World Cup 2023 Final: ବିଶ୍ୱ ଚାମ୍ପିୟନ ହେଲା ଅଷ୍ଟ୍ରେଲିଆ, ଫାଇନାଲରେ ହାରିଗଲା ଟିମ୍ ଇଣ୍ଡିଆ; ଭାଙ୍ଗିଗଲା କୋଟି କୋଟି ଭାରତୀୟଙ୍କ ସ୍ୱପ୍ନ
Advertisement
Article Detail0/zeeodisha/odisha1968635

World Cup 2023 Final: ବିଶ୍ୱ ଚାମ୍ପିୟନ ହେଲା ଅଷ୍ଟ୍ରେଲିଆ, ଫାଇନାଲରେ ହାରିଗଲା ଟିମ୍ ଇଣ୍ଡିଆ; ଭାଙ୍ଗିଗଲା କୋଟି କୋଟି ଭାରତୀୟଙ୍କ ସ୍ୱପ୍ନ

Cricket World Cup 2023 Final: ଅଷ୍ଟ୍ରେଲିଆ ବିଶ୍ୱକପ୍ ୨୦୨୩ ର ଫାଇନାଲରେ ଭାରତୀୟ ଦଳକୁ ପରାସ୍ତ କରି ଷଷ୍ଠ ଥର ପାଇଁ ଟାଇଟଲ୍ ଜିତିଛି । ଟ୍ରାଭିସ୍ ହେଡ୍ ଅଷ୍ଟ୍ରେଲିଆ ପାଇଁ ୧୩୭ ରନର ଚତ୍ମକାର ଇନିଂସ ଖେଳିଥିଲେ ।

 

World Cup 2023 Final

IND vs AUS Final Full Match Highlights: ପୁଣି ଥରେ କୋଟି କୋଟି ଭାରତୀୟ ପ୍ରଶଂସକଙ୍କ ସ୍ୱପ୍ନ ଭାଙ୍ଗିଗଲା । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ ର ଫାଇନାଲ୍ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତୀୟ ଦଳକୁ ୬ ୱିକେଟରେ ପରାସ୍ତ କରିଛି । ଅଷ୍ଟ୍ରେଲିଆର ଏହି ବିଜୟରେ ହିରୋ ବାମହାତୀ ଓପନର୍ ଟ୍ରାଭିସ୍ ହେଡ୍ ୧୩୭ ରନର ଚମତ୍କାର ଇନିଂସ ଖେଳି ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ । ଏହା ବ୍ୟତୀତ ଲାବୁସାଗ୍ନେ ୫୮ ରନ୍ ସ୍କୋର କରିଥିଲେ । ଟାଇଟଲ ମ୍ୟାଚରେ ଅଷ୍ଟ୍ରେଲିଆ ଆରମ୍ଭରୁ ଭାରତ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲା ।

ଏହା ଅଷ୍ଟ୍ରେଲିଆର ଷଷ୍ଠ ଦିନିକିଆ ବିଶ୍ୱକପ୍ ଟାଇଟଲ୍ ଥିଲା । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫୦ ଓଭରରେ ୨୪୦ ରନ୍ ସ୍କୋର କରିଥିଲା । ୨୪୧ ରନ୍‌ର ଲକ୍ଷ୍ୟକୁ ପିଛାକରି ଅଷ୍ଟ୍ରେଲିଆ ୪୩ ଓଭରରେ ମ୍ୟାଚ ଜିତି ନେଇଥିଲା । ପ୍ୟାଟ୍ କମିନ୍ସଙ୍କ ଦ୍ୱାରା ପରିଚାଳିତ ଅଷ୍ଟ୍ରେଲିଆ ଦଳ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ସମେତ ତିନୋଟି ବିଭାଗରେ ଉତ୍କୃଷ୍ଟ ପଦର୍ଶନ କରିଥିଲା ।

