IND vs SA T20I : ଅଢ଼େଇ ବର୍ଷ ପରେ କମ୍ପିବ ବାରବାଟୀ, ଟିମ ଇଣ୍ଡିଆର ଭାଗ୍ୟ ନିର୍ଦ୍ଧାରଣ କରିବେ ଯୁବ ଖେଳାଳି
Advertisement
Article Detail0/zeeodisha/odisha1216656

IND vs SA T20I : ଅଢ଼େଇ ବର୍ଷ ପରେ କମ୍ପିବ ବାରବାଟୀ, ଟିମ ଇଣ୍ଡିଆର ଭାଗ୍ୟ ନିର୍ଦ୍ଧାରଣ କରିବେ ଯୁବ ଖେଳାଳି

ଶନିବାର ବାରବାଟୀରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଖେଳାଳି ଝାଳ ବୁହାଇଥିଲେ । ରବିବାର ଖେଳାଳିମାନେ ମଇଦାନରେ ଅସଲି ଖେଳ ଦେଖାଇବେ । ସନ୍ଧ୍ୟା ୭ଟାରେ ଲଢ଼େଇ ଆରମ୍ଭ ହେବ । ପଡି଼ଆରେ ବ୍ୟାଟରୁ ଚୌକା ଏବଂ ଛକା ଦେଖିବାକୁ ମିଳିବ ।

ଫାଇଲ ଫଟୋ

IND vs SA T20I : ଆଜି ସୁପରସଣ୍ଡେ, ବାରବାଟୀରେ ହେବ ସୁପର ମୁକାବିଲା । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ । ସନ୍ଧ୍ୟା ୭ଟାରେ ଦୁଇ ଦଳ ମଧ୍ୟରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଅନୁଷ୍ଠିତ ହେବ । ମ୍ୟାଚ୍ ଜିତିବା ନେଇ ଉଭୟ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି । ମ୍ୟାଚ୍ ପାଇଁ ଉତ୍କଣ୍ଠା ବଢୁଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।  

ଶନିବାର ବାରବାଟୀରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଖେଳାଳି ଝାଳ ବୁହାଇଥିଲେ । ରବିବାର ଖେଳାଳିମାନେ ମଇଦାନରେ ଅସଲି ଖେଳ ଦେଖାଇବେ । ସନ୍ଧ୍ୟା ୭ଟାରେ ଲଢ଼େଇ ଆରମ୍ଭ ହେବ । ପଡି଼ଆରେ ବ୍ୟାଟରୁ ଚୌକା ଏବଂ ଛକା ଦେଖିବାକୁ ମିଳିବ । ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛି । ବଡ଼ ସ୍କୋର କରିଥିବା ସତ୍ତ୍ୱେ ବୋଲରଙ୍କ ଦୁର୍ବଳ ବୋଲିଂ ଯୋଗୁଁ ମ୍ୟାଚ୍ ହାରିଛି । ହେଲେ ଦ୍ୱିତୀୟ ମ୍ୟାଚରେ ସେହି ଭୁଲ୍ ହେବନାହିଁ, ଦମଦାର ପ୍ରଦର୍ଶନ କରିବା ପାଇଁ ଭାରତୀୟ ଖେଳାଳି ଆଶା ରଖିଛନ୍ତି । 

Also Read: IND VS SA: ମ୍ୟାଚ୍ ପୂର୍ବରୁ କଟକ ବାରବାଟୀ ଷ୍ଟାଡିୟମରେ ଭରପୂର ଦର୍ଶକ

ଯୁବ କ୍ରିକେଟର ପନ୍ତଙ୍କ ନେତୃତ୍ୱରେ ଖେଳାଳିମାନେ ସୁନ୍ଦର ପ୍ରଦର୍ଶନ କରିବେ ବୋଲି ଟିମ୍ ପକ୍ଷରୁ କୁହାଯାଇଛି । ଈଶାନ କିଷନ, ଋତୁରାଜ, ଶ୍ରେୟସ ଆୟର, ଅଧିନାୟକଙ୍କ ପନ୍ତଙ୍କ ସମେତ ବିସ୍ଫୋରକ ପାଣ୍ଡ୍ୟା ଏବଂ ଅଭିଜ୍ଞ କାର୍ତ୍ତିକଙ୍କୁ ବଡ଼ ସ୍କୋର କରିବାକୁ ପଡ଼ିବ । ଖେଳାଳିଙ୍କୁ ବଡ ଇନିଂସ ବି ଖେଳିବାକୁ ପଡ଼ିବ । ସେହିପରି ଅକ୍ଷର, ଚହଲ, ଅଭେଶ, ହର୍ଷଲଙ୍କ ସମେତ ଅଭିଜ୍ଞ ଭୁବନେଶ୍ୱର କୁମାର ବୋଲିଂ ଡିପାର୍ଟମେଣ୍ଟ ସମ୍ଭାଳିବେ । ବୋଲିଂ, ବ୍ୟାଟିଂ ଏବଂ ଫିଲ୍ଡିଂରେ କମାଲ କଲେ ଭାରତ ଇନଫର୍ମ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିପାରିବ ।

