Loisingha MLA Mukesh Mahaling: ଓଡ଼ିଶାକୁ କେନ୍ଦ୍ର ସରକାର ଅବହେଳା କରୁଛନ୍ତି ନାଁ ରାଜ୍ୟର ବିକାଶ ପାଇଁ ସହାୟତା ପ୍ରଦାନ କରୁଛନ୍ତି ତାହା ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଯାଇଛି। ଏହି ପ୍ରସଙ୍ଗରେ ବିରୋଧି ବିଜେପି, ବିଜେଡ଼ି ସରକାରଙ୍କୁ ଟାର୍ଗେଟ କରିଛି।
Trending Photos
BJP MLA Mukesh Mahaling: ଦୀର୍ଘ ବର୍ଷ ଧରି ରାଜ୍ୟ ଶାସନରେ ରହିଥିବା ବିଜେଡି ଶେଷରେ କେନ୍ଦ୍ର ପ୍ରତି ବଦଳାଇଛି ତାହାର ଆଭିମୁଖ୍ୟ। ବିଧାନସଭାରେ ନିଜର ସ୍ୱର ବଦଳାଇଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘ ବର୍ଷର କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ଛାଡି ଏବେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଗୁରୁତ୍ଵ ଦେଉଥିବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୧୦ ନମ୍ବର ରୁ ୮ ନମ୍ବର ଦେଇ ପ୍ରଶଂସା କରିଛନ୍ତି। ଗୋଟିଏ ପଟେ ବିଜେଡି ସାଂସଦ ଏବଂ ବିଧାୟକ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ବେଶ ପ୍ରାଥମିକତା ଦେଉଥିବା ବେଳେ, ବିଜେଡି ସରକାରଙ୍କ ପାଇଁ ରାଜ୍ୟବାସୀ କେନ୍ଦ୍ରୀୟ ଯୋଜନାରୁ ବଞ୍ଚିତ ହେଉଥିବା ନେଇ ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ।
କଂଗ୍ରେସ ସରକାରର ଶେଷ ୧୦ ବର୍ଷରେ ଓଡ଼ିଶାକୁ ଜିଏସଟି ସଂଗ୍ରହ, ଖଣି ରାଜସ୍ୱ ଓ ଆର୍ଥକ କ୍ଷେତ୍ରରେ ଅନୁଦାନ ବାବଦକୁ ୩ ଲକ୍ଷ କୋଟି ଟଙ୍କା ଦେଇଥିବା ବେଳେ ବିଗତ ୯ ବର୍ଷରେ ମୋଦି ସରକାର ୧୮ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଦେଇଛନ୍ତି। ଓଡ଼ିଶାକୁ ଆର୍ଥିକ ରୂପେ ସଶକ୍ତ ଏବଂ ରାଜ୍ୟରେ ଭିତ୍ତିଭୂମି ବିକାଶ ପାଇଁ ଗତ ୯ ବର୍ଷରେ ୧୦ ଲକ୍ଷ ୬୯ ହଜାର କୋଟି ଅନୁଦାନ/ଟିକସ ଭାଗ ରାଜ୍ୟକୁ ମିଳିଛି। ଯାହା କଂଗ୍ରେସ ସମୟରେ ମାତ୍ର ୨ ଲକ୍ଷ ୪୩ ହଜାର କୋଟି ଟଙ୍କା ଥିଲା। ଓଡ଼ିଶାକୁ ରେକର୍ଡ ୪ ଗୁଣା ଅଧିକ ଅର୍ଥ କେବଳ ନରେନ୍ଦ୍ର ମୋଦିଙ୍କ ନୀତି ସୁଧାର ଏବଂ ଦୃଢ ନେତୃତ୍ୱ ଦ୍ୱାରା ହିଁ ସମ୍ଭବ ହୋଇପାରିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରାୟ ୨୭.୫୦ ଲକ୍ଷ ପକ୍କା ଘର ମଞ୍ଜୁର ହୋଇଛି। ୨୦୧୪-୧୫ ବର୍ଷରୁ ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାକୁ ପ୍ରାୟ ୩୩, ୦୦୦ କୋଟିର କେନ୍ଦ୍ରୀୟ ଅନୁଦାନ ମିଳିଛି। ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡିଶାର ୩.୨୫ କୋଟି ଲୋକ ଏହି ଯୋଜନାରେ ଲାଭ ପାଇଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ୩୨୫୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି କହିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ।
