ପାରାଦ୍ୱୀପ ଅଠରବାଙ୍କୀ ରାସ୍ତାରେ ଯଦି ପଶିଯିବ ତାହାଲେ ପୁରା ଫସି ଯିବ,ଏହା ରାସ୍ତା ନୁହେଁ ପୁରା ଚକ୍ରବ୍ୟୁହୁ
Advertisement
Article Detail0/zeeodisha/odisha1208402

ପାରାଦ୍ୱୀପ ଅଠରବାଙ୍କୀ ରାସ୍ତାରେ ଯଦି ପଶିଯିବ ତାହାଲେ ପୁରା ଫସି ଯିବ,ଏହା ରାସ୍ତା ନୁହେଁ ପୁରା ଚକ୍ରବ୍ୟୁହୁ

(ପାରାଦୀପ, ନାରାୟଣ ବେହେରା ): ସହରର ସବୁଠାରୁ ଚଳଚଞ୍ଚଳ ରାସ୍ତା ଅଠରବାଙ୍କୀରୁ ଦୋଛକି । ଦୀର୍ଘ ଏହା ୪.୫ କିଲୋମିଟର  ରାଜରାସ୍ତା । ଏହି ରାଜପଥରେ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଘଟୁଛି । ଗତ ଏପ୍ରିଲ ୮ରୁ ମେ ୨ତାରିଖ ମଧ୍ୟରେ ଏହି ରାସ୍ତାରେ ୪ଟି ବଡ ଦୁର୍ଘଟଣା ଘଟି ୪ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ଗତ ମେ' ୭ ତାରିଖରେ ଜିଲ୍ଲା ପ୍ରଶାସନ ପାରାଦୀପର ସମସ୍ତ ଶିଳ୍ପ ସଂସ୍ଥାକୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ଅଠରବାଙ୍କୀ ଠାରୁ ଦୋଛକି ରାସ୍ତାକୁ ନୋ ପାର୍କିଂ ଜୋନ୍ ଘୋଷଣା କରିଥିଲେ । 

 

ପାରାଦ୍ୱୀପ ଅଠରବାଙ୍କୀ ରାସ୍ତାରେ ଯଦି ପଶିଯିବ ତାହାଲେ ପୁରା ଫସି ଯିବ,ଏହା ରାସ୍ତା ନୁହେଁ ପୁରା ଚକ୍ରବ୍ୟୁହୁ

ଏହା ବ୍ୟତୀତ ଏକ ଯାଞ୍ଚ କମିଟି ପ୍ରତିଦିନ ତଦାରଖ କରିବା ସହିତ ପୋଲିସ ପାର୍କିଂ ହଟାଇବ । ପ୍ରତିଦିନ ଯାନ୍ତ୍ରିକୀକରଣ ମାଧ୍ୟମରେ ରାସ୍ତାରୁ ଧୂଳି ଆସ୍ତରଣ ସଫା ହେବ । ଆରଟିଓ ଓ ଏମ୍.ଭି.ଆଇ ଭାରି ଯାନ ଉପରେ ଜୋରିମାନା ଆଦାୟ କରିବା ଭଳି ଅନେକ କଥା ଜଗତସିଂହପୁର ଜିଲ୍ଲାପାଳ ପାରୁଲ୍ ପଟ୍ଟୁଆରୀ କହିଥିଲେ । ଏହି ଘୋଷଣାକୁ ୨୫ ଦିନ ବିତି ଯାଇଥିଲେ ମଧ୍ୟ ନୋ ପାର୍କିଂ ଜୋନ୍ ଲାଗୁ ହୋଇନାହିଁ କିମ୍ବା ରାସ୍ତା ଉପରୁ ଧୂଳି ସଠିକ ଭାବେ ସଫା କରା ଯାଉନାହିଁ । ପୂର୍ବ ଭଳି ଶତାଧିକ ଭାରି ଯାନ ରାସ୍ତାର ଉଭୟ ପାର୍ଶ୍ଵରେ ସବୁ ସମୟରେ ରହୁଥିବା ଦେଖିବାକୁ ମିଳିଛି । ବିଶେଷକରି ପାରାଦୀପରୁ ଚଣ୍ଡିଖୋଲ ଅଭିମୁଖେ ଯିବା ରାସ୍ତାରେ ବାମ ପାର୍ଶ୍ଵରେ

 ଅତ୍ୟନ୍ତ ବିପଦଯୁକ୍ତ ସ୍ଥାନରେ ଟ୍ରକ, ହାଇୱା, ଲୋଡର ଭଳି ଭାରି ଯାନ ରହିଛି । ସୂଚନାଯୋଗ୍ୟ, ଗତ ୫ବର୍ଷରେ ଉକ୍ତ ରାସ୍ତାରେ ଶତାଧିକ ଦୁର୍ଘଟଣା ଯୋଗୁଁ ୫୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ପଙ୍ଗୁ ହୋଇଛନ୍ତି । ସେହିପରି ଗତ ଏପ୍ରିଲ ୮ ତାରିଖରେ ଟ୍ରକ ଚାପାରେ ମାଆ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଏପ୍ରିଲ ୧୮ଓ ୨୦ରେ ଦୁଇଟି ଦୁର୍ଘଟଣା ଘଟି ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେହିପରି ମେ' ୨ରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିଲା । ଏବେବି ପ୍ରତିଦିନ ଉକ୍ତ ରାସ୍ତାରେ ଛୋଟବଡ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । 

ଭାରି ଯାନକୁ ଛାଡି ଦେଲେ ରାସ୍ତା କଡରେ  ଅନେକ ବ୍ୟବସାୟୀ ବେପାର ଯୋଗୁଁ ଅଧିକାଂଶ ସମୟରେ ରାଜପଥ ଅବରୋଧ ହେଉଛି । ଏଭଳି ଘଟଣା ପାରାଦୀପରେ ନିତିଦିନି ଦେଖିବାକୁ ମିଳୁଥିବା ବେଳେ ଭାରି ଯାନ ପାର୍କିଂକୁ ନେଇ ଦୁର୍ଘଟଣା ଘଟୁଥିବାରୁ ମାନବିକତା ଦୃଷ୍ଟି କୋଣରୁ ଦୁର୍ଘଟଣା ପାଇଁ ଦୁଃଖିତ ଥିବା ବେଳେ ନୋ ପାର୍କିଂ ଜୋନ୍ କରିବାକୁ ସହମତ ଅଛନ୍ତି ବୋଲି ପାରାଦୀପ ଟ୍ରକ ମାଲିକ ସଂଘ ପକ୍ଷରୁ କୁହାଯାଇଛି । 

ଏଥି ସହିତ  ପାରାଦୀପ ବନ୍ଦର ଓ ୧୫ଟି ବୃହତ ଶିଳ୍ପକୁ ଯାତାୟାତ କରୁଥିବା ଟ୍ରକ ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ଦରକାର । ବର୍ତ୍ତମାନ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଟ୍ରକ ରାସ୍ତା ଉପରେ ରହିବାକୁ ବାଧ୍ୟ ହୋଇ ରହୁଛି । ସେହିପରି ଜିଲ୍ଲା ପ୍ରଶାସନ ଓ ବନ୍ଦର ପ୍ରଶାସନ ଏକ ବିଶ୍ବ ସ୍ତରୀୟ ଟ୍ରକ ଟର୍ମିନାଲ୍ କରିଦେବେ ବୋଲି ୨୦୧୫ରୁ କହିଥିଲେ ମଧ୍ୟ ତାହା ଏଯାବତ କାର୍ଯ୍ୟକାରୀ ହୋଇନାହିଁ ବୋଲି ଜଗନ୍ନାଥ ଟ୍ରକ ମାଲିକ ସଂଘ ପକ୍ଷରୁ କୁହାଯାଇଛି ।

ସ୍ଥାୟୀ ଟର୍ମିନାଲ୍ ହେବା ପର୍ଯ୍ୟନ୍ତ ଯେ କୌଣସି ସ୍ଥାନରେ ଅସ୍ଥାୟୀ ଟର୍ମିନାଲ୍ କରିଦେଲେ ପାର୍କିଂ ସମସ୍ୟା ଦୂର ହେବା ସହିତ ଅନେକାଂଶରେ ଦୁର୍ଘଟଣା ରୋକା ଯାଇ ପାରିବ । ତେବେ ଜିଲ୍ଲା ପ୍ରଶାସନ ର 'ନୋ ପାର୍କିଂ' ଜୋନ୍ ଘୋଷଣା କେବେ କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା ।