Millet Day: ଓଡ଼ିଶାରେ ମାଣ୍ଡିଆ ପାଇଁ ନୂଆ ସମ୍ଭାବନା
Advertisement
Article Detail0/zeeodisha/odisha1435206

Millet Day: ଓଡ଼ିଶାରେ ମାଣ୍ଡିଆ ପାଇଁ ନୂଆ ସମ୍ଭାବନା

Millet Day: ମାଣ୍ଡିଆର ଗୁରୁତ୍ୱକୁ ଉପଲବ୍ଧ କରି  ରାଜ୍ୟ ସରକାର ୨୦୧୭ ମସିହାରେ 'ମିଲେଟ ମିଶନ' ଆରମ୍ଭ କରିଥିଲେ । ପ୍ରଥମେ ୭ଟି ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି ମିଶନ ଏବେ ୧୯ ଜିଲ୍ଲାରେ ପହଞ୍ଚିଛି । ଆଗକୁ ରାଜ୍ୟର ୩୦ ଜିଲ୍ଲାରେ ଏହାକୁ ପ୍ରଚଳନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ଫଟୋ ସୌଜନ୍ୟ (ସୁଦର୍ଶନ ପଟ୍ଟନାୟକ/twitter)

Millet Day: ରାଜ୍ୟରେ ଆଜି  ଅର୍ଥାତ ଗୁରୁବାର ଦିନ ପାଳନ କରଯାଉଛି ମାଣ୍ଡିଆ ଦିବସ (Millet Day )। ମାଣ୍ଡିଆ ଚାଷ, ପ୍ରକ୍ରିୟାକରଣ, ମାଣ୍ଡିଆ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର (Odisha Government)ଏହି ପ୍ରୟାସ ଆରମ୍ଭ କରିଛନ୍ତି । ଯାହା ସାଧାରଣ ଲୋକଙ୍କ ପାଖରେ ମାଣ୍ଡିଆର ଗୁରୁତ୍ୱ ଓ ଉପକାରିତାକୁ ପହଞ୍ଚାଇବାରେ ସାହାଯ୍ୟ କରିବ ।

ସେଥିପାଇଁ ରାଜ୍ୟ ସରକାର ପ୍ରତିବର୍ଷ ମାର୍ଗଶିର ମାସ ପ୍ରଥମ ଗୁରୁବାରରେ ମାଣ୍ଡିଆ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାର ପୂର୍ବରୁ ଓଡ଼ିଶା ମିଲେଟ୍ ମିଶନ ମାଧ୍ୟମରେ ନିଜର ଅଭିଯାନ ଜାରି ରଖିଛନ୍ତି । ଯାହାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସ୍ୱୀକୃତି ମିଳିଛି । ଏପରିକି କେନ୍ଦ୍ର ସରକାର ମଧ୍ୟ ଓଡ଼ିଶା ମଡେଲକୁ ଆପଣାଇବାକୁ ବିଭିନ୍ନ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କେନ୍ଦ୍ର ମନ୍ତ୍ରାଳୟ ଓ ବିଭାଗ ଗୁଡ଼ିକରେ ହେବାକୁ ଥିବା ମିଟିଂ ଓ କ୍ୟାଣ୍ଟିନରେ ମାଣ୍ଡିଆ ପ୍ରସ୍ତୁତ ଲଡୁ, ମିକ୍ସଚର, ସ୍ନାକ୍ସ୍, ପୁରୀ, ଇଡଲି, ଦୋଷା ଓ ବିସ୍କୁଟ୍ ପରଷିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ସେତିକି ନୁହେଁ ନୀତି ଆୟୋଗ ମଧ୍ୟ ଏହାକୁ ଏକାଧିକ ଥର ପ୍ରଶଂସା କରିଛନ୍ତି ।

