World Tuberculosis Day: ଯକ୍ଷ୍ମା ଦିବସରେ ଜାଣନ୍ତୁ, ଏହାର ଉତ୍ପତ୍ତି କାରଣ ଓ ନିରାକରଣ
Advertisement
Article Detail0/zeeodisha/odisha1625332

World Tuberculosis Day: ଯକ୍ଷ୍ମା ଦିବସରେ ଜାଣନ୍ତୁ, ଏହାର ଉତ୍ପତ୍ତି କାରଣ ଓ ନିରାକରଣ

World Tuberculosis Day 2023: ଯକ୍ଷ୍ମା ରୋଗର ନିରାକରଣ ନିମନ୍ତେ ଲୋକମାନଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୪ ତାରିଖକୁ ବିଶ୍ୱ ଯକ୍ଷ୍ମା ଦିବସ ଭାବେ ସାରା ବିଶ୍ୱରେ ପାଳନ କରାଯାଏ। ଏହାକୁ ଏକ ମାରାତ୍ମକ ରୋଗ ଭାବେ ବିବେଚନା କରାଯାଉଥିବା ବେଳେ ସଠିକ୍ ଉପଚାର ଓ ଔଷଧ ସେବନ ଦ୍ୱାରା ଏହି ରୋଗରୁ ମୁକ୍ତି ମିଳିପାରିବ। ଫୁସଫୁସରେ ଯକ୍ଷ୍ମା ହୋଇଥିବା ରୋଗୀ କାଶିବା ଓ ଛିଙ୍କିବା ସମୟରେ ଏହି ଜୀବାଣୁ ଦେହରୁ ବାହାରି ଅନ୍ୟ ମାନଙ୍କୁ ସଂକ୍ରମିତ କରିଥାଏ।

ସୌ(ସୋସିଆଲ ମିଡିଆ)

World Tuberculosis Day 2023: ଯକ୍ଷ୍ମା(Tuberculosis) ବା ଟିବି ଏକ ସଂକ୍ରାମକ ରୋଗ ଅଟେ। ଏହି ରୋଗର ନିରାକରଣ ନିମନ୍ତେ ଲୋକମାନଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୪ ତାରିଖକୁ ବିଶ୍ୱ ଯକ୍ଷ୍ମା ଦିବସ ଭାବେ ସାରା ବିଶ୍ୱରେ ପାଳନ କରାଯାଏ। ଏହାକୁ ଏକ ମାରାତ୍ମକ ରୋଗ ଭାବେ ବିବେଚନା କରାଯାଉଥିବା ବେଳେ ସଠିକ୍ ଉପଚାର ଓ ଔଷଧ ସେବନ ଦ୍ୱାରା ଏହି ରୋଗରୁ ମୁକ୍ତି ମିଳିପାରିବ। ଏହି ରୋଗ ମାଇକୋବ୍ୟାକ୍ଟେରିୟମ ଟ୍ୟୁବରୋକ୍ୟୁଲୋୟିସ୍‌ ଜୀବାଣୁ ଦ୍ୱାରା ବ୍ୟାପିଥାଏ। ଏହା ଫୁସଫୁସରେ ଅଧିକ ସଂକ୍ରମଣ ହେଉଥିବା ବେଳେ ଶରୀରର ଅନ୍ୟ ଅଙ୍ଗରେ ମଧ୍ୟ ଏହି ରୋଗ ଦେଖା ଯାଇଥାଏ। ଏହା ଏକ ବାୟୁ ବାହକ ରୋଗ ଅଟେ। ଫୁସଫୁସରେ ଯକ୍ଷ୍ମା ହୋଇଥିବା ରୋଗୀ କାଶିବା ଓ ଛିଙ୍କିବା ସମୟରେ ଏହି ଜୀବାଣୁ ଦେହରୁ ବାହାରି ଅନ୍ୟ ମାନଙ୍କୁ ସଂକ୍ରମିତ କରିଥାଏ।

