ଜୁନ୍ ୩୦ରୁ ଆରମ୍ଭ ହେବ ଅମରନାଥ ଯାତ୍ରା, ଜାଣନ୍ତୁ କେତେ ଦୁଃସାହସିକ ହୋଇଥାଏ ଏହି ଯାତ୍ରା
Advertisement
Article Detail0/zeeodisha/odisha1136231

ଜୁନ୍ ୩୦ରୁ ଆରମ୍ଭ ହେବ ଅମରନାଥ ଯାତ୍ରା, ଜାଣନ୍ତୁ କେତେ ଦୁଃସାହସିକ ହୋଇଥାଏ ଏହି ଯାତ୍ରା

Amarnath Yatra: ପ୍ରଚଳିତ ପ୍ରଥା ଅନୁସାରେ ଏହି ଯାତ୍ରା ରାକ୍ଷୀ ପୂର୍ଣ୍ଣିମାରେ (Raksha Bandha) ଶେଷ ହେବାର ପରମ୍ପରା ରହିଛି । ଏନେଇ ଆଜି ଜମ୍ମୁ କାଶ୍ମୀର (Jammu and Kashmir) ଲେଫନାଣ୍ଟ ଗଭର୍ଣ୍ଣରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

(ଫାଇଲ ଫଟୋ)

ନୂଆଦିଲ୍ଲୀ: କୋରୋନା ପାଇଁ ଗତ ଦୁଇ ବର୍ଷ ଧରି ବନ୍ଦ ରହିଥିବା ପ୍ରସିଦ୍ଧ ଅମରନାଥ (Amarnath Yatra) ଯାତ୍ରା ଆରମ୍ଭ ହେବ । ଆସନ୍ତା ଜୁନ ୩୦ ତାରିଖରୁ ଏହି ପ୍ରସିଦ୍ଧ ଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ଏହି ଯାତ୍ରା ୪୩ ଦିନ ଯାଏଁ ଜାରି ରହିବ । ପ୍ରଚଳିତ ପ୍ରଥା ଅନୁସାରେ ଏହି ଯାତ୍ରା ରାକ୍ଷୀ ପୂର୍ଣ୍ଣିମାରେ (Raksha Bandha) ଶେଷ ହେବାର ପରମ୍ପରା ରହିଛି । ଏନେଇ ଆଜି ଜମ୍ମୁ କାଶ୍ମୀର (Jammu and Kashmir) ଲେଫନାଣ୍ଟ ଗଭର୍ଣ୍ଣରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଜମ୍ମୁ କାଶ୍ମୀର ଲେଫନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ (Manoj Sinha) କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଟ୍ୱିଟରେ ଅମରନାଥ ଯାତ୍ରା ଆରମ୍ଭ ନେଇ କୁହାଯାଇଛି । ଆଜି ଅମରନାଥ ଯାତ୍ରା ଆରମ୍ଭ ନେଇ ବୋର୍ଡ ପକ୍ଷରୁ ଏକ ବୈଠକ ବସିଥିଲା । ଯେଉଁଥିରେ ୪୩ ଦିନ ବ୍ୟାପୀ ଏହି ପବିତ୍ର ଯାତ୍ରା ଆରମ୍ଭ ନେଇ ନିଷ୍ପତ୍ତି ହୋଇଛି । ବିଧି ମୁତାବକ ଏହି ଯାତ୍ରା ଆରମ୍ଭ ହେଉଥିବା ବେଳେ କୋରୋନା ଗାଇଡଲାଇନ ପାଳନକୁ ବାଧ୍ୟତାମୂଳକ କରାଯାଇଛି ।  ଗତବର୍ଷ ଜୁନ ୨୧ରେ କୋରୋନା ପାଇଁ ଜମ୍ମୁ କାଶ୍ମୀର ସରକାର ଅମରନାଥ ଯାତ୍ରା ବାତିଲ କରିଥିଲେ । ହେଲେ ପୂର୍ବ ବିଧି ଅନୁସାରେ କେବଳ ପରମ୍ପରା ରକ୍ଷା ପାଇଁ ପୂଜାର୍ଚ୍ଚନା କରାଯାଇଥିଲା । ଚଳିତଥର ଅମରନାଥ ଯାତ୍ରା ହେବା ନେଇ ସୂଚନା ମିଳିବା ପରେ ଶ୍ରଦ୍ଧାଳୁଙ୍କ ଉତ୍ସାହ ବୃଦ୍ଧି ପାଇଛି ।

ଜାଣନ୍ତୁ ଅମରନାଥ ଯାତ୍ରା ସଂପର୍କରେ ?

