Jharsuguda by-election 2023: ଭୋଟ ଦେଉଛି ଝାରସୁଗୁଡ଼ା, ସମ୍ବେଦନଶୀଳ ବୁଥରେ କଡ଼ା ସୁରକ୍ଷା ବ୍ୟବସ୍ଥା
Advertisement

Jharsuguda by-election 2023: ଭୋଟ ଦେଉଛି ଝାରସୁଗୁଡ଼ା, ସମ୍ବେଦନଶୀଳ ବୁଥରେ କଡ଼ା ସୁରକ୍ଷା ବ୍ୟବସ୍ଥା

Jharsuguda Bypoll: ଆରମ୍ଭ ହୋଇଛି ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ଭୋଟିଂ । ବୁଧବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମୋଟ ୨୫୩ ବୁଥରେ ସଂଧ୍ଯା ୬ଟା ଯାଏଁ ଏହି ଭୋଟଦାନ ପ୍ରକ୍ରିୟା ଜାରି ରହିବ । ମୁକ୍ତ ଓ ଅବାଧ ନିର୍ବାଚନ ଲାଗି ସମସ୍ତ ବୁଥରେ ସିସିଟିଭି ଲଗାଯାଇଛି ଏହାସହ ସମ୍ବେଦନଶୀଳ ବୁଥ ଗୁଡ଼ିକରେ ଫୋର୍ସ ମୁତୟନ କରାଯାଇଛି । 

ସୌ(ସୋସିଆଲ ମିଡିଆ)

Jharsuguda by-election 2023: ବହୁ ପ୍ରତୀକ୍ଷାର ଅନ୍ତ । ଆଜି ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ଚାଲିଛି ଭୋଟିଂ(jharsuguda by- election poll 2023) । ମୋଟ ୨୫୩ ବୁଥରେ ବୁଧବାର ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ପ୍ରକ୍ରିୟା ସଂଧ୍ଯା ୬ଟା ପର୍ଯ୍ୟନ୍ତ ଚାଲିବ । ମୁକ୍ତ ଓ ଅବାଧ ନିର୍ବାଚନ ଲାଗି ସମସ୍ତ ବୁଥରେ ସିସିଟିଭି ଲଗାଯାଇଛି ଏହାସହ ସମ୍ବେଦନଶୀଳ ବୁଥ ଗୁଡ଼ିକରେ ଫୋର୍ସ ମୁତୟନ କରାଯାଇଛି । ସେପଟେ ବୁଥ ଭିତରକୁ ଭୋଟରମାନଙ୍କୁ ଫୁଲ ଚନ୍ଦନ ଲଗାଇ ସ୍ବାଗତ କରାଯାଉଛି । ମଇଦାନରେ ୯ ଜଣ ପ୍ରାର୍ଥୀ ରହିଥିବା ବେଳେ କିନ୍ତୁ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଯଥା, ବିଜେଡ଼ିରୁ ଦୀପାଳି ଦାସ (Dipali das), ବିଜେପିରୁ ଟଙ୍କଧର ତ୍ରିପାଠୀ (Tankadhar Tripathy) ଓ କଂଗ୍ରେସରୁ ତରୁଣ ପାଣ୍ତେଙ୍କ (Tarun pandey) ମଧ୍ୟରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିଛି । ଏହି ୯ ପ୍ରାର୍ଥୀ ଭାଗ୍ୟ ନିର୍ଦ୍ଧାରଣ କରିବେ ପ୍ରାୟ ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର।

ସୂଚନାଥାଉ କି, ଝାରସୁଗୁଡ଼ାର ସବୁ ବୁଥରେ ୱେବ କାଷ୍ଟିଂ କରାଯାଇଛି । ମୋଟ ୨୫୩ଟି ବୁଥ ମଧ୍ୟରୁ ୨୬ଟି ପିଙ୍କ ବୁଥ ଓ ୪୦ଟି ମଡ଼େଲ ବୁଥ ସହ ୧୪୪ଟି ସମ୍ବେଦନଶୀଳ ବୁଥ ରହିଛି । ସମସ୍ତ ବୁଥରେ ୭ଟି କେନ୍ଦ୍ରୀୟ ଫୋର୍ସ, ୧୬ ପ୍ଲାଟୁନ ଆର୍ମଡ଼ ଫୋର୍ସ, ୩୦୦ଟି କନେଷ୍ଟବଳ ଓ ହାବିଲଦାର, ୭ ଜଣ ଡିଏସପିଙ୍କ ସହ ୧୫୫ ଅଧିକାରୀଙ୍କୁ ମୁତୟନ କରାଯାଇଛି । ସେହିପରି ୧୧୯ଟି ବୁଥରେ ଡ୍ରୋନ କ୍ୟାମେରା ଲଗାଯାଇଥିବା ବେଳେ ୬୯ଟି ବୁଥରେ ମୋଇକ୍ରୋ ଅବଜଭର ରଖାଯାଇଛି । ପ୍ରତ୍ୟେକ ବୁଥରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଜାରି ରହିଥିବା ବେଳେ ଦିବ୍ୟାଙ୍ଗ ଭୋଟରଙ୍କ ଲାଗି ହ୍ବିଲ ଚେୟାର ସହ ପ୍ରଶାସନ ପକ୍ଷରୁ ଶହେରୁ ଅଧିକ ଅଟୋର ମଧ୍ୟ ବ୍ୟବସ୍ଥା କରାଯାଇଛି। ସେପଟେ ମହିଳାଙ୍କ ଲାଗି ପିଙ୍କ ବୁଥର ବ୍ୟବସ୍ଥା କରାଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ସମସ୍ତ ଆଦର୍ଶ ଓ ପିଙ୍କ ବୁଥରେ ପାଣି ଓ ସରବତ ବ୍ୟବସ୍ଥା ରହିଛି । ଏମିକି କି, ବୁଥକୁ ଆସିବାକୁ ସକ୍ଷମ ନଥିବା ପ୍ରାୟ ୩୨୧ ଜଣ ବରିଷ୍ଠ ନାଗରିକଙ୍କଠାରୁ ସେମାନଙ୍କ ଘରୁ ପୋଷ୍ଟାଲ ବ୍ୟାଲଟ ଯୋଗେ ଭୋଟ ଗ୍ରହଣ କରାଯାଇଛି । ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ସମସ୍ତ ପୁଲିଂ ବୁଥ ପରିସରରେ ସେଲଫି ପଏଣ୍ଟର ବ୍ୟବସ୍ଥା କରାଯାଇଛି ।

