Year Ender 2023: ଏହି ବର୍ଷର ୭ଟି ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର, ଜାଣନ୍ତୁ ଚର୍ଚ୍ଚାର କାରଣ...
Advertisement

Year Ender 2023: ଏହି ବର୍ଷର ୭ଟି ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର, ଜାଣନ୍ତୁ ଚର୍ଚ୍ଚାର କାରଣ...

Year Ender 2023: ପ୍ରତିବର୍ଷ ଅନେକ ଓଡ଼ିଆ ସିନେମା ରିଲିଜ୍ ହୋଇଥାଏ କିନ୍ତୁ ଅନେକ ସିନେମା ଭିଡ ମଧ୍ୟରେ କିଛି ସିନେମାକୁ ନେଇ ଅଧିକ ଚର୍ଚ୍ଚା ଆଲୋଚନା ହୋଇଥାଏ । ତେବେ ଆଜି ଆମେ ଜାଣିବା ୨୦୨୩ରେ ରିଲିଜ୍ ହୋଇଥିବା ଚର୍ଚ୍ଚିତ ସିନେମାର ଚର୍ଚ୍ଚାର କାରଣ ।

Year Ender 2023: ଏହି ବର୍ଷର ୭ଟି ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର, ଜାଣନ୍ତୁ ଚର୍ଚ୍ଚାର କାରଣ...

Year Ender 2023: ଓଡ଼ିଶାବାସୀଙ୍କର ୧୨ ମାସରେ ୧୩ ପର୍ବ ଆଉ ପ୍ରତିଟି ପର୍ବରେ ଥାଏ ନିଆରା ସଆଗ । କିନ୍ତୁ ସେମଧ୍ୟରେ ନୂଆ ବର୍ଷ, ରଜ, ରଥଯାତ୍ରା, ଗଣେଶ ପୂଜା, ଦୁର୍ଗାପୂଜା ପରି ପର୍ବର ମଜା ଟିକେ ଅଧିକ ଥାଏ । ଏଥିସହିତ ଏହି ପର୍ବ ଗୁଡିକରେ ସିନେମା ଦେଖିବା ପାଇଁ ଲୋକଙ୍କର ଭିଡ ଜମେ । ଅନେ ସିନେ ପ୍ରଯୋଜକ ଏବଂ ନିର୍ଦ୍ଦେଶକମାନେ ମଧ୍ୟ ଓଡ଼ିଆ ପର୍ବପର୍ବାଣୀ ସମୟରେ ସିନେମା ରିଲିଜ୍ କରିବାକୁ ପ୍ରସ୍ତୁତ ହୋଇଥାନ୍ତି । ପ୍ରତିବର୍ଷ ଅନେକ ସିନେମା ନିର୍ମାଣ ହୁଏ କିନ୍ତୁ ସେମଧ୍ୟରେ କିଛି ସିନେମାକୁ ନେଇ ସିନେପ୍ରେମୀ ଚର୍ଚ୍ଚା ଆଲୋଚନା କରିଥାନ୍ତି । କେବଳ ସେତିକି ନୁହେଁ , ସୋସିଆଲ ମିଡିଆରେ ମଧ୍ୟ ଅନେକ ପ୍ରକାରର ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ । ସେହିକ୍ରମରେ ଆଜି ଆମେ ଜାଣିବା ୨୦୨୩ ମସିହାରେ ବ୍ୟାପକ ଚର୍ଚ୍ଚା ହୋଇଥିବା ୭ଟି  ଚଳଚ୍ଚିତ୍ର ବିଷୟରେ ।