ସୂଚନା ଅନୁସାରେ, ୧୮୮୨ ମସିହା ମାର୍ଚ୍ଚ ୨୪ ତାରିଖ ଦିନ ବର୍ଲିନର ଗବେଷକ ରବର୍ଟ କୋଚ୍‌(Robert Koch) ଯକ୍ଷ୍ମା ରୋଗ ପାଇଁ ଦାୟୀ ଥିବା ବ୍ୟାକ୍ଟେରିଆକୁ(Bacteria) ଆବିଷ୍କାର କରି ଇତିହାସ ରଚିଥିଲେ। ତେଣୁ ପ୍ରତିବର୍ଷ ଏହି ଦିନକୁ ବିଶ୍ୱ ଯକ୍ଷ୍ମା ଦିବସ ଭାବେ ପାଳନ କରାଯାଉଛି। ବାସ୍ତବରେ, ସେହି ସମୟରେ ଆମେରିକା ଓ ୟୁରୋପରେ ଯକ୍ଷ୍ମା ଏକ ମହାମାରୀର ରୂପ ନେଇଥିଲା। ଲକ୍ଷ ଲକ୍ଷ ଲୋକ ଯକ୍ଷ୍ମା ଯୋଗୁଁ ପ୍ରାଣ ହରାଇବା ସହ ଅନେକ ଲୋକ ଏଥିରେ ସଂକ୍ରମିତ ହୋଇଥିଲେ। ଏହି ସମୟରେ ରୋବର୍ଟ କୋଚଙ୍କର ଆବିଷ୍କାର ଯକ୍ଷ୍ମା ରୋଗର ନିରାକରଣ ପାଇଁ ବାଟ ଖୋଲି ଦେଇଥିଲା। ଏହି ଐତିହାସିକ ଆବିଷ୍କାର ପାଇଁ ସେ ୧୯୦୫ ମସିହାରେ ନୋବେଲ ପୁରସ୍କାର ପାଇଥିଲେ।

ପୃଥିବୀର ପ୍ରାୟ ଏକ ତୃତୀୟାଂଶ ଲୋକଙ୍କ ମଧ୍ୟରେ ଯକ୍ଷ୍ମା(Tuberculosis) ରୋଗର ଜୀବାଣୁ ଥିବା ନେଇ ବିଶ୍ୱାସ କରାଯାଏ। ପ୍ରତିବର୍ଷ ସମୁଦାୟ ଜନସଂଖ୍ୟାର ୧ ପ୍ରତିଶତ ଲୋକ ଏହି ରୋଗ ଦ୍ୱାରା ସଂକ୍ରମିତ ହୁଅନ୍ତି। ସରକାରୀ ତଥ୍ୟ ଅନୁସାରେ, ୨୦୧୪ ମସିହାରେ ସାରା ବିଶ୍ୱରେ ୯.୬ ନିୟୁତ ଲୋକ ଏହି ରୋଗରେ ସଂକ୍ରମିତ ହୋଇଥିବା ବେଳେ ୧.୫ ନିୟୁତ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହା ସହ ୨୦୨୧ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଆକଳନ ଅନୁସାରେ ସଂକ୍ରମିତଙ୍କ ସଂଖ୍ୟା ୧୦.୬ ନିୟୁତ ଥିବା ବେଳେ ୧.୬ ନିୟୁତ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି।

