IPL 2024: ତାକତ ଦେଖାଇଲା ଲକ୍ଷ୍ନୌ; ଘରୋଇ ମଇଦାନରେ ବେଙ୍ଗାଲୁରୁର କ୍ରମାଗତ ଦ୍ୱିତୀୟ ପରାଜୟ
Advertisement
Article Detail0/zeeodisha/odisha2186362

IPL 2024: ତାକତ ଦେଖାଇଲା ଲକ୍ଷ୍ନୌ; ଘରୋଇ ମଇଦାନରେ ବେଙ୍ଗାଲୁରୁର କ୍ରମାଗତ ଦ୍ୱିତୀୟ ପରାଜୟ

LSG vs RCB Match Result 2024: ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଲକ୍ଷ୍ନୌ ଦ୍ୱିତୀୟ ବିଜୟ ହାସସଲ କରିଥିବା ବେଳେ ବେଙ୍ଗାଲୁରୁ ଦ୍ୱିତୀୟ ପରାଜୟ ବରଣ କରିଛି।

 

IPL 2024: ତାକତ ଦେଖାଇଲା ଲକ୍ଷ୍ନୌ; ଘରୋଇ ମଇଦାନରେ ବେଙ୍ଗାଲୁରୁର କ୍ରମାଗତ ଦ୍ୱିତୀୟ ପରାଜୟ

RCB vs LSG  Match Highlights: ଚଳିତ ଆଇପିଏଲ ସଂସ୍କରଣରେ ପୁଣି ଥରେ ଶକ୍ତି ପ୍ରଦର୍ଶନ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ୍। ଅନ୍ୟପକ୍ଷରେ ବେଙ୍ଗାଲୁରୁ ଏହାର ଘରୋଇ ଗ୍ରାଉଣ୍ଡ ଚିନ୍ନାସ୍ୱାମୀ ଷ୍ଟାଡିୟମ ଠାରେ ଦ୍ୱିତୀୟ ପରାଜୟ ବରଣ କରିଛି। ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ୧୫ ତମ ମୁକାବିଲାରେ ବେଙ୍ଗାଲୁରୁ ଦଳକୁ ୨୮ ରନ୍ ବ୍ୟବଧାନରେ ପରାସ୍ତ କରିଛି ଲକ୍ଷ୍ନୌ ଟିମ୍। ଲକ୍ଷ୍ନୌ ଦ୍ୱିତୀୟ ବିଜୟ ହାସଲ କରିଥିଲା ବେଳେ ବେଙ୍ଗାଲୁରୁ ଦ୍ୱିତୀୟ  ଥର ପାଇଁ ପରାସ୍ତ ହୋଇଛି। ଏହି ବିଜୟ ସହିତ ଦଳ ପଏଣ୍ଟ ଟେବୁଲ ତାଲିକାରେ ଲକ୍ଷ୍ନୌ ଚତୁର୍ଥ ସ୍ଥାନରେ ପହଞ୍ଚିଛି। ଦଳ ୩ ମ୍ୟାଚ୍ ଖେଳି ୪ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ବେଙ୍ଗାଲୁରୁ ୪ ମ୍ୟାଚ ଖେଳି ୨ ପଏଣ୍ଟ ପାଇବା ସହ  ପଏଣ୍ଟ ଟେବୁଲ ତାଲିକାରେ ନବମ ସ୍ଥାନରେ ରହିଛି।

ବେଙ୍ଗାଲୁରୁ ଅଧିନାୟକ ଫାଫ୍ ଡୁପଲେସିସ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ ଲକ୍ଷ୍ନୌ  ଧାର୍ଯ୍ୟ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୧ ରନ୍ ସଂଗ୍ରହ କରିଥିଲେ। ଏହାର ଜବାବରେ ବେଙ୍ଗାଲୁରୁ ୧୯.୪ ଓଭର ଖେଳି ସମସ୍ତ ୱିକେଟ ହରାଇ ୧୫୩ ରନ୍ ସଂଗ୍ରହ କରିଥିଲା। ଲକ୍ଷ୍ନୌ ପକ୍ଷରୁ କ୍ୱିଣ୍ଟନ୍ ଡି କକ୍ ଏବଂ ନିକୋଲାସ୍ ପୁରାନ୍ ବ୍ୟାଟିଂ ଲାଇନ ସମ୍ଭାଳିଥିଲେ। ସେହିପରି ଦଳ ପକ୍ଷରୁ ମାୟଙ୍କ ଯାଦବ ଘାତକ ବୋଲିଂ କରିଥିଲେ।

