By Poll 2022: ଏହି ୭ ଉପନିର୍ବାଚନ, ଯାହା ଉପରେ ରହିଛି ସବୁ ଦଳ ନଜର
Advertisement
Article Detail0/zeeodisha/odisha1473243

By Poll 2022: ଏହି ୭ ଉପନିର୍ବାଚନ, ଯାହା ଉପରେ ରହିଛି ସବୁ ଦଳ ନଜର

By Election News: ଗୁଜୁରାଟ ଏବଂ ହିମାଚଳ ପ୍ରଦେM ବିଧାନସଭା ନିର୍ବାଚନର ଏହି ବାତାବରଣ ମଧ୍ୟରେ ଓଡ଼ିଶା, ଛତିଶଗଡ, ଉତ୍ତର ପ୍ରଦେଶ, ରାଜସ୍ଥାନ, ବିହାରର ବିଭିନ୍ନ ବିଧାନସଭା ଏବଂ ଲୋକସଭା ଆସନରେ ଅନୁଷ୍ଠିତ ହୋଇଛି ଉପନିର୍ବାଚନ। ଏହି ନିର୍ବାଚନ ଲାଗି ଜିସେମ୍ବର ୫ ତାରିଖ ସୋମବାର ଅନୁଷ୍ଠିତ ହୋଇଥିଲା ଭୋଟ ଗ୍ରହଣ। ହେଲେ ଏହି ନିର୍ବାଚନ ଉଭୟ ଜାତୀୟ ତଥା ଆଞ୍ଚଳିକ ଦଳ ଲାଗି ଅଗ୍ନି ପରୀକ୍ଷା ସଦୃଶ୍ୟ ହୋଇଛି। କାରଣ ସବୁଦଳର ପ୍ରତିଷ୍ଠା ଏହି ନିର୍ବାଚନରେ ବାଜିରେ ଲାଗିଛି।

By Poll 2022: ଏହି ୭ ଉପନିର୍ବାଚନ, ଯାହା ଉପରେ ରହିଛି ସବୁ ଦଳ ନଜର

By Election 2022: ପ୍ରକାଶ ପାଇସାରିଛି ଗୁଜୁରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଏକଜିଟ୍ ପୋଲ ଫଳାଫଳ। ଉଭୟ ରାଜ୍ୟରେ ବିଜେପି ସରକାର ଗଠନ କରୁଥିବା ଏକଜିଟ୍ ପୋଲ ରିପୋର୍ଟ ଦର୍ଶାଉଛି। ବିଧାନସଭା ନିର୍ବାଚନର ଏହି ବାତାବରଣ ମଧ୍ୟରେ ଓଡ଼ିଶା, ଛତିଶଗଡ, ଉତ୍ତର ପ୍ରଦେଶ, ରାଜସ୍ଥାନ, ବିହାରର ବିଭିନ୍ନ ବିଧାନସଭା ଏବଂ ଲୋକସଭା ଆସନରେ ଅନୁଷ୍ଠିତ ହୋଇଛି ଉପନିର୍ବାଚନ। ଏହି ନିର୍ବାଚନ ଲାଗି ଜିସେମ୍ବର ୫ ତାରିଖ ସୋମବାର ଅନୁଷ୍ଠିତ ହୋଇଥିଲା ଭୋଟ ଗ୍ରହଣ। ହେଲେ ଏହି ନିର୍ବାଚନ ଉଭୟ ଜାତୀୟ ତଥା ଆଞ୍ଚଳିକ ଦଳ ଲାଗି ଅଗ୍ନି ପରୀକ୍ଷା ସଦୃଶ୍ୟ ହୋଇଛି। କାରଣ ସବୁଦଳର ପ୍ରତିଷ୍ଠା ଏହି ନିର୍ବାଚନରେ ବାଜିରେ ଲାଗିଛି।