ସେପଟେ, ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚରେ ବିଶାଳ ୨୧୨ ଟାର୍ଗେଟ୍ ଚେଜ୍ କରି ମନୋବଳ ଦୃଢ଼ କରିଛି । ମିଲର, ଭାନଡେର ଦଶେନ ବିସ୍ଫୋରକ ବ୍ୟାଟିଂ କରି ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ । ରବିବାର ଡି କକ୍, ଅଧିନାୟକ ବାଭୁମାଙ୍କ ସମେତ ପୁରା ଟିମ୍ ଭଲ ଇନିଂସ ଖେଳିବା ପାଇଁ ଆଶାବାଦୀ ଅଛନ୍ତି । ରାବଡା, ପାର୍ନେଲ, ନର୍ଟେଜ, ନିଗିଡ଼ି, ଶାମ୍ସିଙ୍କ ବୋଲିଂ ଭାରତୀୟ ବ୍ୟାଟର୍ସଙ୍କ ପାଇଁ ଘାତକ ସାଜିପାରେ । ତେଣୁ ରବିବାରର ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ଓ ରୋମାଞ୍ଚକ ହେବା ନେଇ ଆଶା କରାଯାଉଛି ।

Also Read: ବାରବାଟୀ ମ୍ୟାଚ୍ ପୂର୍ବରୁ ଭୁବନେଶ୍ୱର କଲେ ସାମ୍ବାଦିକ ସମ୍ମିଳନୀ; ପନ୍ତଙ୍କୁ ନେଇ ଏହା କହିଲେ

ବାରବାଟୀ ମୁକାବିଲା ପାଇଁ ପୋଲିସ ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି । କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନ ଉପୁଜେ ସେଥିପ୍ରତି ପ୍ରତି ତୀକ୍ଷଣ ନଜର ରଖାଯାଇଛି । ଅପରାହ୍ନ ୩ଟାରୁ ଗ୍ୟାଲେରୀ ଭିତରକୁ ଦର୍ଶକ ଏଣ୍ଟ୍ରି କରିବେ । ଦର୍ଶକ କେବଳ ମୋବାଇଲକୁ ଷ୍ଟାଡିୟମ ଭିତରକୁ ନେଇ ପାରିବେ। ଏପରିକି ପାଣି ବୋତଲ, ବାହାର ଖାଦ୍ୟ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ମ୍ୟାଚ୍ ପାଇଁ ସ୍ୱତନ୍ତ୍ର ମୋ ବସ ସେବା ବ୍ୟବସ୍ଥା କରାଯାଇଛି ।  ଦିନ ୧୨ଟାରୁ ମ୍ୟାଟ ସରିବା ପର୍ଯ୍ୟନ୍ତ ବସ ଚାଲିବ।

ଅନ୍ୟପଟେ, ତଳ ବାଲିଯାତ୍ରା ପଡିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଯାନ ଅନୁସାରେ ୧୦ରୁ ୫୦ ଟଙ୍କା ପର୍ଯ୍ୟନ୍ତ ଫାର୍କିଂ ଫି ଆଦାୟ କରାଯିବ। ବାହାର ଖାଦ୍ୟ ପ୍ରବେଶ ନିଷିଦ୍ଧ ଥିବାବେଳେ ଓସିଏ କର୍ତ୍ତୃପକ୍ଷ ଷ୍ଟାଡିୟମ ଭିତରେ ତାହା ଦେୟ ନେଇ ଯୋଗାଇଦେବ। ତେବେ ଏହାର ଦରଦାମ କଣ ରହିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ଷ୍ଟାଡିୟମ ଭିତରେ ସବୁ ମିଳୁଛି ତେବେ ବାହାରୁ କାହିଁକି ଖାଦ୍ୟ ପାନୀୟ ନେବାକୁ ମନାକରାଯାଉଛି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି।