ଆସନ୍ତାକାଲିଠୁ ବିଧାନସଭା ଅଧିବେଶନ: ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ, ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜି ପୁଲିସ
Advertisement

ଆସନ୍ତାକାଲିଠୁ ବିଧାନସଭା ଅଧିବେଶନ: ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ, ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜି ପୁଲିସ

୨୦୨୪ ନିର୍ବାଚନକୁ ଯିବା ପୂର୍ବରୁ ଏହା ହେବ ଶେଷ ପୂର୍ଣ୍ଣକାଳୀନ ଅଧିବେଶନ। ଏହାପରେ ଫେବୃୟାରୀରେ ବଜେଟ୍‍ ଅଧିବେଶନ ହେବାକୁ ଥିଲେ ମଧ୍ୟ ସେଥିରେ ସରକାର କାମଚଳା ବଜେଟ ଆଗତ କରିବେ। 

ଆସନ୍ତାକାଲିଠୁ ବିଧାନସଭା ଅଧିବେଶନ: ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ, ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜି ପୁଲିସ

ଭୁବନେଶ୍ୱର: ଆସନ୍ତାକାଲିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ୩୦ଟି କାର୍ଯ୍ୟ ଦିବସରେ ସୀମିତ ଏହି ଅଧିବେଶନ ଉଭୟ ଶାସକ ଓ ବିରାଧୀ ଦଳ ପାଇଁ ଯଥେଷ୍ଟ ଗୁରୁତ୍ୱ ବହନ କରୁଛି। କାରଣ ୨୦୨୪ ନିର୍ବାଚନକୁ ଯିବା ପୂର୍ବରୁ ଏହା ହେବ ଶେଷ ପୂର୍ଣ୍ଣକାଳୀନ ଅଧିବେଶନ। ଏହାପରେ ଫେବୃୟାରୀରେ ବଜେଟ୍‍ ଅଧିବେଶନ ହେବାକୁ ଥିଲେ ମଧ୍ୟ ସେଥିରେ ସରକାର କାମଚଳା ବଜେଟ ଆଗତ କରିବେ। ବିଧାନସଭା ଆଲୋଚନାକୁ ସୁରୁଖୁରୁରେ କରିବା ଏବଂ ରାଜ୍ୟବାସୀଙ୍କ ମନରେ ସକାରାତ୍ମକ ଭାବ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକମାନେ ପ୍ରସ୍ତୁତ ହୋଇଛନ୍ତି। 

ନିଜ ନିଜ ଆଜେଣ୍ଡାରେ ରାଜ୍ୟବାସୀଙ୍କ ସ୍ୱାର୍ଥ ସାଧନ ପାଇଁ ବିଧାୟକମାନେ ଅଣ୍ଟା ଭିଡ଼ିଥିବା ବେଳେ ଗୃହ କାର୍ଯ୍ୟକୁ ସୁରୁଖୁର କରିବା ଲାଗି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ  କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ‘କୋଶଳୀ’ ଭାଷାରେ କହିବାକୁ ଦାବି କରିଥିଲେ। ନିକଟରେ ଓଡ଼ିଶା ସିନେମା ପ୍ରଯୋଜକଙ୍କ ଦ୍ୱାରା ଜଣେ ଅଭିନେତାଙ୍କ ଉପରେ ପ୍ରତିବନ୍ଧକ ଲଗାଯିବାକୁ ନିନ୍ଦା କରି ସେ କୋଶଳ ରାଜ୍ୟ ଦାବିକୁ ଉତ୍ସାହିତ କରିଥିବା ଅଭିଯୋଗ ହୋଇଥିଲା। ସେହି ଦାବିକୁ ଆହୁରି ପାଦେ ଆଗକୁ ନେବାକୁ ଯାଇ ନରସିଂହ ନିର୍ବାଚନ ମୁହାଁ ବିଧାନସଭାରେ କୋଶଳୀ ଭାଷା କହିବାକୁ ଦାବି କରିଥିଲେ। ତେବେ ବାଚସ୍ପତି ଗୃହରେ ଆବଶ୍ୟକ ଅନୁବାଦକ ତଥା ଷ୍ଟେନୋଙ୍କ ଅଭାବ ଥିବାରୁ ଏ ଅଧିବେଶନରେ ନରସିଂହଙ୍କୁ କୋଶଳୀ କହିବାକୁ ବାରଣ କରିଛନ୍ତି। 

