Odisha Election 2024: ଦିଲ୍ଲୀରେ ବିଜେଡିର ଶୀର୍ଷ ନେତୃତ୍ୱ, ୧୦ ସୁଦ୍ଧା ଫାଇନାଲ୍‍, ମେଣ୍ଟ ନେଇ ଚିନ୍ତାରେ ବିଜେପି ଶିବିର
Advertisement
Article Detail0/zeeodisha/odisha2146038

Odisha Election 2024: ଦିଲ୍ଲୀରେ ବିଜେଡିର ଶୀର୍ଷ ନେତୃତ୍ୱ, ୧୦ ସୁଦ୍ଧା ଫାଇନାଲ୍‍, ମେଣ୍ଟ ନେଇ ଚିନ୍ତାରେ ବିଜେପି ଶିବିର

ଭୁବେନଶ୍ୱର: ଯେତେବେଳେ ଆପଣଙ୍କ ହାଇକମାଣ୍ଡ ଆପଣଙ୍କଠୁ ୨ହଜାର କିଲୋମିଟର ଦୂରରେ ଦିଶା ନିର୍ଦ୍ଦେଶ ଦେବେ, ତେବେ ଅବସ୍ଥା କ’ଣ ହେବ? ଏହି ପ୍ରଶ୍ନର ଉତ୍ତରକୁ ଏବେ ଅଙ୍ଗେ ନିଭାଉଛନ୍ତି ଓଡ଼ିଶାର ବିଜେପି କର୍ମୀ, ନେତା ତଥା ବିଜେଡି ଛାଡ଼ି ଛାତି ଫୁଲାଇ ବିଜେପିରେ ଯୋଗ ଦେଇଥିବା ରାଜ୍ୟର ବାହୁବଳୀ ନେତାମାନେ। 

Odisha Election 2024: ଦିଲ୍ଲୀରେ ବିଜେଡିର ଶୀର୍ଷ ନେତୃତ୍ୱ, ୧୦ ସୁଦ୍ଧା ଫାଇନାଲ୍‍, ମେଣ୍ଟ ନେଇ ଚିନ୍ତାରେ ବିଜେପି ଶିବିର

ଭୁବେନଶ୍ୱର: ଯେତେବେଳେ ଆପଣଙ୍କ ହାଇକମାଣ୍ଡ ଆପଣଙ୍କଠୁ ୨ହଜାର କିଲୋମିଟର ଦୂରରେ ଦିଶା ନିର୍ଦ୍ଦେଶ ଦେବେ, ତେବେ ଅବସ୍ଥା କ’ଣ ହେବ? ଏହି ପ୍ରଶ୍ନର ଉତ୍ତରକୁ ଏବେ ଅଙ୍ଗେ ନିଭାଉଛନ୍ତି ଓଡ଼ିଶାର ବିଜେପି କର୍ମୀ, ନେତା ତଥା ବିଜେଡି ଛାଡ଼ି ଛାତି ଫୁଲାଇ ବିଜେପିରେ ଯୋଗ ଦେଇଥିବା ରାଜ୍ୟର ବାହୁବଳୀ ନେତାମାନେ। ୨୫ ବର୍ଷ ତଳେ କଂଗ୍ରେସ ଯେତେବେଳେ କ୍ଷମତାରେ ଥିଲା ସେତେବଳେ ଏହି ଅବସ୍ଥା ରାଜ୍ୟରେ ସୃଷ୍ଟି ହୋଇଥିଲା। ଆଉ ଆଜି ବିଜେପିକୁ ତାହା ଭୋଗିବାକୁ ପଡ଼ୁଛି।

