ନିର୍ଭୟା ମାମଲା: ପବନ କହିଲେ ଫାଶୀ କାହାଣୀ
Advertisement

ନିର୍ଭୟା ମାମଲା: ପବନ କହିଲେ ଫାଶୀ କାହାଣୀ

ନୋବେଲ ପ୍ରଫେସନ ବୋଲି କହିଲେ ପବନ

ନିର୍ଭୟା ମାମଲା: ପବନ କହିଲେ ଫାଶୀ କାହାଣୀ

ନୂଆଦିଲ୍ଲୀ: ନ୍ୟାୟ ପାଇଲେ ନିର୍ଭୟା।  ଫାଶୀ ଖୁଣ୍ଟରେ ଚାରି ଅଭିଯୁକ୍ତ ଝୁଲିବା ପରେ ସମଗ୍ର ଦେଶରେ ଏକ ପ୍ରକାର ଖୁସିର ମାହୋଲ ସୃଷ୍ଟି ହୋଇଥିଲା।  ମାର୍ଚ୍ଚ ୨୦ ତାରିଖ, ସକାଳ ସାଢେ ୫ଟାରେ ଝୁଲିଥିଲେ ଦୋଷୀ।  ବଞ୍ଚିବା ପାଇଁ ବେଶ କାକୁତିମିନତି ହୋଇଥିଲେ।  ହେଲେ ଆଇନରେ ବନ୍ଧାଥିବା ସରକାରୀ ଅଧିକାରୀମାନେ ସେମାନଙ୍କର ଦାୟୀତ୍ୱ ତୁଲାଇଥିଲେ।  ଦଣ୍ଡବିଧାନ ଅନୁଯାୟୀ ଦୋଷୀମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଥିଲେ।  

ତେବେ ଏହି ଫାଶୀ ପାଇଁ ଉତ୍ତରପ୍ରଦେଶରୁ ଆସିଥିଲେ ଜହ୍ଲାଦ ପବନ।  ମାର୍ଚ୍ଚ ୨୦ ତାରିଖରେ ରାତି ତମାମ ଚାଲିଥିଲା ଫାଶୀ ପ୍ରକ୍ରିୟା।  ଫାଶୀ କାର୍ଯ୍ୟ ପରେ କଡା ସୁରକ୍ଷା ମଧ୍ୟରେ ପବନ ଘରକୁ ଫେରିଛନ୍ତି।  ତେବେ ପବନ ଫେରିବା ପରେ ବଖାଣିଛନ୍ତି ଫାଶୀର ଅନୁଭୂତି।  କାରଣ ଏହା ତାଙ୍କ ପାଇଁ ନୂଆ ଥିଲା।  

ଏହି ଫାଶୀ କାର୍ଯ୍ୟକୁ ନେଇ ବେଶ ଆତ୍ମସନ୍ତୋଷ ପ୍ରକାଶ କରିଛନ୍ତି ପବନ।  ସେ କହିଛନ୍ତି କି, ଏହି କାର୍ଯ୍ୟ କରିବାରେ ସେ ତାଙ୍କ ପରିବାରର ତୃତୀୟ ପିଢି।  ପୂର୍ବପୁରୁଷ ତଥା ବାପାଙ୍କ ଠାରୁ ଏହି ଫାଶୀ ଦେବା କାର୍ଯ୍ୟକୁ ଶିଖିଛନ୍ତି ବୋଲି ସେ କହିଛନ୍ତି।  ପବନଙ୍କ ବାପା ମମ୍ମୁ ଜହ୍ଲାଦ ନାମ ରେ ବେଶ ଖ୍ୟାତି ଅର୍ଜିଥିଲେ।  ମମ୍ମୁ ଜହ୍ଲାଦ ଆତଙ୍କୀ ଆକ୍ରମଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଫଜଲ ଗୁରୁଙ୍କୁ ଫାଶୀ ଦେଇଥିବା କଥା ପବନ କହିଛନ୍ତି।  

ସେ ଆହୁରି ମଧ୍ୟ କହିଛନ୍ତି କି ତାଙ୍କ ପରିବାରର ସେ ତୃତୀୟ ସଦସ୍ୟ, ଯିଏକି ଏହି ଫାଶୀ ଦେବା କାର୍ଯ୍ୟରେ ନିଜକୁ ସାମିଲ କରିପାରିଛନ୍ତି।  ତାଙ୍କ ପୂର୍ବରୁ ତାଙ୍କ ଜେଜେ କଲ୍ଲୁ ଜହ୍ଲାଦଙ୍କ ଠାରୁ ଏହି କାର୍ଯ୍ୟ ସମ୍ପର୍କରେ ମଧ୍ୟ ଶିକ୍ଷା ଗ୍ରହଣ କରିଥିଲେ।  କଲ୍ଲୁ ଜହ୍ଲାଦ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା ଅଭିଯୁକ୍ତକୁ ଫାଶୀ ଖୁଣ୍ଟରେ ଝୁଲାଇଥିଲେ।  

