Rath Yatra 2023: ଆଜି ଭଉଁରୀ ଯାତ୍ରା, ସରିବ ଚନ୍ଦନ ଯାତ୍ରା; ସମାପନ ହେବ ମହାପ୍ରଭୁଙ୍କ ଚକାଡେରା ନୀତି
Advertisement
Article Detail0/zeeodisha/odisha1691361

Rath Yatra 2023: ଆଜି ଭଉଁରୀ ଯାତ୍ରା, ସରିବ ଚନ୍ଦନ ଯାତ୍ରା; ସମାପନ ହେବ ମହାପ୍ରଭୁଙ୍କ ଚକାଡେରା ନୀତି

Puri Rath Yatra News 2023: ଆଜି ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିବସ ଥିବାରୁ ପ୍ରଶାସନ ପକ୍ଷରୁ ନୀତି କାନ୍ତି ଚୁଡାନ୍ତ ହୋଇଛି। ସେପଟେ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଭୋଇ ସେବକମାନେ ଯନ୍ତାଗାଡରେ ସିଙ୍ଗଡା ବାଡିଆ ପଦ୍ଧତିରେ ତୁମ୍ବ ସହ ଅର ଯୋଡି ରଥଖଳାକୁ ବୋହି ନେଉଛନ୍ତି। ରଥଖଳାରେ ବିଲେଇ ବାଡିଆ ପଦ୍ଧତିରେ ଚକ ପ୍ରସ୍ତୁତ ଜାରୀ ରହିଛି।

Rath Yatra 2023: ଆଜି ଭଉଁରୀ ଯାତ୍ରା, ସରିବ ଚନ୍ଦନ ଯାତ୍ରା; ସମାପନ ହେବ ମହାପ୍ରଭୁଙ୍କ ଚକାଡେରା ନୀତି
Rath Yatra 2023: ପୁରୀ: ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ (Srikhetra)। ଶ୍ରୀକ୍ଷେତ୍ରରେ (Srikhetra) ୨୧ଦିନ ଧରି ଚାଲିଥିବା ବାହାର ଚନ୍ଦନ ଯାତ୍ରାର (Chandan Jatra) ଅନ୍ତିମ ଦିବସ। ଏହି ଅବସରରେ ଶ୍ରୀମନ୍ଦିରରେ (Srimandira) ରହିଛି ସ୍ବତନ୍ତ୍ର ନୀତି କାନ୍ତି। ଏପଟେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା (Ratha Yatra 2023) ପାଇଁ ରଥନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ତେବେ ବିଧି ପରମ୍ପରା ଅନୁଯାୟୀ ଆଜି ଭଉଁରୀ ଅବସରରେ ପ୍ରତିରଥର ଦୁଇଟି ଚକ ସହ ଅଖ ସଂଯୋଗ ହୋଇ ଚକଡେରା ନୀତି ସମ୍ପନ୍ନ ହେବ। ଏଥିପାଇଁ ବିଶ୍ଵକର୍ମା ମହାରଣାମାନେ (Ratha Work) ଛଅଟି ଚକ ଓ ତିନୋଟି ଅଖକୁ ପ୍ରସ୍ତୁତ କରି ରଖିଛନ୍ତି। ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ତିନିରଥର ଚକଡେରା ନୀତି ଅନୁଷ୍ଠିତ ହେବ। ସେପଟେ ଜିଲ୍ଲା ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେପଟେ ଆଜି ରାତି ସୁଦ୍ଧା ରଥଖଳାକୁ ସମତୁଲ କରାଯିବ। କୌଣସି ଅସୁବିଧା ହେବ ନାହିଁ ବୋଲି ବୋଲି କହିଛନ୍ତି ଉଭୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଓବିସିସି ଅଧିକାରୀ।
 