ଗଲା ୧୫ ବର୍ଷ ହେଲା ରାଜ୍ୟ ବିଜେପି, ନିଜ ସଂଗଠନକୁ ଶୂନରୁ ଉପରକୁ ଉଠାଇଛି। ଏହି ସମୟରେ ପରବର୍ତ୍ତୀ ସମୟରେ ଯଦିଓ କେନ୍ଦ୍ରରେ ଦଳ କ୍ଷମତାକୁ ଆସିଛି କିନ୍ତୁ ପ୍ରାରମ୍ଭିକ ଅବସ୍ଥାରେ ନା କେନ୍ଦ୍ରରେ ସରକାର ଥିଲା ନା ରାଜ୍ୟରେ କ୍ଷମତା। ଅପରପକ୍ଷେ ରାଜ୍ୟକୁ ଆସୁଥିବା କେନ୍ଦ୍ରୀୟ ନେତାଙ୍କ ଭାଷଣ ପ୍ରଭାବିତ କରିପାରିନି ସାଧାରଣ ଜନତାଙ୍କୁ। ଅର୍ଥାତ୍‍ ରାଜ୍ୟରେ ଥିବା ଶାସନ କେନ୍ଦ୍ର ଦ୍ୱାରା ପ୍ରୟୋଗ କରାଯାଉଥିବା ସବୁ ଆକ୍ଷେପକୁ ସହିଛି ବିଜେପି ରାଜ୍ୟ ଶାଖା।   ସାମ୍ପ୍ରଦାୟିକତାବାଦ, ଘୃଣା ଓ ଲଜ୍ଜା ପରି ସମସ୍ତ ଅଭିଯୋଗକୁ ଚାପି ଧରି ସଂଗଠନକୁ ମଜଭୁତ କରିଛି। ଫଳ ସ୍ୱରୂପ ୨୦୧୪ରୁ ୨୦୧୯ ଭିତରେ ଦଳ ସଫଳତା ପାଇଛି। ଭୋଟ୍‍ ଅଂଶରେ ୭୩ ପ୍ରତିଶତ ଅଭିବୃଦ୍ଧି ହୋଇଛି। ଏବଂ ଦଳ ୨ ସାଂସଦରୁ ୮ ସାଂସଦଙ୍କୁ ଲୋକସଭା ପଠାଇବାରେ ସମର୍ଥ ହୋଇଥିଲା। ୨୦୧୯ରେ ସମୁଦାୟ ମତଦାନର ୩୮.୪ ପ୍ରତିଶତ ବିଜେପିକୁ ମିଳିଥିଲା। ଏଥର ବିଜେପି ୫୧ ପ୍ରତିଶ ଭୋଟ ଅଂଶ ହାସଲ କରିବାକୁ ନୂଆ ରଣନୀତି ଓ କୌଶଳ ଆପଣାଇଥିଲା। ସଂଘର ଟାଣୁଆ ସଂଗଠକଙ୍କୁ ନେଇ ଲୋକଙ୍କ ମନରେ ଭରସା, ବିଶ୍ୱାସ ଜନ୍ମାଇବା ସହ ଅବସ୍ଥିତ ସରକାରଙ୍କ ସ୍ଥାଣୁତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲା।