ଆମ ଦେଶ ଭାରତରେ ମଧ୍ୟ ଏହି ରୋଗର ଦୌରାତ୍ମ୍ୟ ବଢିବାରେ ଲାଗିଛି। ବାଙ୍ଗାଲୋରସ୍ଥିତ ନ୍ୟାସନାଲ ଟ୍ୟୁବରକ୍ୟୁଲୋସିସ୍‌ ଇନ୍‌ଷ୍ଟିଚ୍ୟୁଟର ମୁଖ୍ୟ ଚିକିତ୍ସାଧିକାରୀଙ୍କ କହିବା ଅନୁସାରେ, ଭାରତରେ ପ୍ରାୟ ୪୦ ପ୍ରତିଶତ ଲୋକଙ୍କ ଦେହରେ ଯକ୍ଷ୍ମା ଜୀବାଣୁ ରହିଛି। କିନ୍ତୁ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ଏହା କୌଣସି କ୍ଷତି କରିପାରି ନଥାଏ । ଓଡିଶାରେ ମଧ୍ୟ ଯକ୍ଷ୍ମା ଏକ ମାରାତ୍ମକ ରୋଗ ଭାବେ ଜଣାଯାଏ। ରାଜ୍ୟ ଯକ୍ଷ୍ମା ସେଲ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରତିବର୍ଷ ରାଜ୍ୟରେ ୪୫ ରୁ ୪୬ ହଜାର ଯକ୍ଷ୍ମା ରୋଗୀ ଚିହ୍ନଟ ହେଉଥିବା ବେଳେ ସେଥି ମଧ୍ୟରୁ ୫ ପ୍ରତିଶତ ଲୋକ ପ୍ରାଣ ହରାଉଛନ୍ତି।

fallback

କେମିତି ସଂକ୍ରମିତ ହୁଏ ଯକ୍ଷ୍ମା ରୋଗ?

ଯକ୍ଷ୍ମା ଦ୍ୱାରା ସଂକ୍ରମିତ ଜଣେ ରୋଗୀ କାଶିବା କିମ୍ବା ଛିଙ୍କିବା ଦ୍ୱାରା ଏହି ଜୀବାଣୁ ବାୟୁରେ ମିଶିଥାଏ। ଦୀର୍ଘ ସମୟ ଧରି ବାୟୁରେ ବଞ୍ଚି ପାରୁଥିବା ଏହି ଜୀବାଣୁ ଗୁଡି଼କ ନାକ କିମ୍ବା ପାଟି ଦ୍ୱାରା ସୁସ୍ଥ ଲୋକଙ୍କ ଶରୀରରେ ପ୍ରବେଶ କରିଥାଏ। ତେବେ ରୋଗୀଙ୍କ ସଂସ୍ପର୍ଶରେ ନିୟମିତ ଆସୁଥିବା ବ୍ୟକ୍ତି ମାନଙ୍କଠାରେ ସଂକ୍ରମଣର ଆଶଙ୍କା ଅଧିକ ଥାଏ। ଏହି ରୋଗର ଜୀବାଣୁ ପବନ ମାଧ୍ୟମରେ ଫୁସଫୁସରେ ପହଞ୍ଚି ଆଲ୍ଭିଓଲାଇର୍ ମାକ୍ରୋସୋମର୍‌ ଏଣ୍ଡୋସୋମ ମଧ୍ୟରେ ପଶି ଏଠାରେ ନିଜର ସଂଖ୍ୟା ବୃଦ୍ଧି କରିଥାଏ। ଫୁସଫୁସରେ ପ୍ରଥମ ସଂକ୍ରମିତ ସ୍ଥାନକୁ ଘନ୍ ଫୋକସ୍ (Ghon Focus) କୁହାଯାଏ। ଶରୀରର ଅନ୍ୟ ସ୍ଥାନରୁ ରକ୍ତ ଶିରା ଦେଇ ମଧ୍ୟ ଏହି ରୋଗ ଫୁସଫୁସରେ ପହଞ୍ଚି ସର୍ବୋଚ୍ଚ ସ୍ଥାନକୁ ସଂକ୍ରମିତ କରିଥାଏ।  ଏହାକୁ ସାଇମନ ଫୋକସ୍ (Simon Focus) କୁହାଯାଏ। ଏହାଛଡା ଏହି ଜୀବୀଣୁ ରକ୍ତ ପଥ ମାଧ୍ୟମରେ ଶରୀରର ଯେ କୌଣସି ଅଙ୍ଗରେ ସଂକ୍ରମଣ ସୃଷ୍ଟି କରିବାର କ୍ଷମତା ରଖିଥାଏ। ଅନ୍ୟ ସ୍ଥାନ ଯଥା ମସ୍ତିଷ୍କ, କିଡ଼ନୀ, ହୃତପିଣ୍ଡ ଓ ଅସ୍ଥିଗତ ମାଂସପେଶୀକୁ ମଧ୍ୟ ଏହା ସଂକ୍ରମିତ କରିପାରେ।

