Odisha Election 2024: ନଜର ପକାନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୈତିକ କ୍ୟାରିୟର ଉପରେ
Advertisement

Odisha Election 2024: ନଜର ପକାନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୈତିକ କ୍ୟାରିୟର ଉପରେ

Odisha Election 2024: ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ଲଢ଼ିବେ । ଏନେଇ ଘୋଷଣା କରିଛି ବିଜେପି ।  ଘୋଷଣା ହେବା ପରେ ସମ୍ବଲପୁର ବିଜେପି କାର୍ଯ୍ୟାଳୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ବିଜେପି କର୍ମୀମାନେ ଆତସବାଜି କରିବା ସହ ସ୍ଲୋଗାନ ଦେଇ ସ୍ୱାଗତ କରିଥିଲେ । ଖାଲି ଓଡିଶାର ନୁହଁ, ଜାତୀୟ ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା । ଆସନ୍ତୁ ଥରେ ନଜର ପକାଇବା ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୈତିକ ଯାତ୍ରା ଉପରେ...

ସୌଜନ୍ୟ-ସୋସିଆଲ ମିଡି଼ଆ

Odisha Election 2024: ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ଲଢ଼ିବେ । ଏନେଇ ଘୋଷଣା କରିଛି ବିଜେପି ।  ଘୋଷଣା ହେବା ପରେ ସମ୍ବଲପୁର ବିଜେପି କାର୍ଯ୍ୟାଳୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ବିଜେପି କର୍ମୀମାନେ ଆତସବାଜି କରିବା ସହ ସ୍ଲୋଗାନ ଦେଇ ସ୍ୱାଗତ କରିଥିଲେ । ଖାଲି ଓଡିଶାର ନୁହଁ, ଜାତୀୟ ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା । ଦୀର୍ଘ ଦଶ ବର୍ଷ ଧରି କେନ୍ଦ୍ରରେ ଅତି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦରେ ରହି ନିଜ ପ୍ରତିଭାରେ ଖାଲି ଦେଶରେ ନୁହେଁ, ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆସନ୍ତା ୨୪ ସାଧାରଣ ନିର୍ବାଚନରେ ଧର୍ମେନ୍ଦ୍ର ପ୍ରଧାନ କେଉଁ ଆସନରୁ ନିର୍ବାଚନ ଲଢ଼ିବେ ତାହା ଜାଣିବା ପାଇଁ ସମସ୍ତେ ଅପେକ୍ଷା କରିଥିଲେ । ୨୪ ମାର୍ଚ୍ଚରେ ବିଜେପି ଦଳ ପକ୍ଷରୁ ଔପଚାରିକ ଭାବରେ ଘୋଷଣା ହୋଇଛି। ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ । 

ଆସନ୍ତୁ ଥରେ ନଜର ପକାଇବା ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୈତିକ ଯାତ୍ରା ଉପରେ :

ଯୁବ ଅବସ୍ଥାରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ରେ ୧୯୮୬ ମସିହାରେ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । ସେ ପ୍ରଥମ ବର୍ଷରେ ତାଳଚେରର କଲେଜ ଛାତ୍ର ସଂସଦର ସଭାପତି ଭାବରେ ନିର୍ବାଚିତ ହେବା ସହ ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କର ନେତୃତ୍ୱ ନେଇ ୧୯୯୦ ସୁଦ୍ଧା ଓଡିଶାର ଜଣେ ଲଢୁଆ ଛାତ୍ରନେତା ଭାବରେ ଛାତ୍ର-ଯୁବ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଧର୍ମେନ୍ଦ୍ର ପ୍ରଧାନ ୧୯୯୧ ମସିହାରୁ ବିଦ୍ୟାର୍ଥୀ ପରିଷଦରେ ପୂର୍ଣ୍ଣ କାଳୀନ କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ ଆରମ୍ଭ କରିବା ପରେ ୧୯୯୨ ରୁ ୧୯୯୭ ମସିହା ମଧ୍ୟରେ ଏବିଭିପିର ସମ୍ବଲପୁର ବିଭାଗ ସଂଗଠନ ସମ୍ପାଦକ, ରାଜ୍ୟ ସମ୍ପାଦକ ଓ ରାଷ୍ଟ୍ରୀୟ ସମ୍ପାଦକ ଥିବା ସମୟରେ ସମ୍ବଲପୁରରେ ରହି ସଂଗଠନ କାର୍ଯ୍ୟ କରି ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ । 

