ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଚଳାଇବ ଗୋଟି; ଜାଣନ୍ତୁ କେମିତି କରିବ ଖେଳ
Advertisement
Article Detail0/zeeodisha/odisha1206077

ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଚଳାଇବ ଗୋଟି; ଜାଣନ୍ତୁ କେମିତି କରିବ ଖେଳ

୨୦୨୨ ରାଷ୍ଟ୍ରପତି ନିର୍ବାଚନରେ କଲେଜିୟମ୍ ବ୍ୟବସ୍ଥାର ମୋଟ ମୂଲ୍ୟ ହେଉଛି ୧୦ ଲକ୍ଷ ୯୦ ହଜାର ୯୦୩। ରାଷ୍ଟ୍ରପତି ନିର୍ବାଚନ ଲଢୁଥିବା କୌଣସି ଦଳର ପ୍ରାର୍ଥୀଙ୍କୁ ବିଜୟ ଲାଗି ୫ ଲକ୍ଷ ୪୯ ହଜାର ୪୫୨ ଭୋଟ ଆବଶ୍ୟକ। ବର୍ତ୍ତମାନ ବିଜେପି ପାଖରେ ୪୮.୯ ଏବଂ ଅଣ ବିଜେପି ମେଣ୍ଟ ପାଖରେ ୫୧.୧ ପ୍ରତିଶତ ଭୋଟ ରହିଛି।

ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଚଳାଇବ ଗୋଟି; ଜାଣନ୍ତୁ କେମିତି କରିବ ଖେଳ

(ପ୍ରଶାନ୍ତ କୁମାର ଜେନା )- ଭୁବନେଶ୍ବର: ଆସନ୍ତା ୨୪ ଜୁଲାଇରେ ସରୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ। ହେଲେ ଏହା ପୂର୍ବରୁ ନିର୍ବାଚିତ ହେବେ ଦେଶର ନୂଆ ରାଷ୍ଟ୍ରପତି। କିଛିଦିନ ଭିତରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଛି। ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଲାଣି ଦେଶର ରାଜନୀତି। କିଏ ହେବେ ଆଗାମୀ ରାଷ୍ଟ୍ରପତି ତାକୁ ନେଇ ମଧ୍ୟ ପ୍ରକାଶ ପାଇଲାଣି କଳ୍ପନାଜଳ୍ପନା। ବିଭିନ୍ନ ବ୍ୟକ୍ତିଙ୍କ ନାମକୁ ନେଇ ମଧ୍ୟ ଗଣମାଧ୍ୟମରେ ଚାଲିଛି ଆଲୋଚନା। ସଦ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ରାଷ୍ଟ୍ରପତି ନିର୍ବାଚନକୁ ଗଣମାଧ୍ୟମରେ ଆରମ୍ଭ ହୋଇଗଲାଣି ଆଲୋଚନା। କାରଣ ଚଳିତ ବର୍ଷ ଜୁଲାଇରେ ଅନୁଷ୍ଠିତ ହେଉଥିବାରାଷ୍ଟ୍ରପତି ନିର୍ବାଚନରେ ଓଡିଶାରେ କ୍ଷମତୀନନ ବିଜେଡି ଏବଂ ଆନ୍ଧ୍ର ପ୍ରଦେଶରେ ସରକାର ଗଠନ କରିଥିବା ୱାଇଏସଆର କଂଗ୍ରେସ ଭଳି ଦଳ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ଏହି ନିର୍ବାଚନରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିରୋଧୀଙ୍କ ଠାରୁ କଡା ମୁକାବିଲାର ସମ୍ମୁଖୀନ ହେଉଛି।