-କେଉଁଠି ଅବସ୍ଥିତ ଅମରନାଥ ମନ୍ଦିର?
ଅମରନାଥ ମନ୍ଦିର ହିନ୍ଦୁ ଧର୍ମର ଏକ ପ୍ରମୁଖ ଧର୍ମସ୍ଥଳୀ । ଯାହା ଜମ୍ମୁ ଓ କାଶ୍ମୀରର ଶ୍ରୀନଗରର ଉତ୍ତର-ପୂର୍ବ ଦିଗରେ ଅବସ୍ଥିତ । ଆପଣଙ୍କୁ ଅମରନାଥ ମନ୍ଦିରକୁ ଯିବାକୁ ହେଲେ ଶ୍ରୀନଗର ଠାରୁ ୧୪୧ କିଲୋମିଟର ବାଟ ଦେଇ ଯିବାକୁ ପଡ଼ିବ । ଏହି ପ୍ରସିଦ୍ଧ ଶୈବପୀଠ ସମୁଦ୍ରପତ୍ତନଠାରୁ ୧୨,୭୫୬ ଫୁଟ ଉଚ୍ଚତାରେ ଅବସ୍ଥିତ । ବହୁ ଉଚ୍ଚତାରେ ଅବସ୍ଥିତ ଥିବାରୁ ଏହି ପୀଠକୁ ଯିବା ପାଇଁ ବେଶ ଦୁର୍ଗମ ପଥ ଅତିକ୍ରମ କରିବାକୁ ପଡ଼ିଥାଏ । ଏହି ଗୁମ୍ଫାର ଲମ୍ୱ ଭିତରକୁ ୧୯ ମିଟର ହୋଇଥିବା ବେଳେ ପ୍ରସ୍ଥ ୧୬ ମିଟର ଏବଂ ଉଚ୍ଚତା ୧୧ ମିଟର । ଏହି ଗୁମ୍ଫା ବର୍ଷ ସାରା ବରଫରେ ଢାଙ୍କି ହୋଇରହିଥାଏ ଏବଂ ବରଫ ଟୋପା ଟୋପା ହୋଇ ପଥରରୁ ପଡି ଗୁମ୍ଫାମଧ୍ୟରେ ଗୋଟିଏ ଶିବଲିଙ୍ଗ ଆକାର ତିଆରି ହୋଇଥାଏ । ଯେଉଁଠାରେ ଅମରନାଥ ପୂଜା ପାଆନ୍ତି । ଏହା ଗ୍ରୀଷ୍ମକାଳରେ ମଧ୍ୟ କିଛି ଦିନ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ପାଇଁ ଖୋଲାଯାଇଥାଏ ।

-ଐତିହାସିକ ପୃଷ୍ଠଭୂମି
ଅମରନାଥଙ୍କ ସଂପର୍କରେ ରାଜତରଙ୍ଗିନୀ ପୁସ୍ତକରେ ଉଲ୍ଲେଖ ରହିଛି । ଏହା ବିଶ୍ୱାସ କରାଯାଏ ଯେ ଏକାଦଶ ଶତାବ୍ଦୀରେ ରାଣୀ ସୂର୍ଯ୍ୟମତୀ ପ୍ରଥମେ ଏହି ମନ୍ଦିରକୁ ବିଭିନ୍ନ ଉପକରଣ ଯଥା ତ୍ରିଶୂଳ , ଅନ୍ୟାନ୍ୟ ଉପକରଣ ପ୍ରଦାନ କରିଥିଲେ । ଏହାସହ ପ୍ରାଜ୍ଞଭଟ୍ଟଙ୍କ ଦ୍ୱାରା ଲିଖିତ ରାଜଭଲିପତାକାରେ ଅମରନାଥଙ୍କ ଯାତ୍ରା ସଂପର୍କରେ ଉଲ୍ଲେଖ ରହିଛି ।

