣୀ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ
Advertisement
Article Detail0/zeeodisha/odisha2436369

ଜଟଣୀରେ ଗଣେଶ ଭସାଣୀ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

Bhasani issue: ଅନ୍ୟପଟେ ପୁଲିସ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରି ଦୁଇ ଜଣଙ୍କୁ ଥାନାକୁ ଉଠାଇ ଆଣି ପଚରାଉଚରା କରୁଛି।

ଜଟଣୀରେ ଗଣେଶ ଭସାଣୀ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ଵର: ଜଟଣୀ ଥାନା ଅନ୍ତର୍ଗତ କନ୍ତିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗଣେଶ ପୂଜା ଭସାଣୀ ବେଳେ ଅତ୍ୟଧିକ ସାଉଣ୍ଡ ବଜାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁ ମୁହିଁ ହୋଇଛନ୍ତି। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମାଡ଼ପିଟ୍ ହେବା ସହ ଗାଁରେ ଆତଙ୍କ ସୃଷ୍ଟି କରିଛନ୍ତି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗୋଷ୍ଠୀକୁ ବୁଝା ସୁଝା କରିଥିଲା। ଅନ୍ୟପଟେ ଘଟଣାକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀର କିଛି ଦୁର୍ବୃତ୍ତ ବିଳମ୍ୱିତ ରାତିରେ ଗୋଟିଏ ବାଇକ ପୋଡ଼ି ଦେଇଛନ୍ତି। ତେବେ ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ଆଜି ପୁଲିସ ଛାଉଣୀରେ ପୁରା ଗାଁ ରହିଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। 

ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ କନ୍ତିଆ ଗାଁରେ ଗଣେଶ ପୂଜାର ଭସାଣୀ ଉତ୍ସବରେ ଗାଁରୁ ୩ଟି ପୂଜା କମିଟି ପକ୍ଷରୁ ମେଢ଼ ବାହାରିଥିଲା। ଭସାଣୀ ବେଳେ ଗାଁ ମଝିରେ ଅତ୍ୟଧିକ ସାଉଣ୍ଡ ବଜାଇ ସଦସ୍ୟମାନେ ନାଚରେ ମସଗୁଲ୍ ଥିଲେ। ଏହି ସମୟରେ ଭସାଣୀ ବେଳେ ସାଉଣ୍ଡ ବଜାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା। ପରେ ଉକ୍ତ ଘଟଣାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହେବା ସହ ମାଡ଼ ପିଟ୍ ହୋଇଥିଲେ। ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗୋଷ୍ଠୀର ସଦସ୍ୟମାନଙ୍କୁ ବୁଝା ସୁଝା କରି ବିଦା କରିଥିଲା। ଏଥିସହ ଘଟଣାସ୍ଥଳରୁ ପୁଲିସ ଦୁଇଟି ସାଉଣ୍ଡ ଗାଡ଼ିକୁ ଜବତ କରିଥିଲା। ହେଲେ ଗାଁରେ ତିକ୍ତତା କମି ନଥିଲା। ବିଳମ୍ୱିତ ରାତିରେ କିଛି ଦୁର୍ବୃତ୍ତ ଆସି ଅଭିଯୋଗକାରୀ ପ୍ରସାନ୍ତ ପାଇକରାୟଙ୍କ ଘର ସାମ୍ନାରେ ଥିବା ବାଇକକୁ ପେଟ୍ରୋଲ ଢାଳି ପୋଡ଼ି ଦେଇଥିଲେ। ଦୁର୍ବୃତ୍ତମାନେ ଶ୍ରୀ ପାଇକରାୟଙ୍କୁ ଘରୁ ଘୋଷାଡ଼ି ଆଣି ମାଡ଼ ମାରିବା ସହ ତାଙ୍କ ଦେହରେ ପେଟ୍ରୋଲ ପକାଇ ପୋଡ଼ି ଦେବାକୁ ଉଦ୍ୟମ କରିଥିବା ବେଳେ ସେ ଅଳ୍ପକେ ବର୍ତ୍ତି ଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ପୁଲିସ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରି ଦୁଇ ଜଣଙ୍କୁ ଥାନାକୁ ଉଠାଇ ଆଣି ପଚରାଉଚରା କରୁଛି।