ଦେଶରେ ରାଷ୍ଟ୍ରପତି ନିର୍ବାଚନରେ ବ୍ୟବହାର ହେଉଥିବା କଲେଜିୟମ୍ ବ୍ୟବସ୍ଥାର ମୋଟ ମୂଲ୍ୟ ହେଉଛି ୧୦ ଲକ୍ଷ ୯୦ ହଜାର ୯୦୩। ରାଷ୍ଟ୍ରପତି ନିର୍ବାଚନ ଲଢୁଥିବା କୌଣସି ଦଳର ପ୍ରାର୍ଥୀଙ୍କୁ ବିଜୟ ଲାଗି ୫ ଲକ୍ଷ ୪୯ ହଜାର ୪୫୨ ଭୋଟ ଆବଶ୍ୟକ। ହେଲେ ସଂଖ୍ୟାବଳ ଅନୁସାରେ ବିରୋଧି ଭୋଟ ହାର ଠାରୁ ପଛରେ ରହିଛି ଶାସକ ବିଜେପି। ଯାହା ଫଳରେ ରାଷ୍ଟ୍ରପତି ନିର୍ବାଚନରେ ବେଶ ସତର୍କତାର ସହ ଗୋଟି ଚାଳନା କରୁଛନ୍ତି ମୋଦି ସରକାର। ସେପଟେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ କୌଣସି ମୁହୂର୍ତ୍ତରେ ବିରୋଧିଙ୍କ ହାତ ଧରିବାର ସମ୍ଭାବନା ଥିବାରୁ ରାଷ୍ଟ୍ରପତି ନିର୍ବାଚନରେ ଉଭୟ ବିଜେଡି ଏବଂ ୱାଇଏସଆର କଂଗ୍ରେସ ଭଳି ଦଳର ସମର୍ଥନ ବିଜେପି ଲାଗି ଆବଶ୍ୟକୀୟ ହୋଇପଡ଼ିଛି। ଏପରି ସ୍ଥିତିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଉଠିଛି। 

ଏପରି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡିଙ୍କ ସମର୍ଥନର ପ୍ରତିଶୃତି ମଧ୍ୟ ମିଳିସାରିଥିବା ଆଲୋଚନା ହେଉଛି। ଏହା ମଧ୍ୟରେ ବିରୋଧି କେଉଁ ରଣନୀତି ଆପଣାଉଛନ୍ତି ତାହାକୁ ଅପେକ୍ଷା କରି ରହିଛନ୍ତି କେନ୍ଦ୍ରରେ କ୍ଷମତାସୀନ ବିଜେପି। ସେପଟେ ବିରୋଧିଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ଏକାଠି କରିବାକୁ ଲାଗି ପଡିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ। ରାଷ୍ଟ୍ରପତି ନିର୍ବାଚନରେ ଶାସକ ମେଣ୍ଟକୁ ଚକମା ଦେଖାଇବା ସହ ଉଭୟ ଓଡିଶା-ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଚେକମେଟ୍ ଦେବାକୁ ବିରୋଧି ଏକ ସ୍ଵତନ୍ତ୍ର ରଣନୀତି କରୁଥିବା ଚର୍ଚ୍ଚା ହେଉଛି। ଏପରି ସ୍ଥିତିରେ ବିରୋଧି ଦଳ ଆଞ୍ଚଳିକ କାର୍ଡ ଖେଳିବାକୁ ଚିନ୍ତା କରୁଥିବା ମଧ୍ୟ ଚର୍ଚ୍ଚା ଚାଲିଛି। କେନ୍ଦ୍ରରେ ଶାସକ ବିଜେପି ମେଣ୍ଟର ପ୍ରାର୍ଥୀ ଚୟନକୁ ଅପେକ୍ଷା କରିଛନ୍ତି ବିରୋଧି। ଶାସକ ମେଣ୍ଟର ପ୍ରାର୍ଥୀଙ୍କ ମୁକାବିଲ୍ଲା ପାଇଁ ଓଡିଶା କିମ୍ବା ଆନ୍ଧ୍ର ପ୍ରଦେଶରୁ ଜଣେ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବାକୁ ବିରୋଧି ରଣନୀତି ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି। ଏନେଇ ଚାଲିଥିବା ଆଲୋଚନା ପ୍ରାଥମିକ ସ୍ତରରେ ରହିଥିବା ବେଳେ ଏହାର ରୂପରେଖ ମିଳିତ ବୈଠକରେ ସ୍ଥିର କରିବାକୁ ବିରୋଧି ଦଳ ଲକ୍ଷ ରଖିଛନ୍ତି। 

