Modi-Putin Meeting In Uzbekistan: ରଣନୀତିକ ସ୍ଥିରତା ପ୍ରସଙ୍ଗକୁ ନେଇ ଋଷର ରାଷ୍ଟ୍ରପତି ପୁଟିନ (Vladimir Putin) ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Narendra Modi) ମଧ୍ୟରେ ଶୁକ୍ରବାର ଦିନ ଏକ ବୈଠକ ହୋଇପାରେ ।
Trending Photos
Modi-Putin Meeting In Uzbekistan: ଉଜବେକିସ୍ତାନରେ ଏହି ସପ୍ତାହରେ ଅନୁଷ୍ଠିତ ହେବାକୁ ଯାଉଥିବା ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ ବ୍ୟତୀତ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଓ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Indian Prime Minister Narendra Modi) ପୃଥକ ଭାବରେ ବୈଠକ କରିବେ । ଏହି ବୈଠକରେ ରଣନୀତିକ ସ୍ଥିରତା, ଏସିଆ ପ୍ରଶାନ୍ତ ମହାସାଗରରେ ପରିସ୍ଥିତି ଓ ମିଳିତ ଜାତିସଂଘ ଓ ଜି -୨୦ ସଦସ୍ୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ଉପରେ ଦୁଇ ନେତା ଆଲୋଚନା କରିବେ । ଏହି ସୂଚନା କ୍ରେମଲିନ୍ ତରଫରୁ ଦିଆ ଯାଇଛି । ସେପ୍ଟେମ୍ବର ୧୫ ରୁ ୧୬ ମଧ୍ୟରେ ଉଜବେକିସ୍ତାନର ସମରଖଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (SCO) ର ୨୨ ତମ ରାଜ୍ୟ ପରିଷଦ ବୈଠକରେ ପୁଟିନ ଓ ମୋଦି ଯୋଗଦେବେ ।
ଋଷର ଅଫିସିଆଲ୍ ନ୍ୟୁଜ୍ ଏଜେନ୍ସି TASS ଅନୁଯାୟୀ ରାଷ୍ଟ୍ରପତିଙ୍କ ସହକାରୀ ୟୁରୀ ଉଷାକୋଭ କହିଛନ୍ତି, "ମୋଦିଙ୍କ ସହ ଆନ୍ତର୍ଜାତୀୟ ଏଜେଣ୍ଡା ଉପରେ ମଧ୍ୟ ଆଲୋଚନା ହେବ ଓ ଉଭୟ ପକ୍ଷ ରଣନୀତିକ ସ୍ଥିରତା, ଏସିଆ ପ୍ରଶାନ୍ତ ମହାସାଗରରେ ପରିସ୍ଥିତି ଏବଂ ବୃହତ ସଂଗଠନ ଯେପରିକି ମିଳିତ ଜାତିସଂଘ, ଜି-୨୦ ଓ ଏସସିଓ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ପ୍ରସଙ୍ଗ ଉପରେ ଆଲୋଚନା କରିବେ ।"
ଉଷାକୋଭ ମଙ୍ଗଳବାର ଦିନ ଗଣମାଧ୍ୟମକୁ କହିଛନ୍ତି ଯେ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ କାରଣ ଡିସେମ୍ବର ମାସରେ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଭାପତି ହେବ ଓ ୨୦୨୩ ମସିହାରେ ସେ ଏସସିଓର ନେତୃତ୍ୱ ନେବ ଏବଂ ଜି -୨୦ ଗ୍ରୁପିଂର ଚେୟାରମ୍ୟାନ୍ ମଧ୍ୟ ହେବେ । ଭାରତ ବୈଦେଶିକ ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ ମୋଦି ଓ ପୁଟିନଙ୍କ ସାକ୍ଷାତକୁ ନିଶ୍ଚିତ କରିନାହାଁନ୍ତି ।
ରବିବାର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ଘୋଷଣା କରି ମନ୍ତ୍ରଣାଳୟ କହିଛି ଯେ ପ୍ରଧାନମନ୍ତ୍ରୀ ଏସସିଓ ଶିଖର ସମ୍ମିଳନୀରେ କିଛି ଦ୍ୱିପାକ୍ଷିକ ବୈଠକରେ ଅଂଶଗ୍ରହଣ କରିପାରନ୍ତି । ଜୁଲାଇ ୧ ରେ ଦୁଇ ନେତା ଫୋନରେ କଥା ହୋଇଥିଲେ ଓ ରାଷ୍ଟ୍ରପତି ପୁଟିନଙ୍କ ଡିସେମ୍ବର ୨୦୨୧ ଗସ୍ତ ସମୟରେ ନିଆଯାଇଥିବା ନିଷ୍ପତ୍ତିର କାର୍ଯ୍ୟକାରିତା ସମୀକ୍ଷା କରିଥିଲେ । ଋଷର ୟୁକ୍ରେନ ଉପରେ ଆକ୍ରମଣ ପରେ ୨୪ ଫେବୃଆରୀରେ ମୋଦି ଓ ପୁଟିନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ସମୟରେ, TASS ସମ୍ବାଦ ଅନୁଯାୟୀ, ୨୦୨୨ ର ପ୍ରଥମାର୍ଦ୍ଧରେ ଋଷ ଓ ଭାରତ ମଧ୍ୟରେ ବାଣିଜ୍ୟ ୧୧.୫ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି ।
ମିଡିଆ ରିପୋର୍ଟ ଅନୁଯାୟୀ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଗତ ବର୍ଷ ତୁଳନାରେ ୧୨୦ ପ୍ରତିଶତ ବୃଦ୍ଧି ହୋଇଛି । ସମରଖଣ୍ଡରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ସହ ମୋଦୀଙ୍କ ସମ୍ଭାବ୍ୟ ବୈଠକ ସମ୍ପର୍କରେ କୌଣସି ସରକାରୀ ଘୋଷଣା ହୋଇନାହିଁ । ପାକିସ୍ତାନର ଡନ୍ ଖବରକାଗଜ ବୁଧବାର କହିଛି ଯେ ମୋଦିଙ୍କୁ ଭେଟିବା ପାଇଁ ସରିଫଙ୍କର କୌଣସି ଯୋଜନା ନାହିଁ, ଯଦିଓ ସୌଜନ୍ୟମୂଳକ ସାକ୍ଷାତକାରର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ।
ଏହା ବି ପଢ଼ନ୍ତୁ: ବ୍ରିଟେନ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ହେବେ ସାମିଲ