'ଲଭ୍ ଇନ ଲଣ୍ଡନ'
ରଜ ଉପଲକ୍ଷେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଲଭ୍ ଇନ୍ ଲଣ୍ଡନ' (Love in London) ସୁଟିଂ ଆରମ୍ଭରୁ ରିଲିଜ୍ ହେବା ପର୍ଯ୍ୟନ୍ତ ଚର୍ଚ୍ଚାରେ ଥିଲା । କାରଣ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଦୀର୍ଘଦିନର ବ୍ୟବଧାନ ପରେ ସିଲଭର୍ ସ୍କ୍ରିନ୍କୁ ଓହ୍ଲାଇଥିଲେ । ନିଜର ପ୍ରିୟ ସୁପରଷ୍ଟାରଙ୍କ ବ୍ୟକ୍ତିଗତ ପାରିବାରିକ ବିବାଦ ତଥା ବିବାହ ବିଚ୍ଛେଦ ଘଟଣାକ୍ରମ ମଧ୍ୟରେ ସିନେମାଟି ରିଲିଜ୍ ହୋଇଥିବାରୁ ତାହାକୁ ଦେଖିବାକୁ ପ୍ରଶଂସକଙ୍କ ମଧ୍ୟରେ ଅନେକ ଉଚ୍ଛାହ ଥିଲା । ସିନେମା ରିଲିଜ୍ ପରଠୁ ଲଗାତାର କିଛିଦିନ ପର୍ଯ୍ୟନ୍ତ ଅଧିକାଂଶ ସିନେମା ହଲ ହାଉସଫୁଲରେ ଚାଲିଥିଲା । ରଜ ବଜାରରେ ସିନେମାଟି ଭଲ ବ୍ୟବସାୟ କରିଥିଲା । 'ଲଭ୍ ଇନ୍ ଲଣ୍ଡନ'ରେ ଅନୁଭବଙ୍କ ସହିତ ନବାଗତା ନାୟିକା ସ୍ୱପ୍ନା ପ୍ରିୟଦର୍ଶିନୀ ଡେବ୍ୟୁ କରିଥିଲେ ।

'ଡେଲିଭରୀ ବୟ'
ଜଣେ ଫୁଡ୍ ଡେଲିଭରୀ ବୟ (Delivery boy) ଜୀବନରେ ଆସୁଥିବା ସୁଖ ଓ ଦୁଖର କାହାଣୀକୁ ପରଦାରେ ଖୁବ୍ ନିଖୁଣ ଭାବରେ ଚିତ୍ରିତ କରିଥିଲେ ଯୁବ ନିର୍ଦ୍ଦେଶକ ଅଶ୍ୱିନ୍ ତ୍ରିପାଠୀ । ଅଶ୍ୱିନଙ୍କ ନିର୍ଦ୍ଦେଶିତ ଏହା ପ୍ରଥମ ଥିଏଟର ସିନେମା ହୋଇଥିଲେ ମଧ୍ୟ ପ୍ରଥମ ବଲରେ ଛକା ପିଟିବା ପରି ଅଶ୍ୱିନ ପ୍ରଥମ ସିନେମାରୁ ହିଁ ସମସ୍ତଙ୍କର ପ୍ରିୟ ହୋଇପାରିଥିଲେ । ଏହି ସିନେମାର ସତ କାହାଣୀ ସମସ୍ତଙ୍କୁ ଏତେ ପ୍ରଭାବିତ କରିଥିଲା ଯେ, ରାଜ୍ୟ ସରକାର ଏହି ସିନେମା ଉପରୁ ଟିକସ ଛାଡ କରିଥିଲେ । ସିନେମାରେ ନାୟକ ଭୂମିକାରେ ଶୈଳେନ୍ଦ୍ର ଏବଂ ନାୟିକା ଭୂମିକାରେ ପ୍ରିୟମ୍ୱନ୍ଦାଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଥିଲା । ଏଥିସହିତ ସନ୍ତୁଙ୍କ ଅଭିନୟକୁ ଦର୍ଶକେ ବେଶି ପ୍ରଶଂସା କରିଥିଲେ । କେବଳ ସେତିକି ନୁହେଁ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଓ ଅଭିନେତ୍ରୀ ସୂର୍ଯ୍ୟମୟୀଙ୍କ ଓକିଲାତି ସିନେମାକୁ ଖୁବ୍ ଖାସ୍ କରିଥିଲା । ଏହି ସିନେମାଟି ଏପ୍ରିଲ୍ ୭ତାରିଖରେ ରିଲିଜ୍ ହୋଇଥିଲା ।