ବିଜେପି ବିଧାୟକ କହିଛନ୍ତି ଯେ, ଓଡ଼ିଶାରେ ଅନେକ ଯୋଜନାକୁ ରାଜ୍ୟ ସରକାର ଲାଗୁ କରୁନାହାଁନ୍ତି। ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନା, ପିଏମ ଶ୍ରୀ ଯୋଜନା, ପୋଷଣ ଯୋଜନା, ମେରିତ୍ରୀ ଭଳି ଯୋଜନାକୁ ଓଡିଶାରେ ଲାଗୁ କରୁନାହାଁନ୍ତି ମୁଖ୍ୟମନ୍ତ୍ରୀ। ଗତ ୯ ବର୍ଷରେ ମୋଦି ସରକାରରେ ଓଡ଼ିଶାରେ ୨୮,୨୫୧ କୋଟି ଟଙ୍କା ବ୍ୟୟରେ ୪,୧୪୩ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ହୋଇଥିବା ବେଳେ କଂଗ୍ରେସ ସରକାରର ୯ ବର୍ଷରେ ୪,୧୬୦ କୋଟି ଟଙ୍କା ବ୍ୟୟରେ ମାତ୍ର ୧,୪୯୮ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ହୋଇଛି। ପୂର୍ବ ସରକାର ତୁଳନାରେ ୭ ଗୁଣ ଅଧିକ ଅର୍ଥ ଓଡ଼ିଶାରେ ଜାତୀୟ ରାଜପଥ ପାଇଁ ଦିଆଯାଇଛି ଏବଂ ୪ ଗୁଣ ଅଧିକ ରାସ୍ତା ତିଆରି ହୋଇଛି। ଜାତୀୟ ରାଜପଥ ନିର୍ମାଣ ପାଇଁ ହେଉଥିବା ବିଳମ୍ବର ମୁଖ୍ୟ କାରଣ ହେଉଛି ଜମି ଅଧିଗ୍ରହଣ, ଜଙ୍ଗଲ ମଞ୍ଜୁରୀ। ଯାହା ପାଇଁ ରାଜ୍ୟ ସରକାର ମଧ୍ୟ ପ୍ରତ୍ୟକ୍ଷ ରୂପେ ଦାୟୀ।
ରାଜ୍ୟ ସରକାରଙ୍କ ନେତା, ମନ୍ତ୍ରୀ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବହୁ ଜାଗାରେ ପ୍ରକଳ୍ପକୁ ବିଳମ୍ବିତ କରାଉଛନ୍ତି। ଆନ୍ଦୋଳନ ଠାରୁ ଆରମ୍ଭ କରି ଠିକାଦାରଙ୍କୁ ହଇରାଣ ହରକତ କରିବାର ନଜିର ଅଛି। ଗୋଟିଏ ଗୋଟିଏ ପ୍ରକଳ୍ପରେ ୩-୪ ଥର ଡିପିଆର ବଦଳାଯାଉଛି, ତାହା କାହା ସ୍ୱାର୍ଥରେ ବଦଳୁଛି ସେ କଥା ବିଜୁ ଜନତା ଦଳ ନିଜେ ନିଜକୁ ପଚାରିବା ଆବଶ୍ୟକ। ଓଡ଼ିଶା ସରକାରଙ୍କ ପକ୍ଷରୁ ବାରମ୍ବାର ପ୍ରସ୍ତାବିତ ଆଲାଇନମେଣ୍ଟ ପରିବର୍ତନ କାରଣରୁ ଜାତୀୟ ରାଜପଥ ପ୍ରକଳ୍ପ ବିଳମ୍ବିତ ହୋଇଛି। ରାଜପଥ (କାକଟପୁର-ଏରସମା) ପ୍ୟାକେଜ୍-୩ ସଂଶୋଧିତ ଆଲାଇନମେଣ୍ଟ କୁ ତୀବ୍ର ବିରୋଧ କରାଯାଉଥିବାରୁ କାମ ବନ୍ଦ ରହିଛି। ଏଥିରେ ମଧ୍ୟ ସଂଶୋଧନ ହେବାର ସମ୍ଭାବନା ରହିଛି। ଓଡ଼ିଶା ସରକାର ଏହି ସବୁ କଲ୍ୟାଣକାରୀ କାମରେ କାହିଁକି ବାଧକ ସାଜିଛନ୍ତି। ଏହି ସବୁ ବିଷୟ ବିଜେଡ଼ି ସରକାରର କାରଣରୁ ରହିଛି। ଯଦି ଅବହେଳା କରୁଛ କହୁଛ, ତାହେଲେ ଗତକାଲି ମୁଖ୍ୟମନ୍ତ୍ରୀ କହିଲେ ମୋଦି ସରକାରଙ୍କ କାମକୁ ମୁଁ ୧୦ ନମ୍ବର ରୁ ୮ ନମ୍ବର ଦେବି। ସତ କଥା କ'ଣ? ବିଧାନସଭାର ବିଧାୟକଙ୍କ କଥା ସତ ନାଁ ମୁଖ୍ୟମନ୍ତ୍ରୀଙ୍କ କଥା ସତ ବୋଲି ପ୍ରଶ୍ନ କରିଛନ୍ତି ଲୋଇଁସିଂଘା ବିଧାୟକ ମୁକେଶ ମହାଲିଙ୍ଗ।