ପୂର୍ବରୁ ମୋତେ ୩ ଥର ଫାଶୀ ଦେବା ପାଇଁ ସୁଯୋଗ ମିଳିଥିଲେ ହେଁ ଏହାକୁ ସମାପନ କରିପାରନାହିଁ।  ଏହା ପୂର୍ବରୁ ନିଠାରୀ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତ ସୁରିନ୍ଦର ଲାଲକୁ ଫାଶୀ ଦେବାପାଇଁ ସ୍ଥିର ହୋଇଥିଲା।  ଗୋଟିଏ ସପ୍ତାହ ପାଇଁ ସେ ପ୍ରସ୍ତୁତି କରିଥିଲେ।  ମାତ୍ର ଶେଷ ମୁହୁର୍ତ୍ତରେ ଫାଶୀ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଥିଲେ।  ସେ କହିଛନ୍ତି ତାଙ୍କ ବାପା ୪୭ ବର୍ଷର କାର୍ଯ୍ୟ ମଧ୍ୟରେ ୧୨ ଜଣ ଅଭିଯୁକ୍ତଙ୍କୁ ଫାଶୀଖୁଣ୍ଟରେ ଝୁଲାଇଛନ୍ତି।  ଫାଶୀ କାର୍ଯ୍ୟକୁ ସେ ନୋବେଲ କାର୍ଯ୍ୟ ବୋଲି କହିଛନ୍ତି।  କାରଣ ସମାଜରୁ ଖରାପ ଲୋକଙ୍କୁ ବିଦା କରିବାର ଦାୟିତ୍ୱ ଜଣେ ଜହ୍ଲାଦ ଉପରେ ରହିଥାଏ।  ମାତ୍ର ତାଙ୍କର ପରବର୍ତ୍ତି ପିଢିଙ୍କୁ ଏହି କାର୍ଯ୍ୟ କରିବାକୁ ବାରଣ କରିବେ ବୋଲି ସେ କହିଛନ୍ତି।  

ତେବେ ସେ ନିର୍ଭୟା ଦୋଷୀ ଫାଶୀ ସମ୍ପର୍କରେ ମଧ୍ୟ ସବିଶେଷ ସୂଚନା ଦେଇଛନ୍ତି।  ପୂର୍ବ ରାତି ଅର୍ଥାତ ୧୯ ତାରିଖ ରାତିରୁ ପ୍ରସ୍ତୁତ ରହିବାକୁ ତାଙ୍କୁ ଜେଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ।  ଏପରିକି ପୂର୍ବଦିନ ରାତିରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା  ମଧ୍ୟ ଯାଞ୍ଚ କରାଯାଇଥିଲା।  ତେବେ ୨୦ ତାରିଖ ରାତିରେ ସେ ଶୋଇ ପାରିନଥିବା କହିଛନ୍ତି।  

ତାଙ୍କୁ ପ୍ରାୟ ଭୋର ପ୍ରାୟ ୪ଟାରୁ ହିଁ ଉଠିବାକୁ ପଡ଼ିଥିଲା।  ଦୋଷୀମାନଙ୍କୁ ପ୍ରସ୍ତୁତ କରିବାକୁ ମଧ୍ୟ ପଡ଼ିଥିଲା।  ଦୋଷୀମାନଙ୍କୁ ସକାଳୁ ଉଠାଇ ଗାଧୋଇବାକୁ କହିଥିଲେ ଓ ସକାଳ ଖାଇବାକୁ ଦେଇଥିଲେ।  ପରେ ତାଙ୍କୁ ପ୍ରାୟ ୫ଟା ସମୟରେ ଫାଶୀଖୁଣ୍ଟ ନିକଟକୁ ନେଇ ଯାଇଥିଲେ ବୋଲି ପବନ କହିଛନ୍ତି।  ଫାଶୀ ଖୁଣ୍ଟ ନିକଟରେ ଦୋଷୀମାନେ କାନ୍ଦିଥିଲେ।  ସେମାନଙ୍କ ମଧ୍ୟରୁ ଜଣେ ତଳେ ଗଡ଼ିଯାଇ ଜୀବନ ଭିକ୍ଷା କରିଥିଲେ ବୋଲି ସେ କହିଥିଲେ।  

ଏହା ସହିତ ସେ ଆହୁରି ମଧ୍ୟ କହିଥିଲେ ରାତିରେ ନିର୍ଭୟାଙ୍କୁ ନ୍ୟାୟ ମିଳିଯାଉ ବୋଲି ଭଗବାନଙ୍କୁ ପ୍ରାର୍ଥନା କରିଥିଲେ।  ତେବେ ଦୋଷୀମାନଙ୍କୁ ଫାଶୀ ଖୁଣ୍ଟ ନିକଟକୁ ନେବା ସହିତ ତାଙ୍କ ହାତ ଓ ଗୋଡ଼କୁ ବାନ୍ଧି ଦେଇଥିଲେ।  ପରେ ସେ ଦୋଷୀମାନଙ୍କୁ କଳା କପଡ଼ାରେ ତାଙ୍କ ମୁହଁକୁ ଢାଙ୍କିଥିଲେ।  ଜେଲ ଅଧିକାରୀ ସୂଚନା ଦେବା କ୍ଷଣି ହିଁ ଦୋଷୀମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ ବୋଲି ସେ କହିଛନ୍ତି।