Mohan Govt: ସାତ ଦିନରେ ସେହି ୫ ବିଷୟ ଯେଉଁଠି ଝୁଣ୍ଟିଛି ମୋହନ ସରକାର
Advertisement
Article Detail0/zeeodisha/odisha2299677

Mohan Govt: ସାତ ଦିନରେ ସେହି ୫ ବିଷୟ ଯେଉଁଠି ଝୁଣ୍ଟିଛି ମୋହନ ସରକାର

Mohan Govt: ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାକୁ ମୋନ ମାଝିଙ୍କ ସରକାରକୁ ୭ ଦିନ ପୂରିଛି। ୧୨ ତାରିଖ ଦିନ ଏହି ସରକାର ୧୬ଜଣ ମନ୍ତ୍ରୀଙ୍କ ସହ ରାଜ୍ୟକୁ ଶାସନ ପାଇଁ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲା। ଏହି ସାତ ଦିନ ଭିତରେ କିନ୍ତୁ ସରକାରର ସଫଳତା ଯେତିକି ଚର୍ଚ୍ଚାକୁ ଆସି ନାହିଁ ପାଦେ ପାଦେ ଝୁଣ୍ଟିବା ନଜରକୁ ଆସିଛି।

 

Mohan Govt

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାକୁ ମୋନ ମାଝିଙ୍କ ସରକାରକୁ ୭ ଦିନ ପୂରିଛି। ୧୨ ତାରିଖ ଦିନ ଏହି ସରକାର ୧୬ଜଣ ମନ୍ତ୍ରୀଙ୍କ ସହ ରାଜ୍ୟକୁ ଶାସନ ପାଇଁ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲା। ଏହି ସାତ ଦିନ ଭିତରେ କିନ୍ତୁ ସରକାରର ସଫଳତା ଯେତିକି ଚର୍ଚ୍ଚାକୁ ଆସି ନାହିଁ ପାଦେ ପାଦେ ଝୁଣ୍ଟିବା ନଜରକୁ ଆସିଛି। ଏପରିକି ଏହା ରାଜ୍ୟର ଅମଲାତନ୍ତ୍ରୀ ଏବଂ ରାଜନେତାଙ୍କ ଭିତରେ ତାଳମେଳର ଅଭାବକୁ ସ୍ପଷ୍ଟ କରୁଛି। ଆସନ୍ତୁ ନଜର ପକାଇବା ସେହି ୫ ପ୍ରମୁଖ ବିଷୟ ଉପରେ ଯାହା ସରକାରଙ୍କୁ ଅଡ଼ୁଆରେ ପକାଇଛି:
 
1. ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ: ସରକାର ଗଢ଼ଧିବାରେ ଉଲ୍ଲସିତ ଥିବା ଭାରତୀୟ ଜନତା ପାର୍ଟି ନିଜ ପାଇଁ ମୁଖ୍ୟମନ୍ତ୍ରୀ ଚୟନ କରି ନଥିଲେ ମଧ୍ୟ ଶାସନ କ୍ଷେତ୍ରରେ ପ୍ରଥମେ ଝୁଣ୍ଟିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡକୁ ନେଇ। ଏଯାଏ ଏହି କାର୍ଡ ଦ୍ୱାରା ଲୋକେ ଘରୋଇ ହସ୍‍ପିଟାଲ୍‍ରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ସରକାର ଗଠନ ହେବାର ତିନିଦିନ ପୂର୍ବରୁ ରାଜ୍ୟ ବିଜେପି ସଭାପତିଙ୍କ ଏକ ବୟାନ ଆଗକୁ ସରକାରଙ୍କ ପାଖରେ ପରିବକ୍ୱତା ଅଭାବକୁ ସ୍ପଷ୍ଟ କରୁଥିଲା। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଯଦିଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପ୍ରତ୍ୟାହାର କରାଯିବା ନେଇ କିଛି କହି ନଥଇଲେ କିନ୍ତୁ ଗଣମାଧ୍ୟମରେ ସେହି ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚିଲା। ଲୋକେ ସ୍ପଷ୍ଟତା ନପାଇ ଦ୍ୱନ୍ଦ୍ୱରେ ପଡ଼ିଲେ। କିଛି ଘରୋଇ ହସ୍‍ପିଟାଲ୍‍ ଲୋକଙ୍କୁ ଚିକିତ୍ସା ନକରାଇ ଫେରାଇ ଦେଉଥିବା ନଜରକୁ ଆସିଲା। ଏହାପରେ ମନମୋହନଙ୍କ ସ୍ପଷ୍ଟୀକରଣ ସହ ସ୍ୱାସ୍ଥ୍ୟ ବିଭାଗ ଓ ଘରୋଇ ହସ୍‍ପିଟାଲ୍‍ ସଂଘ ବାଧ୍ୟ ହୋଇ ମିଡିଆରେ ସ୍ପଷ୍ଟୀକରଣ ରଖିଲେ। ଫଳରେ ଆୟତ୍ତକୁ ଆସିଥିଲା ଏହି ପ୍ରସଙ୍ଗ।