ମାଣ୍ଡିଆ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥିବା ବେଳେ ଏହାକୁ ସହଜରେ ଚାଷ କରାଯାଇପାରେ । ମିଲଟ୍ ମିଶନ ଜରିଆରେ ଚାଷୀମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ସରକାରୀ ସ୍ତରରେ ଚାଷ ସମ୍ୱନ୍ଧୀୟ ବୈଷୟିକ ସୂଚନା ପ୍ରଦାନ ସହ ତାଲିମ ପାଇଁ କର୍ମଶାଳା ମାନ ଆୟୋଜନ କରାଯାଉଛି । କେବଳ ଏତିକି ନୁହେଁ, ବରଂ ବିଭିନ୍ନ ପଞ୍ଚାୟତରେ ମାଣ୍ଡିଆ ମଣ୍ଡି ଖୋଲି ଚାଷୀଙ୍କୁ ବିକ୍ରି କରିବାରେ ସହାୟକ ହେଉଛନ୍ତି । ଯାହାଫଳରେ ଚାଷୀ ନିଜର ଉତ୍ପାଦିତ ଫସଲକୁ ସିଧାସଳଖ ମଣ୍ଡିରେ ବିକ୍ରି କରିପାରୁଛନ୍ତି । ଏହାପରେ ଫସଲର ମୂଲ୍ୟ ଚାଷୀଙ୍କ ଟିଡିସିଏସ ଖାତାକୁ ସିଧାସଳଖ ଟଙ୍କା ପଠାଯାଉଛି ।

ଅନ୍ୟପଟେ ରାଜ୍ୟ ସରକାର ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ବ୍ୟଞ୍ଜନ, ଛତୁଆ ଆଦି ଅଙ୍ଗନୱାଡି କେନ୍ଦ୍ର ଓ ବିଦ୍ୟାଳୟର ପିଲାଙ୍କୁ ଦେବାପାଇଁ ବ୍ୟବସ୍ଥା କରୁଛନ୍ତି । ଯାହା ପାଇଁ ମାଣ୍ଡିଆ ସାମଗ୍ରୀ ଉତ୍ପାଦନ କରୁଥିବା ଅନୁଷ୍ଠାନ ଗୁଡ଼ିକ ବିଶେଷ ଉପକୃତ ହୋଇପାରୁଛନ୍ତି । ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଗୁଡ଼ିକର ସକ୍ରିୟ ଅଂଶ ଗ୍ରହଣ ଦ୍ୱାରା ସରକାରଙ୍କ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ବି ସଫଳ ରୂପାୟନ ହେଉଛି ।

ପୂର୍ବରୁ ଆଦିବାସୀ ସଂପ୍ରଦାୟର ଲୋକେ ପାରମ୍ପରିକ ଭାବେ ମାଣ୍ଡିଆ, ସୁଆଁ, ବାଜରା ଭଳି  କ୍ଷୁଦ୍ର ଶସ୍ୟ ଜାତୀୟ ଫସଲ ଚାଷ କରି ଆସୁଥିଲେ । ଯାହା ଅଳ୍ପ ଅମଳ ଦେବା ସହ କୃଷକଙ୍କର କ୍ଷତି ଘଟାଉଥିଲା । କିନ୍ତୁ  ସରକାର ଏବେ ଜୈବିକ ପଦ୍ଧତିରେ ମାଣ୍ଡିଆ ଚାଷ କରିବା ପାଇଁ ପ୍ରୟାସ କରୁଛନ୍ତି । ସେଥିପାଇଁ କୃଷକଙ୍କୁ ଏକର ପିଛା ଦୁଇ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଉଛି । ଏଥିରେ ଜୈବିକ ପଦ୍ଧତିରେ ଚାଷ କରାଯାଉଥିବାରୁ ଜମିର ଉର୍ବରତା ବୃଦ୍ଧି ପାଇବା ସହ ଫସଲ ଉତ୍ପାଦନ ମଧ୍ୟ ବୃଦ୍ଧି ପାଉଛି । ଯାହାର ଫଳ ସ୍ୱରୂପ ଏବେ ଏକର ଏକର ଜମିରେ ଲହଡି ଭାଙ୍ଗୁଛି ମାଣ୍ଡିଆ ଫସଲ ।

ଏହା ବି ପଢ଼ନ୍ତୁ: Droupadi Murmu: ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ଓଡିଶା ମାଟି ଛୁଇଁବେ ଦ୍ରୌପଦୀ, ଭିଟାମାଟିରେ ଉତ୍ସାହ