ବିଜେପି ପ୍ରାର୍ଥୀ ପରିବର୍ତ୍ତନ କରି ଜୟରାମ ପାଙ୍ଗୀଙ୍କ ବଦଳରେ କଲରାମ ମାଝୀଙ୍କୁ ସୁଯୋଗ ଦେଇଛି। ତେବେ ତିନି ଦଳ ଟାଣୁଆ ନେତା ରହିଥିବା ବେଳେ କାହାକୁ ନିଜର ନେତା ଭାବେ ବାଛୁଛନ୍ତି ତାହା ଆସନ୍ତା ଜୁନ ୪ ତାରିଖରେ ଫଳାଫଳ ଘୋଷଣା ହେବା ପରେ ସ୍ପଷ୍ଟ ହୋଇଯିବ।
Trending Photos
ଭୁବନେଶ୍ୱର: ଚଳିତ ମାସ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏହି କ୍ରମରେ କୋରାପୁଟରେ ଆସନ୍ତା ୧୩ ତାରିଖରେ ମତଦାତାମାନେ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ଚଳିତ ନିର୍ବାଚନରେ କୋରାପୁଟ ଲୋକସଭା ଆସନରେ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନା ରହିଛି। କଂଗ୍ରେସ, ବିଜେପି ଓ ବିଜେଡ଼ି ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ଶନିବାର (ମଇ ୪, ୨୦୨୪) ଦକ୍ଷିଣ ଓଡ଼ିଶା ଗସ୍ତ କରି କୋରାପୁଟ ଓ ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସୋମବାର ପ୍ରଧାନମନ୍ତ୍ରୀ ଦକ୍ଷିଣ ଓଡ଼ିଶାର ଦୁଇଟି ସ୍ଥାନରେ ନିର୍ବାଚନୀ ପ୍ରଚାର କରିବା ପରେ ରାଜନୈତିକ ମାହୋଲ ବେଶ ଉଷ୍ମ ହୋଇ ପଡ଼ିଛି।
କୋରାପୁଟର ଲୋକସଭା ଆସନର ଫଳାଫଳ ବିଶେଷ କରି ସଂଖ୍ୟାଲଘୁ, ଖ୍ରୀଷ୍ଟିଆନ ସମ୍ପ୍ରଦାୟ, ଏସସି ଓ ଏସଟି ବର୍ଗର ମତଦାତାଙ୍କ ଉପରେ ନିର୍ଭର କରିଥାଏ। ଯଦି ଏହାର ଲୋକସଂଖ୍ୟା ଉପରେ ନଜର ପକାଇବା କୋରାପଟୁ ଲୋକସଭା ଆସନ ଅଧିନରେ ୧୪,୮୦,୨୦୭ ଜଣ ଭୋଟର ରହିଛନ୍ତି। ଏମାନଙ୍କ ମଧ୍ୟରେ ୭,୦୬,୪୧୭ ଜଣ ପୁରୁଷ ଭୋଟର ରହିଥିବା ବେଳେ ୭,୭୩,୫୩୦ ଜଣ ମହିଳା ଭୋଟର ରହିଛନ୍ତି। ଏହା ଛଡ଼ା ଏହି ଆସନ ଅଧିନରେ ଚାଣକ୍ୟ ତଥ୍ୟ ଅନୁଯାୟୀ ସର୍ବାଧିକ ଅନୁସୂଚିତ ଜାତି (SC)ଙ୍କ ସଂଖ୍ୟା ସର୍ବାଧିକ ୫୨.୯୨ ପ୍ରତିଶତ ରହିଛି। ସେହିପରି ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ୧୪.୨୯ ପ୍ରତିଶତ ରହିଥିବା ବେଳେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ୬.୬ ପ୍ରତିଶତ ରହିଛି। ତେବେ ନିର୍ବାଚନରେ ଏମାନଙ୍କ ମତଦାନ ବହୁମାତ୍ରାରେ ପ୍ରଭାବ ପକାଇଥାଏ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋରଦାର ହେଉଛି।
କୋରାପୁଟର ଭୌଗୋଳିକ ସ୍ଥିତି ଉପରେ ଦୃଷ୍ଟି ପକାଇଲେ ଏହି ଜିଲ୍ଲାଟି ଦୁଇଟି ରାଜ୍ୟର ସୀମାକୁ ଲାଗିଥିବା ବେଳେ ଦୁଇଟି ଜିଲ୍ଲାକୁ ଲାଗି ରହିଛି। ଫଳରେ ସୀମାବର୍ତ୍ତି ଅଞ୍ଚଳରେ ମୌଳିକ ସମସ୍ୟା ସବୁବେଳେ ଏକ ପ୍ରାଥମିକ ସମସ୍ୟା ଭାବେ ଉଭା ହୋଇଛି। ବିଶେଷ କରି କୋରାପୁଟର ପଟାଙ୍ଗୀରେ ଆନ୍ଧ୍ର ପ୍ରଦେଶ ମୌଳିକ ସୁବିଧାକୁ ଯୋଗାଇ ଦେଇ ରାଜ୍ୟ ରାଜନୀତିକୁ ପ୍ରଭାବିତ କରି ଆସୁଛି। ସେହିପରି ଏହାକ ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଲୋକମାନଙ୍କ ସୁରକ୍ଷା ମଧ୍ୟ ପ୍ରାର୍ଥୀଙ୍କ ପାଇଁ ମଧ୍ୟ ଏକ ପ୍ରସଙ୍ଗ ହୋଇପାରେ। ତେବେ ଏହି ଅଞ୍ଚଳର ଭୋଟକୁ କେଉଁ ମୁଦ୍ଦା ଆଧାରରେ ହାତେଇ ହେବ ତାହା ଉପରେ ତିନି ଦଳ ଏବେ କସରତ ଚଳାଇଛନ୍ତି।