2. ୫-ଟି ବୋର୍ଡ ଅପସାରଣ: ଦ୍ୱିତୀୟ ବିଭ୍ରାନ୍ତ ସୃଷ୍ଟି କରିଥିଲା ରାଜ୍ୟ ସରକାରଙ୍କ ସ୍କୁଲ୍‍ ଗୁଡ଼ିକରୁ ୫-ଟି ବୋର୍ଡ ପ୍ରତ୍ୟାହାର। ଏ ବିଷୟରେ ପ୍ରଥମେ ମୋହନ ମାଝିଙ୍କ ଫଟୋ ଥିବା ଏକ ଆକାଉଣ୍ଟରୁ ପୋଷ୍ଟ କରାଯାଇଥିଲା। ଯେଉଁ ଟ୍ୱିଟର ଆକାଉଣ୍ଟରୁ ଏ ଖବର ପ୍ରସାରଣ ହୋଇଥିଲା, ସେହି ଆକାଉଣ୍ଟକୁ ପୂର୍ବରୁ ସୂଚନା ଓ ଲୋକସମ୍ପର୍କ ବିଭାଗ ରି ଟ୍ୱିଟ୍‍ କରିଥିଲା। ଏଣୁ ଏ ଖବରକୁ ସତ ବୋଲି ଗ୍ରହଣ କରି ମିଡିଆରେ ଚର୍ଚ୍ଚା ହେଲା। ପରେ ମୁଖ୍ୟସଚିବ ଆସି ସ୍ପଷ୍ଟୀକରଣ ଦେଲେ ଯେ ଏ ବିଷୟ ରେ କିଛି ନିଷ୍ପତ୍ତି ହୋଇ ନାହିଁ। ପରେ ହେବ। ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବୈଠକ କରିଲେ। ସେଥିରେ ଏ ପ୍ରସଙ୍ଗ ଉଠିଲା। ଆଉ ପ୍ରେସ୍‍ ବିଜ୍ଞପ୍ତିରେ କୁହାଗଲା ଯେ ଏପରି ନିଷ୍ପତ୍ତି ସରକାର ନେଇ ନାହାନ୍ତି। କିନ୍ତୁ ସେହିଦିନ ସନ୍ଧ୍ୟାରେ ଓସେପା ଏକ ବିଜ୍ଞପ୍ତି ଜାରି କରି ମୁଖ୍ୟମନ୍ତ୍ରୀଙ୍କ ଆଦେଶ ବଳରେ ସ୍କୁଲ୍‍ ଗୁଡ଼ିକୁ ୫-ଟି ବୋର୍ଡ ଅପସାରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ସ୍ପଷ୍ଟ କରିଲା ଯେ, , ସରକାରରେ ଅମଲା ଓ ନେତାଙ୍କ ଭିତରେ ଟକରା-ଟକରି ଚାଲିଛି। 

