Director Sudhakar Vasanth: ଓଡ଼ିଆ ସିନେ ଜଗତକୁ ଏତେ ବର୍ଷ ଦେଇ ମଧ୍ୟ ଆଜି ସମସ୍ତେ ତାଙ୍କୁ ଭୁଲିଗଲେ । ଶେଷରେ ପରିସ୍ଥିତିରେ ପଡ଼ି ଯାତ୍ରାରେ ଯୋଗ ଦେଲେ। ତେବେ ସାଧାରଣରେ ଚର୍ଚ୍ଚା ହେଉଛି କି ଦୁର୍ଘଟଣା କାରଣରୁ ସେ କେବେବି ଆଉ ନୃତ୍ୟ ନିର୍ଦ୍ଦେଶନା ଦେଇପାରିବେନି।
Trending Photos
Ollywood News: ସୁଧାକର ବସନ୍ତ ବର୍ତ୍ତମାନ ଯାତ୍ରା ଦୁନିଆରେ ପାଦ ରଖିଛନ୍ତି। ଅଜ୍ଞା ହଁ ଆପଣ ଠିକ୍ ଶୁଣିଛନ୍ତି। ଏ ହେଉଛନ୍ତି ସେହି ସୁଧାକର ବସନ୍ତ ଯିଏ ଦିନେ ଓଡ଼ିଆ ସିନେ ଜଗତର ଜଣାଶୁଣା ନୃତ୍ୟ ନିର୍ଦ୍ଦେଶକ, ଅଭିନେତା ଏବଂ ପ୍ରଯୋଜକ ଭାବରେ କାମ କରି ଆସୁଥିଲେ। ହେଲେ ତାଙ୍କର ଯେ ଦିନେ ଏମିତି ଖରାପ ସମୟ ଆସିବ ଜାଣିନଥିଲେ। କିଛି ବର୍ଷ ପୂର୍ବେ ସେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ଆଉ ତାପରେ ଘରେ ୯ ମାସ ଆରାମ କଲେ। କିନ୍ତୁ କେହି ତାଙ୍କ କଥା ପଚରିଲେନି । କେହି ତାଙ୍କ ପାଖକୁ ଗଲେନି। ଓଡ଼ିଆ ସିନେ ଜଗତକୁ ଏତେ ବର୍ଷ ଦେଇ ମଧ୍ୟ ଆଜି ସମସ୍ତେ ତାଙ୍କୁ ଭୁଲିଗଲେ । ଶେଷରେ ପରିସ୍ଥିତିରେ ପଡ଼ି ଯାତ୍ରାରେ ଯୋଗ ଦେଲେ। ତେବେ ସାଧାରଣରେ ଚର୍ଚ୍ଚା ହେଉଛି କି ଦୁର୍ଘଟଣା କାରଣରୁ ସେ କେବେବି ଆଉ ନୃତ୍ୟ ନିର୍ଦ୍ଦେଶନା ଦେଇପାରିବେନି।
ଗଣମାଧ୍ୟମକୁ ଦେଇଥିବା ଏକ ବାଇଟରେ ସୁଧାକର ମର୍ମାହତ ହୋଇ କହିଛନ୍ତି, ଦୁର୍ଘଟଣା ପରେ ସମସ୍ତେ ମୋ ହାତ ଛାଡ଼ିଦେଲେ, ହେଲେ ଜଣେ ବନ୍ଧୁ ମୋର ପରିସ୍ଥିତି ବୁଝି ମତେ ଯାତ୍ରାକୁ ଆଣିଲେ। ମୋର ଯାଜପୁରିଆ ବନ୍ଧୁ ଟୁକୁନା ବରାଳ ପାଇଁ ଆଜି ମୁଁ ଯାତ୍ରାକୁ ଆସିପାରିଛି। ସେମାନେ ମୋର ଚରିତ୍ରକୁ ମାର୍ଜିତ କରିଛନ୍ତି। ମୁଁ ଦୁଇ ତିନୋଟି ବହିରେ ଅଭିନୟ କରିଛି । ଆଉ ଏବେ ରାଜାରାଣୀ ରଙ୍ଗମଞ୍ଚରେ ଯୋଗ ଦେଇଛି। ବହୁତ୍ ଖୁସି ଲାଗୁଛି ଆଉ ଏକ ନୂଆ ଅନୁଭୂତି ସାଉଣ୍ଟୁଛି । ଦିନେ ମୁଁ ନିର୍ଦ୍ଦେଶନା ଦେଉଥିଲି ଆଜି ମତେ ନିର୍ଦ୍ଦେଶନା ଦେଉଛନ୍ତି । ଯାତ୍ରା ମଞ୍ଚ ମୋ ପାଇଁ ଏକ ନୂଆ ଦୁନିଆ। ସିନେମାରେ ଆମେ ଷ୍ଟାର୍ଟ, ଆକ୍ସନ, କ୍ୟାମେରା, କଟ୍ କହି ସହଜରେ ସୁଟିଂ କରିଥାଉ। କିନ୍ତୁ ଯାତ୍ରାରେ ବହୁତ୍ କଷ୍ଟ ଡାଇଲଗ୍ ଗୁଡ଼ିକୁ ମନେ ରଖିକି ତାକୁ କହିବା, ଆଉ ଲୋକଙ୍କ ପାଖରେ ପହଞ୍ଚିଲା ଭଳି ଉଚ୍ଚ ସ୍ୱରରେ କହିବାକୁ ପଡ଼େ।
ଜଣେ ଭାରତୀୟ ନିର୍ଦ୍ଦେଶକ, ଅଭିନେତା, ନୃତ୍ୟ ନିର୍ଦ୍ଦେଶକ ଏବଂ ସିନେ ପ୍ରଯୋଜକ । ସେ ମୁଖ୍ୟତଃ ଓଡ଼ିଆ ସିନେ ଜଗତରେ ନିର୍ଦ୍ଦେଶନା ଦେଇଛନ୍ତି ଏବଂ କନ୍ନଡ଼, ତେଲୁଗୁ, ତାମିଲ, ମାଲାୟଲମ, ବଙ୍ଗାଳୀ, ହିନ୍ଦୀ ଆଦି ଫିଲ୍ମ୍ ଜଗତରେ ବିଭିନ୍ନ ଚଳଚ୍ଚିତ୍ରରେ ଜଣେ ନୃତ୍ୟ ନିର୍ଦ୍ଦେଶକ ଭାବରେ କାମ କରିଛନ୍ତି । ଏଥି ସହିତ ସେ ବିଭିନ୍ନ ଭାଷାର ଫିଲ୍ମ୍ ଗୁଡ଼ିକରେ ଅତିଥି କଳାକାର ଭାବରେ ଛୋଟ ଛୋଟ ଭୂମିକାରେ ଅଭିନୟ କରିଛନ୍ତି ।
ସୁଧାକର ବସନ୍ତ ତାମିଲନାଡ଼ୁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ମାତୃଭାଷା ହେଉଛି ମାଲାୟଲମ୍ । କିନ୍ତୁ ଅନେକ ଦିନ ଧରି ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ କାମ କରିଥିବାରୁ ଓଡ଼ିଆ ଭାଷାକୁ ସେ ଭଲ ଭାବେ ବୁଝି ପାରନ୍ତି ଓ କହିପାରନ୍ତି। ସେ ୧୯୯୯ ମସିହାରେ ଓଡ଼ିଆ ସିନେ ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ଜଣେ ନୃତ୍ୟ ନିର୍ଦ୍ଦେଶକ ଭାବରେ ପ୍ରଥମେ ଗୋପାଳ ଯୋଗେଶଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ୍ ଶୋଳ ଶୁକ୍ରବାରରେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ । ଏହାପରେ ସେ ପ୍ରେମ ବନ୍ଧନ ଏବଂ ସୁନା ସଂଖାଳୀ ଆଦି ଓଡ଼ିଆ ଫିଲ୍ମରେ ଲଗାତାର କାମ କରିବା ଆରମ୍ଭ କରିଥିଲେ । ୨୦୦୬ ମସିହାରେ ସୁଧାକର ବସନ୍ତ ଶକ୍ତି ବରାଳଙ୍କ ନିର୍ଦ୍ଦେଶିତ ଫିଲ୍ମ୍ ତୁ ଏକା ଆମ ସାହା ଭରସାରେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ, ଯେଉଁଥିରେ ଅଧିକ ଲୋକପ୍ରିୟତା ପାଇଥିଲେ ।