ଉତ୍ତର ପ୍ରଦେଶର ମୈନପୁରୀ ଲୋକସଭା ସହ ରାଜ୍ୟର ଖତୌଲି ଏବଂ ରାମପୁର ବିଧାନସଭା ଆସନରେ ଅନୁଷ୍ଠିତ ହୋଇଯାଇଛି ଉପନିର୍ବାଚନ। ଏହା ସହିତ ଓଡ଼ିଶାର ପଦମପୁର, ଛତିଶଗଡର ଭାନୁପ୍ରତାପୁର, ବିହାରର କୁରହନି, ରାଜସ୍ଥାନର ସରଦାର ସହର ବିଧାନସଭା ଆସନରେ ମଧ୍ୟ ହୋଇଛି ଉପନିର୍ବାଚନ। ଏହି ନିର୍ବାଚନ ଲାଗି ଜିସେମ୍ବର ୫ ତାରିଖ ସୋମବାର ଅନୁଷ୍ଠିତ ହୋଇଯାଇଛି ମତଦାନ। 

ସମାଜବାଦୀ ପାର୍ଟ ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ନିଧନ ପରେ ମୈନପୁରୀ ଲୋକସଭା ଆସନରେ ଅନୁଷ୍ଠିତ ହୋଇଯାଇଛି ଉପନିର୍ବାଚନ। ଏହି ନିର୍ବାଚନରେ ଦଳର ପ୍ରତିଷ୍ଠା ବାଜିରେ ଲାଗିଛି। ଏହି ନିର୍ବାଚନକୁ ୨୦୨୪ ଲୋକସଭା ନିର୍ବାଚନର ସେମିଫାଇନାଲ ଭାବେ ଦେଖାଯାଉଛି। ମେନପୁରୀ ଆସନର ଫଳାଫଳ ଦେଶର ରାଜନୀତିରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ରାଜନୈତିକ ସ୍ଥିତି ସ୍ଥିର କରିବ। କେବଳ ଉତ୍ତର ପ୍ରଦେଶ ନୁହେଁ ସମଗ୍ର ଦେଶର ନଜର ମୈନପୁରୀ ଉପନିର୍ବାଚନ ଉପରେ ରହିଛି। ଗତ ୧୯୯୬ ମସିହାରୁ ୨୦୧୯ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ମୈନପୁରୀ ଆସନରୁ ୫ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ଉତ୍ତର ପ୍ରଦେଶ ରାଜନୀତିରେ ନେତାଜୀ ଭାବେ ଜଣାଶୁଣା ମୁଲାୟମ ସିଂହ ଯାଦବ। 

ଯଦି ମୈନପୁରୀ ଉପନିର୍ବାଚନରେ ବିଜେପି ଜିତି ଯାଏ, ତାହେଲେ ଏହା ବିରୋଧୀ ଦଳ ଖାସ କରି ସମାଜବାଦୀ ପାର୍ଟି ପାଇଁ ଏକ ବଡ ଝଟକା ସଦୃଶ୍ୟ ହେବ। କାରଣ ପୂର୍ବରୁ ରାଜ୍ୟର ଆଜମଗଡ ଏବଂ ରାମପୁର ଲୋକସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ଦଳକୁ ପରଜୟର ସ୍ୱାଦ ଚାଖିବାକୁ ପଡ଼ିଛି। ମୈନପୁରୀ ଉପନିର୍ବାଚନରେ କେବଳ ସମାଜବାଦୀ ପାର୍ଟି ନୁହେଁ ବରଂ ଦଳର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପ୍ରତିଷ୍ଠା ବାଜିରେ ଲାଗିଛି। ଏହି ନିର୍ବାଚନରେ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ସମାଜବାଦୀ ପାର୍ଟି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ଅନ୍ୟପକ୍ଷରେ ବିଜେପି ପକ୍ଷରୁ ରଘୁରାଜ ସିଂହ ଶାକ୍ୟ ନିର୍ବାଚନ ଲଢୁଛନ୍ତି। ଯିଏ ହେଉଛନ୍ତି ପୁରୁଣା ସମାଜବାଦୀ ନେତା।  

