MP Suspension in India: ଯେବେ ସଂସଦରୁ ନିଲମ୍ବିତ ହୋଇଥିଲେ ୬୩ ସାଂସଦ; ଜାଣନ୍ତୁ ୩୪ ବର୍ଷର ପୁରୁଣା ଇତିହାସ
Advertisement

MP Suspension in India: ଯେବେ ସଂସଦରୁ ନିଲମ୍ବିତ ହୋଇଥିଲେ ୬୩ ସାଂସଦ; ଜାଣନ୍ତୁ ୩୪ ବର୍ଷର ପୁରୁଣା ଇତିହାସ

1989 Member of Parliament Suspension: ଆଜକୁ ପ୍ରାୟ ୩୪ ବର୍ଷ ପୂର୍ବେ ସଂସଦରୁ ଥରକେ ନିଲମ୍ବିତ ହୋଇଥିଲେ ବିରୋଧି ଦଳର ୬୩ ଜଣ ସାଂସଦ।

 MP Suspension in India: ଯେବେ ସଂସଦରୁ ନିଲମ୍ବିତ ହୋଇଥିଲେ ୬୩ ସାଂସଦ; ଜାଣନ୍ତୁ ୩୪ ବର୍ଷର ପୁରୁଣା ଇତିହାସ

Member of Parliament Suspension in India: ସଂସଦରେ ଚାଲିଥିବା ଶୀତକାଳୀନ ଅଧିବେଶନରେ ସୋମବାର ଏକ ଅପ୍ରୀତିକର ଇତିହାସ ସୃଷ୍ଟି ହୋଇଯାଇଛି। ଏପରି ଇତିହାସ ସୃଷ୍ଟି କରିବାକୁ କେହି ଚେଷ୍ଟା କରିନଥିଲେ କିମ୍ବା ଇଚ୍ଛା ପ୍ରକାଶ କରିନଥିଲେ। ହେଲେ ତଥାପି ଏଭଳି ଅପ୍ରୀତିକର ଇତିହାସ ସୃଷ୍ଟି ହୋଇଥିଲା। ସଂସଦର ଉଭୟ ଗୃହରେ ହଙ୍ଗାମା କରିବା କାରଣରୁ ୬୭ ସାଂସଦଙ୍କୁ ସମଗ୍ର ଅଧିବେଶନ ପାଇଁ ନିଲମ୍ବିତ କରାଯାଇଥିଲା। ଏହି କାର୍ଯ୍ୟାନୁଷ୍ଠାନ ଉପରେ କଂଗ୍ରେସ ସମେତ ଅନ୍ୟ ବିରୋଧି ଦଳ ଏହାକୁ ସରକାରଙ୍କ ଏକଛତ୍ରବାଦୀ ଶାସନ ବୋଲି କହିଛନ୍ତି। ଏଭଳି ଘଟଣା ପ୍ରଥମ ଥର ପାଇଁ ହୋଇନାହିଁ ଯେତେବେଳେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଜକୁ ୩୪ ବର୍ଷ ପୂର୍ବେ ଏଭଳି ଘଟଣା ଘଟିଥିଲା। ଯେତେବେଳେ କେନ୍ଦ୍ରରେ କଂଗ୍ରେସ ସରକାର କ୍ଷମତାସୀନ ରହିଥିଲା। ଏହି ସମୟରେ ୬୩ ସାଂସଦଙ୍କୁ ଏକକାଳୀନ ସଂସଦରୁ ନିଲମ୍ବିତ କରାଯାଇଥିଲା। ସେହି ସମୟରେ ଏପରି କେଉଁ ଘଟଣା ଘଟିଥିଲା ଯେ ଏତେ ସଂଖ୍ୟକ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା?

