Waqf Bill 2024: ୧୦ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ଘଟିଲା,ୱାକଫ ବିଲ୍ ୨୦୨୪ କୁ କାହିଁକି JPCକୁ ପଠାଇଲେ ମୋଦୀ ସରକାର?
Advertisement
Article Detail0/zeeodisha/odisha2375077

Waqf Bill 2024: ୧୦ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ଘଟିଲା,ୱାକଫ ବିଲ୍ ୨୦୨୪ କୁ କାହିଁକି JPCକୁ ପଠାଇଲେ ମୋଦୀ ସରକାର?

Parliament Session Updates: ଗୁରୁବାର ଲୋକସଭାରେ ଉପସ୍ଥାପିତ ହୋଇଥିବା ୱାକଫ ସଂଶୋଧନ ବିଲ୍ ୨୦୨୪ ଉପରେ ବିରୋଧୀ ଦଳର କଡ଼ା ବିରୋଧକୁ ଦୃଷ୍ଟିରେ ରଖି ସରକାର ବର୍ତ୍ତମାନ ଏହି ବିଲ୍କୁ ମିଳିତ ସଂସଦୀୟ କମିଟି (ଜେପିସି) କୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି।

 

Parliament Session Updates

Waqf Bill 2024: ଗୁରୁବାର ଦିନ (୮ ଅଗଷ୍ଟ) ୱାକଫ ବୋର୍ଡକୁ ନିୟନ୍ତ୍ରଣ କରୁଥିବା ଆଇନରେ ସଂଶୋଧନ ସହ କେନ୍ଦ୍ର ସରକାର ଲୋକସଭାରେ ଏକ ବିଲ୍ ଆଗତ କରିଥିଲେ। କିନ୍ତୁ ଗୃହରେ ବିରୋଧୀ ଦଳର ଦୃଢ଼ ବିରୋଧକୁ ଦୃଷ୍ଟିରେ ରଖି ଏହାକୁ ମିଳିତ ସଂସଦ କମିଟି (ଜେପିସି) ପାଖକୁ ପଠାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ ସରକାର ୱାକଫ ସଂଶୋଧନ ବିଲ୍, ୨୦୨୪ କୁ ରାଜ୍ୟସଭାରୁ ପ୍ରତ୍ୟାହାର କରି ନେଇଛନ୍ତି। ନରେନ୍ଦ୍ର ମୋଦୀଙ୍କ ସରକାରରେ ଗତ ଦଶ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ  ଏକ ବିଲ୍ ଗୃହରେ ଅଟକି ରହି ଜେପିସିକୁ ପଠାଯାଇଛି।

ଏହାପୂର୍ବରୁ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଗୃହରେ 'ୱାକଫ (ସଂଶୋଧନ) ବିଲ୍, ୨୦୨୪' ଉପସ୍ଥାପନ କରିଥିଲେ ଓ ବିଭିନ୍ନ ଦଳର ଦାବି ଅନୁଯାୟୀ ଏହି ବିଲ୍କୁ ମିଳିତ ସଂସଦୀୟ କମିଟିକୁ ପଠାଇବାକୁ ପ୍ରସ୍ତାବ ଦେଇଥିଲେ। ସେ ଲୋକସଭା ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ, "ମିଳିତ ସଂସଦୀୟ କମିଟି ଗଠନ କରନ୍ତୁ ଓ ବିସ୍ତୃତ ଆଲୋଚନା ପାଇଁ ବିଲ୍ (ଜେପିସି) ପାଖକୁ ପଠାନ୍ତୁ। ବିଲ୍ ଉପରେ ଆଲୋଚନା କରିବାକୁ ଅଧିକରୁ ଅଧିକ ହିତାଧାରୀଙ୍କୁ ଡାକନ୍ତୁ ଓ ସେମାନଙ୍କ ମତାମତ ଶୁଣନ୍ତୁ। ଏହାକୁ (ବିଲ୍) ମିଳିତ ସଂସଦୀୟ କମିଟି ନିକଟକୁ ପଠାନ୍ତୁ ଓ ଭବିଷ୍ୟତରେ ଆମେ ସେମାନଙ୍କ (ସଦସ୍ୟଙ୍କ) ପରାମର୍ଶକୁ ଖୋଲା ହୃଦୟରେ ଶୁଣିବା ....।”

