ଏ ନିର୍ବାଚନରେ ୮ ପ୍ରମୁଖ ଘଟଣା ଯାହା ଇତିହାସ ହୋଇ ରହିବ
Advertisement
Article Detail0/zeeodisha/odisha2279793

ଏ ନିର୍ବାଚନରେ ୮ ପ୍ରମୁଖ ଘଟଣା ଯାହା ଇତିହାସ ହୋଇ ରହିବ

ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ୨୦୨୪ ଅନେକ ଦୃଷ୍ଟିରୁ ସ୍ମରଣୀୟ ହୋଇ ରହିବ। ଆସନ୍ତୁ ନଜର ପକାଇବା ଏମିତି ୮ଟି ପ୍ରମୁଖ ବନ୍ଦୁ ଯେଉଁଥିପାଇଁ ଏହି ନିର୍ବାଚନ ଇତିହାସ ପୃଷ୍ଠାରେ ଚର୍ଚ୍ଚିତ ଅଧ୍ୟାୟ ହେବ। 

ଏ ନିର୍ବାଚନରେ ୮ ପ୍ରମୁଖ ଘଟଣା ଯାହା ଇତିହାସ ହୋଇ ରହିବ

ଭୁବନେଶ୍ୱର:  ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ୨୦୨୪ ଅନେକ ଦୃଷ୍ଟିରୁ ସ୍ମରଣୀୟ ହୋଇ ରହିବ। ଆସନ୍ତୁ ନଜର ପକାଇବା ଏମିତି ୮ଟି ପ୍ରମୁଖ ବନ୍ଦୁ ଯେଉଁଥିପାଇଁ ଏହି ନିର୍ବାଚନ ଇତିହାସ ପୃଷ୍ଠାରେ ଚର୍ଚ୍ଚିତ ଅଧ୍ୟାୟ ହେବ। 

୧. ନବୀନଙ୍କ ପରାଜୟ: 
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଯାଏ ଯେତିକି ନିର୍ବାଚନ ଲଢ଼ିଛନ୍ତି ସବୁଥିରେ ଜିତିଛନ୍ତି। ପ୍ରଥମଥର ପାଇଁ ରାଜ୍ୟର ପଶ୍ଚିମାଞ୍ଚଳରେ ନବୀନଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ଜନତା। ନବୀନ ପ୍ରାର୍ଥୀ ହୋଇଥିବା କଣ୍ଟାବାଞ୍ଜିରେ ତାଙ୍କୁ ବିଫଳତା ମିଳିଛି। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ତାଙ୍କୁ ୧୬ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି। ସେହିପରି ତାଙ୍କର ପାରମ୍ପରିକ ଆସନ ହିଞ୍ଜିଳିରେ ମଧ୍ୟ ନବୀନ ବିଜୟ ହୋଇଥିଲେ ବି ବିଜୟ ବ୍ୟବଧାନ ନିରାଶାଜନକ ହୋଇଛି। 

୨. ଏକାଥରକେ ୧୯ ଆସନ: 
କୌଣସି ରାଷ୍ଟ୍ରୀୟ ଦଳକୁ ରାଜ୍ୟର ୨୧ ଲୋକସଭା ଆସନରୁ ୧୯ ଆସନ ମିଳିବ ଏକ ବିରଳ ଘଟଣା। ଯାହା ବିଜେପି ଲାଗି ଓଡ଼ିଶାରେ ମିଳିଛି। 

୩. ଜେଲରେ ଥାଇ ନିର୍ବାଚନରେ ବିଜୟ: 
ଖୋର୍ଦ୍ଧା ଇତିହାସରେ ଭାଜପାର ପ୍ରଥମ ବିଜୟ ହୋଇଛି । ବିନା ଦୋଷରେ ଷଡ଼ଯନ୍ତ୍ରର ଶୀକାର ହୋଇ ନିର୍ବାଚନ ଦିନ ଗିରଫ ହୋଇ ଜେଲ୍ ଯାଇଥିବା ଖୋର୍ଦ୍ଧାର ଭାଜପା ପ୍ରାର୍ଥୀ  ପ୍ରଶାନ୍ତ ଜଗଦ୍ଦେବ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜଦ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ସେ ହରାଇଛନ୍ତି ।  ପ୍ରଶାନ୍ତ ଜଗଦ୍ଦେବ ବିଜୟୀ ହେଲା ପରେ ଖୋର୍ଦ୍ଧାରେ ଉତ୍ସବ ପାଳନ ହେଉଥିବା ଦେଖିବାକୁ ମିଳିଛି ।

୪. ହାରିଲେ ମାଆ-ପୁଅ: 
ସମ୍ବଲପୁର ଲୋକସଭା ଆସନରେ ସନ୍ଧ୍ୟାରାଣୀଙ୍କ ପୁଅ ପ୍ରଣବ ପ୍ରକାଶ ଦାସ ବିଜେଡିର ପ୍ରାର୍ଥୀ ହୋଇଥିଲେ । ତାଙ୍କ ବିରୋଧରେ ବିଜେପିରୁକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଥିଲେ । ପ୍ରଣବ ପ୍ରକାଶ ଦାସ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଧର୍ମେନ୍ଦ୍ରଙ୍କଠାରୁ ହାରିଛନ୍ତି । ଏହାପରେ ପ୍ରଣବଙ୍କ ରାଜନୈତିକ କ୍ୟାରିଅରରେ କ’ଣ ହେବ ତାକୁ ନେଇ ଚର୍ଚ୍ଚା ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଯାଇଛି । ସେହିପରି ତାଙ୍କ ମା’ ସନ୍ଧ୍ୟାରାଣୀ ଦାସ କୋରେଇ ବିଧାନସଭା ମଣ୍ଡଳୀରେ ପ୍ରାର୍ଥୀ ହୋଇ ହାରିଛନ୍ତି। ଆକାଶ ଦାସ ନାୟକ ଏଠାରୁ ବିଜେପି ପ୍ରାର୍ଥୀ ଭାବେ ଜିତିଥିଲେ। 