ଅନ୍ୟପଟେ ମହର୍ଷି ଭୃଗୁ ପ୍ରଥମ ବ୍ୟକ୍ତି ଯେ, ଅମରନାଥଙ୍କ ଅସ୍ତିତ୍ୱକୁ ଦୁନିଆକୁ ଜଣାଇଥିବା କୁହାଯାଏ । ବହୁ ପୁରାତନ କାଳରେ କାଶ୍ମୀର ଉପତ୍ୟକା ଜଳରେ ବୁଡ଼ି ରହିଥିଲା । ଯାହାକୁ ମହର୍ଷି କଶ୍ୟପ ବିଭିନ୍ନ ନଦୀ ମାଧ୍ୟମରେ ଜଳ ନିଷ୍କାସନ କରିବାକୁ ଲାଗିଲେ । ଫଳରେ ଏହି ଜ୍ୟୋର୍ତିଲିଙ୍ଗ ଦୃଶ୍ୟମାନ ହୋଇଥିଲା । ଯାହାକୁ ପ୍ରଥମେ ମହର୍ଷି ଭୃଗୁ ଦର୍ଶନ କରିଥିଲେ । ପରବର୍ତ୍ତୀ ସମୟରେ ଏହାକୁ ଦେଖିବାକୁ ଲୋକଙ୍କ ସମାଗମ ହେବାରେ ଲାଗିଲା । ଅନ୍ୟ ଏକ ମତାନୁସାରେ ଗଦରିଆ ସଂପ୍ରଦାୟ ପ୍ରଥମେ ଏହି ଜ୍ୟୋର୍ତିଲିଙ୍ଗକୁ ଆବିଷ୍କାର କରିଥିଲେ ।

କିପରି ଯିବେ ?
ଅମରନାଥ ଯାତ୍ରାର ନୂଆ ରୁଟ୍ ମ୍ୟାପ ଅନୁସାରେ ଆପଣ ୨ଟି ମାର୍ଗରେ ଯାତ୍ରା  କରିପାରିବେ

ରୁଟ-୧
ଗୋଟିଏ ରୁଟରେ ଜମ୍ମୁରୁ ପାହଲଗାମ୍-ଚନ୍ଦନୱାରି-ପିଶୁ ଟପ୍-ଶେଷନାଗ-ପଞ୍ଚତାରିଣୀ-ଦେଇ ଅମରନାଥଙ୍କ ଗୁମ୍ଫା ପାଖରେ ପହଞ୍ଚିହୁଏ ।

ରୁଟ-୨
ଅନ୍ୟ ରୁଟଟି ହେଉଛି ବଲତାଲ-ଦୋମାଲି-ବାରାରି ଦେଇ ଅମରନାଥଙ୍କ ଗୁମ୍ଫା ପାଖରେ ପହଞ୍ଚିବାକୁ ପଡ଼େ ।
 
ଶ୍ରୀନଗର କିମ୍ବା ପହଲଗାମରୁ ଭକ୍ତମାନଙ୍କୁ ପାଦରେ ଯାତ୍ରା କରିବାକୁ ପଡ଼େ । ପହଲଗାମରୁ ଯାତ୍ରା ଆରମ୍ଭ କଲେ ଅମରନାଥଙ୍କ ଗୁମ୍ଫା ପାଖରେ ପହଞ୍ଚିବାକୁ ପ୍ରାୟ ପାଞ୍ଚ ଦିନ ଲାଗେ । ଅନ୍ୟପଟେ ରାଜ୍ୟ ସଡକ ପରିବହନ ନିଗମ ଏବଂ ଘରୋଇ ପରିବହନ ସଂସ୍ଥା ପକ୍ଷରୁ ଜାମ୍ମୁରୁ-ପହଲଗାମ ଏବଂ ବାଲତାଲ ପର୍ଯ୍ୟନ୍ତ ନିୟମିତ ବସ ସେବା ଉପଲବ୍ଧ । ଜାମ୍ମୁକାଶ୍ମୀରରୁ ବ୍ୟକ୍ତିଗତ ଯାତ୍ରା ପାଇଁ ଟାକ୍ସି ମଧ୍ୟ ଉପଲବ୍ଧ ।

ଅମରନାଥ ଯାତ୍ରା ବେଶ ଦୁଃସାହସିକ । ତଥାପି ପ୍ରତିବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ଘଟିଥାଏ । ତେବେ ଆପଣ ଯଦି ପ୍ରସ୍ତୁତ ହେଉଛନ୍ତି, ତେବେ ପ୍ଲାନିଂ କରନ୍ତୁ ଏବଂ ଦୁଃସାହସିକ ଯାତ୍ରାର ଅନୁଭୂତି ପାଆନ୍ତୁ ।

ଏହା ବି ପଢ଼ନ୍ତୁ: '... ବେହେନ୍ ଜୀଙ୍କୁ କରାଯିବ ରାଷ୍ଟ୍ରପତି, RSS ଏହା କହି ମାଗିଛି ଭୋଟ୍'

ଏହା ବି ପଢ଼ନ୍ତୁ: ଭାରତ କଲା MRSAM କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ଜାଣନ୍ତୁ ଏହାର ବୈଶିଷ୍ଟ୍ୟ