'ରାମ୍'
ରତ୍ନା ଫିଲ୍ମ ବ୍ୟାନରରେ ଅକ୍ଟୋବର ୨୦ ତାରିଖରେ ମୁକ୍ତିଲାଭ କରିଥିବା ତଥା ସୁପରଷ୍ଟାର ଅରିନ୍ଦମ ରୟଙ୍କ ପ୍ରଯୋଜିତ 'ରାମ' (RAAM) ସିନେମାରେ ମୁଖ୍ୟ ଭୂମିକାରେ ଅରିନ୍ଦମଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଥିଲା । ସିନେମାଟି ଦଶହରା ଉପଲକ୍ଷେ ମୁକ୍ତିଲାଭ କରିଥିବାବେଳେ ଏହି ସିନେମାରେ ଆଂଶିକ ଭାବରେ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଅନୁଭବ ଅରିନ୍ଦମଙ୍କ ଯୋଡି ଅଭିନିତ ଏକ ଗୀତକୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ । ସିନେମା ହଲରେ ହାଉସଫୁଲ ଚାଲିଥିବା ସମୟରେ ବିବାଦୀୟ ହୋଇପଡିଥିଲା । ଅରିନ୍ଦମ ରୟ ଅଭିଯୋଗ କରିଥିଲେ ଯେ, ତାଙ୍କ ସିନେମା ରାମକୁ ପଶ୍ଚିମ ଓଡ଼ିଶାର ଏକ ହଲରେ ରିଲିଜ୍ କରିବାକୁ ଦିଆଯାଉ ନାହିଁ । ଏନେଇ ଓଲିଉଡ ପ୍ରଯୋଜକମାନେ ଏକ ବୈଠକ କରିବା ପରେ ସିନେମା ରିଲିଜ୍ କରାଇନଦେବାକୁ ଅଭିନେତା ମନୋଜ ମିଶ୍ର ଚକ୍ରାନ୍ତ ଚଳାଇଥିବା ନେଇ ଖବର ଆସିଥିଲା । ଫଳରେ ମନୋଜଙ୍କୁ କିଛି ସିନେ ପ୍ରଯୋଜକ ସିନେମାରୁ ବ୍ୟାନ କରିଥିଲେ । ପରେ ଘଟଣାରେ ନୂଆମୋଡ ଆସିଥିଲା ।

'ମାଇଣ୍ଡ ଗେମ୍'
ଓଡ଼ିଆ ଚଳଚ୍ଚିତ୍ର ରାମ ଏବଂ ମାଇଣ୍ଡଗେମ୍ (Mind Game) ପାଖାପାଖି ତାରିଖରେ ରିଲିଜ୍ ହୋଇଥିଲା । ମାଇଣ୍ଡଗେମ ସିନେମାର କାହାଣୀ ଖୁବ ଭଲ ଥିବାବେଳେ ଏହା କେବଳ ଓଡ଼ିଆ ଭାଷାରେ ରିଲିଜ୍ ନହୋଇ ଅନ୍ୟ ଆଞ୍ଚଳିକ ଭାଷାରେ ରିଲିଜ୍ ହୋଇଥିଲା । ଏଥିରେ ଅଭିନେତା ମନୋଜ ମିଶ୍ରଙ୍କ ଦମଦାର ଅଭିନୟ ଦେଖି ସିନେପ୍ରେମୀ ଖୁବ ପ୍ରଶଂସା କରିଥିଲେ । ତେବେ ରାମ ଏବଂ ମାଇଣ୍ଡଗେମକୁ ନେଇ ଝଡ ସୃଷ୍ଟି ହେବାର ମୁଖ୍ୟ କାରଣ ଥିଲା ଏହା ଯେ, ସମ୍ୱଲପୁରର ଏକ ସିନେମା ହଲରେ ରାମ୍ ସିନେମା ମୁକ୍ତିଲାଭ କରିବାରେ ବଞ୍ଚିତ ହୋଇଥିଲା । ସେହି ସିନେମା ହଲରେ ଆଞ୍ଚଳିକ ଭାଷାରେ ଡବିଂ ହୋଇଥିବା ମାଇଣ୍ଡ୍ ଗେମ୍ ସିନେମା ଦୀର୍ଘଦିନ ଧରି ସ୍କ୍ରିନିଂ ହୋଇଥିଲା । ଯାହାଫଳରେ ମାଇଣ୍ଡଗେମ ଚଳଚ୍ଚିତ୍ରର ଅଭିନେତା ମନୋଜ ମିଶ୍ର ଏବଂ ରାମ ସିନେମା ଅଭିନେତା ତଥା ପ୍ରଯୋଜକ ଅରିନ୍ଦମ ରୟଙ୍କ ମଧ୍ୟରେ ତୁ ତୁ ମେଁ ମେଁ ବେଶ୍ କିଛିଦିନ ଚାଲିବା ପରେ ଘଟଣାରେ ରାଜନୈତିକ ହସ୍ତକ୍ଷେପ ହୋଇଥିଲା । ସୋସିଆଲ ମିଡିଆରେ ମଧ୍ୟ ଏହି କଳିର ପ୍ରଭାବ ଦେଖିବାକୁ ମିଳିଥିଲା ।