ସମ୍ବଲପୁରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଓ ଯୁବକ ମାନଙ୍କୁ ରାଷ୍ଟ୍ରୀୟ ବିଚାରଧାରାରେ ଯୋଡିବା ସହିତ ସମ୍ବଲପୁର ଓ ଆଖପାଖ ଜିଲ୍ଲାରେ ବିଦ୍ୟାର୍ଥୀ ପରିଷଦକୁ ସୁଦୃଢ କରିବାରେ ସମର୍ଥ ହୋଇଥିଲେ । ସେ ସମୟରେ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଓ ଯୁବ ବର୍ଗଙ୍କ ଗହଣରେ ଅତ୍ୟନ୍ତ ଲୋକପ୍ରିୟ ଥିଲେ । ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ସହର ତଥା ଅନ୍ୟାନ୍ୟ ପାଖାପାଖି ଅଞ୍ଚଳରେ ଅନେକ ଲୋକଙ୍କ ସହ ପରିଚୟ ସୃଷ୍ଟି କରିବା ଓ ପରେ ଅନେକ ପରିବାର ସହିତ ତାଙ୍କର ନିବିଡ ସମ୍ପର୍କ ଗଢିଉଠିଥିଲା । ତାଙ୍କର ସାଙ୍ଗଠନିକ ଓ ସାମାଜିକ କାର୍ଯ୍ୟ କରିବାର ଇଚ୍ଛାଶକ୍ତି ଯୋଗୁଁ ସେ ସମସ୍ତଙ୍କ ପ୍ରିୟ ପାତ୍ର ହୋଇପାରିଥିଲେ । ୨୦୦୧ ରେ ରାଜ୍ୟ ଯୁବମୋର୍ଚ୍ଚାର ସଭାପତି ଦାୟିତ୍ୱ ନେବା ପରେ ଓଡ଼ିଶା ବିଜେପିର ଯୁବ ବାହିନୀ ଯଥେଷ୍ଟ ସଶକ୍ତ ହୋଇଥିଲା ।

୨୦୦୪ ମସିହାରେ ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ନିର୍ବାଚିତ ହୋଇ ଦେଶସାରା ଯୁବକ ମାନଙ୍କୁ ନେତୃତ୍ବ ଦେଇଥିଲେ । ୨୦୦୭ରେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ଓ ୨୦୧୦ ମସିହାରେ ଦୁଇଥର ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ । ଏଥିରୁ ତାଙ୍କର ସାଙ୍ଗଠନିକ ଦକ୍ଷତାର ଅନୁଭବ ପ୍ରମାଣିତ ହୁଏ । ସେହିପରି ୨୦୦୦ ମସିହାରେ ଧର୍ମେନ୍ଦ୍ର ପ୍ରଧାନ ପାଲଲହଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବହୁତ୍ କମ୍ ବୟସରେ ଓଡ଼ିଶା ବିଧାନସଭାକୁ ଖାଲି ନିର୍ବାଚିତ ହୋଇ ନ ଥିଲେ, ବିଧାନସଭାରେ ନିଜର ଭଲ ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ବିଧାୟକ ଭାବେ “ଉତ୍କଳମଣି ଗୋପବନ୍ଧୁ ପ୍ରତିଭା ସମ୍ମାନ”ରେ ମଧ୍ୟ ସେ ସମ୍ମାନିତ ହେବାର ଗୌରବ ଅର୍ଜନ କରିଥିଲେ । ୨୦୦୪ ମସିହାରେ ଦେଶରେ ଭୌଗୋଳିକ ବ୍ୟାପ୍ତି ଦୃଷ୍ଟିରୁ ସେ ସମୟରେ ଅନ୍ୟତମ ସର୍ବବୃହତ ଦେବଗଡ଼ ଲୋକସଭା ନିର୍ବାଚନ ମଣ୍ଡଳିରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । 