3. ସ୍କୁଲ୍‍ ପୁନଃ ଖୋଲିବା ନିଷ୍ପତ୍ତି: ପୂର୍ବ ନିର୍ଦ୍ଧାରଣ ଅନୁସାରେ ରାଜ୍ୟର ସରକାରୀ ଓ ଘରୋଇ ସ୍କୁଲ୍‍ଗୁଡ଼ିକ ୧୮ ତାରିଖରେ ପୁଣିଥରେ ଖୋଲିବ ବୋଲି ଆଦେଶ ହୋଇଥିଲା। ଏ ବିଷୟରେ ଖବର ବି ଚାଲିଲା ଯେ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଚାଲିଥିବାରୁ ସ୍କୁଲ୍‍ ଛୁଟି ଆଉ ଦୁଇଦିନ ବଢ଼ାଇ ଦିଆଯାଇଛି। ଏ ନ୍ୟୁଜ୍‍ ଚାଲିବାର କିଛି ସମୟ ପରେ ବିଭାଗୀୟ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏ ଦିଗରେ ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି ଏବଂ ସ୍କୁଲ ଶିକ୍ଷା ମନ୍ତ୍ରୀ ଏ ବାବଦରେ ଜାଣି ନାହାନ୍ତି। ଏଣୁ ମୁଖ୍ୟମନ୍ତ୍ରୀଙ୍କ ଆଦେଶକୁ ଅପେକ୍ଷା କରାଯାଇଛି ବୋଲି ବିଜ୍ଞପ୍ତିରେ କୁହାଯାଇଥିଲା।  ପରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରି ଜିଲ୍ଲାପାଳଙ୍କ ଉପରେ ସ୍କୁଲ୍‍ ଖୋଲିବା ନିଷ୍ପତ୍ତି ଛାଡ଼ିଛନ୍ତି। 

4. ମନ୍ତ୍ରିମଣ୍ଡଳକୁ ଦାୟିତ୍ୱ ଘୋଷଣା: ରାଜଭବନରୁ ଆସିଥିବା ପ୍ରେସ୍‍ ବିବୃତ୍ତି ବି ଭୁଲ୍‍ ହୋଇପାରେ। ଏହା ଏବେ ସ୍ପଷ୍ଟ ହୋଇଛି। ଦୁଇଦିନ ତଳେ ଯେତେବଳେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ ହେଲା ସେତେବେଳେ ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ଏକ ଚିଠି ଆସିଲା। ସେଥିରେ କିଏ କେଉଁ ବିଭାଗ ପାଇବେ ତାହା କୁହାଯାଇଥିଲା। କିନ୍ତୁ ପରେ ଆଉ ଏକ ବିଜ୍ଞପ୍ତି ଜାରି କରି କିଏ କେଉଁ ମନ୍ତ୍ରିମଣ୍ଡଳ ପାଇବେ ତାହା ଘୋଷଣା କରିଥିଲେ। 

5. ରତ୍ନ ଭଣ୍ଡାର ପ୍ରସଙ୍ଗ: ଆଜି ମିଡିଆରେ ରାଜ୍ୟ ସରକାରଙ୍କୁ ହରଡ଼ଘଣାରେ ପକାଇଛି । ରତ୍ନଭଣ୍ଡାର ଖୋଲିବା ନେଇ ଏଏସ୍‍ଆଇ ପକ୍ଷରୁ ମିଡିଆକୁ ଏକ ତଥ୍ୟ ଦିଆଗଲା ଯେ, ୮ ତାରିଖରେ ରତ୍ନ ଭଣ୍ଡାର ଖୋଲିବ।  କିନ୍ତୁ ବିଭାଗୀୟ ମନ୍ତ୍ରୀ ଏହାକୁ ନାକଚ କରି ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବେ  ବୋଲି କହିଛନ୍ତି। ସମୟ କହିବ କିଏ ଏ ପ୍ରସଙ୍ଗକୁ କେମିତି ପରିଚାଳନା କରିବେ। 
ଏହିପରି ଭାବେ ଏବେ ପ୍ରସଙ୍ଗ ପରେ ପ୍ରସଙ୍ଗ ରାଜ୍ୟ ସରକାରଙ୍କୁ ହରଡ଼ ଘଣାରେ ପକାଇଛି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଜଣେ ସାମାନ୍ୟ କିରାଣିକୁ ବି ମୁଖ୍ୟମନ୍ତ୍ରୀ ବଦଳ କରିବା କାଠିକର ପାଠ ହେଉଛି ବୋଲି କୁହାଯାଉଛି। ଏହା ଇଙ୍ଗିତ ଦେଉଛି ଯେ, ରାଜ୍ୟରେ ଚାଲିଥିବା ଅମଲାତନ୍ତ୍ର ଓ ରାଜନୀତିକ ତନ୍ତ୍ର ଭିତରେ  ସବୁକିଛି ଠିକ୍‍ ଚାଲି ନାହିଁ।