'ପ୍ରଥା'
ରିଲିଜ୍ ହେବାର ପ୍ରଥମ ଦିନରୁ ହିଁ ସିନେମା 'ପ୍ରଥା' (Pratha) ବିବାଦ ମଧ୍ୟକୁ ଟାଣିହୋଇ ଆସିଥିଲା । ସିନେମା 'ରାମ୍' ଏବଂ 'ମାଇଣ୍ଡ ଗେମ୍' କଳି ମଧ୍ୟରେ ସତେ ଯେମିତି ବଳି ପଡିଗଲା ପ୍ରଥା । ନଭେମ୍ୱର ୩ରେ ସାରା ଓଡ଼ିଶାରେ ସିନେମା ମୁକ୍ତିଲାଭ କରିବା କାରଣରୁ ପ୍ରଯୋଜିକା ସନଲିସା ପଟେଲ ସିନେମାର ଦମଦାର ପ୍ରମୋଶନ କରିଥିଲେ । ବିଭିନ୍ନ ସ୍ଥାନ ତଥା ସିନେମା ହଲ ଗୁଡିକ ସାମ୍ନାରେ ପୋଷ୍ଟର ଏବଂ ଫ୍ରେକ୍ସ ଲାଗିଥିଲା । କିନ୍ତୁ ସମ୍ୱଲପୁରର ଏକ ହଲ ସାମ୍ନାରେ ସିନେମାଟିକୁ ପ୍ରସାରଣ କରାଇ ନଦେବାକୁ କିଛି ବ୍ୟକ୍ତି ପୋଷ୍ଟର ଚିରିଥିଲେ । ଯାହାଫଳରେ ରିଲିଜ୍ ହେବାର ପ୍ରଥମ ଦିନରୁ ହିଁ ସିନେମାକୁ ହଲ୍ ଗୁଡିକରୁ ଉଠାଇ ନେଇଥିଲେ ପ୍ରଯୋଜିକା ସନଲିସା ପଟେଲ୍ । ଏହି ଘଟଣା ପାଇଁ ସନଲିସା ଗଣମାଧ୍ୟମରେ ସିଧାସଳଖ ମନୋଜ ମିଶ୍ରଙ୍କୁ ଦାୟି କରିଥିଲେ । ପରେ ନ୍ୟାୟ ପାଇଁ ଲୋୟର ପିଏମଜିରେ ଧାରଣା ଦେଇଥିଲେ ସନଲିସା । ଧାରଣାସ୍ଥଳରେ 'ପ୍ରଥା' ସିନେମାର ନାୟକ ସ୍ୱରାଜ ବାରିକଙ୍କ ସମେତ ଅନେକ ସିନେ କଳାକାର ପହଞ୍ଚି ସନଲିସାଙ୍କୁ ସମର୍ଥନ କରିଥିଲେ । ଆପଣଙ୍କୁ କହିରଖୁଛୁ ଯେ, 'ପ୍ରଥା' ଏକ ହାଇ ବଜେଟ୍ ର ସିନେମା ଥିଲା ।