ଗୋଟିଏ ଥରରେ ନିଲମ୍ବିତ ହୋଇଥିଲେ ୬୩ ସାଂସଦ
୧୯୮୯ ମସିହାର କଥା। ସେତେବେଳେ ପ୍ରଚଣ୍ଡ ବହୁମତରେ ଗଠିତ ହୋଇଥିବା ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସରକାର କେନ୍ଦ୍ରରେ କ୍ଷମତାସୀନ ରହିଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଘଟଣାର ତଦନ୍ତ ପାଇଁ ତାଙ୍କ ସରକାର ୧୯୮୪ ମସିହାରେ ଠକ୍କର ଆୟୋଗ ଗଠନ କରିଥିଲେ। ଏହି ଆୟୋଗ ଏହାର ରିପୋର୍ଟ ୧୯୮୯ ମସିହାରେ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଥିଲା। ଯାହାକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସରକାର ସଂସଦରେ ଉପସ୍ଥାପନ କରିଥିଲେ। ଏହି ଅନୁସନ୍ଧାନ ରିପୋର୍ଟ ସହ ଜଡ଼ିତ ତଥ୍ୟ ଉପରେ ବିରୋଧି ଦଳ ଜବରଦସ୍ତ ହଙ୍ଗାମା କରିଥିଲେ। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସଂସଦର ଉଭୟ ଗୃହରୁ ୬୩ ଜଣ ସାଂସଦଙ୍କୁ ସମଗ୍ର ଅଧିବେଶନରୁ ନିଲମ୍ବିତ କରାଯାଇଥିଲା। ଏହି ୬୩ ସାଂସଦଙ୍କ ସହ ସଂସଦର ଅନ୍ୟ ୪ ଜଣ ସଦସ୍ୟ ଏହାକୁ ବିରୋଧ କରି କକ୍ଷ ତ୍ୟାଗ କରିଥିଲେ।

କେଉଁ ନିୟମ ଅନୁଯାୟୀ ସାଂସଦଙ୍କ ବିରୋଧରେ ଗ୍ରହଣ କରାଯାଇଛି କାର୍ଯ୍ୟାନୁଷ୍ଠାନ?
ଆପଣଙ୍କୁ କହିରଖୁଛୁ ଯେ ଲୋକସଭା ଏବଂ ରାଜ୍ୟସଭାର ଗୃହ କାର୍ଯ୍ୟ ପରିଚାଳନା କରିବା ପାଇଁସ ରୁଲ୍ସ ବୁକ୍ ରହିଛି। ଯେଉଁଥିରେ ଗୃହରେ ହଙ୍ଗମା କଲେ କିମ୍ବା ଅନ୍ୟ କୌଣସି ଅନୈତିକ କାର୍ଯ୍ୟ ରହିଲେ ଗୃହରୁ ନିଲମ୍ବନ କିମ୍ବା ବରଖାସ୍ତ କରିବାର ନିୟମ ରହିଛି। ଏହି ନିୟମ ଆଧାରରେ ଲୋକସଭା ବାଚସ୍ପତି ଓମ ବିର୍ଲା ୨୦୨୩ ଡିସେମ୍ବର ୧୮ ତାରିଖ ସୋମବାର ୩୩ ଜଣ ସାଂସଦଙ୍କୁ ଗୃହରୁ ନିଲମ୍ବିତ କରିଛନ୍ତି। ଏହି ସମୟରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ୩୪ ସାଂସଦଙ୍କୁ ଗୃହରୁ ନିଲମ୍ବିତ କରିଥିଲେ। ଏପରି ଗୋଟିଏ ଦିନରେ ସଂସଦର ଉଭୟ ଗୃହର ୬୭ ଜଣ ସଦସ୍ୟଙ୍କୁ ସମଗ୍ର ଅଧିବେଶନ ପାଇଁ ସଂସଦରୁ ନିଲମ୍ବିତ କରାଯାଇଛି। ଭାରତୀୟ ସଂସଦ ଇତିହାସରେ ଏହା ସାଂସଦ ନିଲମ୍ବନ ଘଟଣାରେ ସର୍ବବୃହତ୍ତ କାର୍ଯ୍ୟାନୁଷ୍ଠାନ ଭାବେ ବିବେଚନା କରାଯାଉଛି।
 