ଦେଶର ପ୍ରତିଷ୍ଠିତ ଗଣମାଧ୍ୟମ ଗୁଡ଼ିକ ତାଙ୍କୁ ଭଲ ପ୍ରଦର୍ଶନ କରୁଥିବା ଯୁବ ସାଂସଦ ଭାବରେ ଆକଳନ କରିଥିଲେ । ଜନତାଙ୍କ ବିଶ୍ୱାସ ଭାଜନ ହୋଇ ପ୍ରଥମ ଥର ପାଇଁ ସାଂସଦ ଭାବେ ୧୪ ତମ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଦେବଗଡ଼ର ସାଂସଦ ଥିବା ସମୟରେ ସମ୍ବଲପୁର ସହ ତାଙ୍କର ଏକ ଭାବପୂର୍ଣ୍ଣ ସମ୍ପର୍କ ଗଢି ଉଠିଥିଲା । ଏବେ ସମ୍ବଲପୁରରୁ ସାଂସଦ ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ଏହି ଅଞ୍ଚଳବାସୀଙ୍କ ମନରେ ଉତ୍ସାହ ଖେଳିଯାଇଛି । ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଓଡ଼ିଆ ଭାବରେ ଦୁଇ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । କେନ୍ଦ୍ରରେ କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱରେ ରହି ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ସମେତ ସମ୍ବଲପୁରରେ ଅନେକ ବିକାଶମୂଳକ କାର୍ଯ୍ୟ କରି ଆସୁଛନ୍ତି । IIM ସମ୍ବଲପୁର ର ସ୍ଥାୟୀ କ୍ୟାମ୍ପସ ଶିଳାନ୍ୟାସଠୁ ଆରମ୍ଭ କରି କାର୍ଯ୍ୟକ୍ଷମ କରିବା ପର୍ଯ୍ୟନ୍ତ ସବୁ କାମର ପ୍ରତ୍ୟକ୍ଷ ତଦାରଖ କରୁଥିଲେ ଧର୍ମେନ୍ଦ୍ର ପ୍ରଧାନ । ତା’ ସହିତ ଦକ୍ଷତା ବିକାଶ ପାଇଁ ସମ୍ବଲପୁର ଓ ପାଖାପାଖି ଜିଲ୍ଲା କେନ୍ଦ୍ରରେ ସ୍କିଲ ଇଣ୍ଡିଆ ସେଣ୍ଟରର ନିର୍ମାଣ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ପ୍ରତି ଥିବା ଭଲ ପାଇବାର ପ୍ରମାଣ ଦେଇଛି । ସମ୍ବଲପୁରର ପ୍ରସିଦ୍ଧ ଲୋକଗୀତ ରଙ୍ଗବତୀର ସମ୍ମାନରେ ଏକ ସ୍ୱତନ୍ତ୍ର ରଙ୍ଗବତୀ ସେଣ୍ଟର IIMରେ ସ୍ଥାପନ କରିଛନ୍ତି ।

 କେବଳ ସେତିକି ନୁହଁ, ରେଳ ବିଭାଗରେ ସମ୍ବଲପୁରବାସୀଙ୍କ ଅନେକ ଦିନର ଦାବିକୁ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରିବା ସହ ସମ୍ବଲପୁର ଜାତୀୟ ରାଜପଥର ତ୍ୱରାନ୍ୱିତ ପାଇଁ ସରକାରଙ୍କ ନିକଟରେ ନିରନ୍ତର ଉଦ୍ୟମ କରିଥିଲେ । ତା''ସହ ରିଙ୍ଗ ରୋଡ଼, ଫ୍ଲାଇ ଓଭର ନିର୍ମାଣ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନେକ ଅବଦାନ ରହିଛି । ବିଗତ ଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କର୍ଣ୍ଣାଟକର ନିର୍ବାଚନୀ ପ୍ରଭାରୀ ଭାବରେ ଗୁରୁ ଦାୟିତ୍ୱ ତୁଲାଇଛନ୍ତି । ୨୦୨୧ରେ ଉତ୍ତରପ୍ରଦେଶର ନିର୍ବାଚନୀ ପ୍ରଭାରୀ ଭାବରେ ମଧ୍ୟ ପାର୍ଟି ତାଙ୍କୁ ଦାୟିତ୍ୱ ଦେଇଥିଲା ଏବଂ ଉତ୍ତରପ୍ରଦେଶରେ ଭାରତୀୟ ଜନତା ପାର୍ଟି ଦ୍ବିତୀୟ ଥର ସରକାର ଗଠନ କରିବାରେ ସକ୍ଷମ ହୋଇଥିଲା । 