ଯଦି ଆନ୍ଧ୍ର ପ୍ରଦେଶରୁ ମୋଦି ସରକାର ରାଷ୍ଟ୍ରପତି ପ୍ରାର୍ଥୀ ଛିଡା କରନ୍ତି ତାହେଲେ ବିରୋଧି ଓଡିଶାରୁ ରାଷ୍ଟ୍ରପତି ପ୍ରାର୍ଥୀ ଦେଇ ଆଞ୍ଚଳିକତା ଦୃଷ୍ଟିରୁ ନବୀନ ପଟ୍ଟନାୟଙ୍କୁ ଚେକ ଦେବାକୁ ଲକ୍ଷ ରଖିଥିବା ଆଲୋଚନା ହେଉଛି। ସେହିପରି ଯଦି ମୋଦି ସରକାର ଓଡିଶାରୁ ପ୍ରାର୍ଥୀ ଦିଅନ୍ତି ତାହେଲେ ବିରୋଧି ଆନ୍ଧ୍ର ପ୍ରଦେଶରୁ ପ୍ରାର୍ଥୀ ଦେଇ ଓ୍ଵାଇଏସଅର କଂଗ୍ରେସ ଭଳି ଆଞ୍ଚଳିକ ଦଳକୁ ଚେକମେଟ୍ ଦେବାକୁ ଲକ୍ଷ ରଖିଥିବା ଚର୍ଚ୍ଚା ହେଉଛି। ଯଦି ଏପରି ଚର୍ଚ୍ଚା ସତ୍ୟରେ ପରିଣତ ହୁଏ ଏବଂ ନୀତିଶ କୁମାର ଯଦି ବିରୋଧି ପକ୍ଷ ସହ ଛିଡା ହୁଅନ୍ତି ତାହେଲେ ଏପରି ସ୍ଥିତିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କିମ୍ବା ଓ୍ଵାଇଏସଆର କଂଗ୍ରେସ ମୁକ୍ୟ ଜଗନ ମୋହନ ରେଡିଙ୍କ ଭିତରୁ ବିରୋଧି ଯାହାଙ୍କୁ ଜଣଙ୍କୁ ଆଞ୍ଚଳିକତା କାର୍ଡ ଖେଳି ଚେକମେଟ୍ ଦିଅନ୍ତି ତାହେଲେ ରାଷ୍ଟ୍ରପତି ନିର୍ବାଚନରେ ନିଜ ପ୍ରାର୍ଥୀଙ୍କୁ ଜିତାଇବା ବିଜେପି ଲାଗି ଚ୍ୟାଲଞ୍ଜିଂ ହୋଇପାରେ। 

ଏହି କାରଣରୁ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନ କେନ୍ଦ୍ରରେ କ୍ଷମତାସୀନ ବିଜେପି ପାଇଁ ଅଗ୍ନି ପରୀକ୍ଷା ସଦୃଶ୍ୟ ହୋଇଛି। କେନ୍ଦ୍ରର ମୋଦି ସରକାର ଏପରି ଏକ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବା ବାବଦରେ ଆଲୋଚନା କରୁଛନ୍ତ ଯିଏ ଉଭୟ ଆନ୍ଧ୍ର ପ୍ରଦେଶ-ଓଡିଶା ସରକାରଙ୍କ ଗ୍ରହଣୀୟ ହୋଇ ପାରିବା ସହ ଦୁଇ ରାଜ୍ୟରେ ବିରୋଧି ଆଞ୍ଚଳିକତା ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇ ପାରିବେ ନାହିଁ। ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ବିଜେପି ଏଭଳି ଜଣେ ଗ୍ରହଣୀୟ ବର୍ଷୀୟାନ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ନେଇ ଆଲୋଚନା କରିଥିବା ବେଳେ କେବଳ ଅ।ନୁଷ୍ଠାନିକ ଘୋଷଣାକୁ ବାକି ରହିଥିବା ଚର୍ଚ୍ଚା ହେଉଛି। ଏନେଇ ନବୀନ ପଟ୍ଟନାୟକ ଏବଂ ଜଗନ ମୋହନ ରେଡିଙ୍କ ସହ ମଧ୍ୟ ଅ।ଲୋଚନା ହୋଇଥିବା ବେଳେ ଏହି ବର୍ଷୀୟାନ ବ୍ୟକ୍ତିଙ୍କୁ ନେଇ ଉଭୟ ଦଳ ରାଜି ହୋଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ଅ।ଗକୁ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଶାସକ ବିଜେପି ଏବଂ ବିରୋଧି ମେଣ୍ଟ ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଦୁଇ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥି କିଏ ହେଉଛନ୍ତି ତାହାକୁ ଅପେକ୍ଷା।