ଡିସେମ୍ବର ୧୪ ତାରିଖରେ ଗ୍ରହଣ କରାଯାଇଥିଲା କାର୍ଯ୍ୟାନୁଷ୍ଠାନ
ପୂର୍ବରୁ ଗତ ୧୪ ତାରିଖରେ ସଂସଦରେ ସାଂସଦଙ୍କ ବିରୋଧରେ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ପରେ ସମଗ୍ର ଅଧିବେଶନ ପାଇଁ ୧୪ ଜଣ ସାଂସଦଙ୍କୁ ଗୃହରୁ ବହିଷ୍କାର କରାଯାଇଥିଲା। ଯେଉଁଥିରେ ଜଣେ ରାଜ୍ୟସଭା ସାଂସଦଙ୍କ ସମେତ ଲୋକସଭାର ୧୩ ଜଣ ସଦସ୍ୟ ସାମିଲ ରହିଥିଲେ। ଏହି ୧୪ ଜଣ ସାଂସଦଙ୍କ ସମେତ ଅନ୍ୟ ୮୧ ଜଣ ସାଂସଦଙ୍କୁ ଶୀତ ଅଧିବେଶନରେ ସଂସଦରୁ ନିଲମ୍ବିତ କରାଯାଇଛି। 

ଆଗାମୀ ଦିନରେ ବଢିବ ରାଜନୈତିକ ଗତିରୋଧ
ଯଦି ଉଭୟ ଗୃହରେ ସଦସ୍ୟଙ୍କ ସଂଖ୍ୟାକୁ ଦେଖାଯାଏ ତାହେଲେ ବର୍ତ୍ତମାନ ଲୋକସଭାରେ ୫୩୮ ଜଣ ସଦସ୍ୟଙ୍କ ମଧ୍ୟରୁ ଶାସକ ଏନଡିଏ ମେଣ୍ଟ ପାଖରେ ୩୨୯, ବିରୋଧି ମେଣ୍ଟ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ପାଖରେ ୧୪୨ ଏବଂ ଅନ୍ୟ ଦଳ ପାଖରେ ୬୭ ଜଣ ସାଂସଦ ଅଛନ୍ତି। ବିରୋଧି ଦଳର ସାଂସଦଙ୍କ ମଧ୍ୟରୁ ୪୬ ଜଣଙ୍କୁ ସମଗ୍ର ଅଧିବେଶନ ପାଇଁ ନିଲମ୍ବିତ କରାଯାଇଛି। ରାଜ୍ୟସଭାର ୨୪୫ ଜଣ ସଦସ୍ୟଙ୍କ ମଧ୍ୟରୁ ଏନଡିଏ ପାଖରେ ୧୦୫ ଜଣ ସାଂସଦ ଅଛନ୍ତି। ଯେଉଁଠାରେ ଇଣ୍ଡିଆ ସହଯୋଗୀ ଦଳର ୬୪ ଏବଂ ଅନ୍ୟ ଦଳର ୭୬ ଜଣ ସାଂସଦ ଅଛନ୍ତି। ସେମାନଙ୍କ ମଧ୍ୟରୁ ବିରୋଧି ଦଳର ୪୬ ଜଣ ସାଂସଦଙ୍କୁ ଚଳିତ ଅଧିବେଶନ ପାଇଁ ନିଲମ୍ବିତ କରାଯାଇଛି। ସଂସଦରେ ଏତେ ସଂଖ୍ୟକ ସାଂସଦଙ୍କ ନିଲମ୍ବନ ଶାସକ-ବିରୋଧି ଦଳ ମଧ୍ୟରେ ଗତିରୋଧକୁ ଆହୁରି ବଢାଇବ।