୨୦୧୦ ରୁ ୨୦୧୫ ପର୍ଯନ୍ତ ବିହାରର ନିର୍ବାଚନୀ ଓ ସାଙ୍ଗଠନିକ ପ୍ରଭାରୀ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ । ୨୦୧୩ ରେ ଛତିଶଗଡ଼ର ସରକାର ଗଠନ ହେଉ କିମ୍ବା ୨୦୧୪ରେ ନିର୍ବାଚନ ପ୍ରଭାରୀ ଅଥବା ୨୦୧୭ରେ ଉତ୍ତରାଖଣ୍ଡର ସରକାର ଗଠନ –ଏହି ସମୟରେ କେନ୍ଦ୍ରମନ୍ତ୍ରୀଙ୍କୁ ପର୍ଯ୍ୟବେକ୍ଷକ ଭାବରେ ଦାୟିତ୍ୱ ଦିଆଯାଇଥିଲା । ୨୦୨୧ ରେ ପଶ୍ଚିମବଙ୍ଗ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନନ୍ଦିଗ୍ରାମ ବିଧାନସଭା ନିର୍ବାଚନ ମଣ୍ଡଳିରେ ବିଜେପି ପ୍ରଚାର ଏବଂ ରଣନୀତିର ଦାୟିତ୍ୱ ଦିଆଯାଇଥିଲା । ଯାହାକୁ ସଫଳ ଭାବେ ତୁଲାଇ ଅବିଶ୍ୱସନୀୟ ଭାବେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ସର୍ବଦା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଅଗାଢ ବିଶ୍ୱାସ ଓ ଆସ୍ଥାପ୍ରକଟ କରିଛନ୍ତି । ବିଜେପିର ଶୀର୍ଷ ନେତୃତ୍ୱମାନେ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛନ୍ତି, ସେ ସୂଚାରୁ ରୂପେ ତୁଲାଇଥିବାର ପ୍ରମାଣ ରହିଛି । ଧର୍ମେନ୍ଦ୍ର ପ୍ରଧାନ ବର୍ତ୍ତମାନ ଭାରତ ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ । ସେ ଶିକ୍ଷା ବିଭାଗ ଦାୟିତ୍ୱ ନେବା ପରେ ନୂଆ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ଏବଂ ଶିକ୍ଷା ବିଭାଗରେ ବିଭିନ୍ନ ସଂସ୍କାର ଆଣିବା ଭଳି କ୍ରିୟାନ୍ୱୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ବିଭାଗର ବିଭିନ୍ନ ଅନୁଷ୍ଠାନରେ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେବା ପ୍ରକ୍ରିୟାକୁ ଆରମ୍ଭ କରି ସାରିଛନ୍ତି। ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ ଶିକ୍ଷା ଅନୁଷ୍ଠାନରେ ମୌଳିକ ସୁବିଧା, ସ୍ମାର୍ଟ କ୍ଲାସରୁମ୍ ତଥା ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି । ତାଙ୍କ ନେତୃତ୍ୱରେ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଓଡ଼ିଆ ସମେତ ବିଭିନ୍ନ ଆଞ୍ଚଳିକ ଭାଷାରେ ପାଠପଢା ପାଇଁ ପଥ ପରିଷ୍କାର ହୋଇଛି ।