ପବିତ୍ର ଅକ୍ଷୟ ତୃତୀୟା ଦିନ ମହାପ୍ରଭୁଙ୍କ ରଥଯାତ୍ରା ଲାଗି ରଥନିର୍ମାଣ ଅନୁକୂଳ ହୋଇଥିଲା। ଇତିମଧ୍ୟରେ ୧୮ଦିନରେ ପହଞ୍ଚିଛି ରଥନିର୍ମାଣ। ଆସନ୍ତାକାଲି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ। ବିଧି ଅନୁଯାୟୀ ଏହି ପବିତ୍ର ଦିନରେ ତିନିରଥର ଛଅଟି ଚକ ତିନୋଟି ଅଖସହ ସଂଯୋଗ ହେବା ସହ ରଥଚକ ଡେରା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ବିଶ୍ଵକର୍ମା ମହାରଣାମାନେ ୬ଟି ନାହାକା ଚକ ଓ ତିନୋଟି ଅଖ ପ୍ରସ୍ତୁତ କରି ରଖିଛନ୍ତି। ଶ୍ରୀମନ୍ଦିରରେ ସକାଳ ଧୂପ ବଢିବା ପରେ ତିନିବାଡର ପୂଜାପଣ୍ଡା ସେବାୟତମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ରଥଖଳାକୁ ଆସିବେ। ସେଠାରେ ଭୋଇ ସେବକମାନେ ଚକ ଅଖ ଡେରା ନୀତି ସମ୍ପନ୍ନ କରିବା ପରେ ତିନି ରଥର ମୁଖ୍ୟ ବିଶ୍ଵକର୍ମାଙ୍କୁ ପୂଜାପଣ୍ଡା ସେବାୟତମାନେ ଆଜ୍ଞାମାଳ ପ୍ରଦାନ କରିବେ। ଏହାପରେ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିବ ବୋଲି କହିଛନ୍ତି ମୁଖ୍ୟ ବିଶ୍ଵକର୍ମା। ଅନ୍ୟପଟେ ତିନି ରଥ ଠିଆ ହେବା ସ୍ଥାନ ସମାନ୍ତରାଳ ନଥିବାରୁ ଆଶାଆଶଙ୍କାରେ ରଥନିର୍ମାଣ ସେବକ।
 
ତିନି ରଥର ସମୁଦାୟ ୪୨ଟି ଚକ ମଧ୍ୟରୁ ଆଜି ସୁଦ୍ଧା ୩୦ଟି ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ସେହିପରି ରୂପକାର ସେବକମାନେ ସିଂହ ବିରାଳ ଖୋଦେଇ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ତେବେ ଆଜି ରଥଖଳା ଆସି ବିଶ୍ୱକର୍ମା ସେବକମାନଙ୍କ ସହ ଆଲୋଚନା କରି ରଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ଅନୁଧ୍ୟାନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଚଳିତ ବର୍ଷ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ସମୟ ପୂର୍ବରୁ ତିନି ରଥ ନିର୍ମାଣ କାର୍ଯ୍ୟ ଶେଷ ହେବା ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ପ୍ରବଳ ଭକ୍ତଙ୍କ ସମାଗମ ହେବା ଆଶଙ୍କାରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶ୍ରୀମନ୍ଦିର ଠାରୁ ରଥଖଳା ପର୍ଯ୍ୟନ୍ତ ସୁରକ୍ଷା ଦାୟିତ୍ବରେ ଜଣେ ଅତିରିକ୍ତ ଏସପି, ୨ ଜଣ ଡିଏସପି, ୩ ଜଣ ଆଇଆଇସିଙ୍କ ସହ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି କହିଛନ୍ତି ଏସପି। ଏପଟେ ତିନି ରଥ ଦଣ୍ଡାୟମାନ ହେବା ସ୍ଥାନକୁ ଆଜି ରାତି ସୁଦ୍ଧା ସମାନ୍ତରାଳ କରାଯିବ ବୋଲି ଓବିସିସିର ଜେନେରାଲ ମ୍ୟାନେଜର ପ୍ରଭାତ କୁମାର ପାଣିଗ୍ରାହୀ କହିଛନ୍ତି। ତେବେ ରଥ ନିର୍ମାଣରେ ନିୟୋଜିତ ଥିବା ବିଶ୍ବକର୍ମା ଓ ଭୋଇ ସେବାୟତ ଏଥିପାଇଁ ଚିନ୍ତା ପ୍ରକଟ ନକରିବାକୁ ସେ ଅନୁରୋଧ କରିଛନ୍ତି।