୧୮୨ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବେଙ୍ଗାଲୁରୁ କ୍ରମାଗତ ଭାବେ ୱିକେଟ୍ ହରାଇବାରେ ଲାଗିଥିଲା। ଦଳର କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ଇନିଂସ ଖେଳି ପାରିନଥିଲେ। ମହିପାଲ ଲୋମର ସର୍ବାଧିକ ୩୩ ରନ୍ ସ୍କୋର କରିଥିଲେ। ରଜତ ପଟିଦାର ୨୯ ରନ୍ ଏବଂ ବିରାଟ କୋହଲି ୨୨ ରନ୍ ସ୍କୋର କରିଥିଲେ। ଅଧିନାୟକ ଫାଫ୍ ଡୁପ୍ଲେସିସ୍ ୧୯, ମହମ୍ମଦ ସିରାଜ ୧୨ ଏବଂ ଅନୁଜ ରାୱତ ୧୧ ରନ ସ୍କୋର କରିଥିଲେ। କ୍ୟାମେରନ୍ ଗ୍ରୀନ ୪ ଏବଂ ଦୀନେଶ କାର୍ତ୍ତିକ ୪ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ଗ୍ଲେନ୍ ମ୍ୟାକ୍ସୱେଲ ଖାତା ଖୋଲି ପାରିନଥିଲେ।

ପଞ୍ଜାବ ବିପକ୍ଷ ଡେବ୍ୟୁ ମୁକାବିଲାରେ ୩ ୱିକେଟ୍ ନେଇଥିବା ମୟଙ୍କ ଯାଦବ ମଧ୍ୟ ଏହି ମ୍ୟାଚ୍ ରେ ଘାତକ ବୋଲିଂ କରିଥିଲେ। ଲକ୍ଷ୍ନୌ ଦଳର ବୋଲର ଜଣଙ୍କ ପୁଣି ଥରେ ବ୍ୟାଟ୍ସମ୍ୟାନ୍ ଙ୍କୁ ତାଙ୍କ ବୋଲିଂ ସ୍ପୀଡ ସହ ଅଟକାଇ ଦେଇଥିଲେ। ଲକ୍ଷ୍ନୌ ବୋଲର ମୟଙ୍କ ଯାଦବ ୪ ଓଭର ବୋଲି ୧୪ ରନ୍ ବ୍ୟୟ କରିବା ସହ ଦଳ ପାଇଁ ୩ ୱିକେଟ୍ ନେଇଥିଲେ। ମୟଙ୍କ, ବେଙ୍ଗାଲୁରୁ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ କ୍ୟାମେରନ୍ ଗ୍ରୀନ୍ ଏବଂ ରଜତ ପଟିଦାରଙ୍କୁ ଆଉଟ କରିଥିଲେ। ନବୀନ ଉଲ ହକ ୨ ୱିକେଟ୍ ନେଇଥିଲେ। ମଣିମାରନ୍ ସିଦ୍ଧାର୍ଥ, ଯଶ ଠାକୁର ଏବଂ ମାର୍କସ୍ ଷ୍ଟୋଇନିସ୍ ଗୋଟିଏ ଲେଖାଏଁ ୱିକେଟ ଦଖଲ କରିଥିଲେ।

ଏହାପୂର୍ବରୁ କ୍ୱିଣ୍ଟନ୍ ଡି କକ୍ ଏବଂ ନିକୋଲାସ୍ ପୁରାନ୍ ଲକ୍ଷ୍ନୌ ପାଇଁ ବଡ଼ ଇନିଂସ ଖେଳିଥିଲେ। ଡି କକ୍ ୫୬ ବଲ ଖେଳି ୮୧ ରନ୍ ସଂଗ୍ରହ କରିଥିଲେ। ତାଙ୍କ ପାଳିରେ ୮ ଚୌକା ଏବଂ ୫ ଛକା ସାମିଲ ରହିଥିଲା। ସେହିପରି ୨୧ ବଲ ଖେଳି ୪୦ ରନ୍ ସ୍କୋର କରିବା ପରେ ନିକୋଲାସ ପୁରନ ଅପରାଜିତ ରହିଥିଲେ। ସେ ଗୋଟିଏ ଚୌକା ଏବଂ ୫ ଛକା ମାରିଥିଲେ। ମାର୍କସ୍ ଷ୍ଟୋଇନିସ୍ ୧୫ ବଲ ଖେଳି ୨୪ ରନ୍ ସଂଗ୍ରହ କରିଥିଲେ। ଅଧିନାୟକ କେ.ଏଲ୍ ରାହୁଲ ୧୪ ବଲ ଖେଳି ୨୦ ରନ୍ ସଂଗ୍ରହ କରିଥିଲେ। ଦେବଦତ୍ତ ପାଡି଼କଲ ୬ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ଆୟୁଷ ବଦୋନି ଖାତା ଖୋଲି ପାରିନଥିଲେ। କୃଣାଲ ପାଣ୍ଡ୍ୟା ଗୋଟିଏ ହେଲେ ବଲ ଖେଳିବାର ସୁଯୋଗ ପାଇଲେ ନାହିଁ। ବେଙ୍ଗାଲୁରୁ ପାଇଁ ଗ୍ଲେନ୍ ମ୍ୟାକ୍ସୱେଲ ୨ ୱିକେଟ୍ ନେଇଥିଲେ। ରିସ୍ ଟାପଲି, ୟଶ ଠାକୁର ଏବଂ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆ କରିଥିଲେ।