୫. ଦାଦା- ପୁତୁରା
ଢେଙ୍କାନାଳ ବିଧାନସଭା ଆସନରେ ଲଢ଼ୁଥିବା ବିଧାୟକ ସୁଧୀର ସାମଲ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ରଙ୍କଠାରୁ ନିର୍ବାଚନ ହାରିଯାଇଥିବାବେଳେ ତାଙ୍କ ପୁତୁରା ଅବିନାଶ ସାମଲ ଢେଙ୍କାନାଳ ଲୋକସଭା ଆସନ ପାଇଁ ଲଢ଼ୁଥିଲେ । ବିଜେଡି ସାଂସଦ ପ୍ରାର୍ଥୀ ଅବିନାଶ ସାମଲ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର  ରୁଦ୍ରନାରାୟଣ ପାଣିଙ୍କଠାରୁ ହାରିଯାଇଛନ୍ତି ।

୬. ସ୍ୱାମୀ-ସ୍ତ୍ରୀଙ୍କ ପରାଜୟ: 
ମୟୁରଭଞ୍ଜ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ହୋଇଥିବା ସୁଦାମ ମାରାଣ୍ଡି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ନବ କୁମାର ମାଝୀଙ୍କଠାରୁ ହାରିଯାଇଥିବାବେଳେ ତାଙ୍କ ପତ୍ନୀ ରଞ୍ଜିତା ମାରାଣ୍ଡି ବାଙ୍ଗିରିପୋଷୀ ବିଧାନସଭା  ବିଜେଡି ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ୁଥିଲେ । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସଞ୍ଜାଳୀ ମୁର୍ମୁଙ୍କଠାରୁ ହାରି ଯାଇଛନ୍ତି ।

୭. କା’ରେ ଲଢ଼ୁଥିବା ପ୍ରାରଥୀଙ୍କ ପରାଜୟ:
ଯେଉଁ ବିଧାୟକମାନଙ୍କର  କା’ ସ୍ୱରୂପ ତାଙ୍କ ପତ୍ନୀ, ପୁଅମାନେ ନିର୍ବାଚନ ଲଢ଼ୁଥିଲେ ସେମାନେ ବିଜୟୀ ହୋଇପାରିନାହାନ୍ତି। ସେମାନଙ୍କ ମଧ୍ୟରେ ଅନୁଗୋଳ ବିଧାୟକଙ୍କ ପତ୍ନୀ ସଂଯୁକ୍ତା ସିଂହ, ପାରାଦୀପ ବିଧାୟକଙ୍କ ପତ୍ନୀ ଗୀତାଞ୍ଜଳୀ କାନୁନ୍‌ଗୋ, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇଙ୍କ ପତ୍ନୀ ଅର୍ଚ୍ଚନା ରେଖା ବେହେରା, ବିଧାୟିକା ଉଷା ଦେବୀଙ୍କ ପୁଅ ଚିନ୍ମୟାନନ୍ଦ ସ୍ୱରୂପ ଦେବ,  ବିଧାୟକ ପ୍ରତାପତା ଜେନାଙ୍କ ପୁଅ ଅଙ୍କିତ ପ୍ରତା ଜେନା ପ୍ରମୁଖ ଏହି ତାଲିକାରେ ରହିଛନ୍ତି। 

୮. କଂଗ୍ରେସକୁ ଉତ୍ସାହ: 
ନ’ରୁ ନବେ ଡାକରା ଦେଇଥିବା କଂଗ୍ରେସକୁ ଏହି ନିର୍ବାଚନରେ ବଡ଼ ସଫଳତା ମିଳିଛି। ୯୦ ନହେଲେ ବି କଂଗ୍ରେସ ତା’ର ଆତ୍ମ ବିଶ୍ୱାସ ଫେରି ପାଇଛି।  ଲୋକସଭାରେ ନିଜର ଆସନକୁ ସୁରକ୍ଷିତ ରଖିଥିବା ବେଳେ ବିଧାନସଭାରେ ୫ଟି ଆସନ ଅଧିକ ପାଇବାରେ ସକ୍ଷମ ହୋଇଛି। ୯ରେ ଅଟକିଥିବା କଂଗ୍ରେସ ୧୪ ଆସନରେ ବିଧାନସଭାରେ ନିଜକୁ ଅଧିକ ସଶକ୍ତ କରିଛି। ଏହି ଆସନଗୁଡ଼ିକ ହେଉଛି ଭଣ୍ଡାରିପୋଖରୀ, ବାସୁଦେବପୁର, ରାଜଗାଙ୍ଗପୁର, ବାରବାଟୀ-କଟକ, ଭବାନୀପାଟଣା, ବିଷମ କଟକ, ଗୁଣପୁର, ମୋହନା, ସାନଖେମୁଣ୍ଡି, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, ପଟାଙ୍ଗୀ, ଚିତ୍ରକୋଣ୍ଡା ଆଦି ବିଧାନସଭା ଆସନରେ ସଫଳତା ଲାଭ କରିଛି ।

Also Read- Election Result 2024: ଜିତିଲେ ଆପଣଙ୍କ ପ୍ରିୟ ଯୋଡି, ଦିଗପହଣ୍ଡିରୁ ସିଦ୍ଧାନ୍ତ, ହୁଗୁଳିରୁ ରଚନା