ଉଭୟ ବିରୋଧୀ ବିଜେପି (BJP) ଓ କଂଗ୍ରେସ ପକ୍ଷରୁ ମଧ୍ୟ ଆଜି ବିଧାୟକ ଦଳ ବୈଠକ ବସିବ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ତାରିଖ ଅପରାହ୍ଣ ୪ଟା ବେଳେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ସନ୍ଧ୍ୟା ୬ଟା ବେଳେ କଂଗ୍ରେସ ବିଧାୟକ ଦଳ ବୈଠକ ବସିବାକୁ ସ୍ଥିର ହୋଇଛି।  ଶାସକ ଦଳ ପକ୍ଷରୁ ଆସନ୍ତାକାଲି ବିଧାୟକ ଦଳ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen patnaik) ଏହି ବୈଠକରେ ଅଧ୍ୟକ୍ଷତା କରିବେ।   

ବିଧାନସଭା ଅଧିବେଶନରେ ସୁରକ୍ଷାଜନିତ ଆଶଙ୍କାକୁ ଏଡ଼ାଇବା ଲାଗି ଡିଜି ପୁଲିସ ଆଜି ସୁରକ୍ଷା ସମୀକ୍ଷା କରିଛନ୍ତି। ପରମ୍ପରା ଅନୁସାରେ, ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିଲାଗି ୨୮ ପ୍ଲାଟୁନ୍‌ ପୁଲିସ ଫୋର୍ସ (Police force) ମୃତୟନ ହେବେ। ଭୁବନେଶ୍ୱର ଡିସିପିଙ୍କ ନେତୃତ୍ବରେ ୮ ଜଣ ଅତିରିକ୍ତ ଡିସିପି, ୧୬ ଜଣ ଏସିପି ଏହି ସୁରକ୍ଷା ସମ୍ପାଦନ କରିବେ। ଏହାଛଡ଼ା ସାଦା ପୋଷାକଧାରୀ ପୁଲିସ, ରୁଫଟପ୍‌ ସିକ୍ୟୁରିଟି, କ୍ୟୁଆରଟି, ଷ୍ଟ୍ରାଇକିଂ ଫୋର୍ସ, ଏସଓଜି, ବୋମା ନିଷ୍କ୍ରିୟକାରୀ ଦଳ, ଡଗ ସ୍କ୍ବାର୍ଡ ଓ ଅଗ୍ନିଶମ ଅଧିକାରୀ ମଧ୍ୟ ମୁତୟନ ହେବେ।  ସିସିଟିଭି ମାଧ୍ୟମରେ ବିଧାନସଭାର ଚାରିକଡ଼, ପିଏମ୍‍ଜି ଛକକୁ ନଜର ମଧ୍ୟରେ ରଖାଯିବ।

Also Read- ହୃଦଘାତର ବୃଦ୍ଧି ଡାକ୍ତରଙ୍କ ପାଇଁ ଚିନ୍ତାର ବିଷୟ, ଯଦି ଏହି ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ କରାନ୍ତୁ ପରୀକ୍ଷା

Also Read- ଦିଲ୍ଲୀ ମେଟ୍ରୋରେ ୨.୭ ଲକ୍ଷ କ୍ୟାସ ଭର୍ତ୍ତି ବ୍ୟାଗ ଭୁଲିଗଲେ ବ୍ୟକ୍ତି, ସୁରକ୍ଷିତ ଭାବେ ଫେରସ୍ତ କଲେ CISF