ଦଳର ପାରମ୍ପରିକ ଗଡ଼ କୁହାଯାଉଥିବା ମୈନପୁରୀ ଲୋକସଭା ଆସନରେ ବିଜୟ ବାନା ଉଡାଇବାକୁ ପ୍ରାଣମୂର୍ଚ୍ଚା ଉଦ୍ୟମ ଚଳାଇଛି ସମାଜବାଦୀ ପାର୍ଟି। ଅନ୍ୟପଟେ ଆଜମଗଡ ଏବଂ ରାମପୁର ଆସନରେ ମିଳିଥିବା ବିଜୟକୁ ନେଇ ଉତ୍ସାହିତ ହୋଇଉଠିଥିବା ବିଜେପି ଏବେ ମୈନପୁରୀ ଆସନ  ଦଖଲ କରିବାକୁ ଅଣ୍ଟାଭିଡିଛି। ହେଲେ ମୈନପୁରୀ ଆସନ ଲୋକସଭା ଆସନ କାହା ଦଖଲ ଯିବ ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଯିବ।

ବିଜେପି ବିଧାୟକ ବିକ୍ରମ ସିଂହ ସୈନୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ ଖାଲି ପଡିଛି ଉତ୍ତର ପ୍ରଦେଶର ଖତୌଲି ବିଧାନସଭା ଆସନ। ଗତ ୨୦୧୩ ମୁଜାଫରନଗର ଦଙ୍ଗା ମାମଲାରେ ଗତ ୧୧ ଅକ୍ଟୋବରରେ ମୁଜାଫରନଗର ସ୍ୱତନ୍ତ୍ର କୋର୍ଟ ବିଜେପି ବିଧାୟକଙ୍କୁ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ କରି  ୨ ବର୍ଷର କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହି କାରଣରୁ ୪ ନଭେମ୍ବରରେ ବିକ୍ରମ ସିଂହ ସୈନୀଙ୍କ ବିଧାନସଭା ସଦସ୍ୟତା ବାତିଲ ହୋଇଯାଇଥିଲା।

ଖତୌଲି ଉପନିର୍ବାଚନରେ ​​ମଦନ ଭୈୟା ସମାଜବାଦୀ ପାର୍ଟି-ରାଷ୍ଟ୍ରୀୟ ଲୋକ ଦଳ ମେଣ୍ଟରୁ ନିର୍ବାଚନ ଲଢୁଛନ୍ତି ମଦନ ଭୈୟା। ଅନ୍ୟପକ୍ଷରେ ବିଜେପି ଦଳର ପୂର୍ବତନ ବିଧାୟକ ବିକ୍ରମ ସିଂହ ସୈନିଙ୍କ ପତ୍ନୀ ରାଜକୁମାରୀ ସୈନୀଙ୍କୁ ପ୍ରାର୍ଥୀ କରିଛି। ଏହି ଉପନିର୍ବାଚନରୁ ବିଏସପି ଏବଂ କଂଗ୍ରେସ ଦୂରେଇ ରହିଛନ୍ତି। ଏହି ଆସନ ଜିତିବା ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହାର କାରଣ ହେଉଛି ବିଜେପି ବିଧାୟକ ବିକ୍ରମ ସିଂହ ସୈନୀ ଖତୌଲି ଆସନରୁ ଲଗାତାର ୨ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି। ଗତ ୨୦୧୭ ନିର୍ବାଚନରେ ବିଜେପି ବିଧାୟକ ସମାଜବାଦୀ ପାର୍ଟି ପ୍ରାର୍ଥୀ ଚନ୍ଦନ ସିଂ ଚୌହାନଙ୍କୁ ୩୧, ୩୭୪ ଏବଂ ୨୦୨୨ ନିର୍ବାଚନରେ ​ ଆରଏଲଡି ପ୍ରାର୍ଥୀ ରାଜପାଲ ସିଂ ସୈନୀଙ୍କୁ ୧୬, ୩୪୫ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ରାମପୁର ଆସନରୁ ନିର୍ବାଚିତ ହୋଇଥିଲେ ସମାଜବାଦୀ ପାର୍ଟି ନେତା ଆଜମ ଖାନ। ହେଲେ ଏକ ବିବାଦୀୟ ଭାଷଣ ଦେବା ମାମଲାରେ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ଆଜମ ଖାନଙ୍କ ବିଧାନସଭା ସଦସ୍ୟତା ଚାଲିଯାଇଥିଲା। ଏହା ପରେ ରାମପୁର ବିଧାନସଭା ଆସନରେ ଅନୁଷ୍ଠିତ ହୋଇଛି ଉପନିର୍ବାଚନ। ଗତ ଜୁନରେ ରାମପୁର ଲୋକସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ବାଜି ମାରି ନେଇଥିଲା ବିଜେପି। ବର୍ତ୍ତମାନ ଦଳର ନଜର ରାମପୁର ବିଧାନସଭା ଆସନ ଉପରେ ରହିଛି। ଏହି ଆସନରେ ମୁକାବିଲା ସିଧାସଳଖ ବିଜେପି-ସମାଜବାଦୀ ପାର୍ଟି ମଧ୍ୟରେ ହେବାକୁ ଯାଉଛି। 

