ଅବିହେଳିତ ଅବସ୍ଥାରେ ଭୈରବୀ ଶକ୍ତିପୀଠ, ପ୍ରଶାସନର ପଡୁନି ନଜର!
Advertisement
Article Detail0/zeeodisha/odisha1853823

ଅବିହେଳିତ ଅବସ୍ଥାରେ ଭୈରବୀ ଶକ୍ତିପୀଠ, ପ୍ରଶାସନର ପଡୁନି ନଜର!

Bhairabi Temple: ମନ୍ଦିର ପରିଚାଳନା କମିଟି ଓ ଭକ୍ତଙ୍କ ଦାନରେ ମାଆ ଭୈରବୀଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟକ୍ରମ ଜାରି ରହିଛି । ଗତ ୫ ତାରିଖରେ ୫ଟି ସଚିବ ଭି.କେ ପାଣ୍ଡିଆନ ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିଲେ । ଏହି ସମୟରେ ମାଆ ଭୈରବୀଙ୍କ ଦର୍ଶନ କରିବା ସହ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ଦିରର ବିକାଶ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ ।

ସୌ(ସୋସିଆଲ ମିଡିଆ)

Boudh News: ରାଜ୍ୟର ବିଭିନ୍ନ ସ୍ଥାନରେ ରହିଛି ଅନେକ ଶକ୍ତି ପୀଠ। କେଉଁଠି ଶରଳା ତ କେଉଁଠି ମଙ୍ଗଳା ରୂପରେ ବିଭିନ୍ନ ଶକ୍ତିପୀଠ ପୂଜା ପାଇଥାନ୍ତି ମାଆ । ତନ୍ତ୍ରମନ୍ତ୍ରର ଏହି ପୀଠ ଗୁଡ଼ିକର ରହିଛି ଅନେକ ମାହାତ୍ମ୍ୟ। ସେଥିମଧ୍ୟରୁ ଅନ୍ୟତମ ବୌଦ୍ଧ ଜିଲ୍ଲାର ପୁରୁଣା କଟକ ଜାତୀୟ ରାଜପଥ କଡ଼ ବାଉଁଶ ବଣରେ ବିରାଜିତ ମାଆ ଭୈରବୀ ଶକ୍ତି ପୀଠ ।

ସୂଚନା ଅନୁଯାୟୀ, ମାଆ ଭୈରବୀ ହେଉଛନ୍ତି ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ । ମାଙ୍କ ପୀଠରେ ରହିଛି ଅନେକ ମାହାତ୍ମ୍ୟ । ଏହି ପୀଠରେ ଭୈରବ ଓ ଭୈରବୀ ଗୋଟିଏ ସ୍ଥାନରେ ପୂଜା ପାଇଥାଆନ୍ତି । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବେଶରେ ପୂଜା ପାଇଥାନ୍ତି ମାଆ ଭୈରବୀ । ସେଥିମଧ୍ୟରୁ ମାଆଙ୍କ ଗୁପ୍ତ ପୂଜା ନିଆରା । ଅଶ୍ବିନୀ ମାସ ମୂଳାଷ୍ଟମୀଠାରୁ ନବମୀ ପର୍ଯ୍ୟନ୍ତ ପ୍ରତିବର୍ଷ ହୋଇଥାଏ ମାଆଙ୍କ ଏହି ଗୁପ୍ତ ପୂଜା । ଏହି ସମୟରେ ଦେହୁରୀ ଘରୁ ମାଆଙ୍କ ପାଟଖଣ୍ଡାକୁ ସହର ପରିକ୍ରମା କରି ମନ୍ଦିରକୁ ନିଆଯାଇଥାଏ । ସେହି ଦିନଠାରୁ ୧୬ ଦିନ ଧରି ମାଆଙ୍କ ଗୁପ୍ତ ପୂଜା ଚାଲିଥାଏ । ଏହି ସମୟରେ ତାଳପତ୍ର ପୋଥି ଅନୁସାରେ ମାଆଙ୍କ ଗୁପ୍ତପୂଜା କରାଯାଉଥିବାରୁ ସେବାୟତଙ୍କୁ ଛାଡି ଦେଲେ ଭକ୍ତଙ୍କୁ ଦର୍ଶନ ମନା ହୋଇଥାଏ । ମନ୍ଦିର ପରିବେଶକୁ ସମ୍ପୂର୍ଣ୍ଣ ଭାବେ ନିବୁଜ କରି ଦିଆଯାଏ । ପରେ ୧୬ ଦିନ ଧରି ମାଆଙ୍କ ଗୁପ୍ତ ପୂଜା ହେଉଥିବାରୁ ଏହାକୁ ଷୋଳ ପୂଜା ବୋଲି ମଧ୍ୟ କୁହାଯାଏ । ଏହି ସମୟରେ ସେବାୟତ ମାନେ ନିଷ୍ଠା ଓ କାଷ୍ଠାର ସହିତ ସମସ୍ତ ନୀତିକାନ୍ତି ସମ୍ପନ୍ନ କରିଥାଆନ୍ତି ।