ସେପଟେ ଏହି ଲୋକସଭା ଆସନ ଅନ୍ତର୍ଗତ ୭ଟି ବିଧାନସଭା ଆସନ ରହିଛି। ରାୟଗଡା ଜିଲ୍ଲାର ଗୁଣୁପୁରୁ, ବିଷମ କଟକ, ଓ ରାୟଗଡ଼ା ରହିଥିବା ବେଳେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, ଜୟପୁର, କୋରାପୁଟ ଓ ପଟାଙ୍ଗୀ ରହିଛି। ଏହି ସାତଟି ଆସନ ମଧ୍ୟରୁ ୪ଟି ଶାସକ ବିଜେଡି ଅଧିନରେ ରହିଥିବା ବେଳେ ଦୁଇଟି କଂଗ୍ରେସ ଓ ଗୋଟିଏରେ ସ୍ୱାଧୀନ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ୨୦୦୯ ଓ ୨୦୧୪ ନିର୍ବାଚନକୁ ବାଦ ଦିଆଯାଏ ତେବେ କଂଗ୍ରେସ ଅଧିନରେ ଏହି ଆସନଟି ରହି ଆସିଛି। ଯଦି ପୂର୍ବ ନିର୍ବାଚନ (୨୦୧୯ ସାଧାରଣ ନିର୍ବାଚନ)ର ଫଳାଫଳ ଉପରେ ନଜର ପକାଯାଏ ତେବେ ଭାରତୀୟ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ ଏହି ଗତ ନିର୍ବାଚନରେ ତିନି ଦଳ ମଧ୍ୟରେ ବେଶ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ତେବେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକା ବହୁ କମ ବ୍ୟବଧାନରେ ଶାସକ ଦଳର କୌଶଲ୍ୟ ହିକକାଙ୍କୁ ପରାଜିତ କରିଥିଲେ। ସାଂସଦ ଥିବା ସପ୍ତଗିରି ଉଲ୍ଲାକା ୩୪.୩୬ ପ୍ରତିଶତ ହାରରେ ୩୭୧୧୨୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ୩୪.୦୨ ହାରରେ ୩୬୭୫୧୬ ଖଣ୍ଡ ଭୋଟ ପାଇଥିଲେ। ସେହିପରି ବିଜେପିର ଜୟରାମ ପାଙ୍ଗି ୨୦୮୩୯୮ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।
ଗତ ନିର୍ବାଚନରେ ଜୟପୁର, ପଟାଙ୍ଗୀ ଓ ରାୟଗଡ଼ାରୁ ଅଧିକ ମାତ୍ରାରେ ଶ୍ରୀ ଉଲ୍ଲାକାଙ୍କୁ ସମର୍ଥନ ମିଳିଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହୁଏ। ତେବେ ଚଳିତ ନିର୍ବାଚନରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ରିପିଟ କରିଥିବା ବେଳେ ବିଜେପି ପ୍ରାର୍ଥୀ ପରିବର୍ତ୍ତନ କରି ଆସନକୁ ନିଜ ଅଧିନକୁ ନେବାକୁ ଆଶାବାଦୀ ରହିଛି। ବିଜେଡି ପକ୍ଷରୁ କୌଶଲ୍ୟ ହିକକା ଓ କଂଗ୍ରେସରୁ ସପ୍ତଗିରି ଉଲାକା ପ୍ରାର୍ଥୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ପରିବର୍ତ୍ତନ କରି ଜୟରାମ ପାଙ୍ଗୀଙ୍କ ବଦଳରେ କଲରାମ ମାଝୀଙ୍କୁ ସୁଯୋଗ ଦେଇଛି। ତେବେ ତିନି ଦଳ ଟାଣୁଆ ନେତା ରହିଥିବା ବେଳେ କାହାକୁ ନିଜର ନେତା ଭାବେ ବାଛୁଛନ୍ତି ତାହା ଆସନ୍ତା ଜୁନ ୪ ତାରିଖରେ ଫଳାଫଳ ଘୋଷଣା ହେବା ପରେ ସ୍ପଷ୍ଟ ହୋଇଯିବ।