ପ୍ରକାଶ ଥାଉ କି, ସେପଟେ ଏହି ନିର୍ବାଚନରେ ଆଦିବାସୀଙ୍କ ଭୋଟ ଏକ ପ୍ରମୁଖ ଭୂମିକା ତୁଲାଇବ ବୋଲି ଚର୍ଚ୍ଚା ହେଉଛି। ଆଦିବାସୀଙ୍କ ସଂଖ୍ୟାକୁ ଯଦି ଦେଖାଯାଏ ତେବେ ଝାରସୁଗୁଡ଼ାରେ ଭୋଟରଙ୍କ ସିଂହଭାଗ ହେଉଛନ୍ତି ଆଦିବାସୀ ଓ ଅଘରିଆ ସମାଜ । ତେଣୁ ଏହି ଭୋଟ ଉପରେ ଏବେ ସବୁ ଦଳର ନଜର । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଥିବା ଆଦିବାସୀ ମତଦାତାଙ୍କ ସଂଖ୍ୟା ୪୮ ପ୍ରତିଶତ ଥିବାବେଳେ ଅଘରିଆ ଜାତିର ମତଦାତାଙ୍କ ସଂଖ୍ୟା ୨୩ ପ୍ରତିଶତ ରହିଛି । ଏହି ଦୁଇଟି ଜାତିର ୭୧ ପ୍ରତିଶତ ଭୋଟରୁ ଯେଉଁ ଦଳକୁ ଅଧିକ ସମର୍ଥନ ମିଳିବ ସେହି ଦଳ ନିର୍ବାଚନରେ ବିଜୟ ଟିକା ପିନ୍ଧିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ରଖିଛନ୍ତି । ଯଦିଓ ବିଗତ ଦିନରେ ଝାରସୁଗୁଡ଼ା ରାଜନୀତିରେ ଜାତିଗତ ସମୀକରଣକୁ ଏତେଟା ସଫଳତା ମିଳିନି, ତଥାପି ଉପନିର୍ବାଚନ ପରିପ୍ରେକ୍ଷୀରେ ୩ ପ୍ରମୁଖ ରାଜନୈତିକ ଦଳ ଏହା ଉପରେ ବିଶେଷ ଗୁରୁତ୍ବ ଦେଉଥିବା ଦେଖିବାକୁ ମିଳିଛି । 

ଝାରସୁଗୁଡ଼ା ମ୍ୟୁନିସିପାଲିଟିରେ ୭୧,୧୧୩ ଭୋଟର ଥିବା ବେଳେ ଝାରସୁଗୁଡ଼ା ସଦର ବ୍ଳକରେ ୩୮, ୫୪୬, କିର୍ମିରା ବ୍ଲକରେ ୩୩, ୯୦୧, କୋଲାବିରା ବ୍ଳକରେ ୩୭, ୮୧୦ ଓ ଲଇକେରା ବ୍ଲକରେ ୩୯,୭୦୯ ଭୋଟର ରହିଛନ୍ତି । ଆଦିବାସୀ ଭୋଟରଙ୍କ ସଂଖ୍ୟା ମୋଟ ଭୋଟରଙ୍କ ପ୍ରାୟ ୪୮ ପ୍ରତିଶତ । ବିଶେଷକରି ଲଇକେରା, କିରମିରା ଓ କୋଲାବିରା ବ୍ଲକରେ ଏହି ହାର ଯଥେଷ୍ଟ ଅଧିକ । ଝାରସୁଗୁଡ଼ା ସଦର ବ୍ଲକ ଓ ମ୍ୟୁନିସିପାଲିଟି ଅଞ୍ଚଳରେ ୨୮ ପ୍ରତିଶତ ଆଦିବାସୀ ଭୋଟର ଅଛନ୍ତି । ସେହିପରି ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଦ୍ୱିତୀୟ ସର୍ବାଧିକ ଭୋଟର ହେଉଛନ୍ତି ଅଘରିଆ ସମାଜର । କୋଲାବିରା ଓ କିରମିରା ବ୍ଲକରେ ଏହି ଭୋଟରଙ୍କ ସଂଖ୍ୟା ସହର ତୁଳନାରେ ଅଧିକ ରହିଛି । ଯଦି ଉଭୟ ଆଦିବାସୀ ଓ ଅଘରିଆ ସମାଜ ଭୋଟରଙ୍କୁ ହିସାବକୁ ନିଆଯାଏ, ତେବେ ଏହା ମୋଟ ଭୋଟରଙ୍କ ୭୧ ପ୍ରତିଶତ । ଅର୍ଥାତ କୌଣସି ଦଳ ଯଦି ଉଭୟ ସମାଜର ଭୋଟ ହାତେଇବାରେ ସଫଳ ହୁଏ, ତେବେ ତାର ଏକତରଫା ବିଜୟ ସୁନିଶ୍ଚିତ।