ସେୟାର ମାର୍କେଟରେ ବଡ଼ ଉତ୍ସାହ, ୮୦ ହଜାର ଛୁଇଁଲା ସେନସେକ୍ସ
Advertisement
Article Detail0/zeeodisha/odisha2320790

ସେୟାର ମାର୍କେଟରେ ବଡ଼ ଉତ୍ସାହ, ୮୦ ହଜାର ଛୁଇଁଲା ସେନସେକ୍ସ

ଗତକାଲିର ବନ୍ଦ ତୁଳନାରେ ସେନ୍‌ସେକ୍ସ ୫୪୫ ପଏଣ୍ଟ ବୃଦ୍ଧି ପାଇ ୭୯,୯୮୬ ପଏଣ୍ଟରେ ବନ୍ଦ ହୋଇଛି।

ସେୟାର ମାର୍କେଟରେ ବଡ଼ ଉତ୍ସାହ, ୮୦ ହଜାର ଛୁଇଁଲା ସେନସେକ୍ସ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତୀୟ ଷ୍ଟକ୍‌ ଏକ୍ସଚେଞ୍ଜ ଏକ ଐତିହାସିକ ସଫଳତା ହାସଲ ସହ ନୂତନ ରେକର୍ଡ କରିଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ବୁଧବାର ପ୍ରଥମ ଥର ପାଇଁ ୮୦,୦୦୦ ପଏଣ୍ଟ ସ୍ତର ଅତିକ୍ରମ କରିଥିଲା। ଖୁବ୍‌ କମ୍ ସମୟ ଭିତରେ ଏହା ୫୦୦୦ ପଏଣ୍ଟ ଯୋଡ଼ିବା ସହ ଏହି ବିରଳ ଉପଲବ୍ଧି ହାସଲ କରିଥିଲା। କିନ୍ତୁ ସେହି ସଫଳତା ଦୀର୍ଘ ସମୟ ରହି ପାରିନଥିଲା। କାରବାର ବନ୍ଦ ହେବା ବେଳକୁ ସେନ୍‌ସେକ୍ସ ୮୦୦୦୦ ପଏଣ୍ଟ ତଳକୁ ଖସି ଆସିଥିଲା। ଗତକାଲିର ବନ୍ଦ ତୁଳନାରେ ସେନ୍‌ସେକ୍ସ ୫୪୫ ପଏଣ୍ଟ ବୃଦ୍ଧି ପାଇ ୭୯,୯୮୬ ପଏଣ୍ଟରେ ବନ୍ଦ ହୋଇଛି। ‌‌ସେହିପରି, ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୧୬୨ ପଏଣ୍ଟ ବୃଦ୍ଧି ପାଇ ୨୪ ହଜାର ୨୮୬ ପଏଣ୍ଟରେ ବନ୍ଦ ହୋଇଛି। 

ସେହିପରି ଘରୋଇ ଶେୟାର ବଜାର କାରବାରରେ ଉଭୟ ଏନ୍‌ଏସ୍‌ଇ ଓ ବିଏସ୍‌ଇ ପ୍ରାରମ୍ଭରୁ ଲାଭରେ ଚାଲିଥିଲାବେଳେ ଶେଷ ବେଳକୁ କାରବାର କିଛି ପରିମାଣରେ ହ୍ରାସ ପାଇଥିଲା। ଏପରିକି ଏନ୍‌ଏସ୍‌ଇ ନିଫ୍ଟି ୫୦ର କାରବାର ପ୍ରାରମ୍ଭରେ ସର୍ବୋଚ୍ଚ ୨୪,୩୦୨ ଅଙ୍କ ଛୁଲଁଥିଲାବେଳେ ଶେଷ ବେଳକୁ ଏହା ୨୪,୨୮୬.୫୦ ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ବିଏସ୍‌ଇ ସେନ୍‌ସେକ୍ସ କାରବାର ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁଜ ସ୍ତରରେ ରହିଥିଲା। ଏପରିକି ୮୦,୦୧୩ ଅଙ୍କରୁ କାରବାର ଆରମ୍ଭ ହୋଇଥିଲାବେଳେ ସେନ୍‌ସେକ୍ସ ଅଲ୍‌ ଟାଇମ ହାଇ ୮୦,୦୭୪ ଅଙ୍କରେ ପହଞ୍ଚିଥିଲା। 

ଅନ୍ୟପଟେ କେବଳ ଜୁନ୍ ମାସରେ ସେଥିରେ ବଡ଼ ଧରଣର ବୃଦ୍ଧି ଘଟିଥିଲା। ଜୁନ୍ ୧୦ରେ ସେନ୍‌ସେକ୍ସ ୭୭,୦୦୦, ଜୁନ୍ ୨୫ରେ ୭୮,୦୦୦ ଓ ଜୁନ୍ ୨୭ରେ ୭୯,୦୦୦ ପଏଣ୍ଟ ଅତିକ୍ରମ କରିଥିଲା। ଏହା ପୂର୍ବରୁ ୭୦,୦୦୦ରୁ ୭୫,୦୦୦ ପଏଣ୍ଟରେ ପହଞ୍ଚିବା ଲାଗି ସେନ୍‌ସେକ୍ସକୁ ୮୦ ଦିନ ଅପେକ୍ଷା କରିବାକୁ ପଡ଼ିଥିଲା। ୨୦୨୩ ଡିସେମ୍ବରରେ ତାହା ୭୦ ହଜାର ପଏଣ୍ଟ ମାଇଲଖୁଣ୍ଟ ଅତିକ୍ରମ କରିଥିଲା। 

୧୯୯୯ ଅକ୍ଟୋବର ୮ରେ ସେନ୍‌ସେକ୍ସ ପ୍ରଥମ ୫୦୦୦ଅଙ୍କ ହାସଲ କରିବାକୁ ୪୩୫୭ ଦିନ ସମୟ ନେଇଥିଲାବେଳେ ୨୦୨୪ ଜୁଲାଇ ୩ରେ ସେନ୍‌ସେକ୍ସ ୮୦,୦୦୦ଅଙ୍କ ପାର କରିଛି। ଏପରିକି ୮୦,୦୦୦ ପାର ପାଇଁ ୫୭ ଦିନର ଟ୍ରେଡିଂ ସମୟ ସହ ନୂତନ ରେକର୍ଡ ହାସଲ କରିଛି।