Mulayam Singh Passes away: ଆଉ ନାହାନ୍ତି 'ନେତାଜୀ', ଅନାଥ ହୋଇଗଲା ସମାଜବାଦୀ ପାର୍ଟି
Advertisement
Article Detail0/zeeodisha/odisha1388030

Mulayam Singh Passes away: ଆଉ ନାହାନ୍ତି 'ନେତାଜୀ', ଅନାଥ ହୋଇଗଲା ସମାଜବାଦୀ ପାର୍ଟି

Mulayam Singh Passes away: ସମାଜବାଦି ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ 'ନେତାଜୀ' ନାମରେ ପରିଚିତ। ସେ ବର୍ତ୍ତମାନ ମେନପୁରୀ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି। ୮୩ ବର୍ଷିୟ ନେତାଜୀ ୧୦ ଥର ବିଧାୟକ ଏବଂ ୭ ଥର ଲୋକସଭା ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି। ସେ ଉତ୍ତର ପ୍ରଦେଶର ତିନିଥର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି।

Mulayam Singh Passes away: ଆଉ ନାହାନ୍ତି 'ନେତାଜୀ', ଅନାଥ ହୋଇଗଲା ସମାଜବାଦୀ ପାର୍ଟି

Mulayam Singh Passes away, ନୂଆଦିଲ୍ଲୀ: ଆଉ ନାହାନ୍ତି ନେତାଜୀ। ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ସୋମାବାର ସକାଳେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ ଶେଷ ନିଶ୍ୱାସ ତ୍ୟାଗ କରିଥିବା ନେଇ ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ଦୀର୍ଘ ୧୮ ଦିନ ଧରି ମୁଲାୟମ ସିଂହ ଯାଦବ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୁଲାୟମଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି। 

ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଦବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦହବଙ୍କ ଦେହାନ୍ତ ହୋଇଛି। ସମୋବାର ସକାଳ ପ୍ରାୟ ୮ଟା ୧୬ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ନିଶ୍ୱାସ ନେବାରେ ଅସୁବିଧା ଓ ରକ୍ତ ଚାପ କମିବା ପରେ ଅଗଷ୍ଟ ୨୨ ତାରିଖରେ ନେତାଜୀଙ୍କୁ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଗତ ଅକ୍ଟୋବର ୧ ତାରିଖରେ ଆସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ଏକ ଡାକ୍ତରୀ ଟିମର ତତ୍ତ୍ୱାବଧାନରେ ଥିଲେ। କିନ୍ତୁ ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା। ଗତ ଜୁଲାଇରେ ମୁଲାୟମ ସିଂହଙ୍କ ଦ୍ୱତୀୟ ପତ୍ନୀ ସାଧନା ଗୁପ୍ତାଙ୍କ ମୃତ୍ୟୁ ହୋଇଥିଲା। ସେ ଫୁସଫୁସ ସଂକ୍ରମଣରେ ପୀଡିତ ଥିଲେ। ୨୦୦୩ରେ ପ୍ରଥମ ପତ୍ନୀ ତଥା ଅଖିଳେଶ ଯାଦବଙ୍କ ମାଁ ମାଳତୀ ଦେବୀଙ୍କ ମୃତ୍ୟୁ ହୋଇଥିଲା।  

Also Read: Mulayam Singh Yadav health update: ICUରେ 'ନେତାଜୀ'ଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି? ପୁଅ ଅଖିଳେଶ ଦେଲେ ଏମିତି ବୟାନ