୨୦୦୦ ମସିହାରୁ ରାଜ୍ୟରେ ମେଣ୍ଟ ସରକାରର ଅଂଶୀଦାର ହୋଇ  ନିଜକୁ ‘ସାନଭାଇ’ ଭାବେ  ଦେଇଥିବା ପରିଚୟ ୨୦୦୯ ମସିହାରେ ଭାଙ୍ଗିଯାଇଥିଲା। ସେତେବଳେ ସାମ୍ପ୍ରଦାୟିକତା ରଙ୍ଗରେ ରାଜ୍ୟ ବିଜେପିକୁ ରଙ୍ଗାଯାଇଥିଲା। ନିରନ୍ତର ଭାବେ ୧୫ ବର୍ଷ ଧରି ତପସ୍ୟା କରି ଏହି ଦାଗକୁ ଛଡ଼ାଇଛି ଦଳ। ଲୋକଙ୍କ ବିଶ୍ୱାସ ପାଇଛି। କିନ୍ତୁ ଯେତେବେଳେ ବିଜେଡିର ଦୁର୍ବଳ ମୁହୂର୍ତ୍ତକୁ ଧକାଏ ଦେବାକୁ ପ୍ରସ୍ତୁତ ହୋଇଛି ସେତେବେଳେ ସେ ସୁବିଧାକୁ ହାଇକମାଣ୍ଡ ହାଇଜାକ୍‍ କରିବାକୁ ଦିଲ୍ଲୀରେ ବୈଠକ କରୁଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଗତକାଲି ବିଳମ୍ବିତ ରାତିଯାଏ ଆସନ ବୁଝାମଣାକୁ ନେଇ ମନ୍ତ୍ରଣା ଚାଲିଥିଲା। ଆଜି ବି ଏହି ଯାତ୍ରା ଅବ୍ୟାହତ ହେବ। ୧୦ ତାରିଖ ସୁଦ୍ଧା ଏହି ଯାତ୍ରାରେ ଯବନୀକା ପଡ଼ି ମେଣ୍ଟ ଘୋଷଣା ହେବ ବୋଲି ହାଇକମାଣ୍ଡ ଟାର୍ଗେଟ ଦେଇଥିବା ଦଳର କିଛି ବରିଷ୍ଠ ନେତୃତ୍ୱ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଲୋକସଭାରେ ଏଥର ବିଜେପି ଏକାକୀ ୧୪ ସିଟ୍‍ ହାସଲ କରିବାକୁ ନଜର ରଖିଛି। ଏଥିଲାଗି ଲୋକସଭାରେ ୧୪ ଏବଂ ବିଧାନସଭାରେ ୪୭ ଆସନରେ ଲଢ଼ିବାକୁ ବିଜେପି ପ୍ରସ୍ତାବ ଦେଇଛି।  ରାଜ୍ୟ ନେତୃତ୍ୱ ବାଧ୍ୟ ହୋଇ ଏହାକୁ ସ୍ୱୀକାର କରିଥିବା ବି ଗଣମାଧ୍ୟ ରିପୋର୍ଟରେ ପ୍ରକାଶ ପାଇଛି। ହେଲେ କେଉଁ ଦଳ କେଉଁଠୁ ପ୍ରାର୍ଥୀ ଦେବେ ତାହା ଆଲୋଚନା ଭିତରେ ରହିଛି। ଏଥିଲାଗି ବିଜେପିର ରାଜ୍ୟ ସଭାପତି, ସାଧାରଣ ସମ୍ପାଦକ ଦିଲ୍ଲୀରେ ଅଛନ୍ତି। ସେହିପରି ବିଜେଡି ପକ୍ଷରୁ ସାଧାରଣ ସମ୍ପାଦକ ଏବଂ ମୁଖ୍ୟ ନିୟନ୍ତ୍ରଣକର୍ତ୍ତା ବି ଦିଲ୍ଲୀରେ ପହଞ୍ଚିଛନ୍ତି। ଆଜି ବିଜେପିର ଶୀର୍ଷ ନେତୃତ୍ୱଙ୍କ ଉପସ୍ଥିତିରେ ଏହି ବିଷୟରେ ଆଲୋଚନା ହେବ। ମେଣ୍ଟରେ ଆସନ ବୁଝାମଣା ପରେ ଏହି ନିଷ୍ପତ୍ତିକୁ ବିଜେପି ଏହାର ରାଷ୍ଟ୍ରୀୟ କୋର୍‍ କମିଟିରେ ଅନୁମୋଦନ କରାଇ ଯଥା ଶୀଘ୍ର ଘୋଷଣା କରିବ।

ଆଲୋଚନା ହେଉଛି ଗୃହମନ୍ତ୍ରୀ, ଯିଏ ନବୀନଙ୍କୁ ପୂର୍ବ ନିର୍ବାଚନରେ ପୋଡ଼ା ଟ୍ରାନ୍ସଫର୍ମର କହିଥିଲେ ସେ ଏ ବିଷୟକୁ ରାଜ୍ୟରେ ଘୋଷଣା କରିବେ। ଏଥିଲାଗି ସେ ୧୨ ତାରିଖରେ ଓଡ଼ିଶା ଆସିବେ। କିନ୍ତୁ ମେଣ୍ଟ ଅଙ୍କ ଯେତେ ଶୀଘ୍ର ଛିଣ୍ଡିବ ଘୋଷଣା ତୁରନ୍ତ ହୋଇପାରେ। ଏଥିଲାଗି ନବୀନ କେବେ ବି ଦିଲ୍ଲୀ ଯାଇପାରନ୍ତି।

ପ୍ରଶ୍ନ ଉଠୁଛି ଏ ମେଣ୍ଟ ଅଙ୍କ ବିଜେଡିକୁ ବଡ଼ ଭାଇ ଆସନରେ ରଖିବ ନା କ୍ଷମତା ଗାଦି ଛାଡ଼ିବାକୁ ପରବର୍ତ୍ତୀ ସମୟରେ ବାଧ୍ୟ କରିବ?