୨୦୧୪ ରୁ ଜୁଲାଇ ୨୦୨୧ ପର୍ଯ୍ୟନ୍ତ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଭାବେ ଦେଶର ଇତିହାସରେ ସର୍ବାଧିକ କାଳ ଏହି ମନ୍ତ୍ରଣାଳୟର ମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି । ସେ ପେଟ୍ରୋଲିୟମ ମନ୍ତ୍ରଣାଳୟକୁ ସାଧାରଣ ଜନତାଙ୍କ ମନ୍ତ୍ରଣାଳୟରେ ପରିବର୍ତ୍ତନ କରିଛନ୍ତି । ତାଙ୍କ ନେତୃତ୍ୱରେ ଓଡ଼ିଶାରେ ପୂର୍ବୋଦୟ ମିଶନରେ ପେଟ୍ରୋଲିୟମ, ତୈଳ ସମେତ ବିଭିନ୍ନ କ୍ଷେତ୍ରରେ ୨ ଲକ୍ଷ ୪ ହଜାର କୋଟି ଟଙ୍କା ବୃହତ ପୁଞ୍ଜିନିବେଶ ହୋଇଛି । ଓଡ଼ିଶା ସମେତ ଦେଶ ଘରେ ଘରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ସଫଳ କ୍ରିୟାନ୍ୱୟନ ତାଙ୍କୁ ‘ଉଜ୍ଜ୍ୱଳା ମ୍ୟାନ’ର ଆଖ୍ୟା ଦେଇଛି । ଧର୍ମେନ୍ଦ୍ର ପ୍ରଧାନ ସଫଳତାର ସହ ଇସ୍ପାତ୍ ମନ୍ତ୍ରଣାଳୟର ଦାୟିତ୍ୱ ନେଇ ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣ ସହ ଇସ୍ପାତ କ୍ଷେତ୍ରରେ ଓଡ଼ିଶାକୁ ଆଗକୁ ନେବା ପାଇଁ ବଡ ଦାୟିତ୍ୱ ନେଇଛନ୍ତି । ତାଙ୍କ ନେତୃତ୍ୱରେ କୋଭିଡ୍ ସମୟରେ ନିରନ୍ତର ଅକ୍ସିଜେନ ଉପଲବ୍ଧ କରାଇବାରେ ଇସ୍ପାତ୍ ବିଭାଗ ଗୁରୁ ଦାୟିତ୍ୱ ନେଇଥିଲା । 

ତାଙ୍କର କାମ ଓଡ଼ିଶା ପ୍ରତି ଭଲପାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍କଳର ରତ୍ନ ଭାବେ ସମ୍ବୋଧନ କରିଥିଲେ, ଯାହାଙ୍କ ଦକ୍ଷ ନେତୃତ୍ୱ ପାଇଁ କେବଳ ଆମ ରାଜ୍ୟ ନୁହେଁ ବରଂ ଦେଶ ଗର୍ବିତ । ଧର୍ମେନ୍ଦ୍ର ପ୍ରଧାନ ଜଣେ ବ୍ୟକ୍ତି ନୁହେଁ ବରଂ ଜଣେ ଅନୁଷ୍ଠାନ । ରାଜନୀତିରେ ଜଣେ ଅନୁଭବୀ ବ୍ୟକ୍ତିତ୍ୱ । ତାଙ୍କର କାର୍ଯ୍ୟ କରିବାର ଶୈଳି ଓ ରାଜନୈତିକ ଇଚ୍ଛାଶକ୍ତି ଅନ୍ୟ ମାନଙ୍କ ଠାରୁ ଭିନ୍ନ । ଏବେ ସମ୍ବଲପୁର ଲୋକସଭା ଆସନ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପ୍ରାର୍ଥୀ ଭାବେ ଘୋଷଣା କରିଛି । ସମ୍ବଲପୁର ସମେତ ସାରା ଓଡ଼ିଶାବାସୀ ଏବେ ରାଜ୍ୟର ରାଜନୈତିକ ଦୃଶ୍ୟପଟ୍ଟକୁ ନେଇ ବେଶ ଉତ୍ସାହିତ ଅଛନ୍ତି ।