'ପୁଷ୍କରା' 
ପୁରୀର ଗଳିକନ୍ଦି ରାସ୍ତା, ଆଞ୍ଚଳିକ ଭାଷା ସହିତ ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା ଚଳଚ୍ଚିତ୍ର 'ପୁଷ୍କରା' (Pushkara)ରେ । ତାସହିତ କାହାଣୀ ହିସାବରେ ସୁପରଷ୍ଟାର ସବ୍ୟସାଚୀ ମିଶ୍ରଙ୍କ ଜୀବନ୍ତ ଅଭିନୟ ସିନେମାକୁ କରିଥିଲା ଅଧିକ ସ୍ୱତନ୍ତ୍ର । ସେପ୍ଟେମ୍ୱର ୧୯ରେ ସିନେମା ରିଲିଜ୍ ହେବା ପରେ ପ୍ରେକ୍ଷାଳୟରୁ ଦର୍ଶକ ବାହାରି ପ୍ରତିକ୍ରିୟା ଦେଇଥିଲେ ଯେ, ଏହା ହୃଦୟକୁ ଛୁଇଁବା ପରି ସିନେମାଟିଏ । ସୋସିଆଲ ମିଡିଆରେ ସିନେମା ସମ୍ପର୍କରେ ବେଶ୍ କିଛିଦିନ ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା । ଏଥିସହିତ ସିନେମାର ନାୟିକା ସୁପ୍ରିୟା ମଧ୍ୟ ସିନେମାରେ ଏକ ଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ । ସିନେମାର ନାୟକ ସବ୍ୟସାଚୀ ଅନେକ ହଲମାନଙ୍କରେ ପହଞ୍ଚି ଦର୍ଶକଙ୍କ ମତାମତ ନେଇଥିଲେ । ପ୍ରାୟ ଅଧିକାଂଶ ହଲରେ ସିନେମାଟି ହାଉସଫୁଲ ଚାଲିଥିଲା । ଅନେକ ବ୍ୟକ୍ତି ସିନେମା ଦେଖିବା ପରେ ଏହାର ରିଭ୍ୟୁ କରିଥିଲେ ସୋସିଆଲ ମିଡିଆରେ । 

'ମାଇଁ ସୁଇଟ୍ ହାଉସ ୱାଇଫ୍'
କୌଣସି ବିବାଦ ନୁହେଁ ବରଂ ଏକ ଭଲ କାହାଣୀ ପାଇଁ ଚର୍ଚ୍ଚାରେ ଥିଲା ସିନେମା 'ମାଇଁ ସୁଇଟ୍ ହାଉସ୍ ୱାଇଫ୍' । ସିନେମାରେ ଅଭିନେତା ପ୍ରୀତିରାଜ ଏବଂ ନୈନା ଦାସଙ୍କ ଅଭିନୟ ଖୁବ ଚମତ୍କାର ଥିଲା ବୋଲି ସୋସିଆଲ ମିଡିଆରେ ସିନେପ୍ରେମୀଙ୍କ ରିଭ୍ୟୁ ଦେଖିବାକୁ ମିଳିଥିଲା । ଏହାଛଡା ସିନେମାର ପ୍ରମୋଶନ କୌଣସି ବଡ଼ ହୋଟେଲ୍ ନୁହେଁ ବରଂ ଏକ ରାସ୍ତା କଡରେ ଥିବା ଚା' ଦୋକାନରେ ହୋଇଥିଲା ।  ଅଭିନେତ୍ରୀ ନୈନା ଦାସ ନିଜେ ଚା ଦୋକାନରେ ଚା' ତିଆରି କରି ଲୋକଙ୍କୁ ବାଣ୍ଟିବା ସହ ସିନେମା କାହାଣୀ ସମ୍ପର୍କରେ କହିଥିଲେ ।

Also Read- Ajab Gajab: ଚାକିରି ଛାଡି ବିକିଲେ ଗଧ କ୍ଷୀର, ୫ଦିନରେ ହେଲେ ଲକ୍ଷପତି!

Also Read- ପୋଲିସକୁ ଗାଳିଗୁଲଜ କରି ଓଲିଉଡ ଅଭିନେତା ବିରଞ୍ଚି ଗିରଫ ପରେ କୋର୍ଟ ଚାଲାଣ