ବିଶ୍ୱାସ ରହିଛି, ଏହି ଗୁପ୍ତ ପୂଜା ସମୟରେ ମନ୍ଦିର ସମ୍ମୁଖରେ ଥିବା ଶାହାଡା ଗଛକୁ ଦର୍ଶନ କଲେ ସମାନ ପୂର୍ଣ୍ଣ ମିଳିଥାଏ । ଏହି ପୀଠରେ ବହୁ ମାନସିକ ଧାରୀମାନେ ପଶୁ ବଳି ଦେଇଥାଆନ୍ତି । ମାଆଙ୍କ ଶକ୍ତିପୀଠର ସମସ୍ତ ପରିଚାଳନା ପୁରୁଣା କଟକ ଅଞ୍ଚଳରେ ୧୬ ଖଣ୍ଡ ମୌଜାରେ ହୋଇଥାଏ । ପ୍ରତ୍ୟକ୍ଷ ଦେବୀ ହୋଇଥିବାରୁ ଭୈରବୀଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଭକ୍ତ ଛୁଟି ଆସିଆନ୍ତି । କୁହାଯାଏ, ଦେବୀଙ୍କୁ ପୂଜା କରିବା ଦ୍ବାରା ସମସ୍ତ ମାନବାଞ୍ଛା ପୂରଣ ହୋଇଥାଏ । ମାଆ ଅପୁତ୍ରିକୁ ପୁତ୍ର ଓ ଅନ୍ଧକୁ ଚକ୍ଷୁ ଦାନ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ଅଶ୍ବିନୀ ମାସ ବ୍ୟତୀତ ମାଆଙ୍କ ପୀଠରେ ଚୈତ୍ର ଓ ବୈଶାଖ ମାସରେ ମଧ୍ୟ ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇଥାଏ । ଭାଦ୍ରବ ମାସର ପଞ୍ଚମୀ ତିଥିରେ ମାଆ ସମଲେଇଙ୍କ ନିକଟରେ ନବାନ୍ନ ଲାଗି ହେଉଥିବାବେଳେ ମାଆ ଭୈରବୀଙ୍କ ନିକଟରେ ଅଶ୍ବିନୀ ମାସରେ ନବାନ୍ନ ଲାଗି ହୋଇଥାଏ । ମାଆଙ୍କ ନିକଟରେ ନବାନ୍ନ ଲାଗି ହେବାପରେ ୧୬ ଖଣ୍ଡ ମୌଜାର ଲୋକେ ନୂଆଁଖାଇ ଖାଇଥାଆନ୍ତି । କାହିଁ କେଉଁ ଆବାହନ କାଳରୁ ମାଆ ଭୈରବୀ ପୁରୁଣାକଟକ ସ୍ଥିତ ଜାତୀୟ ରାଜପଥ କଡ଼ ବାଉଁଶ ବଣରେ ପୂଜା ପାଇ ଆସୁଥିଲେ ମଧ୍ୟ ଏହି ଶକ୍ତିପୀଠର ବିକାଶ କରିବା ଦିଗରେ ଜିଲ୍ଲା ପ୍ରଶାସନ ହୁଅନ୍ତୁ ଅବା ସରକାର କୌଣସି ଆନ୍ତରିକତା ଦେଖାଉ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ପ୍ରକାଶ ଥାଉ କି, ମନ୍ଦିର ପରିଚାଳନା କମିଟି ଓ ଭକ୍ତଙ୍କ ଦାନରେ ମାଆ ଭୈରବୀଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟକ୍ରମ ଜାରି ରହିଛି । ଗତ ୫ ତାରିଖରେ ୫ଟି ସଚିବ ଭି.କେ ପାଣ୍ଡିଆନ ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିଲେ । ଏହି ସମୟରେ ମାଆ ଭୈରବୀଙ୍କ ଦର୍ଶନ କରିବା ସହ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ଦିରର ବିକାଶ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଏହାରି ଭିତରେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ଯ ମନ୍ଦିରର ଉନ୍ନତିକରଣ ଓ ବିକାଶ ନେଇ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ । ମାଆ ଭୈରବୀଙ୍କ ଦର୍ଶନ ନିମନ୍ତେ ବହୁ ଦୂରଦୂରାନ୍ତରୁ ପ୍ରତିଦିନ ଶହ ଶହ ଭକ୍ତ ଆସୁଥିବବେଳେ ଭକ୍ତଙ୍କ ରହଣି ସମେତ ଆନୁସାଙ୍ଗିକ ଭିତ୍ତିଭୂମି ନ ଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଥିବା ଦେଖିବାକୁ ମିଳିଛି । ଯେଉଁ ଶକ୍ତିପୀଠ ପାଇଁ ସମଗ୍ର ଜିଲ୍ଲା ଗର୍ବ କରିଥାଏ, ସେହି ପ୍ରତ୍ୟକ୍ଷ ଶକ୍ତି ପୀଠର ବିକାଶ ଦିଗରେ ରାଜ୍ୟ ସରକାରଙ୍କ କୌଣସି ଆନ୍ତରିକତା ଦେଖାଉନଥିବା ଲୋକେ ଅଭିଯୋଗ କରିଛନ୍ତି ।