କାଳିଆ ସେବାରେ ରାଜକିଶୋରଙ୍କ ପରିବାର, ମାଗଣାରେ ଯୋଗାଉଛନ୍ତି ଶୋଲଫୁଲ
Advertisement
Article Detail0/zeeodisha/odisha1233237

କାଳିଆ ସେବାରେ ରାଜକିଶୋରଙ୍କ ପରିବାର, ମାଗଣାରେ ଯୋଗାଉଛନ୍ତି ଶୋଲଫୁଲ

ଘୋଷଯାତ୍ରା ଅବସରରେ ତିନି ରଥକୁ ଅଧିକ ସୁନ୍ଦର କରିବା ପାଇଁ ବିଗତ ୧୯ବର୍ଷ ଧରି ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇସାହିର ରାଜକିଶୋରଙ୍କ ପରିବାର ଶୋଲଫୁଲ ଯୋଗାଇ ଆସୁଛନ୍ତି । ସେଥିପାଇଁ ପରିବାରର ସମସ୍ତ ସଦସ୍ୟ ଏବେ ଫୁଲ ତିଆରିରେ ଲାଗି ପଡିଛନ୍ତି ।

ଫାଇଲ ଫଟୋ

ଖୋର୍ଦ୍ଧା: ଦୁଇ ବର୍ଷର କୋରୋନା କଟକଣା ପରେ ଏବେ ଭକ୍ତ ଓ ଭଗବାନ ଏକାଠି ହେବାକୁ ଯାଉଛନ୍ତି । ଆଉ ମାତ୍ର ଦିନ କେଇଟା ପରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଘୋଷଯାତ୍ରା ଅବସରରେ ତିନି ରଥକୁ ଅଧିକ ସୁନ୍ଦର କରିବା ପାଇଁ ବିଗତ ୧୯ବର୍ଷ ଧରି ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇସାହିର ରାଜକିଶୋରଙ୍କ ପରିବାର ଶୋଲଫୁଲ ଯୋଗାଇ ଆସୁଛନ୍ତି । ସେଥିପାଇଁ ପରିବାରର ସମସ୍ତ ସଦସ୍ୟ ଏବେ ଫୁଲ ତିଆରିରେ ଲାଗି ପଡିଛନ୍ତି । ଅକ୍ଷୟ ତୃତୀୟ ଠାରୁ ପରିବାରର ପ୍ରତ୍ୟେକ ସଦସ୍ୟ ନିଷ୍ଠାର ସହ ଶୋଲଫୁଲ କାମ କରନ୍ତି । ଆଉ ନେତ୍ରୋତ୍ସବ ଦିନ ନିଜେ ମନ୍ଦିର ପ୍ରଶାସନ ପାଖରେ ପହଂଚି, ମନ୍ଦିର ପ୍ରଶାସନର ଅନୁମତି ନେଇ ୩ ରଥରେ ଶୋଲଫୁଲ ଖଂଜିଥାନ୍ତି ।

କାଳିଆ ପାଇଁ ଭଳିକି ଭଳି ଶୋଲଫୁଲକୁ ତିଆରି କରିବାରେ ଲାଗିପଡିଛନ୍ତି ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇସାହିର ରାଜକିଶୋରଙ୍କ ପରିବାର । ସମସ୍ତଙ୍କ ମନରେ ଉତ୍କଣ୍ଠା ! କେତେବେଳେ ଆସିବ ନେତ୍ରୋତ୍ସବ ଆଉ ସେମାନଙ୍କ ହାତ ତିଆରି ଫୁଲ ମହାପ୍ରଭୁଙ୍କ ରଥରେ ଲାଗି ହେବ । ୨୦୦୪ ମସିହାରେ ନିଜ ହାତ ତିଆରି ଶୋଲଫୁଲ ରଥରେ ଖଞ୍ଜିବାକୁ ମନ୍ଦିର ପ୍ରଶାସନର ଅନୁମତି ଲୋଡିଥିଲେ । ଆଉ ମନ୍ଦିର ପ୍ରଶାସନର ଅନୁମତି ମିଳିବା ପରଠାରୁ ପ୍ରତି ବର୍ଷ ତିନି ରଥ ପାଇଁ ଏହି ପରିବାର ନିରବଚ୍ଛିନ୍ନ ଶୋଲଫୁଲ ଯୋଗାଇ ଆସୁଛନ୍ତି । ତେବେ ଅକ୍ଷୟ ତୃତୀୟା ଆସିଲେ ପୁରୀ ଯେଉଁଭଳି ଭାବେ ରଥକାମ ଆରମ୍ଭ ହୋଇଥାଏ । ସେହିପରି ଭାବେ ରାଜକିଶୋରଙ୍କ ପରିବାରର ପ୍ରତିଟି ସଦସ୍ୟ ଶୋଲଫୁଲ ତିଆରିରେ ଲାଗିପଡ଼ନ୍ତି । 