ଗତ ୧୬ ଅକ୍ଟୋବରରେ ହୃଦଘାତରେ ପ୍ରାଣ ହରାଇଥିଲେ ଛତିଶଗଡର ଭାନୁପ୍ରତାପୁରର କଂଗ୍ରେସ ବିଧାୟକ ମନୋଜ ସିଂ ମାଣ୍ଡବୀ। ତାଙ୍କର ନିଧନ ପରେ ଖାଲି ପଡ଼ିଛି ଭାନୁପ୍ରତାପୁର ବିଧାନସଭା ଆସନ। ଏହି ଉପନିର୍ବାଚନ ଲାଗି ୫ ଡିସେମ୍ବରରେ ଅନୁଷ୍ଠିତ ହୋଇଥିଲା ମତଦାନ। ଏହି ନିର୍ବାଚନର ଫଳାଫଳ ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇବ। ଯଦିଓ ଏହି ଉପନିର୍ବାଚନ ଫଳାଫଳ ରାଜ୍ୟରେ କ୍ଷମତାସୀନ କଂଗ୍ରେସ ସରକାରଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ, ହେଲେ ଆସନ୍ତା ବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ବିଜୟରେ ଦଳକୁ ଶକ୍ତି ମିଳିବ। 

ଭାନୁପ୍ରତାପୁର ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି ୧ ଲକ୍ଷ ୯୫ ହଜାର ୬୭୮ ଭୋଟର। ଏଠାରେ ମୁକାବିଲା ସିଧାସଳଖ କଂଗ୍ରେସ-ବିଜେପି ମଧ୍ୟରେ ହୋଇଛି।  କଂଗ୍ରେସ ପକ୍ଷରୁ ଦଳର ପୂର୍ବତନ ବିଧାୟକ ମନୋଜ ସିଂ ମାଣ୍ଡବୀଙ୍କ ପତ୍ନୀ ସାବିତ୍ରୀ ଏବଂ ବିଜେପି ପକ୍ଷରୁ ପୂର୍ବତନ ବିଧାୟକ ବ୍ରାହ୍ମନନ୍ଦ ନେତମ ନିର୍ବାଚନ ଲଢୁଛନ୍ତି।

ଗତ ଅକ୍ଟୋବରରେ ସିବିଆଇ କୋର୍ଟ ଏକ ଠକେଇ ମାମଲାରେ ଆରଜେଡି ବିଧାୟକ ଅନିଲ କୁମାର ସାହାଣୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଯିଏ ବିହାରର କୁରହାନି ଆସନରୁ ପ୍ରତିନିଧିତ୍ୱ କରୁଥିଲେ। ଆରଜେଡି ବିଧାୟକ ଅନିଲ କୁମାର ସାହାଣୀ ଅଯୋଗ୍ୟ ଘୋଷିତ ହେବା ପରେ ଖାଲିପଡ଼ିଛି କୁରହାନି ବିଧାନସଭା ଆସନ। ଯାହା ପରେ ଏହି  ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହୋଇଥିଲା ଉପନିର୍ବାଚନ। ଏହି  ନିର୍ବାଚନର ଫଳାଫଳ ଉପରେ ରହିଛି ସମସ୍ତଙ୍କ ନଜର। କାରଣ ଗତ ଅଗଷ୍ଟରେ ଜେଡିୟୁ-ବିଜେପି ମେଣ୍ଟ ଭାଙ୍ଗିବା ପରେ ଏହା ହେଉଛି ପ୍ରଥମ ନିର୍ବାଚନ। ଏହି ଜେଡିୟୁ, ଆରଜେଡି ପକ୍ଷରୁ ସମ୍ପୂର୍ଣ୍ଣ ସମର୍ଥନ ପାଇଛି। ଏହି ଉପନିର୍ବାଚନର ଫଳାଫଳ ଦର୍ଶାଇବ ଯେ ଆରଜେଡି ନିଜର ମେଣ୍ଟ ସହଯୋଗୀଙ୍କୁ ଏହାର ଭୋଟ୍ ବ୍ୟାଙ୍କ ସ୍ଥାନାନ୍ତର କରିପାରୁଛି ନା ନାହିଁ।