ଏହି ଜୀବାଣୁ ଦ୍ୱାରା ସଂକ୍ରମିତ ହେଉଥିବା ଲୋକଙ୍କ ମଧ୍ୟରୁ ମାତ୍ର ୧୦ ପ୍ରତିଶତ ଲୋକଙ୍କ ମଧ୍ୟରେ ଯକ୍ଷ୍ମାର ଲକ୍ଷଣ ଦେଖାଯାଇଥାଏ। ୯୦ ପ୍ରତିଶତ ବ୍ୟକ୍ତିଙ୍କ ମଧ୍ୟରେ ଏହାର କୌଣସି ଲକ୍ଷଣ ଦେଖାଯାଏ ନାହିଁ। ପୂର୍ବରୁ ଅନ୍ୟ କୌଣସି ରୋଗ ଯଥା- ସିକଲିନ, ଏଚଆଇଭି ଥିଲେ ଏହି ରୋଗ ସଂକ୍ରମଣ ହେବାର ଆଶଙ୍କା ବଢିଯାଏ। କାରଣ ରୋଗ ପ୍ରତିରୋଧକ ଶକ୍ତି କମ ଥିବା ଲୋକଙ୍କଠାରେ ଏହି ଜୀବାଣୁ ଅତି ସହଜରେ ସଂକ୍ରମିତ ହୋଇଥାଏ। ସୂଚନା ଅନୁସାରେ, ଏଚଆଇଭି(HIV) ସଂକ୍ରମିତ ହୋଇଥିବା ୧୦ ପ୍ରତିଶତ ବ୍ୟକ୍ତିଙ୍କ ମଧ୍ୟରେ ଯକ୍ଷ୍ମା ରୋଗ ଦେଖା ଦେଇଥାଏ ଓ ଏହାର ଉପଯୁକ୍ତ ଚିକିତ୍ସା ଅଭାବରୁ ୬୬ ପ୍ରତିଶତ ଲୋକଙ୍କର ମୃତ୍ୟୁ ହୁଏ।

ଯକ୍ଷ୍ମା ରୋଗର ନିରାକରଣ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ

ଯକ୍ଷ୍ମା ରୋଗକୁ ସମ୍ପୂର୍ଣ୍ଣ ଭାବେ ଭଲ କରିବା ପାଇଁ ବିଭିନ୍ନ ଟିକା ଓ ଔଷଧ ଉପଲବ୍ଧ ଅଛି। ତେବେ ସଠିକ୍ ଭାବେ ଉପଚାର ଓ ସଚେତନତା ଅଭାବରୁ ଏଥିପାଇଁ ଲୋକେ ମୃତ୍ୟୁ ମୁଖରେ ପଡୁଛନ୍ତି। ଜାତୀୟ ଯକ୍ଷ୍ମା ନିବାରଣ କାର୍ଯ୍ୟକ୍ରମ (NTEP) ଅନୁଯାୟୀ, ଗୋଟିଏ ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ୨୪ ଲକ୍ଷରୁ ଅଧିକ ରୋଗୀ ପଞ୍ଜୀକୃତ ହୋଇଛନ୍ତି। କେବଳ ୨୦୨୨ ମସିହାରେ ୬୩ ହଜାରରୁ ଅଧିକ ଯକ୍ଷ୍ମା ରୋଗୀ ଯୋଗ ଦେଇଥିବା ସୂଚନା ମିଳିଛି। ଏଭଳି ପରିସ୍ଥିତିରେ ଆଗାମୀ ୨ ବର୍ଷରେ ଯକ୍ଷ୍ମା ମୁକ୍ତ ଭାରତର ସ୍ୱପ୍ନକୁ ବାସ୍ତବରେ ପରିଣତ କରିବା ସରକାରଙ୍କ ପାଇଁ ଅତ୍ୟନ୍ତ କଷ୍ଟ ସାଧ୍ୟ ହେବା ପରି ଜଣାପଡୁଛି। ଗତ ବର୍ଷ ୧ କୋଟି ୪୦ ଲକ୍ଷ ନମୂନା ପରୀକ୍ଷା ଓ ୫୮ ଲକ୍ଷ ନ୍ୟୁକ୍ଲିକ୍ ଏସିଡ୍ ଆମ୍ପ୍ଲିଫିକେସନ ଟେଷ୍ଟ (NAAT) କରାଯାଇଥିଲା, ଯାହାର ଖର୍ଚ୍ଚ ସରକାର ବହନ କରିଥିଲେ। ଏହା ଦ୍ୱାରା ୬,୩୧,୬୮୩ ଜଣ ଯକ୍ଷ୍ମା ରୋଗର ଶିକାର ହୋଇଥିବା ଜଣା ପଡି଼ଥିଲା।