ଓପନର୍ ଟ୍ରାଭିସ୍ ହେଡ୍ ଓ ପାଞ୍ଚ ନମ୍ବର ମାର୍ନୁସ୍ ଲାବୁସାଗ୍ନେ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ଦେଇଥିଲେ । ଚତୁର୍ଥ ୱିକେଟ୍ ପାଇଁ ଉଭୟ ବ୍ୟାଟ୍ସମ୍ୟାନ୍ ୧୯୨ ରନ୍ ଭାଗିଦାରୀ କରିଥିଲେ, ଯାହା ଆଗରେ ସମସ୍ତ ଭାରତୀୟ ବୋଲର ବିଫଳ ହୋଇଥିଲେ । ହେଡ୍ ଏକ ଶତକ ହାସଲ କରିଥିଲେ ଓ ଲାବୁସାଗ୍ନେ ଏକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଉଭୟ ବ୍ୟାଟ୍ସମ୍ୟାନ୍ ବୁଦ୍ଧିମାନ ଭାବରେ ଇନିଂସକୁ ଆଗେଇ ନେଇଥିଲେ ଓ କଙ୍ଗାରୁ ଦଳକୁ ବିଜୟ ଦେଇଥିଲେ । ତେବେ ମ୍ୟାଚ୍ ଜିତିବା ପୂର୍ବରୁ ଟ୍ରାଭିସ୍ ୧୩୭ ରନ୍ କରି ଆଉଟ୍ ହୋଇଥିଲେ ।

ଅଷ୍ଟ୍ରେଲିଆ ୬.୬ ଓଭରରେ ୩ ୱିକେଟ୍ ହରାଇଥିଲେ ମଧ୍ୟ ଅଷ୍ଟ୍ରେଲିଆ ମ୍ୟାଚରେ ପ୍ରାଧାନ୍ୟ ବିସ୍ତାର କରିଚାଲିଥିଲା । କଙ୍ଗାରୁ ଦଳକୁ ପ୍ରଥମ ଝଟକା ଡେଭିଡ ୱାର୍ଣ୍ଣର (୦୭) ଙ୍କ ରୂପରେ ଆସିଥିଲା, ଯିଏ ଶାମିଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ଏହା ପରେ ବୁମ୍ରା ମିଚେଲ ମାର୍ଶ (୧୫) କୁ ପଞ୍ଚମ ଓଭରରେ ପ୍ୟାଭିଲିୟନକୁ ପଠାଇଥିଲେ । ତା’ପରେ ବୁମ୍ରା ସପ୍ତମ ଓଭରରେ ଷ୍ଟିଭ୍ ସ୍ମିଥ୍ (୦୪) କୁ ତାଙ୍କ ଶିକାର କରିଥିଲେ।

୪୭ ରନ୍ ସ୍କୋରରେ ଅଷ୍ଟ୍ରେଲିଆ ୩ ୱିକେଟ୍ ହରାଇଥିଲା । କିନ୍ତୁ ଏହା ପରେ ଟ୍ରାଭିସ୍ ହେଡ୍ ଏବଂ ମାର୍ସନ୍ ଲାବୁସାଗେନଙ୍କ ଚତୁର୍ଥ ୱିକେଟ୍ ଭାଗିଦାରୀ ଭାରତୀୟ ବୋଲରଙ୍କୁ ଚତ୍ମକାର ଭାବେ ଖେଳିଥିଲେ । ଉଭୟ ୨୧୫ ବଲରେ ୧୯୨ ରନ୍ ଯୋଡିଥିଲେ । ତେବେ ଏହି ଭାଗିଦାରୀ ୪୩ ତମ ଓଭରର ଶେଷ ବଲରେ ଭାଙ୍ଗିଗଲା, ଯେତେବେଳେ ଅଷ୍ଟ୍ରେଲିଆ ଜିତିବାକୁ ମାତ୍ର ୨ ରନ୍ ଆବଶ୍ୟକ କରୁଥିଲା ।

ବିଫଳ ହୋଇଥିଲେ ଭାରତୀୟ ବୋଲର
ଭାରତୀୟ ଦଳ ପାଇଁ ଜସପ୍ରୀତ ବୁମ୍ରା ୯ ଓଭରରେ ୪୩ ରନ୍ ଖର୍ଚ୍ଚ କରିବା ପରେ ୨ ୱିକେଟ୍ ନେଇଥିଲେ । ଏହା ବ୍ୟତୀତ ମହମ୍ମଦ ଶାମି ଓ ସିରାଜଙ୍କୁ ଗୋଟିଏ ଲେଖାଁ ସଫଳତା ମିଳିଥିଲା ।