୧୦ ବର୍ଷ ନିର୍ଦ୍ଦେଶନା ଦେବାପରେ ସେ ୨୦୦୯ ମସିହାରେ ଓଡ଼ିଆ ଫିଲ୍ମ ଜଗତରେ ଡାଇଲଗ୍ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଫିଲ୍ମ୍ ଥିଲା ମିତରେ ମିତ ଯେଉଁଥିରେ ଅରିନ୍ଦମ ରାୟ, ନମ୍ରତା ଥାପା, ଲଭ୍ଲି ଓ ତନ୍ମୟ ମିଶ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ୨୦୧୧ ମସିହାରେ ସୁଧାକରଙ୍କର ନିର୍ଦ୍ଦେଶିତ ଚଳଚ୍ଚିତ୍ର ବାଳୁଙ୍ଗା ଟୋକା ଅଧିକ ଲୋକପ୍ରିୟ ହୋଇଥିଲା ଏବଂ ତାଙ୍କୁ ଓଡ଼ିଆ କଥାଚିତ୍ର ଜଗତରେ ଜଣେ ଆଗଧାଡ଼ିର ନିର୍ଦ୍ଦେଶକ ଭାବରେ ଗଣାଗଲା । ସୁଧାକର କିଛି ଓଡ଼ିଆ ଫିଲ୍ମରେ ପ୍ରଯୋଜନା ମଧ୍ୟ କରିଥିଲେ । ତାଙ୍କର ୨୦୧୪ ମସିହାରେ ପ୍ରଯୋଜିତ ପ୍ରଥମ ଓଡ଼ିଆ ଫିଲ୍ମ୍ ଥିଲା ଓମ୍ । ଏହାପରେ ୨୦୧୫ରେ ସେ ଆଶିକ୍ ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ।
ସେ ନିର୍ଦ୍ଦେଶନା ଦେଇଥିବା ସିନେମା ଗୁଡ଼ିକ ହେଉଛି- ୨୦୦୯ରେ ମିତରେ ମିତ, ୨୦୧୦ରେ ପ୍ରେମ ଅଢ଼େଇ ଅକ୍ଷର, ୨୦୧୧ରେ କିଏ ସେ ଡାକୁଛି କୋଉଠି ମତେ ଏବଂ ବାଳୁଙ୍ଗା ଟୋକା, ୨୦୧୨ରେ ସମଥିଙ୍ଗ୍ ସମଥିଙ୍ଗ, ମାଟ୍ରିକ୍ ଫେଲ୍ ଓ ଏସିପି ରଣବୀର, ୨୦୧୩ରେ ମୋ' ଦୁନିଆ ତୁ ହିଁ ତୁ ଓ ଡାହା ବାଳୁଙ୍ଗା, ୨୦୧୪ରେ ଓମ୍, ସମଥିଙ୍ଗ୍ ସମଥିଙ୍ଗ୍ ୨ ଓ ଗଞ୍ଜା ଲଢ଼େଇ ଏଵଂ ୨୦୧୫ରେ ଆଶିକ୍।
ସେ ଅଭିନୟ କରିଥିବା ଓଡ଼ିଆ ସିନେମା ଗୁଡ଼ିକ ହେଉଛି:- ୨୦୧୪ରେ ଗଞ୍ଜା ଲଢ଼େଇରେ ଆନ୍ନା ଚରିତ୍ର, ୨୦୧୫ରେ କିଏ ଦବ ଟକ୍କରରେ ଭାଲୁ ଯାଦବ ଏଵଂ ଆଶିକରେ ବିଜୟ ସିଂହ ଚରିତ୍ରରେ ସେ ଅଭିନୟ କରିଥିବା ଦେଖିବାକୁ ମିଳିଥିଲା।
Also Read- Gold Rate: ସୁନା କିଣିବାର ସୁବର୍ଣ୍ଣ ସମୟ, ଜାଣନ୍ତୁ କେତେ ଖସିଲା ଦର