ଗତ ଅକ୍ଟୋବରରେ ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂହ ବରିହଙ୍କ ନିଧନ ପରେ ଖାଲିପଡ଼ିଛି ଓଡ଼ିଶାର ପଦମପୁର ଆସନ। ଯାହା ପରେ ଏହି ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହୋଇଛି ଉପନିର୍ବାଚନ। ପଦମପୁର ଉପନିର୍ବାଚନରେ ମୋଟ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି ୨ ଲକ୍ଷ ୫୭ ହଜାର ୪୭୪ ଜଣ ମତଦାତା।  ଏହି ନିର୍ବାଚନର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ନିକଟରେ ଅନୁଷ୍ଠିତ ହୋଇଥିବା ଧାମନଗର ଉପନିର୍ବାଚନରେ ବିଜେପି ​​ବିଜୟୀ ହୋଇଥିବା ବେଳେ ବିଜେଡି ପରାଜୟ ବରଣ କରିଥିଲା। ଧାମନଗରରେ  ମିଳିଥିବା ପରାଜୟକୁ ଦୋହରାଇବାକୁ ଚାହୁଁନାହିଁ ବିଜେଡି। ଅନ୍ୟପଟେ ଧାମନଗର ବିଜୟ ପରେ ବିଜେପି ପୁଣି ଥରେ ଏହାର ସଫଳତାକୁ ପଦମପୁରରେ ପୁନରାବୃତ୍ତି କରିବାକୁ ଚାହୁଁଛି। ହେଲେ ପଦମପୁର ଉପନିର୍ବାଚନରେ କିଏ ମାରିବ ବାଜି ତାହା ଭୋଟ ଗଣତିରୁ ଜଣାପଡ଼ିବ। 

କଂଗ୍ରେସ ବିଧାୟକ ଭୱଁର ଲାଲ ଶର୍ମାଙ୍କ ନିଧନ ପରେ ଖାଲି ପଡିଛି ରାଜସ୍ଥାନର ସରଦାର ସହର ବିଧାନସଭା ଆସନ। ଯାହା ପରେ ଏହି ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହୋଇଛି ଉପନିର୍ବାଚନ। ଉଭୟ ବିଜେପି-କଂଗ୍ରେସ ଏହି ନର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହେଉଥିବା ଉପରେ ନଜର ରଖିଛନ୍ତି। ଅନ୍ୟପଟେ ହନୁମାନ ବେନିୱାଲଙ୍କ ନେତୃତ୍ୱାଧିନ ରାଷ୍ଟ୍ରିୟ ଲୋକତାନ୍ତ୍ରିକ ପାର୍ଟି ନିଜର ଭାଗ୍ୟ ପରୀକ୍ଷା କରୁଛି। ଏହି ନିର୍ବାଚନରେ କଂଗ୍ରେସ ଦଳର ପର୍ବତନ ବିଧାୟକଙ୍କ ପୁଅ ଅନିଲଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟେ ବିଜେପି ପକ୍ଷରୁ ଦଳର ପୂର୍ବତନ ବିଧାୟକ ଅଶୋକ କୁମାର ପିଞ୍ଚା ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ଯିଏ ଅତୀତରେ ୬ ଥର ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ଆରଏଲପି ପକ୍ଷରୁ ଲାଲଚାନ୍ଦ ମୁଣ୍ଡ ପ୍ରାର୍ଥୀ ହୋଇଛନ୍ତି।