ଏହା ଛଡା଼ ଦେଶରେ ନିକ୍ଷୟ(NikshayTB Programme) ଯୋଜନା ଆରମ୍ଭ ହୋଇଛି। ଏହା ମାଧ୍ୟମରେ ଯକ୍ଷ୍ମା ରୋଗୀଙ୍କୁ ଗ୍ରହଣ କରି ସେମାନଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବା ପାଇଁ ଲୋକଙ୍କୁ ଅନୁରୋଧ କରାଯାଉଛି। ଜାନୁୟାରୀ ୨୦୨୩ ସୁଦ୍ଧା, ଏହି ଯୋଜନା ଅଧୀନରେ ୫୮ ହଜାର ଲୋକ ୯ ଲକ୍ଷ ଯକ୍ଷ୍ମା ରୋଗୀଙ୍କୁ ଖାଦ୍ୟ ଓ ଚିକିତ୍ସା ଯୋଗାଇ ଦେବା ଦାୟିତ୍ୱ ନେଇଛନ୍ତି। ଏହାଛଡା ସମସ୍ତ ରାଜନୈତିକ ଦଳ ସହ ନେତା ଓ କର୍ମୀ ମାନଙ୍କୁ ନିଜ ନିଜ ଅଞ୍ଚଳରେ ଯକ୍ଷ୍ମା ରୋଗୀଙ୍କ ଉପରେ କାର୍ଯ୍ୟ କରିବା ପାଇଁ କେନ୍ଦ୍ର ସରକାର ନିବେଦନ କରୁଛନ୍ତି।

ଭାରତରେ ୭୨୨ଟି ଜିଲ୍ଲାରେ ସରକାରଙ୍କ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଚାଲୁଥିଲେ ମଧ୍ୟ ଆଜି ମଧ୍ୟ ଆମ ଦେଶରେ ବହୁ ଯକ୍ଷ୍ମା ରୋଗୀ ରହିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ସମଗ୍ର ବିଶ୍ୱରେ ପ୍ରତି ୪ ଜଣ ଯକ୍ଷ୍ମା ରୋଗୀଙ୍କ ମଧ୍ୟରୁ ଜଣେ ଭାରତୀୟ ଅଟନ୍ତି। ପ୍ରତିବର୍ଷ ୧୦ ପ୍ରତିଶତ ରୋଗୀ ସଂଖ୍ୟା କମାଇବା ଲକ୍ଷ୍ୟ ଧାର୍ଯ୍ୟ ଥିଲେ ମଧ୍ୟ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆମ ରାଜ୍ୟରେ ମଧ୍ୟ ନିକ୍ଷୟ ଯୋଜନା ଆରମ୍ଭ ହୋଇସାରିଛି। ଏହାଦ୍ୱାରା ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଚିହ୍ନଟ ହେଉଥିବା ଯକ୍ଷ୍ମା ରୋଗୀଙ୍କ ସମସ୍ତ ତଥ୍ୟ ଅନ ଲାଇନରେ ଉପଲବ୍ଧ କରାଯାଉଛି ।