ଏହା ଉପରେ ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ ସମସ୍ତ ଦଳର ନେତାଙ୍କ ସହ କଥାବାର୍ତ୍ତା ହେବା ପରେ ମୁଁ ଏହି ମିଳିତ ସଂସଦୀୟ କମିଟି ଗଠନ କରିବି। ଏହାପୂର୍ବରୁ ବିରୋଧୀ ସଦସ୍ୟମାନେ ଏହି ବିଲକୁ ଦୃଢ଼ ବିରୋଧ କରିଥିଲେ ଏବଂ କହିଥିଲେ ଯେ ଏହା ସମ୍ବିଧାନ, ଫେଡେରାଲଜିମ୍ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଏକ ଆକ୍ରମଣ।

ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ୍ର ଦୁଇ ମୁଖ୍ୟ ମେଣ୍ଟ ଦଳ ଯଥା ଜନତା ଦଳ (ୟୁନାଇଟେଡ୍) ଏବଂ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ଏହି ବିଲ୍କୁ ସମର୍ଥନ କରିଥିଲେ। ତେବେ ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ଟିଡିପି ଏହାକୁ ସଂସଦୀୟ କମିଟିକୁ ପଠାଇବାକୁ ପ୍ରୋତ୍ସାହିତ କରିଛି। ବିରୋଧୀଦଳଙ୍କ ଦ୍ୱାରା ଉଠାଯାଇଥିବା ପ୍ରଶ୍ନର ଉତ୍ତରରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ ଏହି ବିଲ୍ କୌଣସି ଧାର୍ମିକ ସ୍ୱାଧୀନତା ଉପରେ ହସ୍ତକ୍ଷେପ କରୁନାହିଁ ଏବଂ ସମ୍ବିଧାନର କୌଣସି ଧାରା ଉଲ୍ଲଂଘନ କରାଯାଉ ନାହିଁ।

ସେ କହିଛନ୍ତି, “ୱାକଫ ସଂଶୋଧନ ପ୍ରଥମ ଥର ପାଇଁ ଗୃହରେ ପ୍ରଚଳିତ ହୋଇନାହିଁ। ସ୍ୱାଧୀନତା ପରେ, ଏହି ବିଲ୍ ପ୍ରଥମେ ୧୯୫୪ ରେ ଉପସ୍ଥାପିତ ହୋଇଥିଲା ଓ ଏହା ଉପରେ ଅନେକ ସଂଶୋଧନ କରାଯାଇଥିଲା । ରିଜିଜୁ କହିଛନ୍ତି ଯେ ବ୍ୟାପକ ସଂଶୋଧନ ପରେ ଏହି ସଂଶୋଧନ ବିଲ୍ ଅଣାଯାଇଛି ଯାହା ମୁସଲମାନ ମହିଳା ଓ ଶିଶୁଙ୍କ କଲ୍ୟାଣ ପାଇଁ ଲାଭଦାୟକ ହେବ।

କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ପ୍ରଗତିଶୀଳ ଆଲାଇନ୍ସ (ୟୁପିଏ) ସରକାର ସମୟରେ ଗଠିତ ସାଧର କମିଟି ଏବଂ ମିଳିତ ସଂସଦୀୟ କମିଟି (ଜେପିସି) ବିଷୟରେ ସେ ଉଲ୍ଲେଖ କରିଛନ୍ତି ଏବଂ ସେମାନଙ୍କ ସୁପାରିଶ ଆଧାରରେ ଏହି ବିଲ୍ ଅଣାଯାଇଛି ବୋଲି ସେ କହିଛନ୍ତି। ପ୍ରାୟ ଏକ ଘଣ୍ଟା ଧରି ବିରୋଧୀ ଦଳର ସଦସ୍ୟଙ୍କ ଆପତ୍ତିର ଉତ୍ତର ଦେବା ପରେ ରିଜିଜୁ ବିସ୍ତୃତ ବିଚାର ପାଇଁ ବିଲକୁ ଜେପିସି ନିକଟକୁ ପଠାଇବାକୁ ପରାମର୍ଶ ଦେଇଥିଲେ।

ଏହାପୂର୍ବରୁ ଟିଏମସି କଂଗ୍ରେସ ସାଂସଦ ସୌଗତ ରୟ କହିଥିଲେ ଯେ ସରକାର ମୁସଲମାନଙ୍କ ୱାକଫ ସମ୍ପତ୍ତି ଅଧିକାର କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି ଯେ କଲେକ୍ଟର ମାଧ୍ୟମରେ ସରକାର ୱାକଫ ବୋର୍ଡରେ ହସ୍ତକ୍ଷେପ କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି ଯେ ଏହା ଅତ୍ୟନ୍ତ ସମ୍ବେଦନଶୀଳ ବିଲ୍ ଓ ଏହି ପ୍ରସଙ୍ଗରେ ତତ୍ପରତା କିମ୍ବା ବଳ ପ୍ରୟୋଗ କରାଯିବା ଉଚିତ୍ ନୁହେଁ।