ମୁଲାୟମ ସିଂହ ଯାଦବ, କେବଳ ଉତ୍ତର ପ୍ରଦେଶ ନୁହଁ ଜାତୀୟ ରାଜନୀତିର ମଧ୍ୟ ଜଣେ ଚର୍ଚ୍ଚିତ ଚେହେରା ଥିଲେ। ୧୯୩୯ ମସିହା ନଭେମ୍ବର ୨୨ରେ ଇଟାୱାର ସଫେଇ ଗ୍ରାମରେ ଜନ୍ମିତ ମୁଲାୟମ ସିଂହ ଯାଦବ ୧୦ ଥର ବିଧାୟକ ଏବଂ ୭ ଥର ଲୋକସଭା ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି। ସେ ଉତ୍ତର ପ୍ରଦେଶର ତିନିଥର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ଏହା ବ୍ୟତୀତ କେନ୍ଦ୍ର ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ୧୯୬୭ ମସିହାରେ ସେ ପ୍ରଥମ ଥର ଉତ୍ତର ପ୍ରଦେଶର ବିଧାୟକ ଓ ୧୯୮୯ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ୧୯୯୩ ଓ ୨୦୦୩ ମସିହାରେ ମଧ୍ୟ ସେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ଭାରତରେ ଇନ୍ଦ୍ରା ଗାନ୍ଧୀଙ୍କ ଶାସନ କାଳରେ ଲାଗିଥିବା ଏମର୍ଜେନ୍ସିକୁ ମୁଲାୟମ ସିଂହ ଯାଦବ ଘୋର ବିରୋଧ କରିଥିଲେ। ଜେପି ଆନ୍ଦୋଳନରେ ସାମିଲ ହୋଇ ସେ ୧୯ ମାସ ଜେଲଦଣ୍ଡ ଭୋଗିଥିଲେ। ଲୋହିୟା ଆନ୍ଦୋଳନରେ ମଧ୍ୟ ମୁଲାୟମ ସକ୍ରୀୟ ଭାବେ ଅଂଶ ଗ୍ରହଣ କରିଥିଲେ। ୧୯୯୦ ମସିହାରେ ମୁଲାୟମ, ଚନ୍ଦ୍ର ଶେଖରଙ୍କ ଜନତା ଦଳରେ ସାମିଲ ହୋଇଥିଲେ। କିନ୍ତୁ ଦୁଇ ବର୍ଷ ପରେ ସେ ଜନତା ଦଳ ଛାଡି ୧୯୯୨ରେ ନିଜସ୍ୱ ଦଳ ଗଠନ କଲେ, ଯାହାର ନାମ 'ସମାଜବାଦୀ ପାର୍ଟି' ଦେଲେ। ନୂଆ ଦଳ ଗଠନ କରିବାର ମାତ୍ର ବର୍ଷେ ପରେ ୧୯୯୩ରେ ସେ ଦ୍ୱିତୀୟ ଥର ପାଇଁ ୟୁପିର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ। ସେହି ସମୟରେ ମୁଲାୟମଙ୍କ ଛବି ଉତ୍ତର ପ୍ରଦେଶର ଘରେ ଘରେ ଏକ ବିପ୍ଳବୀ ନେତା ଭାବେ ପରିଚିତ ଥିଲା। ତାଙ୍କୁ ରାଜନୀତି ଆଖଡାର ପହିଲୱାନ ବୋଲି କୁହାଯାଉଥିଲା।

Also Read: Mulayam Singh Yadav: ଡାକ୍ତରଖାନାରେ ବତିଲାଣି ସପ୍ତାହେ, କିପରି ରହିଛି ନେତାଜୀଙ୍କ ସ୍ୱାସ୍ଥ୍ୟବସ୍ଥା

୧୯୯୬ ମସିହାରେ ମୁଲାୟମ ସିଂହ ଯାଦବ ପ୍ରଥମ ଥର ଜାତୀୟ ରାଜନୀତିରେ ପ୍ରବେଶ କରିଥିଲେ। ସେ ମେନପୁରୀ ଲୋକସଭା ଆସନରୁ ବିପୁଳ ଭୋଟରେ ବିଜୟ ହୋଇ ସଂସଦକୁ ଯାଇଥିଲେ। ଆଉ ଦେବଗୌଡାଙ୍କ ମେଣ୍ଟ ସରକାରରେ ଦୁଇ ବର୍ଷ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ତାପରେ ୨୦୦୩ରେ ରାଜ୍ୟକୁ ଫେରି ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ। ୨୦୦୯ରେ ପୁଣି ଥରେ ଲୋକସଭା ନିର୍ବାଚନ (ମେନପୁରୀ) ରେ ପ୍ରତିଦ୍ୱନ୍ଦିତା କରି ବିଜୟ ହେଲେ। ଏହା ପରେ ୨୦୧୪ରେ ଆଜମଗଡ ଓ ୨୦୧୯ରେ ମେନପୁରୀ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।