Also Read: Weather Update : ଆଜିଠୁ ରାଜ୍ୟରେ ଚାରି ଦିନ ପ୍ରବଳ ବର୍ଷା, ଏହି ଜିଲ୍ଲାରେ ବିଜୁଳି-ବଜ୍ରପାତ ଆଶଙ୍କା 

ଅକ୍ଷୟ ତୃତୀୟା ଠାରୁ ପରିବାରର ସମସ୍ତେ ନିଷ୍ଠା ଓ ଭକ୍ତିର ସହ ନିଜର ଛୁରି ଓ ଅନ୍ୟ ପ୍ରସ୍ତୁତ ସାମ୍ରଗୀକୁ ପୂଜାର୍ଚ୍ଚନା କରି ଫୁଲ ତିଆରିରେ ଲାଗିପଡିଥାନ୍ତି । ଫୁଲ ପ୍ରସ୍ତୁତି ପାଇଁ ଶୋଲ ଗୁଡ଼ିକୁ ପୁରୀ, ନିମାପଡ଼ା, କାକଟପୁର, ବାଙ୍କୀ, ଗୋପ ଓ କଣାସ ଆଦି ଅଂଚଳରୁ କାର୍ତ୍ତୀକ ମାସରୁ ହିଁ ସଂଗ୍ରହ କରିଥାନ୍ତି । ସେଗୁଡ଼ିକ ଖରା କାକରରେ ଶୁଖାଇ ଆବଶ୍ୟକ ଅନୁସାରେ କାଟି ସେଥିରୁ କଦମ୍ବ ଓ ସୂର୍ଯ୍ୟମୁଖୀ ଫୁଲ ଜୀବନ୍ତ ଭାବେ ଫୁଟାଇଥାନ୍ତି । ପରିବାରର ସଦସ୍ୟମାନେ ନୂଆ ଲୁଗା ପିନ୍ଧି ଅତି ପବିତ୍ର ଓ ନିଷ୍ଠାର ସହ ଏହି କାମ କରିଥାନ୍ତି । ଏମାନେ କୌଣସି ରାସାୟନିକ ରଙ୍ଗ ଏହି ଶୋଲଫୁଲରେ ବ୍ୟବହାର କରନ୍ତି ନାହିଁ । କେବଳ ଚୁମୁକି ଓ ମୀନା ବ୍ୟବହାର କରି ଏହି କାରିଗରମାନେ ଫୁଲଗୁଡିକୁ ଅଧିକ ଆକର୍ଷଣୀୟ କରିଥାନ୍ତି ।

fallback

ଜଗତର ନାଥ ଜଗନ୍ନାଥଙ୍କ ସେବାର ସୁଯୋଗ ସମସ୍ତଙ୍କୁ ମିଳିନଥାଏ । ତେବେ ଗୁରୁଜଙ୍ଗ ଭୋଇସାହିର ଏହି ପରିବାର ବିନା ପାରିଶ୍ରମିକରେ ମହାପ୍ରଭୁଙ୍କୁ ସେବା କରିବାର ସୁଯୋଗ ପାଇ ବେଶ ଆନନ୍ଦିତ ଓ ଗର୍ବିତ । ତେବେ ସରକାରଙ୍କ ପକ୍ଷରୁ କିଛିଟା ପ୍ରୋତ୍ସାହନ ମିଳିଲେ ସେମାନଙ୍କ ଆର୍ଥିକ ଅବସ୍ଥାରେ ସ୍ୱଚ୍ଛଳ ଆସନ୍ତା ବୋଲି ଦାବି ହେଉଛି ।